ଓଡ଼ିଶା

ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀ ଲକ୍ଷ୍ମଣା ପରିଣୟଂ’ ମହାକାବ୍ୟର ଓଡିଆ ପଦ୍ୟାନୁବାଦ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାରେ ସଂସ୍କୃତ ସାହିତ୍ୟର ସମୃଦ୍ଧ ପରମ୍ପରା ରହିଛି । ସେହି ପରମ୍ପରାର ପରିପୁଷ୍ଟି ଓ ପ୍ରସାର ପାଇଁ ବିଶେଷ ଉଦ୍ୟମ ହେବା ଦରକାର । ପଣ୍ଡିତ କବିଚନ୍ଦ୍ର ଶ୍ରୀ ଭୁବନେଶ୍ୱର ରଥ ଶର୍ମଣାଙ୍କ “ଶ୍ରୀ ଲକ୍ଷ୍ମଣା ପରିଣୟଂ’ ମହାକାବ୍ୟର ଓଡିଆ ପଦ୍ୟାନୁବାଦ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ପଣ୍ଡିତ କବିଚନ୍ଦ୍ର ଶ୍ରୀ ଭୁବନେଶ୍ୱର ରଥ ଶର୍ମଣାଙ୍କ “ଶ୍ରୀ ଲକ୍ଷଣା ପରିଣୟଂ’ ମହାକାବ୍ୟର ଓଡିଆ ପଦ୍ୟାନୁବାଦ ଓ ନିରଞ୍ଜନ ରଥଙ୍କ ଦ୍ୱାରା ରଚିତ ଓ ସଂପାଦିତ “ଉତ୍କଳ କାଳିଦାସ ପଣ୍ଡିତ ଭୁବନେଶ୍ୱର ରଥ’ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପୁରୁଷ ଓ ପ୍ରକୃତି ମଧ୍ୟରେ ଚିରନ୍ତନ ଦ୍ୱନ୍ଦ୍ୱ ଲାଗିରହିଛି । ସେହିଭଳି ପରା ବିଦ୍ୟା ଓ ଅପରା ବିଦ୍ୟା ମଧ୍ୟରେ । ଏହି ସଂଘର୍ଷ ଓ ସମନ୍ୱୟରୁ ସୃଷ୍ଟି ହୁଏ ଆଧ୍ୟାତ୍ମିକତାର ଭାବ, ଭାବନା ଓ ଚେତନା । ଓଡିଆମାନଙ୍କ ଗୁଣସୂତ୍ରରେ ଅଛି ସର୍ଜନାର ପ୍ରବହମାନ ଧାରା ଓ ଅଧ୍ୟାତ୍ମଭାବ । ଉନ୍ମୋଚିତ ପୁସ୍ତକ ସେହି ସାରସ୍ୱତ ଦର୍ଶନର ଦ୍ୟୋତକ ବୋଲି ରାଜ୍ୟପାଳ କହିଥିଲେ ।

“ସମାଜ’ର ସଂପାଦକ ନିରଞ୍ଜନ ରଥ ପୁସ୍ତକ ପ୍ରକାଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ କବିଙ୍କର ଗୌରବମୟ ସୃଜନ ଉପଲବ୍ଧି ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଶ୍ରୀ ଭୁବନେଶ୍ୱର ରଥ ଶର୍ମଣାଙ୍କ ସାଧନା, ସିଦ୍ଧି, ଜୀବନ ଓ ସୃଜନ ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ବିଦ୍ୱାନ ଡ. ପ୍ରଫୁଲ କୁମାର ମିଶ୍ର ପ୍ରକାଶିତ କୃତିର ସମୀକ୍ଷା କରିବା ସହ ଓଡିଶାର ଏଭଳି କୃତି ବିଶ୍ୱ ସାରସ୍ୱତ ଦରବାରରେ ଆମ ପାଇଁ ବିଶେଷ ପରିଚୟ ଓ ପ୍ରତିଷ୍ଠା ଆଣିପାରିବ ବୋଲି ମତବ୍ୟକ୍ତ କରିଥିଲେ ।

“ପକ୍ଷୀଘର’ର ପ୍ରକାଶକ ବନୋଜ ତ୍ରିପାଠୀ ନିଜର ପ୍ରକାଶକୀୟ ବକ୍ତବ୍ୟରେ ପୁସ୍ତକ ଦୁଇଟି ସଂପର୍କରେ ନିଜର ଅଭିମତ ପ୍ରକାଶ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବରେ ବହୁ ବିଦ୍ୱାନ ଓ ସାହିତ୍ୟିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

Back to top button