cmo

  • ବିରୋଧୀଙ୍କ ଟାର୍ଗେଟରେ ସିଏମଓ

    () ମୋ ସରକାର ଓ ଫାଇଭ-ଟି ଉପକ୍ରମ ଯେମିତି ଶୂନ୍ୟ କାଳରେ ଉଠିବା ଥୟ। ଆଜି ସିଧା ସିଏମଓକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଲବ ପାଲଟିଛି। ଏହା ଫାଇଭ-ଟିର ବିଚାରାଧାରା କି ବୋଲି ପ୍ରଶ୍ନ କରିବାରୁ କାଉଣ୍ଟର କରିବାକୁ ପୁଣି ଅରୁଣଙ୍କୁ ଆଗରେ ରଖିଥିଲା ସରକାରୀ ଦଳ। ଆଉ ଅରୁଣଙ୍କ କାଉଣ୍ଟର ବେଳେ ମାନସିକ ରୋଗୀଙ୍କ ନିଦାନ ନାହିଁ ବୟାନକୁ ବିରୋଧ କରି ବିଜେପି ହଙ୍ଗାମା କରିଥିଲା। ଆଉ ଆପତ୍ତିଜନକ ଥିଲେ, ଏହାକୁ ଅନୁଧ୍ୟାନ କରି ଗୃହର ବିବରଣୀରୁ ବାଦ୍ ଦିଆଯିବ ବୋଲି ବାଚସ୍ପତି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

    ବିଧାନସଭାର ଶୂନ୍ୟକାଳ। କ୍ରମାଗତ କିଛି ଦିନ ହେଲା ଯେମିତି ମୂକସାକ୍ଷୀ ରହିଛି ନିର୍ଦ୍ଦିଷ୍ଟ ଗୋଟିଏ ପ୍ରସଙ୍ଗକୁ ନେଇ। ତା ପୁଣି ବିରୋଧୀ ଦଳ ନେତାଙ୍କ ମୁହଁରେ। ତାହା ହେଲା ଫାଇଭ-ଟି ଓ ମୋ ସରକାର। କେତେବେଳେ ଫାଇଭ-ଟିର ଆକାର, ପ୍ରକାର ଓ ବିଚାରକୁ ନେଇ ପ୍ରଶ୍ନ। ତ କେତେବେଳେ ଏହି ଫାଇଭ-ଟି କଅଣ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ପଦକୁ ଗୌଣ କରିବାକୁ ଫନ୍ଦି କି। ପୁଣି କେତେବେଳେ ନିର୍ଦ୍ଦିଷ୍ଟ ବରିଷ୍ଠ ଆଇଏଏସଙ୍କ ବଦଳି ନୀତିରେ ସରକାର ଆଖି ବୁଜିଦେବା ମୋ ସରକାରର ସଂଜ୍ଞା କି ବୋଲି ବାଣ ମାରିଛନ୍ତି ଜୟନାରାୟଣ। ଆଉ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କ କ୍ଲବ୍ ପାଲଟିଛି ବୋଲି ଆକ୍ଷେପ ଲଦିଛନ୍ତି। ଅସୀତ ତ୍ରିପାଠୀ, ଆର.ବାଲକ୍ରିଷ୍ଣନ୍, ଉପେନ୍ଦ୍ର ତ୍ରିପାଠୀ, ପ୍ରଦୀପ୍ତ ମହାପାତ୍ର, ଗୋପବନ୍ଧୁ ଦାସ, ବିପି ମିଶ୍ରଙ୍କ ନାଁ ଉଲ୍ଲେଖ କରିଛନ୍ତି ଜୟନାରାୟଣ। ଚାକିରୀରୁ ଇସ୍ତଫା ଦେବା ପରେ ବି ମନୋଜ ମିଶ୍ରଙ୍କୁ କାହିଁକି ବୈଷୟିକ ସଚିବ କରାଯାଇଛି। ଏହା କଅଣ ଫାଇଭ-ଟି ଓ ମୋ ସରକାର କି ବୋଲି ପଚାରିଥିଲେ।

    ଆଉ ଜୟନାରାୟଣଙ୍କ ଫାଇଭ-ଟି ଟାର୍ଗେଟକୁ କାଉଣ୍ଟର କରିବାକୁ ଆଗକୁ ଆସୁଛନ୍ତି ବି ଅରୁଣ ସାହୁ। ବିରୋଧୀ ଦଳକୁ ଫାଇଭ-ଟି ଭୂତ ଲାଗିଛି ବୋଲି କହୁଛନ୍ତି। ଆଜି ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୋଧହୁଏ ଜୟନାରାୟଣ ଅକଳରେ ପକାଇବାକୁ ଫନ୍ଦି କରୁଛନ୍ତି କି କହି ଗୁଗଲି ଫଙ୍ଗିଛନ୍ତି। ସିଏମଓରେ ଯଦି ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅଛନ୍ତି। ତେବେ ପିଏମଓରେ ବସିଥିବା ଅଧିକାରୀ କିଏ ବୋଲି ପଚାରିଛନ୍ତି ଅରୁଣ। ଖୋଲା ମାର୍କେଟରୁ ଆରଏସଏସ କ୍ୟାଡ଼ରରୁ ଉଠାଯାଇ ଜଏଣ୍ଟ ସେକ୍ରେଟାରୀ କରାଯାଇଛି। ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ସମ୍ୱିଧାନ ବିରୋଧୀ କି। ବାଚାଳମି ଛାଡ଼ନ୍ତୁ। ମାନସିକ ରୋଗ ବିଶେଷଜ୍ଞ ହିଁ ଏଭଳି ରୋଗର ନିଦାନ କରିପାରିବ।

    ତେବେ କାହାକୁ ମାନସିକ ରୋଗୀ କହିଲ କହି ଅରୁଣଙ୍କ ମନ୍ତବ୍ୟ ବିରୋଧୀ ଦଳ ନେତାଙ୍କୁ ଅପମାନିତ କରିଛି କହି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ସଭ୍ୟ। କାହା ନାଁ ଧରିନାହାନ୍ତି ବୋଲି ବାଚସ୍ପତି ବୁଝାଇଥିଲେ ବି ମାନିନଥିଲେ ବିଜେପି ସଭ୍ୟ। ପରେ ଅନୁଧ୍ୟାନ କରି କୌଣସି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ବିବରଣୀରୁ ବାଦ୍ ଦିଆଯିବ ବୋଲି ବାଚସ୍ପତି ଆଶ୍ୱସ୍ତ କରିଥିଲେ। ଏହା ପରେ କ୍ଷାନ୍ତ ହୋଇଥିଲେ ବିଜେପି ସଭ୍ୟ।

     ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button