DEOGAON

  • ଅବ୍ୟବସ୍ଥା ଘେରରେ ଦେଚୁଆଁ

    () ସମସ୍ୟା ଘେରରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଦେଚୁଆଁ ଗ୍ରାମବାସୀ । ନା ଅଛି ଗାଁରେ ପାଣିର ସୁବିଧା, ନା ଅଛି ଗାଁକୁ ଭଲ ରାସ୍ତାଟିଏ । ଗାଁ ଉପରେ ବିଜୁଳି ତାର ଲମ୍ବିଛି, ହେଲେ ରାତିରେ  ଜଳେନି ବଲବ୍ । ବିଭିନ୍ନ ସମସ୍ୟା ସହ ଦିନ କାଟୁଥିବା ଗ୍ରାମବାସୀମାନଙ୍କ  ସ୍ଥାୟୀ ପଟ୍ଟା ନ ଥିବାରୁ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

    ବରଗଡ଼ ଜିଲ୍ଲା ବାରପାହାଡ଼ ପାଦଦେଶ ଡ଼େବ୍ରିଗଡ଼ ଅଭୟାରଣ୍ୟକୁ ଲାଗି ରହିଥିବା ଏହି ଜଙ୍ଗଳୀ ଗାଁଟି ହେଲା ଦେଚୁଆଁ । ଜିଲାର ଅମ୍ବାଭୋନା ବ୍ଳକ  କରଲା ଗ୍ରାମ ପଞ୍ଚାୟତ ଅଧୀନ ଏହି ଦେଚୁଆଁ ଗ୍ରାମର ଚାରିଦିଗରେ ରହିଛି ଘଞ୍ଚ ଜଙ୍ଗଲ । ଗାଁରେ ମୋଟ ୭୬ଟି ପରିବାରର ୩୦୦ରୁ ଉର୍ଦ୍ଦ୍ଵ ଲୋକ ବାସ କରୁଥିବାବେଳେ  ଗାଁକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ । ଗାଁକୁ ବିଜୁଳି ତାର ଆସିଛି, ମାତ୍ର ଭଲଭାବେ ଜଳେନି ବଲବ। ସ୍ୱାସ୍ଥ୍ୟ ସେବା କଥା ନକହିବା ଭଲ । ଗାଁରୁ ଦଶ କି.ମି. ଗଲେ  ପଡେ ଡାକ୍ତରଖାନା । ଗାଁରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ବିଦ୍ୟାଳୟ ରହିଛି ମାତ୍ର ଏଠାରେ ଶିକ୍ଷକ ନାହାନ୍ତି । ସେପଟେ ଗାଁକୁ ସବୁବେଳେ ବନ୍ୟଜନ୍ତୁ ଆସୁଥିବାରୁ ଗ୍ରାମବାସୀମାନେ ଭୟଭିତ ଅବସ୍ଥାରେ ଦିନ କାଟୁଛନ୍ତି ସେପଟେ ଦୀର୍ଘ ଶହେ ବର୍ଷ ହେବ ଗାଁ ସ୍ଥାପିତ ହେଇଥିଲେ ମଧ୍ୟ ଗ୍ରାମବାସୀଙ୍କ ପାଖରେ ଜମିର କୌଣସି ସ୍ଥାୟୀ ପଟ୍ଟା ନାହିଁ । ପଟ୍ଟା ପାଇଁ ବାରମ୍ବାର ସରକାରଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏ ଯାଏଁ ପଟ୍ଟା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି ।

    ସମସ୍ୟା ମଧ୍ୟରେ ଜର୍ଜରିତ ଏହି ଦେଚୁଆଁ ଗ୍ରାମବାସୀ ମାନେ ଶେଷରେ ବିସ୍ଥାପିତ ହେବାକୁ ଚାହିଁଛନ୍ତି । ସରକାର ଆମକୁ ବିସ୍ଥାପିତ କରୁ ନତୁବା ସ୍ଥାୟୀ ପଟ୍ଟା ପ୍ରଦାନ କରୁ ବୋଲି ସେମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଦାବୀ କରିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ଆମେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତଙ୍କ ପଚରା ଯିବାରୁ ଗ୍ରାମବାସୀଙ୍କ କି ସୁବିଧା କରାଯାଇପାରିବ ତା ଉପରେ ତର୍ଜମା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

    ତେବେ ଦେଚୁଆଁ ଗ୍ରାମବାସୀ ମାନେ କେବେ ନିଜର ସୁବିଧା ହାସଲ କରିପାରୁଛନ୍ତି ତାହା ଦେଖିବାକୁ ରହିଲା  ।

Back to top button