dayine

  • ମୁଁ ଡାହାଣୀ ନୁହେଁ…

    କିଏ ଡାହାଣୀ । କାହିଁକି ତାକୁ ଡାହାଣୀ କୁହାଯାଉଛି । ଏମିତି କିଛି କଥା ଅଛି କି ଯାହା ଜଣଙ୍କୁ ଡାହାଣୀ ସଜେଇ ଦିଏ । ନା ଏହା କିଛି ଲୋକଙ୍କ ମାନସିକତାରୁ ସୃଷ୍ଟି ଏକ ପରିଚୟ ଯାହାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ରକ୍ରମେ ଜଣଙ୍କ ପରିଚୟ ସହ ଯୋଡ଼ାଯାଏ । ଏବଂ ତାରି ଆଧାରରେ ନିର୍ଯ୍ୟାତନା ଦେବାର ପ୍ରୟାସ ହୁଏ। ଯାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ସେ ସମସ୍ତ କଥା ତା ସହ ଘଟେ। ଅଶ୍ରାବ୍ୟ ଗାଳି, ଅଭକ୍ଷ ଖୁଆଇ ଏବଂ ଗାଁ ଦାଣ୍ଡରେ ଲଜ୍ଜିତ କରାଇ ଶେଷରେ ମାରି ଦିଆଯାଏ। ତେବେ ଯେଉଁ ରାଜ୍ୟରେ କାହାକୁ ଡାହାଣୀ କହିବା ଅପରାଧ ଏବଂ ଦଣ୍ଡ ପାଇବାର ବ୍ୟବସ୍ଥା ଅଛି ସେହି ରାଜ୍ୟରେ ଡାହାଣୀ ସମସ୍ୟା ବଢି ବଢି ଚାଲିଛି । ଡାହାଣୀ ଓ ଗୁଣିଗାରେଡ଼ି କଥାକୁ ଆଧାର କରି ବହୁ ହିଂସାକାଣ୍ଡ ଓ ବର୍ବର ଘଟଣାମାନ ଘଟିଚାଲିଛି । ଅନ୍ଧବିଶ୍ୱାସ ଓ କୁସଂସ୍କାରରୁ ଆଜି ବି ମୁକୁଳିପାରିନି ଆମ ରାଜ୍ୟ ତଥା ଦେଶ । ସେଥିପାଇଁ ଅନେକ ଜୀବନ ଯାଉଛି । ଦୀର୍ଘ ଦିନ ଧରି କିଛି ସଂଗଠନ ଓ ବ୍ୟକ୍ତିବିଶେଷ ଏହା ବିରୋଧରେ ସ୍ୱର ଉଠାଇ ଚାଲିଛନ୍ତି । ସରକାର ମଧ୍ୟ ରାଜ୍ୟରେ ଆଇନ ଆଣିଛନ୍ତି କିନ୍ତୁ ଆଇନ ଆସିବାର ଦୀର୍ଘ ବର୍ଷ ପରେ ମଧ୍ୟ ଘଟଣା ହ୍ରାସ ଦିଗରେ ସେଭଳି ପ୍ରଭାବୀ ହୋଇପାରିନି । ଏ ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ମଧ୍ୟଯୁଗୀୟ କହି ଆସୁଥିବା ଲୋକ ଆଧୁନିକ ଯୁଗରେ ବି ଅସ୍ଥି ମଜ୍ଜାଗତ କରିଛନ୍ତି । କେବଳ ସନ୍ଦେହ ଆଧାରରେ କିଏ କାହାକୁ ନିର୍ଯ୍ୟାତନା ଦେଇ ମାରି ଦେବା ଭଳି ଘଟଣା ଘଟିଚାଲିଛି ।

    ଏନସିଆରବି ରିପୋର୍ଟ କହୁଛି ଝାଡ଼ଖଣ୍ଡ ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଯେଉଁଠି ଡାହାଣୀ ସନ୍ଦେହରେ ସର୍ବାଧିକ ହତ୍ୟାକାଣ୍ଡ ହେଉଛି । ୨୦୦୮ରୁ ୨୦୧୩ ମଧ୍ୟରେ ରାଜ୍ୟରେ ଡାହାଣୀ ସନ୍ଦେହରେ ୧୭୭ ଜଣଙ୍କୁ ହତ୍ୟା କରାଯାଇଛି । ୨୦୧୬ରେ ୫୮,୨୦୧୭ରେ ୩୬, ୨୦୧୮ରେ ୩୯, ୨୦୧୯ରେ ୫୪, ୨୦୨୦ରେ ୩୬ ଏବଂ ୨୦୨୧ରେ ୧୮ ଜଣଙ୍କ ଜୀବନ ଯାଇଛି । କିନ୍ତୁ ଶହ ଶହ ଘଟଣା ଘଟିଛି ଯେଉଁଠି ପିଡ଼ିତାଙ୍କ ଜୀବନ ନର୍କ ପାଲଟି ଯାଇଛି ।  ସାମାଜିକ ଏବଂ ଆର୍ଥୀକ  ଭାବରେ ପଛୁଆ ଅଞ୍ଚଳରେ ଏଭଳି ଘଟଣା ବର୍ଷ ବର୍ଷ ଧରି ଚାଲୁଛି । ଅପପୁଷ୍ଟି, ରକ୍ତହୀନତା ବା କୈାଣସି ରୋଗରେ ଛୋଟ ପିଲା କି ବୟସ୍କଙ୍କ ମୃତ୍ୟୁ ହେଲେ କି ଗୃହପାଳିତ ପଶୁଙ୍କର ଜୀବନ ଗଲେ ଏପରିକି ଫସଲରେ ରୋଗପୋକ ଲାଗି ନଷ୍ଟ ହେଲେ ବି ଏହାକୁ ଡାହାଣୀ କଲା ବୋଲି କୁହାଯାଉଛି । ଏ ପୁରା ଘଟଣାରେ ମହିଳା ହିଁ ମୁଖ୍ୟତଃ ଟାର୍ଗେଟ ହେଉଥିବା ବେଳେ ପୁରୁଷ ମଧ୍ୟ କିଛି କ୍ଷେତ୍ରରେ ପ୍ରଭାବିତ ହେବାର ନଜିର ରହିଛି ।

    କୁହାଯାଉଛି ରାଜ୍ୟରେ ଥିବା ଆଇନରେ ସଂଶୋଧନ ଆବଶ୍ୟକ । ରାଜ୍ୟ ମହିଳା କମିଶନ ଓ ଆକ୍ସନ ଏଡ୍ ପକ୍ଷରୁ ଓଡ଼ିଶାରେ ଡାହାଣୀ ପ୍ରଥାକୁ ନେଇ ପ୍ରସ୍ତୁତ ରିପୋର୍ଟ ଉନ୍ମୋଚନ ବେଳେ ଏ ପ୍ରସଙ୍ଗ ଆସିଛି । ରାଜ୍ୟର ୭ଟି ଜିଲ୍ଲା ମୟୁରଭଞ୍ଜ, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, କେନ୍ଦୁଝର, ଗଜପତି, ଏବଂ ଗଞ୍ଜାମରେ ଡାହାଣୀ ସନ୍ଦେହରେ ୮୩%ମାମଲା ରହିଛି । ଡାହାଣୀ ସନ୍ଦେହ ଅଭିଯୋଗ ଆସିଲେ ୭୦%ଙ୍କୁ ଘର ଛାଡ଼ିବାକୁ ହୁଏ । ୩୦%ହତ୍ୟା କରାଯାଏ । ୨୭%ଙ୍କୁ ଛୋଟ ପିଲାଙ୍କ ଦେହ ଖରାପ ପାଇଁ ଦାୟୀ କରାଯାଏ।୪୩.୫%ଙ୍କୁ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟହାନୀ କିମ୍ବା ମୃତ୍ୟୁ ପାଇଁ ଏବଂ ୨୪.୫ କୌଣସି ଅଘଟଣ ପାଇଁ ଏବଂ ୫%ଙ୍କୁ ଫସଲ ନଷ୍ଟ ପାଇଁ ଦାୟୀ କରାଯାଏ। ତେବେ ଏହା ଏତେ ସମ୍ୱେଦନଶୀଳ  ଘଟଣା ହୋଇଥିଲେ ମଧ୍ୟ ୩୧% ମାମଲାରେ ପୁଲିସର ହସ୍ତକ୍ଷେପ ହିଁ ନଥାଏ । ଲିଙ୍ଗଗତ,ସାମାଜିକ,ଆର୍ଥୀକ ଦୁର୍ବଳ ବର୍ଗକୁ ହିଁ ମୂଳତଃ ଡାହାଣୀ ସଜାଇ ହତ୍ୟା କରାଯାଏ । ଶାରୀରିକ ମାନସିକ ନିର୍ଯ୍ୟାତନା ଦିଆଯାଏ । ସ୍ୱାସ୍ଥ୍ୟ,ଶିକ୍ଷା,ସୁବିଧାର ଅଭାବ ଏଭଳି ଅନ୍ଧବିଶ୍ବାସକୁ ବଢାଉଛି। ଅନୁସୂଚିତ ଜାତି, ଜନଜାତି ମହିଳାଙ୍କ ସହ ପୁରୁଷ ମଧ୍ୟ ଏଥିରେ ଟାର୍ଗେଟ ହେଉଛନ୍ତି । ଏନସିଆରବି ରିପୋର୍ଟ ମୁତାବକ ୧୯୯୧ରୁ ୨୦୧୨ ମଧ୍ୟରେ ଡାହାଣୀ ନାଁରେ ଦେଶରେ ୧୭ଶହ ମହିଳାଙ୍କୁ ହତ୍ୟା କରାଯାଇଛି । ଝାଡ଼ଖଣ୍ଡ, ବିହାର,ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା,ଛତିଶଗଡ଼, ଆସାମ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ମାମଲା ଦେଖା ଦେଉଛି । ଡାହାଣୀ ସନ୍ଦେହ ଜନିତ ହିଂସାରେ ପ୍ରଥମରେ ଝାଡ଼ଖଣ୍ଡ ଓ ଦ୍ବିତୀୟରେ ଓଡ଼ିଶା ରହିଛି । ଓଡ଼ିଶାରେ ସ୍ବତନ୍ତ୍ର ଆଇନ ଥିବା ସତ୍ତ୍ବେ ୨୦୧୫ରେ ୫୮, ୨୦୧୬ରେ ୮୩, ୨୦୧୭ରେ ୯୯ ରୁଜୁ ହୋଇଥିଲା । ୨୦୧୯ରେ ଦେଶରେ ଡାହାଣୀ ସନ୍ଦେହରେ ୧୦୨ ଜଣଙ୍କ ଜୀବନ ଯାଇଥିବା ବେଳେ ସେ ମଧ୍ୟରୁ କେବଳ ଓଡ଼ିଶାରେ ୧୯ଜଣଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ବିଡ଼ମ୍ୱନା ଯେ ଏଭଳି ହିଂସାର ବହୁ ମାମଲା ପୁଲିସ ପାଖକୁ ପହଞ୍ଚୁନାହିଁ ।

    ଡାହାଣୀ ସନ୍ଦେହରେ ଅତି ଜଘନ୍ୟ ଘଟଣାମାନ ଆମ ରାଜ୍ୟରେ ଘଟିଚାଲିଛି । ଦେଶର ଆଉ କିଛି ସ୍ଥାନରେ ମଧ୍ୟ ଏହାର ଉଦବେଗଜନକ ସ୍ଥିତି ରହିଛି। ଯଦି ଓଡ଼ିଶା କଥା କହିବା ଗତ ସାଢେ ୫ ବର୍ଷ ମଧ୍ୟରେ ଡାହାଣୀ ସନ୍ଦେହରେ ୨୪୧ ଜୀବନ ଗଲାଣି । ରାଜ୍ୟର ପ୍ରାୟ ସବୁ ଛୋଟ ବଡ ସ୍ଥାନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ଗଂଜାମରେ ସ୍ଥିତି ଗମ୍ଭୀର ରହିଛି। ଅନ୍ଧବିଶ୍ୱାସର ଏ ଖେଳ ବାସ୍ତବରେ କ୍ଷମତାର ଖେଳ ଯାହା ଦୁର୍ବଳ ଉପରେ ସବଳର ଅତ୍ୟାଚାରର ଖେଳ ବୋଲି କୁହାଯାଇପାରେ।୨୦୧୭ରେ  ଡାହାଣୀ ସନ୍ଦେହ ତଥା ଅନ୍ୟ କୈଣସି ଗୁଣିଗାରେଡ଼ି ଆଦି ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ‘କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍’ ପ୍ରସ୍ତୁତ କରାଯାଇଥିଲା । ବିଭିନ୍ନ ବିଭାଗକୁ ଦାୟିତ୍ବ ଦିଆଯିବା ସହ ଏ କ୍ଷେତ୍ରରେ ନିଜ ନିଜ ସ୍ତରରେ କାମ କରିବାକୁ କୁହାଯାଇଥିଲା । କିନ୍ତୁ କାମ ଏଯାଏଁ ଆଖିଦୃଶିଆ ହୋଇନାହିଁ । ଫଳରେ ଘଟଣା ବଢୁଛି । କିଛି ଏନଜିଓ ମଧ୍ୟ ଏ ଦିଗରେ ନିରନ୍ତର କାମ କରୁଛନ୍ତି କିନ୍ତୁ ସମସ୍ୟା ଯେତେ ବଡ ସେତିକି ବଢ ଆକାରର ପଦକ୍ଷେପ ଆବଶ୍ୟକ ରହିଛି ।

    ଗାଁ ବା ଛୋଟ ସହର ଗୁଡ଼ିକରେ ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏଭଳି କିଛି କଥାକୁ ପ୍ରଥମେ  ଆରମ୍ଭ କରନ୍ତି । ଯାହାକୁ ଅନ୍ୟମାନେ ଅନ୍ଧ ଭାବେ ବିଶ୍ୱାସ କରି ବର୍ବର ଘଟଣା ମାନ ଘଟାନ୍ତି । ବହୁତ ସମୟରେ ଏଭଳି ଘଟଣାର ନିୟନ୍ତ୍ରଣ କରିବା ଯାହାର କାମ ସେମାନେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥାନ୍ତି । ସ୍ଥାନୀୟ ଲୋକପ୍ରତିନିଧି, ପୁଲିସ, ପ୍ରଶାସନ ସମସ୍ତେ ଅନ୍ଧ ଭାବେ ଡାହାଣୀ ଅଛି ଏବଂ ସବୁ ଅଘଟଣ ପାଇଁ ଦାୟୀ ବୋଲି ଭାବନ୍ତି । ଯେହେତୁ ଅପରାଧ ସଂଘବଦ୍ଧ ଭାବେ ହୁଏ ତେଣୁ କାର୍ଯ୍ୟାନୁଷ୍ଠାନ କାହା ବିରୋଧରେ ନିଆଯିବ । କିଏ ଅସଲ ଦୋଷୀ । ସାକ୍ଷୀ ପ୍ରମାଣ କ’ଣ । ସବୁ କିଛି ବଡ଼ ଆହ୍ୱାନ ହୋଇଯାଏ । ନିରାକରଣର ଉଦ୍ୟମ ଓ ସଚେତନତା କାର୍ଯ୍ୟକ୍ରମ ଅନେକ ସମୟରେ ଧର୍ମକୁ ଆଖି ଠାର ଭଳି ହୋଇଥାଏ । ତେଣୁ ଉଦ୍ୟମ ପ୍ରଭାବୀ ହୁଏନାହିଁ କି ଘଟଣା କମେ ନାହିଁ । ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ହେଉ ବା ଉପକୂଳବର୍ତ୍ତୀ ଅଞ୍ଚଳ ସବୁଠି ଏ ଘଟଣା ଘଟୁଛି କିନ୍ତୁ ଟିକେ ଭିନ୍ନ ଭିନ୍ନ ଢଙ୍ଗରେ। ମହିଳାଟିର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ବୈବାହିକ ଜୀବନ ଠିକ୍ ନଥିଲେ, ସନ୍ତାନ ନଥିଲେ ତୁରନ୍ତ ତାକୁ ଡାହାଣୀ ଆଖ୍ୟା ଦେଇଦେବା ସହଜ ହୋଯାଏ । ତେବେ ମିଶନ ଶକ୍ତିର ସଦସ୍ୟା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଏ କ୍ଷେତ୍ରରେ ସତେନତା ସୃଷ୍ଟି କରିବା ପାଇଁ କୁହାଯାଉଛି । ନିଜ ନିଜ ଅଞ୍ଚଳରେ ହେଉଥିବା ଏଭଳି ଘଟଣା ସମ୍ପର୍କରେ ତଥ୍ୟ ରଖିବେ ଏବଂ ପ୍ରଶାସନକୁ ଅବଗତ କରାଇବେ ବୋଲି ସ୍ଥିର ହୋଇଛି । କିନ୍ତୁ ଅନେକ ସମୟରେ ଶିକ୍ଷିତ,ସହରୀ ଲୋକ ମଧ୍ୟ ଏଭଳି ଡାହାଣୀ, ଗୁଣିଗାରେଡି,ତନ୍ତ୍ରମନ୍ତ୍ର,ଝଡାଫୁଙ୍କାକୁ ବିଶ୍ୱାସ କରନ୍ତି ତେଣୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେଥିରୁ ବାଦ ପଡ଼ି ଏ କାମକୁ ବାସ୍ତବ ପକ୍ଷେ କରିବେ ସେ ସନ୍ଦେହ ରହି ଆସିଛି ।

    ରାଜ୍ୟରେ ଏଭଳି ଘଟଣାର ଗମ୍ଭୀରତାକୁ ଦେଖି ‘ଭାମତିର ସ୍ୱର’ ନାମକ ଏକ ଆନ୍ଦୋଳନ ଆରମ୍ଭ ହୋଇଛି । ସେହି ନାମରେ ଗୋଟିଏ ସ୍ୱତନ୍ତ୍ର ଆପ୍ ତିଆରି ହୋଇଛି । ଯାହା ଡାହାଣୀ ଓ ଗୁଣି ଗାରେଡ଼ି ସମ୍ପର୍କିତ ଅପରାଧରେ ସ୍ୱର ଶାଣିତ କରିବାରେ ସହାୟକ ହୋଇପାରିବ । ବିଭିନ୍ନ ବ୍ଳଗ୍ ମାଧ୍ୟମରେ ବିଭିନ୍ନ ଘଟଣାକ୍ରମ ସମ୍ପର୍କରେ ସୂଚନା ଦେବା ସହ ବହୁ ପୁରାତନ ସମୟରୁ କିଭଳି ଅନ୍ଧବିଶ୍ୱାସକୁ ନେଇ ଘଟଣା ସବୁ ଘଟିଛି ତାର ସୂଚନା ମଧ୍ୟ ଏହି ଭାମତିର ସ୍ୱର ଆପ୍ ମାଧ୍ୟମରେ ଲୋକ ଜାଣିପାରିବେ । କ୍ରାଇମବ୍ରାଞ୍ଚର ୨୦୧୬ ରୁ ୨୦୨୦ ପରିସଂଖ୍ୟାନ କୁହେ ରାଜ୍ୟରେ ୪୪୬ ଡାହାଣୀ ଓ ଗୁଣିଗାରେଡ଼ି ମାମଲା ପଞ୍ଜୀକୃତ ହୋଇଛି । ଶିଶୁଙ୍କ ଚେଙ୍କ ଚିକିତ୍ସା ଦେବାରେ ନବରଙ୍ଗପୁର ଏବଂ ଡାହାଣୀ ଆରୋପଜନିତ ମାମଲାରେ ମୟୁରଭଞ୍ଜ ଓ କେନ୍ଦୁଝର ଆଗରେ ରହିଛି । କିନ୍ତୁ ଅନ୍ୟ ଜିଲ୍ଲାରେ ମଧ୍ୟ ଘଟଣା ଘଟୁଛି । କଙ୍ଗାରୁ କୋର୍ଟର ନିଷ୍ପତି ଆଉ ତାରି ଆଧାରରେ କାହାକୁ ଡାହାଣୀ ସଜାଇବା ଭଳି ଘଟଣା ସହର ଓ ସହର ଉପକଣ୍ଠରେ ଦେଖିବାକୁ ମିଳୁଛି । ସବୁ ମାମଲା ମଧ୍ୟ ପୁଲିସ ପାଖକୁ ଆସୁନାହିଁ କି ଚର୍ଚ୍ଚାରେ ରହିନାହିଁ ବୋଲି ଅଭିଯୋଗ ହୋଇଛି।

    ସବୁଠାରୁ ବିଡମ୍ୱନାର କଥା ସାମାଜିକ, ଆର୍ଥିକ ଭାବେ ଦୁର୍ବଳ ବର୍ଗର ମହିଳାକୁ ଯେତେବେଳେ ଡାହାଣୀ କୁହାଯାଏ । ସେତେବେଳେ ତା ଆଖପାଖର ପ୍ରତ୍ୟେକ ନଜର ତାକୁ ସନ୍ଦେହରେ ଚାହେଁ । ସମସ୍ତେ ସେକଥାକୁ ମୋହର ମାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି । ନିଜ ନିଜ ଜୀବନର ଅଘଟଣକୁ ସେହି ଡାହାଣୀ ସମ୍ବୋଧନ କରୁଥିବା ମହିଳାର ପ୍ରଭାବ ସହ ଯୋଡ଼ନ୍ତି । ବାସ୍ତବରେ କେମିତି ଲାଗୁଥିବ ସେ ମହିଳା ବା ପୁରଷଙ୍କ ଯିଏ ଏଭଳି ସ୍ଥିତି ଦେଇ ଗତି କରୁଥିବେ । ଦୀର୍ଘ ବର୍ଷ ଧରି ଏଭଳି ନିର୍ଯ୍ୟାତନା ଚାଲିଥିଲେ ମଧ୍ୟ ସେ ସଂଖ୍ୟା ସମୟ ସହ କମୁନାହିଁ ବରଂ ବଢୁଛି ।ଆଇନ କାନୁନ ତାର ଅନୁପାଳନ ସବୁ ଅଧପନ୍ତରିଆ ଚାଲିଛି । ଏଭଳି ସମସ୍ୟା ଓଡ଼ିଶା ସମେତ ଦେଶର ୧୨ ରାଜ୍ୟରେ ଅତ୍ୟଧିକ ଭାବେ ଚାଲିଛି । ଯାହାକୁ ନିୟନ୍ତ୍ରଣ କରିବା ଆଜି ଦିନରେ ଆହ୍ୱାନ ହୋଇଥିବା ବେଳେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ମାନସିକତାର ପରିବର୍ତ୍ତନ ହିଁ ଏ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିବ ।ନଚେତ ସେ କହୁଥିବ ମୁଁ ଡାହାଣୀ ନୁହେଁ, କିନ୍ତୁ ତାକୁ ଶୁଣି ବିଶ୍ୱାସ କରିବା ଲୋକ କେହି ନଥିବେ ।

    • ସୁପ୍ରିୟା ଦାଶଙ୍କ ରିପୋର୍ଟ
Back to top button