discussion success

  • ଅଳିଆ ବିବାଦ: ବୈଠକ ସଫଳ କହିଲେ ମନ୍ତ୍ରୀ

    ଭୁବନେଶ୍ବର: ଦାରୁଠେଙ୍ଗ ଅଳିଆ ବିବାଦକୁ ନେଇ ବସିଥିବା ବୈଠକ ସଫଳ। ବୈଠକ ପରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ। ତେବେ ୯ ମାସ ସମୟ ମାଗିଛନ୍ତି ଗ୍ରାମବାସୀ। ଏହି ସମୟ ଭିତରେ ସମସ୍ୟାର ସମାଧାନ କରିବାକୁ ଆପ୍ରାଣ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

    ଦୀର୍ଘ ଦିନ ଧରି ରାଜଧାନୀରେ ଜାରି ଅଳିଆ ଆବର୍ଜନା ପରିଚାଳନା ଗତ ତୃଟିକୁ ନେଇ ରାଜଧାନୀ ବାସୀ ବହୁ ସମସ୍ୟା ଭୋଗୁଥିବା ବେଳେ ଆଜି  ସଂଚାର  ହୋଇଛି ଆଶା। ଆଜି ଲୋକସେବା ଭବନରେ ଚାଲିଥିଲା  ଉଚ୍ଚସ୍ତରୀୟ ବୈଠକ। ତେବେ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବ, ବିଏମସି ମେୟର ଓ କମିଶନରଙ୍କ ସମେତ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି ଉପସ୍ଥିତ ଥିବା ନେଇ ସୂଚନା।

    ସୂଚନା ଦେବା ପୂର୍ବରୁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଳିଆ ବିବାଦକୁ ନେଇ ବୈଠକ ବସିଥିଲା। ଏଥିରେ ଗ୍ରାମବାସୀଙ୍କ ପ୍ରସ୍ତାବ ଅନୁଯାୟୀ ପ୍ରକ୍ରିୟାକରଣ ଆରମ୍ଭ ହୋଇଛି। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ତେବେ ଦାରୁଠେଙ୍ଗରେ ପୁନଃ ଅଳିଆ ପକାଇବା ପୂର୍ବରୁ ୯ ମାସ ସମୟ ମାଗିଛନ୍ତି ଦାରୁଠେଙ୍ଗ ଗ୍ରାମବାସୀ। ତେବେ ଆଲୋଚନା ସଫଳ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ୩ ସପ୍ତାହରୁ ଅଧିକ ଦିନ ଧରି ଭୁଆଶୁଣି ଡ଼ମ୍ପିଂୟାର୍ଡ ଅଚଳ ପଡିଛି । ତେବେ ବିବାଦର ସମାଧାନ ହେଲେ ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ଆଶା କରାଯାଉଛି।

    ଦାରୁଠେଙ୍ଗରେ ପୂର୍ବରୁ ଅଳିଆ ଜମା ହେଉଥିଲା। କିନ୍ତୁ ବିଏମସିର ଏକ ଅଳିଆ ଗାଡିର ଧକ୍କାରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ପରେ ଉଠିଥିଲା ବିବାଦ। ଦାରୁଠେଙ୍ଗକୁ ଅଳିଆ ଗାଡି ପୂରାଇବାକୁ ଦେଇନଥିଲେ ଗ୍ରାମବାସୀ। ଫଳରେ ବାଣିବିହାର ପଛ ପଟ ରେ କେବଳ ଅଳିଆ ଗଦା ହେଉଛି। ଗୋଟିଏ ଜାଗାରେ ଅଳିଆ ଗଦା ହେବାରୁ ସେଠାରେ ପାହାଡ ପରି ଅଳିଆ ଭରି ରହିଛି। ପବନରେ ଅଳିଆ ସ୍ଥାନୀୟ ଜନବସତି ଆଡକୁ ଚାଲିଯାଉଥିବା ବେଳେ ସେଠାରୁ ସୃଷ୍ଟ ପୂତ୍ତିଗନ୍ଧରେ ଆଖପାଖ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି।

    ଅନ୍ୟପଟେ ଅଳିଆ ଗଦା କରିବାକୁ ସ୍ଥାନ ଅଭାବରୁ କିଛି ଦିନ ହବ ସହରର ଅଧିକାଂଶ ସ୍ଥାନରେ ଅଳିଆ ରାସ୍ତାକଡରେ ଗଦା ହୋଇ ରହିଛି। ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ପୋକମାଛି ଓ ମଶାରେ ସହରବାସୀ ଅତିଷ୍ଠ ହୋଇପଡିଲେଣି। ମଶା ମାଛି ଜନିତ ରୋଗରେ ରାଜଧାନୀବାସୀ ପୀଡିତ ହେଉଛନ୍ତି। ଏହାକୁ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ।

Back to top button