ବିଶ୍ୱ

ତୁର୍କୀ ଭୂମିକମ୍ପ ମୃତ୍ୟୁସଂଖ୍ୟା ୮ଗୁଣା ବଢିପାରେ: ଡବ୍ଲୁଏଚଓ

ନୂଆଦିଲ୍ଲୀ: ତୁର୍କୀ, ସିରିଆ, ଇସ୍ରାଏଲ ଓ ଲେବନାନରେ ଶକ୍ତିଶାଳୀ ଭୂକମ୍ପ ବିଭୀଷିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ଶହରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ହଜାରରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ତୁର୍କୀ ଓ ସିରିଆରେ ୧୦ ଘଣ୍ଟାରେ  ୩ଟି ଭୂକମ୍ପ ଝଟକା ଭାରି କ୍ଷୟକ୍ଷତି ଘଟାଇଛି। ଏହାରି ଭିତରେ ଡବ୍ଲୁଏଚଓ ପକ୍ଷରୁ ଦାବି କରାଯାଇଛି କି, ଏହି ମୃତ୍ୟୁ ସଂଖ୍ୟା ୮ ଗୁଣା ବଢିପାରେ। ଆହତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବ। ସୋମବାର ତୁର୍କୀରେ ହୋଇଥିବା ତିନୋଟି ଭୂକମ୍ପ ଯଥାକ୍ରମେ ୭.୮, ୭.୬ ଓ ୬.୦ ତୀବ୍ରତାର ଅନୁଭୂତ ହୋଇଥିଲା।

ଡବ୍ଲୁଏଚଓ ଭୂକମ୍ପ ସମ୍ପର୍କରେ କହିଛି କି, ଆମେ ଭୂକମ୍ପ ମାମଲାଗୁଡିକରେ ଦେଖି ଆସିଛୁ କି, ପ୍ରାରମ୍ଭିକ ସ୍ଥିତିରେ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ଯାହା ଆସିଥାଏ, ତାହା ପରେ ବୃଦ୍ଧି ଘଟିଥାଏ। ଏଥିସହ ସଂସ୍ଥା ବାସହରାଙ୍କ ସମ୍ପର୍କରେ ଚେତାବନୀ ଦେଇ କହିଛି କି, ଏହି ଲୋକଙ୍କ ସମସ୍ୟା ଶୀତ ପାଇଁ ବହୁତ ବଢିପାରେ।

ସେପଟେ, ପ୍ରଭାବିତ ଅଞ୍ଚଳରେ ଜାରି ରହିଛି ଆର୍ତ୍ତଚିତ୍କାର ଓ ଦୁର୍ଦ୍ଦଶାର ମାହୋଲ। ଭଙ୍ଗା ଘର ତଳେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲକ୍ଷ ଲକ୍ଷ ଲୋକ ବାସହରା ହୋଇ ଖୋଲା ଆକାଶ ତଳେ ପଡିଥିବା ବେଳେ ବରଫ ବର୍ଷା ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢାଇ ଦେଇଛି। ଲୋକମାନେ ଆଶ୍ରୟ ପାଇଁ ବହୁ ସଂଘର୍ଷ କରୁଛନ୍ତି। ଭୂକମ୍ପରେ ତୁର୍କୀର ୧୦ଟି କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ୩୫୦୦ରୁ ଅଧିକ କୋଠା ଭୁଶୁଡି ଯାଇଛି। ସଦ୍ୟତମ ରିପୋର୍ଟ ମୁତାବକ ମୃତ୍ୟୁସଂଖ୍ୟା ୪୬୦୦ ଟପିଥିବା ବେଳେ ୨୫ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ବହୁ ସଂଖ୍ୟାରେ ଲୋକ ମଧ୍ୟ ନିଖୋଜ ଅଛନ୍ତି।

ତୁର୍କୀର ଏହି ଆପତ୍ତା କାଳରେ ଭାରତ ସରକାର ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ପ୍ରଥମ ପର୍ଯ୍ୟାୟରେ ପଠାଯିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଏନଡିଆରଏଫ ଦଳମାନେ ସୋମବାର ରାତିରୁ ତୁର୍କୀ ଅଭିମୁଖେ ଯାତ୍ରା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button