finance

  • କ’ଣ କରୁଛନ୍ତି ଅର୍ଥମନ୍ତ୍ରୀ ?

    କ’ଣ କରୁଛନ୍ତି ଅର୍ଥମନ୍ତ୍ରୀ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ କେମିତି ଅଛି। କୋଭିଡରୁ ଭଲ ହୋଇଗଲେଣି ତ। ସଂସଦକୁ ଆସିଲେଣି କି ନା। ସଂସଦକୁ ଆସିଲା ପରେ ଦରବୃଦ୍ଧି ଓ ଜିଏସଟିକୁ ନେଇ ଉତ୍ତର ରଖିଲେଣି କି। କାରଣ ମୌସୁମୀ ଅଧିବେଶନ ଆରମ୍ଭରୁ ଦରବୃଦ୍ଧି, ଜିଏସଟି ଓ ଅଗ୍ନିପଥ ନିଯୁକ୍ତି ଉପରେ ଆଲୋଚନା ଲାଗି ଅଡ଼ି ବସିଛନ୍ତି ବିରୋଧୀ ଦଳ। କିନ୍ତୁ ଯେହେତୁ ଜିଏସଟି କାଉନସିଲର ନିଷ୍ପତ୍ତି କ୍ରମେ ଜୁଲାଇ ୧୮ରୁ ସାରା ଦେଶରେ ବର୍ଦ୍ଧିତ ଜିଏସଟି ଲାଗୁ ହୋଇଛି। ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। ଏପରିକି ସାଧାରଣ ଲୋକର ଦୈନନ୍ଦିନ ଖାଦ୍ୟ ମୁଢ଼ି, ଚୂଡ଼ା ଓ ଅଟା ଉପରେ ଏହି କର ଲାଗୁ ହୋଇଥିବାରୁ ସମସ୍ତେ କଲବଲ ହେଲେଣି କହିଲେ ଭୁଲ୍ ହେବନି। ପରିବର୍ତ୍ତିତ ଜିଏସଟି ହାର ଲାଗି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼କୁ ନେଇ ସଂସଦ ଆରମ୍ଭରୁ ହୁଲସ୍ତୁଲ ହେଉଛି।

    ଜିଏସଟି କାଉନସିଲ୍ ବୈଠକର ନିଷ୍ପତ୍ତି କାହା ସ୍ୱାର୍ଥରେ। ଅଟା, ପନିର, ଦହି, ମାଛ, ମହୁ, ଶୁଖିଲା ଖଇ, ଶୁଖିଲା ସୋୟାବିନ୍, ଚୁଡ଼ା, ମୁଢ଼ି, ଘୋଳ ଦହି, ପଇଡ଼, ଗୁଡ଼, ଚାଉଳ, ବାର୍ଲି, ଅଟା ଆଦି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଛି। ସରକାରଙ୍କଠୁ ଉତ୍ତର ଲୋଡ଼ି ସରକାର ବିରୋଧୀ ନାରାବାଜିରେ କମ୍ପିଛି ସଂସଦର ଉଭୟ ଗୃହ। କ୍ରମାଗତ ବିଶୃଙ୍ଖଳା, ଗୃହ ଭିତରକୁ ପ୍ଲାକାର୍ଡ ଧରି ନାରାବାଜି କରିଥିବାରୁ ବିରୋଧୀ ଦଳର ୨୭ ସାଂସଦ ବି ନିଲମ୍ୱିତ ହୋଇଛନ୍ତି। ତେବେ ଦରବୃଦ୍ଧି, ମୁଦ୍ରାସ୍ଫୀତି, ଜିଏସଟିକୁ ନେଇ କେବଳ ଗୃହରେ ଅର୍ଥମନ୍ତ୍ରୀ ହିଁ ଉତ୍ତର ରଖିପାରିବେ ବୋଲି ବିରୋଧୀଙ୍କୁ ବୁଝାଇ ଆସୁଛନ୍ତି ଶାସକ ଦଳ। ଆଉ କୋଭିଡ୍ ରେ ପଡ଼ିଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦକୁ ଆସିପାରୁନଥିବା କଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବି ଗୃହରେ ଅବଗତ କରାଇଥିଲେ। ଅନ୍ତତଃ ସେ ପର୍ଯ୍ୟନ୍ତ ବିରୋଧୀ ହଙ୍ଗାମା କରନ୍ତୁନି ବୋଲି କହିଥିଲେ। ଗୃହକୁ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡ଼ିବା ସହ ବିରୋଧୀଙ୍କ ଏଭଳି ହଟ୍ଟଗୋଳରୁ ଜନସ୍ୱାର୍ଥ ସମ୍ୱଳିତ ଅନେକ ପ୍ରସଙ୍ଗ ଉଠିପାରୁନି ବୋଲି ଆରୋପ ଲଦିଥିଲେ। ତେବେ କୋଭିଡ୍ ରୁ ସୁସ୍ଥ ହୋଇ ଗୃହକୁ ଆସିସାରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

    ଆଉ ଗୃହ ଏଣିକି ସ୍ୱାଭାବିକ ହେବ ବୋଲି କୁହାଗଲା। କାରଣ ଅର୍ଥମନ୍ତ୍ରୀଙ୍କ ଅନୁପସ୍ଥିତି ଲାଗି ବିରୋଧୀଙ୍କ ଦାବି ଉପରେ ଆଲୋଚନା ହୋଇପାରୁନଥିଲା କି ଉତ୍ତର ଆସିପାରୁନଥିଲା ଟ୍ରେଜେରୀ ବେଞ୍ଚରୁ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସିଲେ ସତ। ହେଲେ ଭିନ୍ନ ମୁଦ୍ରାରେ। କାରଣ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ଗୃହ ସ୍ୱାଭାବିକ ହେବ କଅଣ, ପାଲଟା ତା ଆଗରୁ ଶାସକ ଦଳ ହାଇଜାକ୍ କରିନେଲା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ରାଷ୍ଟ୍ରପତ୍ନୀ ଟିପ୍ପଣୀ ପ୍ରସଙ୍ଗକୁ। ବିଜୟଚୌକରେ ଗଣମାଧ୍ୟମକୁ ବୟାନ ଦେଲା ବେଳେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ ଅଧୀର। ଯାହାକି ଖୁବ୍ ନିନ୍ଦନୀୟ ଥିଲା। ଅଧୀର କ୍ଷମା ମାଗନ୍ତୁ। ଆଉ ଅଧୀରଙ୍କ ଭଳି ବ୍ୟକ୍ତିଙ୍କୁ ଲୋକସଭାରେ ନେତା ଭାବରେ ଅଧିଷ୍ଠିତ କରିଥିବା ସୋନିଆ ଗାନ୍ଧୀ ବି କ୍ଷମାମାଗନ୍ତୁ ଦାବିରେ ସଡ଼କରୁ ନେଇ ସଂସଦ ହୁଲସ୍ତୁଲ କରିଥିଲା ବିଜେପି। ଅଧୀର କ୍ଷମା ମାଗିସାରିଲେଣି ବୋଲି ସୋନିଆ କହିଥିଲେ। ଆଉ ଅଧୀର କହିଥିଲେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି।

    ଆଉ ଏହାରି ଭିତରେ ସଂସଦ ଭବନ ପରିସରର ଗେଟ୍ ନମ୍ୱର ୧ ପାଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା। ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସମେତ ବିଜେପି ମହିଳା ସାଂସଦ ଅଧୀରଙ୍କଠୁ କ୍ଷମା ପ୍ରାର୍ଥନା ଦାବି କରି ତାଙ୍କ ବିରୋଧରେ କେମିତି ସ୍ଲୋଗାନ୍ ଦେଇଥିଲେ, ତାହା ସମସ୍ତେ ଦେଖିଲେ। ଆଉ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିଭଳି ବିଜେପି ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର ଦେଖାଇଥିଲେ, ତାହାର ଅବତାରଣା କରି କିଭଳି ଏହି ଦଳ ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ପଦବୀରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କୁ ଅପମାନିତ କରିବାକୁ ପଛାଉନାହିଁ ବୋଲି କହିଥିଲେ ନିର୍ମଳା। ସୋନିଆ ସିଧାସଳଖ ଧମକ ଦେଉଛନ୍ତି, ଭୟଭୀତ କରାଉଛନ୍ତି କହି ଗର୍ଜିଥିଲେ ନିର୍ମଳା। ଏହାରି ଭିତରେ ଅଧୀର କ୍ଷମା ମାଗିସାରିଲେଣି। ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଏକ ଭୁଲ୍ ଶବ୍ଦ ମୁହଁରୁ ବାହାରିଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।

    ଅଗଷ୍ଟ ୧ ଯାଏ ସଂସଦ ମୁଲତବୀ ହୋଇଛି। ଅଗଷ୍ଟ ୩ରେ ଅଧୀରଙ୍କୁ ବ୍ୟକ୍ତିଗତ ହାଜିରା ହୋଇ ଲିଖିତ ସ୍ପଷ୍ଟୀକରଣ ଦେବାକୁ ଜାତୀୟ ମହିଳା ଆୟୋଗ ବି ନୋଟିସ୍ କରିଛନ୍ତି। କିନ୍ତୁ ବଡ଼କଥା ହେଲା, ମୌସୁମୀ ଅଧିବେଶନ ଆରମ୍ଭରୁ ଯେଉଁ ପ୍ରସଙ୍ଗକୁ ନେଇ ଗୃହ ଉଠୁଛି ପଡୁଛି, ସେ କଥା ଗୌଣ ହୋଇଯିବନି ତ। ଦରବୃଦ୍ଧି, ଜିଏସଟି, ମୁଦ୍ରାସ୍ଫୀତି ଉପରେ ଅର୍ଥମନ୍ତ୍ରୀ ଉତ୍ତର ରଖିବେ ତ। ଏହା ଉପରେ ଆଲୋଚନା ହେବ ତ। କାରଣ ଅଗଷ୍ଟ ପହିଲାରୁ ଯଦି ସମାନ ଆଭିମୁଖ୍ୟ ଗ୍ରହଣ କରିବେ ବିରୋଧୀ ଆଉ କାଉଣ୍ଟର କରିବାକୁ ଯାଇ ଗଣ୍ଠି କରିବେ ଶାସକ ଦଳ। ତା ହେଲେ ଗୃହ ଅଚଳ ହେବାର ଆଶଙ୍କା ରହିଛି। ଆଉ ଜନସ୍ୱାର୍ଥ ପ୍ରସଙ୍ଗ ଉଠିପାରିବନି।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
Back to top button