bmc

  • ହକି ବିଶ୍ୱକପ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

    ଭୁବନେଶ୍ବର:  ହକି ବିଶ୍ୱକପ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି l ୨୫ ତାରିଖରୁ ପଥଉତ୍ସବ ଆରମ୍ଭ ହୋଇ ଭୁବନେଶ୍ୱରରେ ପହଁଚିବ ହକି ବିଶ୍ୱକପ ଟ୍ରଫି l ସ୍ୱାଗତ ପାଇଁ ପ୍ରସ୍ତୁତ ହେଉଛି ବିଏମସି l ସେପଟେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଭିତରେ ବଳିପଡୁଛନ୍ତି ଉଠାଦୋକାନୀ ଓ ଛୋଟ ବ୍ୟବସାୟୀ l ବିନା ଥଇଥାନରେ ଉଚ୍ଛେଦ କରାଯାଇଥିବାରୁ ନିକଟସ୍ଥ ଜୋନ ଅଫିସ ଘେରାଉ କରିଛନ୍ତି ଉଠାଦୋକାନୀ

    ହକି ବିଶ୍ୱକପ ପାଇଁ ଯୁଆଡେ ଦେଖ ଉଚ୍ଛେଦ l ମାନବିକତା ହରାଇଛି ବିଏମସି! ବିନା ଥଇଥାନରେ ରୋଜଗାର ପନ୍ଥା ମିଶୁଛି ମାଟିରେ l କାନ୍ଦୁଛନ୍ତି ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ l ଅନେକ ଦିନ ଧରି ହୋଇପାରୁନଥିବା କାର୍ଯ୍ୟକୁ, ହକି ବିଶ୍ୱକପ ନାଁରେ ସାରୁଛି କି ବିଏମସି? ରାସ୍ତାକୁ ଓହ୍ଲାଇଛନ୍ତି ଉଠାଦୋକାନୀ l  ବିଏମସି ବିନା ଥଇଥାନରେ ଉଚ୍ଛେଦ କରିବାରୁ ପ୍ରତିବାଦ କରାଯାଇଛି। ଉତ୍ତର ଭୁବନେଶ୍ବରର ଡମଣା ଓ ପଟିଆ  ଅଞ୍ଚଳରେ ଉଠାଦୋକାନୀ ରାସ୍ତାକୁ ଓହ୍ଲାଇ ଉଚ୍ଛେଦକୁ ବିରୋଧ କରିଥିଲେ । ଏହାସହ ବିଏମସି ଉତ୍ତର ଜୋନ ଅଫିସ ଘେରାଉ କରିଥିଲେl ଯେଉଁଠି ଟ୍ରାଫିକ ଜନିତ ସମସ୍ୟା ରହିଛି କି ଅନ୍ୟ କିଛି ଡେଭଲପମେଣ୍ଟ ଜନିତ ସମସ୍ୟା ରହିଛି ସେଠି ଉଚ୍ଛେଦ କରାଯାଉଛି। ବହୁ ଉଠାଦୋକାନୀକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ସ୍ଥାୟୀ ଘର ନକରି ଠେଲା ଦୋକାନ କରନ୍ତୁ ଯାହା ଫଳରେ ସାନିଟାଇଜେସନ ଜନିତ ସମସ୍ୟା ହେବ ନାହିଁ। ତେବେ ଅନାବଶ୍ୟକ ଭାବେ କାହାକୁ ଉଚ୍ଛେଦ କରାଯାଇନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର l

    ସେପଟେ ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ପଥ ଉତ୍ସବ ବା ରାହାଗିରି l ସକାଳ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ କରାଯିବ  ପଥ ଉତ୍ସବ l ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀରେ ପଥ ଉତ୍ସବ ପାଇଁ ଯୋଜନା କରାଯାଇଛି l ସେହି ଦିନ ଭୁବନେଶ୍ୱରରେ ପହଁଚିବ ହକି ବିଶ୍ୱକପର ଟ୍ରଫି l  ଟ୍ରଫିକୁ  ସ୍ବାଗତ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ୫୦ଟି ବୁଲେଟ ରାଲି ମାଧ୍ୟମରେ ଟ୍ରଫିକୁ ସ୍ବାଗତ କରାଯିବ l ପୁରୀ ରୁ ୧୦୦ ଜଣ ପଣ୍ଡିତ ଆସି ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ଟ୍ରଫିକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରଖାଯାଇଛି l ପରେ ଟ୍ରଫିକୁ ଏସପ୍ଲାନେଡ଼ ମଲ ନିଆଯିବା ସହପରେ ଅନ୍ୟାନ ଶିକ୍ଷାନୁଷ୍ଠାନକୁ ନିଆଯାଇ ସ୍ୱାଗତ କାର୍ଯ୍ୟକ୍ରମ କରାଯିବ l ସେପଟେ ଟ୍ରଫି ଆସିବା ପରେ ୩୦ଟି ଯାକ ଜିଲ୍ଲାକୁ ଯିବ ବିଶ୍ୱକପ ଟ୍ରଫି l

    କୋଭିଡ ପରିସ୍ଥିତି ପୁଣି ଫେରିଥିବାରୁ, କେନ୍ଦ୍ର ସରକାରଙ୍କ ଯେଉଁ ନିୟମାବଳୀ ଆସିବ ସେହି ଅନୁସାରେ ସବୁ ପରିଚାଳନା କରାଯିବ

    ନବକିଶୋର ସାହୁ ଓ ସିମ୍ପୁଲ ନାୟକ

  • ମୁହାଁମୁହିଁ ବିଏମସି- ସ୍ମାର୍ଟ ସିଟି ବ୍ୟବସାୟୀ

    ଭୁବନେଶ୍ବର: ଅଳିଆ  ଓ ଖାଦ୍ୟର ମାନକୁ ନେଇ ଟେନସନ। ବିଏମସିର ନିର୍ଦେଶକୁ ବ୍ୟବସାୟୀ ମାନୁନଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ରଖିବାକୁ ବିଏମସି କହୁଥିଲେ ବି ଏହାକୁ ଅଧିକାଂଶ କର୍ଣ୍ଣପାତ କରୁନାହାନ୍ତି। ସେପଟେ ଖାଦ୍ୟର ମାନ ଯାଞ୍ଚ ବେଳେ ବିଏମସି ଓ ବ୍ୟବସାୟୀଙ୍କ ଭିତରେ ଅନେକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।

    ଅଳିଆ ରଖିବାକୁ ଡଷ୍ଟବିନ୍ ରଖି ନଥିଲେ ୫ହଜାର। ଅଳିଆ ପୃଥକୀକରଣ ନ କଲେ ୫ଶହ ଟଙ୍କା। ୧ ନମ୍ୱର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ, ଅଶୋକନଗର ବୁଲିବା ପରେ ଏଭଳି ତାଗିଦ୍ କରିଛନ୍ତି ବିଏମସି କମିଶନର। କାରଣ ଏ ସବୁ ଜାଗାରେ ଅଧିକାଂଶ ବ୍ୟବସାୟୀ ନା ଡଷ୍ଟବିନ୍ ରଖୁଛନ୍ତି ନା ଶୁଖିଲା ଓଦା ଅଳିଆକୁ ରଖିବାକୁ ପୃଥକ୍ ଡଷ୍ଟବିନ୍ ବ୍ୟବହାର କରୁଛନ୍ତି। ଫଳରେ ପ୍ରକ୍ରିୟାକରଣରେ ପ୍ରତିବନ୍ଧକ ହେଉଛି। ଅଳିଆ ରାସ୍ତାଘାଟରେ ପକାଇ ଦେଉଛନ୍ତି ଅନେକ। ବ୍ୟବସାୟୀ ସଂଘ ସହ ଆଲୋଚନା କରି  ସହରକୁ ସଫାସୁତୁରା ରଖିବାରେ ସହଯୋଗ ଲୋଡ଼ିଛନ୍ତି କମିଶନର।

    ସକାଳ ୮ଟାରେ ବିଏମସି କମିଶନରଙ୍କ ତାଗିଦା, ଆଲୋଚନାର ଦୁଇ ଘଣ୍ଟା ନ ଯାଉଣୁ ଖାଦ୍ୟର ମାନକୁ ନେଇ ସିଆରପି ଛକରେ ବସିଥିବା ଫାଷ୍ଟଫୁଡ୍ ସେଣ୍ଟରରେ ବିଏମସି- ବ୍ୟବସାୟୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆବର୍ଜନାମୟ ପରିବେଶ ଭିତରେ ନିମ୍ନମାନର ଖାଦ୍ୟ ଲୋକଙ୍କୁ ଦେଉଥିବା ଅଭିଯୋଗରେ ଚଢ଼ାଉ କରିଥିଲା ବିଏମସି ଓ ଫୁଡ୍ ସେଫଟି ବିଭାଗ। ସେପଟେ ଦୋକାନରେ ସବୁ ଠିକ୍ ଅଛି। ତୁଛାଟାରେ ଅଚାନକ ଆସି ଦୋକାନ ବନ୍ଦ କରିବାକୁ ଧମକ ଦେଉଥିବାରୁ ବିଏମସି ଅଧିକାରୀଙ୍କ ସହ ବେଶ୍ ସମୟ ଧରି ଯୁକ୍ତିତର୍କ ଲାଗିଥିଲା।

    ସ୍ୱଛ ସହର, ସୁସ୍ଥ ସହର। ଏଭଳି ନାରା ଦେଇ ବିଏମସି ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ସହଯୋଗ ଲୋଡ଼ୁଛି। କିନ୍ତୁ କିଛି ଅମାନିଆଙ୍କ ଲାଗି ଏଥିରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବାରୁ ବିଏମସି କଠୋର ହେବାକୁ ବାଧ୍ୟ ହେଉଛି।

    ସ୍ୱରୂପା ମହାପାତ୍ରଙ୍କ ସହ ନବକିଶୋର ସାହୁଙ୍କ ରିପୋର୍ଟ

  • ରାସ୍ତା କଡ଼ରୁ ହଟିବ ଦୋକାନ

    ଭୁବନେଶ୍ୱର: ଭୁବନେଶ୍ୱର ରାସ୍ତା କଡ଼ରେ ଥିବା ଖାଦ୍ୟ ଦୋକାନୀଙ୍କ ପାଇଁ ବିଏମସି ପକ୍ଷରୁ ଜାରି ହେଲା କଟକଣା। ଏଣିକି ଫୁଟପାଟ ଓ ଡ୍ରେନ ଉପରେ କୌଣସି ଫୁଡ ଆଉଟଲେଟ ଖୋଲାହୋଇ ପାରିବ ନାହିଁ। ଆଉଟଲେଟ ପାଖରେ ପାର୍କିଂ ସ୍ପେସ ନଥିଲେ ସେଠାରେ ଖାଇବା ମନା କରାଯାଇଛି। ତେବେ ଆଉଟ ଲେଟ ମାନଙ୍କ ସାମ୍ମାରେ ପାର୍କିଂ ସ୍ପେସ ନଥିବାରୁ ଗ୍ରାହକ ମାନେ ଏଠି ସେଠି ଗାଡ଼ି ପାର୍କିଂ କରୁଛନ୍ତି। ଯାହାକୁ ନେଇ ପାର୍କିଂ ସମସ୍ୟା ଦେଖା ଦେଇଛି। ଯେଉଁସବୁ ସ୍ଥାନରେ ଏଭଳି ଦୋକାନ ରହିଛି ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ। ଏନେଇ ବିମସି ପକ୍ଷରୁ ନୂଆ ଗାଇଡଲାଇନ ପ୍ରସ୍ତୁତ ହୋଇଛି। ସମସ୍ତ ଭେଣ୍ଡିଂ ଜୋନ ବ୍ୟବସାୟୀ ସଂଘ ଓ ବ୍ୟବସାୟୀ ସଙ୍ଗଠନଙ୍କୁ ଜଣାଇ ଦିଆଯାଇଛି। ଖୁବଶୀଘ୍ର ଏହାକୁ ଲାଗୁ କରାଯିବା ସହ ଏହାକୁ ଖିଲାପ କଲେ ବ୍ୟବସାଯୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ବିଏମସିର ଏହି କଟକଣାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବ୍ୟବସାୟୀ।

  • ଭାଙ୍ଗିଲା କିଶୋର ମଟନ ହୋଟେଲ

    ଭୁବନେଶ୍ୱର: ମାଟିରେ ମିଶିଲା ଭୁବନେଶ୍ୱରର ଚର୍ଚ୍ଚିତ କିଶୋର ମଟନ ହୋଟେଲ। ବିଏମସି  ଅଧିକାରୀ , ବିଏମସି ଏନଫୋର୍ସମେଣ୍ଟ ଟିମ୍ ଓ ପୋଲିସର ଉପସ୍ଥିତିରେ ଉଚ୍ଛେଦ କରାଯାଛି। ପ୍ରଥମେ ଦୁଇ ଦିନ ତଳେ ଏହା ଉପରେ ଚଢାଉ ହୋଇଥିଲା। ଆଜି ଏହାକୁ ମାଟିରେ ମିଶେଇଛି ବିଏମସି। ହୋଟେଲଟି ସରକାରୀ ଜାଗାରେ ରହିଥିବା ବେଳେ ଜାଗାଟିକୁ ଜବତ ଦଖଲ କରିଥିଲେ କିଶୋର। ସେପଟେ ଏହାକୁ  ନେଇ  ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଏହି ହୋଟେଲକୁ ନେଇ ଜନସାଧାରଣଙ୍କର ବହୁ ଅଭିଯୋଗ ଥିଲା। ଏହି ହୋଟେଲ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜୁଥିଲା। ତେଣୁ ଏହାକୁ  ଉଚ୍ଛେଦ କରାଯାଇଛି। ଯେଉଁମାନେ ବ୍ୟବସାୟ କରୁଛନ୍ତି ପ୍ରପର ୱେରେ କରନ୍ତୁ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

  • ଏଣିକି ଅନଲାଇନରେ ହୋଲଡିଂ ଟାକ୍ସ ଦେଇହେବ

    ଭୁବନେଶ୍ବର: ବିଏମସି ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ଖୁସି  ଖବର  l ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଲୋକ ଅନଲାଇନରେ ହୋଲଡିଂ ଟାକ୍ସ ଦେବା ସହ ଟ୍ରେଡ଼ ଲାଇସେନ୍ସ ପାଇଁ ଆବେଦନ କରିପାରିପାରିବେ। ଏଥି ସହ ଏହାକୁ ରିନ୍ୟୁ ମଧ୍ୟ କରି ପାରିବେ।

     ଅଫଲାଇନ ମୋଡ଼ରେ ଯେଉଁ ସର୍ଭିସ ଜାରି ଥିଲା ବା ରେଭିନ୍ୟୁ କଲେକ୍ସନ ହେଉଥିଲା ଏବେ ତାହା ଅନଲାଇନରେ କରାଯାଉଛି। ବିଶେଷ କରି ହୋଲଡିଂ ଟାକ୍ସ , ଟ୍ରେଡ଼ ଲାଇସେନ୍ସ ଆବେଦନ ଓ ଅନ୍ୟାନ୍ୟ ଟାକ୍ସ ଅନଲାଇନରେ ଦେଇପାରିବେ।

    ଅଧିକରୁ ଅଧିକ ଲୋକ କିପରି ଅନଲାଇନରେ ଟାକ୍ସ ଦେଇପାରିବେ ସେଥିପାଇଁ ବିଏମ୍ସି ପକ୍ଷରୁ ସଚେତନ କରାଯାଉଛି। 5-T ଆଧାରରେ ଏହି ସେବାକୁ ଅଧିକ   transperency କରିବା ପାଇଁ ଅନଲାଇନ ସେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।  ଅନଲାଇନ ମୋଡ଼ରେ ସମସ୍ତ ସର୍ଭିସ ଯୋଗାଇ ଦିଆଯାଉଛି।

    ଫଳରେ ସମସ୍ତେ ଅନଲାଇନରେ ଏହି ସେବା ପାଇ ପାରିବେ। ଯେଉଁମାନେ ଅନଲାଇନ ମାଧ୍ୟମରେ  ପାରିବେନି, ସେମାନେ ରେଭିନ୍ୟୁ କଲେକ୍ଟରମାନଙ୍କୁ ମିଳିବାକୁ ଥିବା POS ମେସିନ  ମଧ୍ୟ ବିଭିନ୍ନ ସର୍ଭିସ ପାଇ ପାରିବେ। ଏହା ସହ bhubaneswar.me ପୋର୍ଟାଲ ଆପ ମାଧ୍ୟମରେ ଲଗ ଇନ କରି   ଅନଲାଇନ ସର୍ଭିସ ପାଇ ପାରିବେ।

    ଆଗକୁ  ସଫେଇ  ପାଇଁ ମଧ୍ୟ  ସଫା  ଆପ  ଲଞ୍ଚ  ହେବାକୁ ଯାଉଛି  l ବିଏମସି ମଧ୍ୟ  ଏହି ଅନଲାଇନ ଆପ  ମାଧ୍ୟମରେ  ସଠିକ  ଭାବରେ  ରେଭିନ୍ୟୁ କଲେକ୍ଟ କରିବ  ବୋଲି ଆଶା  କରିଛନ୍ତି ମେୟର l ଗତ ୫ ମାସ  ମଧ୍ୟରେ  ପ୍ରାୟ ୩ ଗୁଣରୁ ଅଧିକ ଆୟ  କରିଛି  ବିଏମସି l ଏହାଦ୍ୱାରା ବିଏମସି ମଧ୍ୟ ଆଗକୁ  ଅଧିକ ସୂଚାରୁ  ରୂପରେ କାର୍ଯ୍ୟକାରୀ କରିପାରିବ l

  • ବଦଳିବ ଆଇଡି ମାର୍କେଟ ରୂପରେଖ

    ଭୁବନେଶ୍ବର: ବଦଳିବ ଆଇଡି ମାର୍କେଟ ରୂପରେଖ l ପାର୍କିଙ୍ଗ, ରାସ୍ତା ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ 44ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଥିବା ବେଳେ ଆଜି ଆଇଡି ମାର୍କେଟରେ ଏହାକୁ ଉଦଘାଟନ କରିଛନ୍ତି ରାଜସ୍ବ ବିପର୍ଯୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ସ୍ଥାନୀୟ କର୍ପୋରେଟର ସହ ମାର୍କେଟ ଆସୋସେସନର ସମ୍ପାଦକ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟର ଶୁଭ ଦେଇଛନ୍ତି l

    ସେପଟେ ସିଟି ଇଂଜିନିୟରଙ୍କ ପ୍ରତିକ୍ରିୟା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ 25କୋଟି ଟଙ୍କାର ରୋଡ଼, ଡ୍ରେନ, MCC, MRF ସହ ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁରୀ ହୋଇଛି l ଅନ୍ୟପଟେ ଭୁବନେଶ୍ୱରକୁ ସରସ ସୁନ୍ଦର କରାଯାଇଛି। ଆଗକୁ ଆହୁରି କିପରି ସରସସୁନ୍ଦର କରାଯାଇପାରିବ ବିଶେଷ କରି ଯେଉଁ ଅଞ୍ଚଳରେ ଜନସାଧାରଣ ଦାବି ଯାହା ରହିଛି ତାକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କାର୍ଯ୍ୟ ଜାରି ଥିବା କହିଛନ୍ତି ରାଜସ୍ବ ବିପର୍ଯୟ ପରିଚାଳନା ମନ୍ତ୍ରୀ l

     ଏହି ଉନ୍ନତିରେ ସମସ୍ତେ ଉପକୃତ ହେବେ l ସମସ୍ତଙ୍କ ସହଯୋଗରେ ଏହି ଉନ୍ନତି କରାଯିବ ବୋଲି କର୍ପୋରେଟରଙ୍କ ପ୍ରତିକ୍ରିୟା ରହିଛି l ସେହିପରି ବିଲଡିଙ୍ଗ ପୁରୁଣା ହୋଇଥିବାରୁ ସେ ଦିଗରେ ଦୃଷ୍ଟି ଦେବାକୁ BDAକୁ ଦାବି କରାଯିବ ବୋଲି କୁହାଯାଇଛି l ମାର୍କେଟ ଆସୋସିଏସନ ସମ୍ପାଦକଙ୍କ ପ୍ରତିକ୍ରିୟା ଉନ୍ନତିକରଣ କାର୍ଯ୍ୟ ସ୍ୱାଗତ ଯୋଗ୍ୟ। ରୋଡ଼ ପାର୍କିଂ ସହ ବିୟୁଟିଫିକେସନ କରାଗଲେ ଅଧିକ ଲୋକ ଏଠାକୁ ଆସିବେ l ସେପଟେ ଆଗକୁ ହକି ୱାର୍ଲଡ କପ ଆସୁଥିବାରୁ କଳିଙ୍ଗ ଷ୍ଟାଡିୟମ ପାଖରେ ଯେଉଁ ମାର୍କେଟ ରହିଛି ତେଣୁ ୱାର୍ଲଡ କପ ମାଧ୍ୟମରେ ଯେଉଁମାନେ ଆସିବେ, ସେମାନଙ୍କ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆଇଡି ମାର୍କେଟର ନାଁ ହେବ l ଏହା ସହ ବିଲଡିଂ ସମସ୍ୟାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି l ଆଗକୁ ଏହି ସମସ୍ୟାର ସମାଧାନ ହୋଇପାରେ ବୋଲି ମତ ପ୍ରକାଶ ପାଇଛି।

  • ୨୦ଦିନ ପରେ ଉଠିଲା ଅଳିଆ

    ଭୁବନେଶ୍ୱର: ଉଠିଲା ଅଳିଆ। ୨୦ଦିନ ପରେ ଗାଡକଣ ସ୍ଥିତ ଟିଟିଏସରୁ ଉଠିଲା ଅଳିଆ। ଟ୍ରକ ଯୋଗେ ଟିଟିଏସରୁ ଭୁଆଶୁଣି ଡ଼ମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ଅଳିଆ। ଦୈନିକ ଦୁଇ ଶହ ଟ୍ରକରେ ଉଠିବ ଅଳିଆ। ପର୍ଯ୍ୟାୟ କ୍ରମେ ଟ୍ରକ ସଂଖ୍ୟା ହ୍ରାସ କରାଯିବ। ଏବଂ ୯ ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ପ୍ରତିଷ୍ଠା କରାଯିବ। ଭୁବନେଶ୍ୱରରୁ ଦୈନିକ ନିର୍ଗତ ହେଉଥିବା ଆଳିଆକୁ ଭୁବନେଶ୍ୱର ଭିତରେ ଏମସିସି ଓ ଏମଆରଏଫ ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରି ପରିଚାଳନା କରାଯିବ। ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗକୁ ଧନ୍ୟବାଦ ଜଣାଇଲେ ଉଭୟ ମେୟର ଓ କମିଶନର। ଡ଼ମ୍ପିଂୟାର୍ଡର ସ୍ଥାୟୀ ସମାଧାନ ପାଇଁ ବିଏମସି ନିର୍ଦ୍ଧାରିତ ସମୟ ମଧ୍ୟରେ କଣ ପଦକ୍ଷେପ ନେଉଛି ତାହାର ନିୟମିତ ବ୍ୟବଧାନରେ ସମୀକ୍ଷା କରିବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ। ଏଥିସହ ବିଏମସି କମିଶନର ଓ ଦାରୁଠେଙ୍ଗ ସରପଞ୍ଚଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ବସିବ ସମନ୍ୱୟ ବୈଠକ।

  • ଅଳିଆ ରାଜନୀତି: ବିଏମସି ସହ ଆଲୋଚନା କରିବେ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟ ରାଜଧାନୀରେ ପୂତିଗନ୍ଧମୟ ପରିବେଶ । ଯୁଆଡ଼େ ଦେଖିଲେ ଖାଲି ଅଳିଆ ଆଉ ଅଳିଆ । ଅନେକ ସ୍ଥାନରୁ ଉଠିପାରୁନି ଅଳିଆ । ହନ୍ତସନ୍ତ ହେଲେଣି ଲୋକେ। ଏ ମିଛ ସ୍ମାର୍ଟ ସିଟି ଅପେକ୍ଷା ଗାଁରେ ରହିବା ଭଲ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜଧାନୀବାସୀ। ସେପଟେ ଏହି ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦଙ୍କ ମେୟରଙ୍କୁ ଚିଠି ଲେଖିବା ସହ ପ୍ରତିକ୍ରିୟା ପ୍ରଶାସନ ନିଜ ସମସ୍ୟା ନ କହି ଲୋକଙ୍କ ସମସ୍ୟାର ସମାଧାନ କରୁ । ଅନ୍ୟପଟେ ମେୟରଙ୍କ ଚିରାଚରିତ ଉତ୍ତର ଖୁବଶୀଘ୍ର ହେବ ସମସ୍ୟାର ସମାଧାନ ।

    ଅଳିଆକୁ ନେଇ ଅସନ୍ତୋଷ । ଖପ୍ପା ହେଲେଣି ରାଜଧାନୀବାସୀ । ଦୁର୍ଗନ୍ଧରେ ଫାଟୁଛି ଭୁବନେଶ୍ବରର ଅନେକ ଅଞ୍ଚଳ । ପଚାରିଲେ କୁହାଯାଉଛି, ଖୁବଶୀଘ୍ର ହେବ ସମାଧାନ । ବହୁ ବିଳମ୍ବ ହେଲେ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଭୁବନେଶ୍ୱର ସାଂସଦ । ମେୟରକୁ ଚିଠି ଲେଖି ତୁରନ୍ତ ସମସ୍ୟା ସମାଧାନ କରିବାକୁ କହିଛନ୍ତି । ନ ହେଲେ ୨ତାରିଖ ଦିନ ବିଏମସି ଅଫିସରେ ମେୟରଙ୍କ ସହ ଆଲୋଚନା କରିବେ ସାଂସଦ । ପ୍ରଶାସନ ନାଗରିକଙ୍କୁ ନିଜ ସମସ୍ୟା ନ କହି,ଲୋକଙ୍କ ସମସ୍ୟା ସମାଧାନ କରୁ । ଘରର ଡ୍ରଇଂ ରୁମ ଯଦି ଅଳିଆ ତାହେଲେ ପୁରା ଘର ଅଳିଆ ବୋଲି ଉଦାହରଣ ଦେଇ ତାଛଲ୍ୟ କରିଛନ୍ତି ସାଂସଦ । ମେୟର, କର୍ପୋରେଟର ଓ ନାଗରିକଙ୍କ ମିଳିତ ଉଦ୍ୟମରେ ସମାଧାନ ହେବା ଉଚିତ । କାହିଁକି ନାଗରିକ ଓ ପ୍ରଶାସନ ମଧ୍ୟରେ ସେତୁ ସାଜିଥିବା ସିଟିଜେନ ଚାର୍ଟର ବ୍ୟବସ୍ଥା ବିଏମସି ବନ୍ଦ କରିଦେଲା ସେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ୨୦୦୮ରୁ ଦାରୁଠେଙ୍ଗ ବାସୀ ଡମ୍ପିଂୟାଡକୁ ନେଇ ବିରୋଧ କରୁଥିଲେ ମଧ୍ୟ କାହିଁକି ଏଯାଏଁ ସମାଧାନ ହେଉନାହିଁ ? କେବଳ ଦାରୁଠେଙ୍ଗ ନୁହେଁ, ବରଂ ଅନ୍ଧାରୁଆ, ଚନ୍ଦକା, ଦଢ଼ା ପାଟନା, ବାରଙ୍ଗର କିଛି ଅଂଶ ସହିତ ଚନ୍ଦକା ହାତୀ ଅଭୟାରଣ୍ୟ ଏହା ଦ୍ଵାରା ପ୍ରଭାବିତ ହେଉଛି ବୋଲି ସାଂସଦ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେପଟେ ପ୍ରତି ଥର ଭଳି ଏଥର ମଧ୍ୟ ମେୟରଙ୍କ ଉତ୍ତର ଚିରାଚରିତ। ସମସ୍ୟାର ସମାଧାନ ଖୁବଶୀଘ୍ର ହେବ କହି ଦାୟିତ୍ବ ସାରିଛନ୍ତି ।

    ଏଭଳି ସମସ୍ୟା ଭିତରେ ନୟାନ୍ତ ହେଲେଣି ରାଜଧାନୀବାସୀ । ବିଭିନ୍ନ ଗଳିକନ୍ଦିରେ ଅଳିଆ ଉଠୁନଥିବାରୁ ଦୁର୍ଗନ୍ଧ ସାଙ୍ଗକୁ ଦୂଷିତ ପରିବେଶ ସୃଷ୍ଟି ହୋଇଛି । ଏକଥା ଆମେ କହୁନାହୁଁ ବରଂ ସ୍ଥାନୀୟ ଲୋକ କହୁଛନ୍ତି । ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ଏଭଳି ସ୍ଥିତିରେ ଭୁବନେଶ୍ୱର ସ୍ମାର୍ଟ ସିଟିରେ ବାସ କରିବା ଅପେକ୍ଷା ଗ୍ରାମାଞ୍ଚଳରେ ରହିବା ଭଲ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜଧାନୀବାସୀ ।

    ବିଏମସି ସ୍ଥାନୀୟ ଅଂଚଳର ଲୋକଙ୍କୁ ମନେଇବାକୁ ଚେଷ୍ଟା କରିଥିବା ବେଳେ, ଭୂଆସୁଣୀ ଡମ୍ପିଂୟାଡରେ ଅଳିଆ ପଡିବ କି ନାହିଁ ସେନେଇ ରବିବାର ଦାରୁଠେଙ୍ଗରେ ବସିଛି ଗ୍ରାମସଭା । ଗ୍ରାମବାସୀଙ୍କ ନିଷ୍ପତି ଏ କ୍ଷେତ୍ରରେ ନିର୍ଣ୍ଣାୟକ ହେବ । ଏବଂ ଅଳିଆ ଉଠା ସମସ୍ୟା ଦିଗ କେଉଁଆଡକୁ ଯିବ ତାହା ନିର୍ଣ୍ଣୟ କରିବ ।

    ସିମ୍ପୁଲ ନାୟକଙ୍କ ରିପୋର୍ଟ

  • ବାହାରିଲାନି ଡ଼ମ୍ପିଂୟାର୍ଡ ବିବାଦରେ ସମାଧାନ: ୯ ମାସ ସମୟ ନେଲା ବିଏମସି

    ଭୁବନେଶ୍ବର: ଭୁଆଶୁଣି ଡ଼ମ୍ପିଂୟାର୍ଡ ବିବାଦରେ ବାହାରି ପାରିଲାନି ନିଷ୍କର୍ସ । ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିବା ବୈଠକରେ ବାହାରିଲାନି ନିଷ୍କର୍ସ ।  ଦୁଇ ଦିନ ମଧ୍ୟରେ ଡକାଯିବ ଗ୍ରାମସଭା। ଗ୍ରାମସଭାର ନିଷ୍ପତ୍ତି ହେବ ଚୂଡାନ୍ତ ନିଷ୍ପତ୍ତି।  ଡ଼ମ୍ପିଂୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। କାରଣ ଏଥିଲାଗି ବିଏମସି ୯ ମାସର ମହଲତ ମାଗିଛି। ଗ୍ରାମସଭାର ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ଅଳିଆ ପକାଇବାକୁ ଦିଆଯିବ ନାହିଁ ଜିଦରେ ଅଟଳ ରହିଲେ ଗ୍ରାମବାସୀ । ସେପଟେ ପୁଣି ଦୁଇରୁ ଅଧିକ ଦିନ ପର୍ଯ୍ୟନ୍ତ ଆବର୍ଜନାମୟ ହୋଇ ରହିପାରେ ଭୁବନେଶ୍ୱର ।

    ରାଜଧାନୀରେ ଆବର୍ଜନାକୁ ନେଇ ମୁଣ୍ଡ ଟେକିଥିବା ବିବାଦରେ ବାହାରିଲା ନାହିଁ କୌଣସି ସମାଧାନ। ପୁଣି ଫେଲ ମାରିଲା ଦ୍ବିପାକ୍ଷିକ ଆଲୋଚନା । ଦୁଇଦିନ ପରେ ହେବ ନିଷ୍ପତି ।  ସେପର୍ଯ୍ୟନ୍ତ  ବନ୍ଦ ରହିବ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ଅଳିଆ ପକାଇବା କାମ ।  

    ଶନିବାର ବିଏମସି ଅଫିସରେ ଦୀର୍ଘ ଦେଢ଼ ଘଣ୍ଟା ଧରି ବୈଠକରେ ହୋଇଥିଲେ ମଧ୍ୟ ବାହାରିପାରିଲାନି ନିଷ୍କର୍ସ। ଦୁଇ ଦିନ ମଧ୍ୟରେ ଦାରୁଠେଙ୍ଗ ଜନପ୍ରତିନିଧି ଡାକିବେ ଗ୍ରାମସଭା। ଗ୍ରାମସଭାର ନିଷ୍ପତ୍ତି ହେବ ଚୂଡାନ୍ତ ନିଷ୍ପତ୍ତି। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଚାଲିଥିଲା ବୈଠକ।

    ହେଲେ ଡ଼ମ୍ପିଂୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ପାଇଁ ୯ ମାସର ମହଲତ ମାଗିଲା ବିଏମସି। ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି। ଗ୍ରାମସଭାର ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ଅଳିଆ ପକାଇବାକୁ ଦିଆଯିବ ନାହିଁ ବୋଲି ଜିଦରେ ଅଟଳ ରହିଲେ ଗ୍ରାମବାସୀ।

    ମେୟରଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ଦାରୁଠେଙ୍ଗ ଗାଁର ଜନପ୍ରତିନିଧି, ବିଧାୟକ ସୁରେଶ ରାଉତରାୟ ଓ ବିଏମସିର ଅଧିକାରୀ ସାମିଲ୍ ହୋଇଥିଲେ। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଗଣମାଧ୍ୟମ ସାମ୍ନାରେ ଦମ୍ଭୋକ୍ତି ବାଢିଛନ୍ତି ଭୁବନେଶ୍ୱର ମେୟର

    ଏଭଳି ବିବାଦ ଭିତରେ ରାଜଧାନୀ ହେଉଛି ଆବର୍ଜନାମୟ। ଭୋଗୁଛନ୍ତି ଲୋକେ। ସେପଟେ ଦୁଇଦିନର ସମୟ ଭିତରେ, ରାଜଧାନୀରୁ ବାହାରୁଥିବା ଅଳିଆ, ଆବର୍ଜନା ପଡିବ କେଉଁଠି? କାହିଁକି ନା ଭୁବନେଶ୍ୱର ସହରରୁ ବାହାରୁଥିବା ଆବର୍ଜନାକୁ ଯେଉଁଠି ପକାଯାଉଥିଲା ସେସବୁ ଜଗା ମଧ୍ୟ ନିୟନ୍ତ୍ରଣ ବାହାରକୁ ଗଲାଣି । ଭୁଆଶୁଣି ଡ଼ମ୍ପିଂୟାର୍ଡକୁ ଛାଡିଦେଲେ ବିଏମସି ପାଖରେ ଅଛି ତ ବିକଳ୍ପ ! ଯଦି ନାହିଁ ବା ସମାଧାନର ବାଟ ଯଥାଶୀଘ୍ର ନ ବାହାରେ ତେବେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟିର ଆଶଙ୍କାକୁ ଟାଳିହେବନି। ।

    ସିମ୍ପୁଲ ନାୟକଙ୍କ ରିପୋର୍ଟ

  • ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

    ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ। ବିଏମସି ଜାରି କଲା କଡା ନିର୍ଦ୍ଦେଶ। ଦିନକୁ ଦିନ ରାଜ୍ୟରେ କରୋନା ତାରା କାୟା ମେଲଉଛି। ରାଜ୍ୟରେ ସର୍ବାଧିକ କରୋନା ସଂଖ୍ୟା ପ୍ରତିଦିନ ତିନି ଅଙ୍କ ପାର କରୁଛି। ତେବେ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ହେଉଛି ଖୋର୍ଦ୍ଧା। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ନେଇ କଟାକଣା ବଢାଇଛି ଭୁବନେଶ୍ୱର ମହାନଗର ନିଗମ।
    ପୂର୍ବ ପରି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ସହ ଦୁଇ ମିଟର ସାମିଜିକ ଦୂରତା ରକ୍ଷା କରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏହା ସହ ସପିଙ୍ଗ ମଲ୍ ଏବଂ ଦୋକାନ ଗୁଡିକରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। ବାହାରେ କୌଣସି ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି। ନିୟମିତ ଭାବେ ହାତକୁ ହ୍ୟାଣ୍ଡୱାସ୍ ବା ସାବୁନରେ ଧୋଇବାକୁ ପରାମର୍ଶ ଦିଆଯାଇଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ,ରିପୋର୍ଟ
Back to top button