brs

  • ବିଜେଡିକୁ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବି ଲଢ଼ିବ ବିଆରଏସ

    ()  ବିଆରଏସରେ ସାମିଲ ହୋଇ ଓଡ଼ିଶା ପରିପ୍ରେକ୍ଷୀରେ ରୋଡମ୍ୟାପ୍ ପ୍ରସ୍ତୁତ କରି ଓଡ଼ିଶା ଫେରିଛନ୍ତି ନେତାଏ। ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେବ। ତେଲେଙ୍ଗାନାର ବିକାଶ ମଡେଲକୁ ଆପଣାଇ ଦଳ ଏଠାରେ ବିଜେଡିକୁ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବି ଲଢ଼ିବାକୁ ଯାଉଛି। ସମାନ ସମୟରେ ହାଇଦ୍ରାବାଦରୁ ଫେରିଥିବା ବିଜେଡି ନେତା ଦେବାଶିଷ ନାୟକ କହିଛନ୍ତି, ସେ ବିଆରଏସ କଥା ଜାଣନ୍ତନି। କିନ୍ତୁ ୨୪ରେ ବରୀରୁ ନିଶ୍ଚିତ ଲଢ଼ିବି ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି। ୨୪ ନିର୍ବାଚନ ସହଜ ହେବନି ବୋଲି ତୀର୍ଯ୍ୟକ ତୀର ମାରିଛନ୍ତି।

    ତେଲେଙ୍ଗାନା ମଡେଲ୍ ଓଡ଼ିଶାରେ। ଏଥିଲାଗି ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶାରୁ ବିଆରଏସରେ ସାମିଲ ହୋଇଥିବା ନେତାଏ। ତେଲେଙ୍ଗାନା ଭବନରେ ଗଲା ୨୭ରେ ଦଳରେ ବିଧିବଦ୍ଧ ଭାବେ ମିଶିବା ପରେ ଆଗାମୀ ରୋଡମ୍ୟାପ୍ ନେଇ ହାଇଦ୍ରାବାଦରେ ମାନସମନ୍ଥନ କରିଛନ୍ତି। ଦଳୀୟ ସଂଗଠନର ସଂରଚନା କରିଛନ୍ତି। କେସିଆର ବି ଗୁରୁମନ୍ତ୍ର ଦେଇ ଆହ୍ୱାନ ଦେଇଛନ୍ତି, ଅବ୍ କି ବାର୍ କିଷାନ ସରକାର। ଆଉ କେସିଆରଙ୍କ ଗୁରୁମନ୍ତ୍ର ପାଇ ଓଡ଼ିଶାକୁ ଫେରିଛନ୍ତି ବିଆରଏସ ନେତାଏ। ବିଜେଡି ସହ ଲଢ଼େଇ କରିବ ଓ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ନେତାଏ।

    ତେବେ ବିଆରଏସର ମଙ୍ଗ ଯଦିଓ ଗିରିଧର ଗମାଙ୍ଗ ଧରିଥିବା କୁହାଯାଉଛି। କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ ଆବାହକ କମିଟି ଗଠନ ହୋଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ସରିଛି। ଓଡ଼ିଶାରେ ଦଳ ନିଶ୍ଚିତ ସଫଳ ପାଇବ ବୋଲି ଆଶାବାଦୀ ବିଆରଏସ ନେତାଏ।

    ସେପଟେ ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଆରଏସରେ ସାମିଲ୍ ହେଉଥିବା ଖବରକୁ ଖଣ୍ଡନ କରିଛନ୍ତି। ହାଇଦ୍ରାବାଦରୁ ଫେରି କିନ୍ତୁ ତୀର୍ଯ୍ୟକ ତୀର ମାରିଛନ୍ତି ଦେବାଶିଷ। ବିଆରଏସ କଥା ସିନା ଜାଣିନାହାନ୍ତି ବୋଲି କହିଲେ। କିନ୍ତୁ ତା ସହ ଯୋଡ଼ିଛନ୍ତି, ୨୪ ନିର୍ବାଚନ ଏଥର ସହଜ ହେବନି। ଆପ୍ ଓ ବିଆରଏସର ଏଣ୍ଟ୍ରିକୁ ହାଲୁକା ଭାବେ ନେଇହେବନି। ୨୪ରେ ବରୀରୁ ଲଢିବି ବୋଲି ଦମ୍ଭୋକ୍ତି ଦେଖାଇବା ସହ ବିଜେଡିରେ ସୁଯୋଗ ଓ ସଂସ୍କାର କଥା ଉଠାଇଛନ୍ତି ଦେବାଶିଷ। ରାଜ୍ୟସଭା ପଠାଇବା ପ୍ରତିଶୃତିକୁ ମନେ ପକାଇଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ। ଅନ୍ୟ ଦଳରେ ସୁଯୋଗ ଥିବା କଥା ବି ସ୍ମରଣ କରାଇବାକୁ ଭୁଲିନାହାନ୍ତି।

    ବିଆରଏସ ଏଣ୍ଟ୍ରିକୁ ବିଜେଡି ହାଲୁକା ଭାବେ ନେଉଛି। କିନ୍ତୁ ଦେବାଶୀଷ ଭିନ୍ନ ମନ୍ତବ୍ୟ ଦେଲେଣି। ସୁଯୋଗ ନ ଦେଲେ ବିଜେଡିକୁ ବିପଦ ବୋଲି ପରୋକ୍ଷରେ ଚେତାଇଦେଲେଣି।

    ସିମ୍ପୁଲ ନାୟକଙ୍କ ରିପୋର୍ଟ

  • ଓଡିଶାରେ ଆପ୍ଲାଇ ହେବ ତେଲେଙ୍ଗାନା ଫର୍ମୁଲା

    () ମହାନଦୀରେ ପାଣି, ତାଳଚେରରେ କୋଇଲା। ତା ସତ୍ତ୍ୱେ ଓଡ଼ିଶା କାହିଁକି ପଛରେ। ଗୋଟିଏ ତୀରରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ତେଲେଙ୍ଗାନା ଭବନରୁ ମିଶ୍ରଣ ପର୍ବରେ ଅବକି ବାର୍ କିଷାନ ସରକାର ବୋଲି ଆହ୍ୱାନ ଦେଇଛନ୍ତି ବିଆରଏସ ମୁଖ୍ୟ କେସିଆର। ସେପଟେ ବିଆରଏସର ଏଭଳି ଓଡ଼ିଶା ଦଖଲ ଆଭିମୁଖ୍ୟ ନେଇ ବିଜେଡି, ବିଜେପି ସମେତ କଂଗ୍ରେସ ଉପହାସ କରିଛି।

    ତେଲେଙ୍ଗାନା ମଡେଲ୍ ଓଡ଼ିଶାରେ। ଏଥିଲାଗି ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶାରୁ ବିଆରଏସରେ ସାମିଲ ହୋଇଥିବା ନେତାଏ। ତେଲେଙ୍ଗାନା ଭବନରେ ଦଳରେ ବିଧିବଦ୍ଧ ଭାବେ ମିଶିବା ପରେ ଆଗାମୀ ରୋଡମ୍ୟାପ୍ ନେଇ ହାଇଦ୍ରାବାଦରେ ମାନସମନ୍ଥନ କରିଛନ୍ତି। ଦଳୀୟ ସଂଗଠନର ସଂରଚନା କରିଛନ୍ତି। କେସିଆର ବି ଗୁରୁମନ୍ତ୍ର ଦେଇ ଆହ୍ୱାନ ଦେଇଛନ୍ତି, ଅବ୍ କି ବାର୍ କିଷାନ ସରକାର। କିଛି ଦଳର ଏକମାତ୍ର ଏଜେଣ୍ଡା। ଯେନତେନ ପ୍ରକାରେ ନିର୍ବାଚନ ଜିତିବୁ। ନେତା ଓ ଦଳ ଜିତୁଛି। କିନ୍ତୁ ଜନତା ହାରିଯାଉଛି। ମହାନଦୀରେ ବହୁତ ପାଣି। ହେଲେ ଓଡ଼ିଶା ଏହାର ଉପଯୋଗ କରିପାରୁନି। ତାଳଚେରରେ ପ୍ରଚୁର କୋଇଲା। ତା ସତ୍ତ୍ୱେ ବିଜୁଳି କ୍ଷେତ୍ରରେ ଓଡ଼ିଶା ପଛୁଆ। ସର୍ବୋପରି ଜନତା, ଚାଷୀ ଓ ଗରିବଙ୍କ ସହ ଖେଳ ଚାଲିଛି।

    ଗିରିଧରଙ୍କୁ ରାଜନୀତିର ଭୀଷ୍ମପିତାମହ ଓ ନବନିର୍ମାଣ କୃଷକ ସଂଗଠନର ଅକ୍ଷୟଙ୍କୁ ଗାନ୍ଧୀ ଚିନ୍ତାଧାରାର ଅନ୍ୟାୟ ବିରୋଧୀ ଲଢ଼େଇର ସାରଥୀ କହି ଭୁରି ଭୁରି ପ୍ରଶଂସା କରିଥିଲେ କେସିଆର୍। ତେଲେଙ୍ଗାନାରେ ଚାଷୀ ଯଦି ଖୁସିରେ ଅଛି, ଓଡ଼ିଶାରେ କାହିଁକି ନୁହେଁ ବୋଲି ପଚାରିଛନ୍ତି। ତେବେ ଗୋଟିଏ ଗୁଳିରେ ଦୁଇଟି ତୀର ମାରିଛନ୍ତି କେସିଆର୍। ଜୟରାମ ପାଙ୍ଗିଙ୍କ କଟ୍ଟର ବିରୋଧୀ ଗମାଙ୍ଗ ହେବା ସତ୍ତ୍ୱେ ପାଙ୍ଗି କିଭଳି ଦିଲ୍ଲୀ ଯାଉଥିଲା ବେଳେ ଗମାଙ୍ଗଙ୍କ ଘରେ ରହୁଥିଲେ, ସେ କଥାର ଅବତାରଣା କରି ଉଭୟ ପାଙ୍ଗି ଓ ଗମାଙ୍କଙ୍କ ଭିତରେ ମନୋମାଳିନ୍ୟ ନାହିଁ ବୋଲି ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କେସିଆର୍।

    ତେବେ ବିଆରଏସରେ ସାମିଲ ଓଡ଼ିଶା ନେତାଙ୍କୁ ତେଲେଙ୍ଗାନାର ବିକାଶ ଏଜେଣ୍ଡାର ଦ୍ୱାହି ଦେଇଥିବା କେସିଆରଙ୍କୁ ସମାଲୋଚନା କରିଛି ବିଜେପି ଓ ବିଜେଡି। ବିଜେଡି କହିଛି, ଗମାଙ୍ଗଙ୍କ ପକେଟ୍ ଭୋଟ୍ ବିଆରଏସକୁ ଯାଇପାରେ। ଦକ୍ଷିଣ ଓଡ଼ିଶାରେ ତା ପୁଣି ଲକ୍ଷେ ଟପିବନି। ଅନେକ ନେତା ବିଜେପିରୁ ହିଁ ଯାଇଛନ୍ତି ବିଆରଏସକୁ। ବିଜେଡିର ଭୋଟ ବ୍ୟାଙ୍କ ସ୍ଥିର। ସେପଟେ ବିଜେପି କହିଛି, କୌଣସି ପ୍ରଭାବ ପକାଇବନି। ମୋଦିଙ୍କ ବିକାଶ ମଡେଲ୍ ସବୁଠି ପ୍ରଭାବୀ। ଆଉ କଂଗ୍ରେସ କହିଛି, ବିଜେପି ସଂଗଠନ ଏବେ ଭାଗ ଭାଗ। ଗିରିଧରଙ୍କୁ ବିଜେପି ବ୍ୟବହାର କରିବା ପରେ ଅପମାନିତ କଲା। କଂଗ୍ରେସରୁ ଲୋକ ନେଇ ନିଜ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ଥିବା ବିଜେପି ସଫଳ ହୋଇପାରିବନି।

    ବିଆରଏସର ପ୍ରଭାବ କଅଣ ପଡ଼ିବ ତାହା ତ ପର କଥା। କିନ୍ତୁ ଅନେକ କଣଠେସା ନେତା, ରାଜ୍ୟ ସରକାରଙ୍କ ଚକ୍ଷୁଶୀଳ କୃଷକ ନେତା, ଆରଟିଆଇ କର୍ମୀ ପ୍ରଭୃତିଙ୍କୁ ବିଆରଏସରେ ସାମିଲ ପରେ ଏମାନଙ୍କ ଗ୍ରହଣୀୟତା ଓଡ଼ିଶା ରାଜନୀତିରେ କେତେ ପ୍ରଭାବୀ ହେଉଛି ସମୟ କହିବ।

    କେନ୍ଦ୍ରାପଡ଼ାରୁ ଦିଲ୍ଲୀପ ମହାନ୍ତି ଓ ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଓଡିଶାରେ ବିଆରଏସର ଏଣ୍ଟ୍ରି

    () ବିମାନରେ ଗଲେ। କାରରେ ଚଢ଼ିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର ସମେତ ଅନେକ ତୁଙ୍ଗ ନେତା ଆଜି ବିଆରଏସରେ ସାମିଲ୍ ହୋଇଛନ୍ତି। ଓଡ଼ିଶା ବିକାଶ ହିଁ ମୁଖ୍ୟ ମୁଦ୍ଦା ବୋଲି କହିଛନ୍ତି ଓଡ଼ିଶାରୁ ବିଆରଏସରେ ସାମିଲ୍ ନେତାଏ। ଆଉ ବିଜେଡି ସହ ଫାଇଟ୍ ହେବ ବୋଲି କହିଛନ୍ତି। ହାଇଦ୍ରାବାଦରେ ବିଆରଏସ ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏସବୁ ନେତାଙ୍କୁ ଦଳରେ ମିଶାଇବା ସହ ଓଡ଼ିଶା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

    ପୁରା ଗମାଙ୍ଗ ପରିବାର ବିଆରଏସରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ତାଙ୍କ ପୁଅ ଶିଶିର। ସମସ୍ତେ ବିଧିବଦ୍ଧ ଭାବେ ସାମିଲ୍ ହେଲେ ବିଆରଏସରେ। ବିମାନରେ ଗଲେ ଆଉ କାର୍‌ରେ ଚଢ଼ିଲେ। ବିଆରଏସର ମିଶ୍ରଣ ପର୍ବରେ ସାମିଲ ହୋଇ ଓଡ଼ିଶାରେ ବିଆରଏସର ମଙ୍ଗ ଧରିଛନ୍ତି ଗିରିଧର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ଅଧ୍ୟକ୍ଷ କେସିଆରଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇ ଓଡ଼ିଶା ଦଖଲ ଅଭିଯାନକୁ ସାକାର କରିବାକୁ ପଣ କରିଛନ୍ତି। ବିଜେଡି ସହ ମୁଖ୍ୟତଃ ଫାଇଟ୍ ହେବ ବୋଲି କହିଛନ୍ତି। ଆଦିବାସୀଙ୍କ ବିକାଶକୁ ସମସ୍ତେ ଅଣଦେଖା କରୁଥିବାର ଆରୋପ ଲଦିଛନ୍ତି ଗିରିଧର। ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଆରଏସ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ଶିଶିର। କଂଗ୍ରେସ ଓ ବିଜେପି ଛାଡ଼ିବା ଅଧ୍ୟାୟକୁ ଅତୀତ କହି ବିଆରଏସରେ ସାମିଲ ପର୍ବକୁ ବର୍ତ୍ତମାନର ରାଜନୈତିକ ଭୌଗଳିକ ସ୍ଥିତିକୁ ଦେଖି ଆଗେଇବାକୁ ହେବ ବୋଲି କହିଛନ୍ତି ଗିରିଧର। ହେମା କହିଛନ୍ତି କି, ମହିଳା ଭୋଟ ବ୍ୟାଙ୍କକୁ ନେଇ ବଡ଼ କଥା କହୁଥିବା ଦଳ ଗୁଡ଼ିକ କେତେ ମହିଳା ସଶକ୍ତିକରଣ କରୁଛନ୍ତି ଆଉ କେଉଁ ଢଙ୍ଗରେ, ସବୁ ବୁଝାପଡ଼ୁଛି।

    ତେବେ କେବଳ ଗମାଙ୍ଗ ପରିବାର ନୁହେଁ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବି ବିଆରଏସରେ ସାମିଲ୍ ହୋଇଛନ୍ତି। ସେହିଭଳି ନବନିର୍ମାଣ କୃଷକ ସଂଗଠନର ତୁଙ୍ଗ ନେତା ଶେଷଦେବ ନନ୍ଦ, ପୂର୍ବତନ କଂଗ୍ରେସ ଯୁବନେତା କୈଳାସ ମୁଖୀ ପ୍ରମୁଖ ଗମାଙ୍ଗଙ୍କ ସହ ହାଇଦ୍ରାବାଦ ଗସ୍ତ କରିଥିଲେ। ଓଡ଼ିଶାର ବଡ଼ ପରିବର୍ତ୍ତନ ଆସିବ। ନବୀନଙ୍କ ବିକଳ୍ପ ଭାବେ ଉଭା ହେବ ବିଆରଏସ। ଲୋକଙ୍କ ଦାବି, ବିଚାର ଓ ଆକାଙ୍କ୍ଷାକୁ ନେଇ ବିଆରଏସ କାମ କରିବ। ମୋଦି ଓ ନବୀନଙ୍କ ବିକଳ୍ପ ଭାବେ ଛିଡ଼ା ହେବାକୁ ବିଆରଏସ ସକ୍ଷମ। କାରଣ କେସିଆରଙ୍କ ନେତୃତ୍ୱରେ ନୂଆ ସାମ୍ମୁଖ୍ୟର ନକ୍ସା ବଡ଼ ପରିବର୍ତ୍ତନ ଆଣିବ।

    ସେପଟେ ଓଡ଼ିଶାରେ ନବୀନଙ୍କ ଭାବମୂର୍ତ୍ତି ଆଗରେ କୌଣସି ଦଳ କି ବଳ କାମ କରିବନି ବୋଲି କହିଛି ବିଜେଡି। ଓଡିଶାରେ ନୂଆ ଦଳର ଏଣ୍ଟ୍ରି କିଛି ନୂଆ କଥା ନୁହେଁ। କିନ୍ତୁ ବିଜେଡି ଲୋକଙ୍କ ବଳ ସାଜିଛି। ଆଉ କଂଗ୍ରେସ କହିଛି, ଗମାଙ୍ଗ ଗନ୍ ଆଉଟ୍। କଂଗ୍ରେସ ଛାଡ଼ିଲା ଦିନଠୁ କ୍ଷମତାଶୂନ୍ୟ ହୋଇପଡ଼ିଥିଲେ ଗିରିଧର। ଏବେ ଦଳ ଡିଆଁରେ ମାତିଛନ୍ତି ସିନା ଗମାଙ୍ଗ। ହେଲେ ତାଙ୍କର ସେ କ୍ରେଜ୍‌ ନାହିଁ।

    ଗମାଙ୍ଗ ବିଆରଏସର ଓଡ଼ିଶା ମଙ୍ଗ ଧରିଛନ୍ତି ସତ। ହେଲେ ଶିଶିରଙ୍କୁ ୧୯ରେ ହରାଇବା ପଛରେ ମୁଖ୍ୟ କାର୍ପଟଦାର ବୋଲି ଆରୋପ ଲଦିଆସୁଥିବା ଜୟରାମ ପାଙ୍ଗୀ ବି ବିଆରଏସରେ ସାମିଲ୍ ପରେ ଉଭୟ ଗୋଷ୍ଠୀ ଭିତରେ କିଭଳି ସମନ୍ୱୟ ରହିବ, ତାକୁ ନେଇ ଉଠିଛି ସନ୍ଦେହ।

Back to top button