dhamnagar campaign

  • ଧାମନଗରରେ ପ୍ରଚାର ଜୋରଦାର

    ଭୁବନେଶ୍ବର:  ଧାମନଗର ଉପନିର୍ବାଚନରେ ପ୍ରଚାରକୁ ଆଉ କିଛି ଘଣ୍ଟା ବାକି ରହିଛି । ଆଜି ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ଦେଇ ଧାମନଗରକୁ ବିକାଶର ଧାରରେ ଯୋଡ଼ିବାକୁ କହିଛନ୍ତି । ଏପଟେ ଶେଷ ଦିନରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ପ୍ରଚାର ମୌଦାନକୁ ଓହ୍ଲାଇବେ । କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।

    ଧାମନଗର ବିକାଶ ମୋର ଦାୟିତ୍ୱ । ଆଉ ଧାମନଗରରେ ରହିବ ନାହିଁ ସମସ୍ୟା । ଅବନ୍ତୀ ଆଣିବେ ନୂଆ ବିକାଶର ଧାରା । ଧାମନଗର ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଏମିତି ବାର୍ତ୍ତା ।  ପ୍ରଚରକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ୧୩ ଟି ସ୍ଥାନରେ ଭର୍ଚୁଆଲରେ ପ୍ରଚାର କରି ଦଳୀୟ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ମାଗିଛନ୍ତି ଭୋଟ  । ଏପଟେ ନବୀନଙ୍କ ଭର୍ଚୁଆଲ ପ୍ରଚାରରେ ଚଳଚଞ୍ଚଳ ବିଜେଡ଼ି ଶିବର ଥିବାବେଳେ ବଡ ବ୍ୟବଧାନରେ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଦଳୀୟ ନେତା ।

    ସେପଟେ ବିଜେପି ମଧ୍ୟ ଶେଷ ପର୍ଯ୍ୟାୟରେ ପ୍ରଚାରକୁ ଜୋରଦାର  କରିଛି । ବିଭିନ୍ନ ସ୍ଥାନରେ ଆଜି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁଙ୍କ ସହ ବାଲେଶ୍ୱର ସାଂସଦ ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି । ଏହାସହ ମଙ୍ଗଳବାର ଶେଷ ଦିନରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୌଦାନକୁ ଓହ୍ଲାଇ ଧୁସୁରିର ବାସନ୍ତୀ ପଡ଼ିଆରେ ଜନସଭାକୁ ସମ୍ୱୋଧିତ କରିବେ । କଂଗ୍ରେସ ମଧ୍ୟ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ଯୋରଦାର ପ୍ରୟାସ ଜାରି ରଖିଛି । ସବୁଠାରୁ ବଡ଼କଥା ହେଲେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ମଧ୍ୟ ଘରକୁ ଘର ବୋଲି ଭୋଟ ମାଗିବା   ସହ ଶାସକ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି ।

    ପ୍ରଚାରକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ଥମୁନାହିଁ ଆରୋପ ପ୍ରତ୍ୟାରୋପର ରାଜନୀତି ।

  • ବିଜେଡି-ବିଜେପିର ଫେରାଦ କୁହେଳିକାପୂର୍ଣ୍ଣ

    ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗର ଶହେ ମିନିଟ୍ ଭିତରେ ହେବ ଆକ୍ସନ। ଧାମନଗର ଉପନିର୍ବାଚନକୁ ସ୍ୱଛ, ଅବାଧ ଓ ନିରପେକ୍ଷ କରିବାକୁ ଯାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏଭଳି ଭରସା କେତେ କାଟୁ କରିବ, ତାକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ଭୋଟ ପାଇଁ ନୋଟ୍ କାରସାଦିର ଅନେକ ଭିଡ଼ିଓ ଭାଇରାଲ ହେବା ସହ ଇସିଆଇଙ୍କ ପାଖରେ ଉଭୟ ବିଜେଡି-ବିଜେପିର ଫେରାଦ ଘଟଣାକୁ କୁହେଳିକାପୂର୍ଣ୍ଣ କରିଦେଇଛି।

    ଭୋଟ ପାଇଁ ପ୍ରଲୋଭିତ କଲେ କି ପ୍ରଭାବିତ କଲେ ତୁରନ୍ତ ଆକ୍ସନ ହେବ। ଅଭିଯୋଗ ଆସିବାର ୧୦୦ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ହେବ। କମିଶନଙ୍କ ସି-ଭିଜିଲ୍‌ ଆପ୍‌ରେ ଅଭିଯୋଗ କରନ୍ତୁ। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ଆସିଥିବା ୧୦୨ଟି ଅଭିଯୋଗର ତଦନ୍ତ କରି ଏଯାଏଁ ୨୧୬ ଜଣ ବନ୍ଧା ହେଲେଣି। ଧାମନଗର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ଚେତେଇ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

    ସେପଟେ ଧାମନଗରରେ ଟଙ୍କା ଉଡ଼ୁଛି। ଜନମତକୁ ପ୍ରଭାବିତ କରିବାକୁ ଖୁଲମଖୁଲା ଟଙ୍କା ବଣ୍ଟାର ମାଳ ମାଳ ଅଭିଯୋଗ ଆସିଲାଣି। କେଉଁଠି ଭିଡ଼ିଓ ଭାଇରାଲ ହେଉଛି ତ ଏହାକୁ ନେଇ ନିଇତି ସିଇଓ ଓ ଇସିଆଇ ଅଫିସ ଯାଇ ଫେରାଦ୍ ହେଉଛି ବିଜେଡି ଓ ବିଜେପି। ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣି ଆକ୍ସନ ଲାଗି ଦାବିକୁ ଶାଣିତ କରୁଛନ୍ତି। ବିଜେପି ମିଶନଶକ୍ତିଏସଏଚଜି ମାଆ ମାନଙ୍କୁ ଅପମାନିତ କରୁଥିବା କଥା କହୁଛି ବିଜେଡି।ଉଦ୍ଦେଶ୍ୟମୂଳକ ଭାବେ ଜଣେ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବଣ୍ଟାର ଅଭିଯୋଗ କରିଛି। ନିର୍ବାଚନ ହାରିବା ଭୟରେ ବିଜେପି ହିଁ ବିପୁଳ ଟଙ୍କା ବାଣ୍ଟି ସୋସିଆଲ ମିଡ଼ିଆରେ ମିଛ ଲାଞ୍ଚର ଭିଡିଓ ବୁଲାଇ ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଏଭଳି ଆରୋପ ଆଣି ଇସିଆଇଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛି ବିଜେଡି। ସେପଟେ ବିଜେପି ବି କହିଛି,ଟଙ୍କା ବଳରେ ଭୋଟ କିଣିବାକୁ ବିଜେଡି ଲାଗିଥିଲା ବେଳେ ଆକ୍ସନ କାହିଁକି ବିଳମ୍ୱ ହେଉଛି। ୯୩୨ ବିଜେପି କର୍ମୀଙ୍କ ବିରୁଦ୍ଧରେ ମିଛ ମାମଲା ରୁଜୁ କରି ସେମାନଙ୍କୁ ମାନସିକ, ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ନିର୍ଯ୍ୟାତନା ଦେଉଛି ପ୍ରଶାସନ।ସିଇଓ ଅଫିସରୁ ନେଇ ଇସିଆଇ ଅଫିସ ଯାଏ ବିଜେଡି-ବିଜେପି ପରସ୍ପର ବିରୁଦ୍ଧରେ ଫେରାଦ ଏପିସୋଡ୍ ଜାରି ଭିତରେ ଉଭୟ ଦଳ ଜନମତକୁ ପ୍ରଭାବିତ କରିବାକୁ କେଉଁସ୍ତରକୁ ଯାଇପାରୁଛନ୍ତି, ତାକୁ ନେଇ କଟାକ୍ଷ କରିଛି କଂଗ୍ରେସ।

    ଭୋଟ ପାଇଁ ଟଙ୍କା ବଣ୍ଟା ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ଭିତରେ ତୁତୁମେମେ ଅଧ୍ୟାୟ ଜାରି ରହିଛି। ଆଉ ସେପଟେ ଏହା ଉପରେ ନିର୍ବାଚନ କମିଶନ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।

  • କମ୍ପୁଛି ଧାମନଗର, ଘରଘର ବୁଲି ଚାଲିଛି ଭୋଟ ଭିକ୍ଷା

    ଧାମନଗର: ଧାମନଗର ନିର୍ବାଚନୀ ମୈଦାନ କମ୍ପୁଛି ପ୍ରଚାରରେ । କେହି କାହାକୁ କମ୍ ରେ ନାହାନ୍ତି। ଏମିତିରେ କାଲିଠୁ ଛୁଟି ପଡୁଛି। ଆଉ ଏହି ମଉକାକୁ କେହି ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ଯେମିତି। ଆଉ ପ୍ରାର୍ଥୀଙ୍କ ସହ ମାଳ ମାଳ ନେତା ଡେରା ପକାଇବା ସହ ଘରକୁ ଘର ବୁଲି ଭୋଟ ଭିକ୍ଷାରେ ମାତିଛନ୍ତି। ସମସ୍ତଙ୍କର ଦମ୍ଭୋକ୍ତି, ଧାମନଗର ଆସନ ସେମାନଙ୍କ ଖାତାକୁ ଯିବ।

    ପଞ୍ଚାୟତରୁ ପଞ୍ଚାୟତ। ଓ୍ୱାର୍ଡରୁ ଓ୍ୱାର୍ଡ। ରୋଡ ସୋ, ବାଇକ ରାଲି, ପଦଯାତ୍ରା। ଘନଘନ ବୈଠକ। ଗୁପ୍ତ ମନ୍ତ୍ରଣା ଓ ରଣନୀତି। ପୋଷ୍ଟର ଓ ପ୍ରଚାର ହୋର୍ଡିଂରେ ଧାମନଗର ପ୍ରଚାର ମୈଦାନ କମ୍ପୁଛି। ଶନିବାର ବିଜେପିର ପ୍ରଚାରର ମଙ୍ଗ ଧରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାଙ୍ଗରେ ନେଇ ବିଭିନ୍ନ ପଞ୍ଚାୟତରେ ବାଇକ୍ ଶୋଭାଯାତ୍ରା କରିଛନ୍ତି। ବିଷ୍ଣୁଙ୍କ ଅବର୍ତ୍ତମାନରେ ସୂର୍ଯ୍ୟବଂଶୀଙ୍କୁ ଧାମନଗରବାସୀ ଜିତାଇବେ ବୋଲି କହିଛନ୍ତି ସଭାପତି।

    ସେପଟେ ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କ ସମେତ ଅନେକ ତୁଙ୍ଗ ନେତା ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଧରି ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ପଞ୍ଚାୟତ ବୁଲି ଭୋଟ ଭିକ୍ଷା କରୁଛନ୍ତି। ନବୀନଙ୍କ ଉପରେ ଧାମନଗରବାସୀଙ୍କ ଭରସାରୁ ବିଜେଡି ଏଠାରେ ବୃହତ୍ ବ୍ୟବଧାନରେ ଜିତିବ ବୋଲି ଦମ୍ଭ ଦେଖାଇଛି ଦଳ।

    ସେପଟେ କଂଗ୍ରେସ ବି ପ୍ରଚାରରେ କିଛି କମରେ ନାହିଁ। ବିଧାୟକ ସୁର ରାଉତରାୟ ଆଜି ପ୍ରାର୍ଥୀ ହରେକୃଷ୍ଣଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଧୁଷୁରି ବଜାର ଓ ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ପହଞ୍ଚି ଭୋଟଭିକ୍ଷା କରିଛନ୍ତି। ଜନ ଆଶୀର୍ବାଦ କଂଗ୍ରେସକୁ ଜିତାଇବ। ଏଠାରେ ବ୍ୟାନର, ପୋଷ୍ଟର ଗୌଣ ବୋଲି କହିଛନ୍ତି ଉଭୟ ସୁର ଓ ପ୍ରାର୍ଥୀ ହରେକୃଷ୍ଣ।

    ସେପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବି ନିଜ ସମର୍ଥକଙ୍କ ଗହଣରେ ପ୍ରଚାରକୁ ଜୋରଦାର କରିଛନ୍ତି। ସବୁ ଦଳ ଓ ପ୍ରାର୍ଥୀଙ୍କର ଦମ୍ଭୋକ୍ତି, ଧାମନଗର ଏଥର ହାତେଇବେ। କିନ୍ତୁ ଦେଖିବାର କଥା ଜନତାର ଆସ୍ଥା କେଉଁ ପଟକୁ ଢଳିବ।

    ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

Back to top button