() ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ-2 ପରୀକ୍ଷା। ରେଗୁଲାର, ଷ୍ଟେଟ ଓପନ୍ ସ୍କୁଲ ଏବଂ ମଧ୍ୟମାରେ ପରୀକ୍ଷା ଦେବେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । ସେଥିପାଇଁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସେହିପରି ପରୀକ୍ଷାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ବୋର୍ଡ।
ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ–୨ ପରୀକ୍ଷା। ପ୍ରଥମ ଦିନ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଏକ ଘଣ୍ଟା ପୂର୍ବରୁ ପହଞ୍ଚିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି। ଏହାସହ ପରୀକ୍ଷା କେନ୍ଦ୍ରକୁ ପେନ, ଆର୍ଡମିଟ କାର୍ଡ ଓ ଜୋମେଟ୍ରି ବକ୍ସ ନେଇ ଯାଇପାରିବେ । ତେବେ ପ୍ରତ୍ୟେକ ବିଷୟର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ସେପଟେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ନିଜକୁ ପ୍ରସ୍ତୁତ କରିଥିବା ବେଳେ ଆଜି ନିଜ ନିଜ ସ୍କୁଲକୁ ଯାଇ ଆଡ଼ମିଟ କାର୍ଡ ସଂଗ୍ରହ କରିଛନ୍ତି ପରୀକ୍ଷାର୍ଥୀ । ସମ୍ମେଟିଭ -୧ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଥିବା ବେଳେ ସମ୍ମେଟିଭ –୨ ମଧ୍ୟ ଭଲ ରେଜଲ୍ଟ ହେବା ନେଇ ବେଶ ଆଶାବାଦୀ ଅଛନ୍ତି ପରୀକ୍ଷାର୍ଥୀ ।
ମାର୍ଚ୍ଚ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଚଳିତ ବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । ଏନେଇ ୩ ହଜାର ୨୧୮ ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା। ୩୧୬ଟି ନୋଡାଲ ସେଣ୍ଟର ସହ ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି। କପି ରୋକିବା ପାଇଁ ମୋଟ ୭୪ ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ସେଥିମଧ୍ୟରୁ ବୋର୍ଡ ପକ୍ଷରୁ କରାଯାଇଛି ୩୬ଟି ସ୍କ୍ୱାର୍ଡ। ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ପ୍ରଥମ ଥର ପାଇଁ ଏସ୍କଟ କରି ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରେ ପହଁଚିଛି ।
ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ