dhaneswar death

  • ଧନେଶ୍ବର ମୃତ୍ୟୁ ଘଟଣା: ପରିବାରର ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି

    କଟକ: ବଡ଼ମ୍ବାରେ ବନ ବିଭାଗ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଖାଦେଇଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ବାଣପୁର ବିଟ୍‌ ହାଉସରେ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ଆଠଗଡ଼ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛନ୍ତି। ସେପଟେ ବଡ଼ବାରସିଂ ଛକରେ ମୃତ ଦେହକୁ ରଖି  ଗ୍ରାମବାସୀ ରାସ୍ତାରୋକ କରିଥିଲେ।  ଦୁଇ ଏସିଏଫ୍ ଓ ରେଞ୍ଜର ଅଭିଯୁକ୍ତ ଧନେଶ୍ୱରଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରି ଗ୍ରାମବାସୀ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଲୋକଙ୍‌କ ଭିତରେ ଦେଖାଦେଇଥିବା କ୍ରୋଧକୁ ଦେଖି ପ୍ରଶାସନ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ସହ ଧନେଶ୍ୱରଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଛି। 

    ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ପୁଲିସ୍ ଆଠଗଡ଼ ବନଖଣ୍ଡର ଦୁଇ ଏସିଏଫ୍- ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ରେଞ୍ଜର ସୁବ୍ରତ ବେହେରା ଏବଂ ଅନ୍ୟ ୭ ବନ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ସେମାନଙ୍କୁ ଆଠଗଡ଼ ଥାନାରେ ପଚରାଉଚରା କରୁଛନ୍ତି।

    ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ବନ ବିଭାଗ କଷ୍ଟଡିରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ଏହି ଘଟଣାର ତଦନ୍ତ ପାଇଁ କଞ୍ଜରଭେଟର ସ୍ତରୀୟ ଜଣେ ଅଫିସରଙ୍କୁ ଆଠଗଡ଼ ପଠାଯାଇଛି । ସଂପୂର୍ଣ୍ଣ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରାଯିବ ଓ ଯିଏ ଦୋଷୀ ମିଳିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ କହିଛନ୍ତି।

    ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ମାଣିଆବନ୍ଧ ବିଟ୍‌ର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ମିଳିଥିଲା। ହାତୀର ଦାନ୍ତ କିନ୍ତୁ ମିଳି ନ ଥିଲା। ଘଟଣାରେ ସାତଗୋଛିଆର ୫୯ ବର୍ଷୀୟ ଧନେଶ୍ୱର ବେହେରାଙ୍କ ସଂପୃକ୍ତି ସନ୍ଦେହ କରି ବନ ବିଭାଗ କର୍ମଚାରୀମାନେ ତାଙ୍କୁ ଗତକାଲି ଘରୁ ଉଠାଇ ନେଇଥିଲେ। ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ଥିବା ବେଳେ ଆଜି ଭୋରରେ ଧନେଶ୍ୱରଙ୍କର ମୃତ୍ୟୁ ଘଟିଥିଲା।

Back to top button