flood affected

  • ଖୁବଶୀଘ୍ର ଆରମ୍ଭ ହେବ ସହାୟତା ପ୍ରକ୍ରିୟା

    ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରସଙ୍ଗ। ପ୍ରାୟ ସବୁ ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟ ଆସି ସରିଛିl ବାକି ଆଉ 3ଟି ଜିଲ୍ଲାରୁ ରିପୋର୍ଟ ଆଜି ପହଞ୍ଚିବ। ଏହା ପରେ ସହାୟତା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପରିବହନ ଓ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସେପଟେ  ବନ୍ୟା ପରିସ୍ଥିତିରେ ପଞ୍ଚାୟତିରାଜ ବିଭାଗ ଅଧୀନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛି। ଏହାସହ ପ୍ରାୟ ଅଞ୍ଚଳକୁ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଯୁଦ୍ଧକାଳୀନ ପରିସ୍ଥିତିରେ ଯାହା କ୍ଷୟକ୍ଷତି ହୋଇଛି ତାହା ମରାମତି କରାଯାଇ ଯଥାଶୀଘ୍ର ଏହାର ସମସ୍ୟାର ସମାଧାନ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତିl

  • ଚିନ୍ତାରେ ଚାଷୀ

    ପୁରୀ: ବନ୍ୟା ଛଡ଼ାଇ ନେଲା ଚାଷୀ ମୁହଁର ହସ, ଉଜାଡ଼ି ଗଲା ସୁନାର ଫସଲ। ସବୁଜ ସୁନ୍ଦର ଚାଷ ଜମିରେ ବାଲିଚର ଦେଖିବାକୁ ମୁଳିଛି। ବନ୍ୟା ଜଳରେ ଉଜୁଡି ଯାଇଛି ଚାଷ ଜମି। ଯାହାକୁ ନେଇ ଚିନ୍ତାରେ ଚାଷୀ। ହେକ୍ଟର ହେକ୍ଟର ଚାଷ ଜମିରେ ବାଲି ମାଡ଼ି ଯାଇଥିଲା ବେଳେ ଚାଷ ଜମିକୁ ଦେଖି ହତାଶ ହୋଇ ଯାଇଛି ଚାଷୀ। ଦଇବ ଛାଟରେ ଘାଇଲା ହୋଇଥିବା ଚାଷୀ ଏ ସମସ୍ୟାର ସ୍ଥାୟୀ ପ୍ରତିକାର ଦାବୀ କରିଛି। ସେପଟେ  କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଥିଲା ବେଳେ ରିଲିଫ କୋର୍ଡ ଅନୁସାରେ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। ଦୟାନଦୀର ବନ୍ୟାରେ ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ମୌଜାର ଏକର ଏକର ଜମିରେ ବାଲି ମାଡିଯାଇଛି। କଣ୍ଟି ଠାରେ ନଦୀବନ୍ଧରେ ଥିବା କାଜରୁ ନିର୍ଗତ ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମିର ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି।

  • କ୍ୟାପିଟାଲ ହସ୍ପିଟାଲରେ ରୋଗୀ ଚାପ

    ଭୁବନେଶ୍ବର: ବନ୍ୟା ପାଇଁ କ୍ୟାପିଟାଲ ହସ୍ପିଟାଲ ଉପରେ ରୋଗୀ ଚାପ। ବିଶେଷ କରି ବନ୍ୟା ପ୍ରଭାବିତ ଅଞ୍ଚଳରୁ ଆସିଥିବା ରୋଗୀଙ୍କ ସଂଖ୍ୟା କ୍ୟାପିଟାଲ ହସ୍ପିଟାଲରେ ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟତଃ ଖୋର୍ଦ୍ଧା, ନୟାଗଡ଼, ପୁରୀ ଜିଲ୍ଲାରୁ ବନ୍ୟା ପାଇଁ ରୋଗୀଙ୍କ ସୁଅ ଏହି ହସ୍ପିଟାଲକୁ ବଢୁଥିବାରୁ ଶଯ୍ୟାର ଅଭାବ ଦେଖାଦେଇଛି। କାଜୁଆଲିଟିରେ ବି ଦିନ ତମାମ ଭିଡ଼ ପରିଲକ୍ଷିତ ହୋଇଛି।

    ବର୍ଷା ଓ ବନ୍ୟା ପ୍ରଭାବରେ ଜ୍ୱର, ଝାଡ଼ାବାନ୍ତି ରୋଗୀ କ୍ୟାପିଟାଲ ହସ୍ପିଟାଲରେ ହାଉଯାଉ ହେଉଛନ୍ତି। ହଇଜା, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି, ମେଡିସିନ୍ ଓ୍ୱାର୍ଡରେ ବେଡର ଅଭାବ ଦେଖା ଦେବାରୁ ବାରଣ୍ଡାରେ ରୋଗୀ ଚିକିତ୍ସା ହେଉଛନ୍ତି। ରାଜଧାନୀର ପାଖ ଜିଲ୍ଲା ନୟାଗଡ଼, ପୁରୀ ତଥା ଖୋର୍ଦ୍ଧାରୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି।

    ବନ୍ୟା ପ୍ରଭାବରେ ଜଳବାହିତ ରୋଗ ବ୍ୟାପୁଛି। ରୋଗୀଙ୍କ ଚାପ ସତ୍ତ୍ୱେ ସମସ୍ତଙ୍କୁ ଉତ୍ତମ ଚିକିତ୍ସା କିଭଳି ଦିଆଯାଇପାରିବ, ତାକୁ ନେଇ ପ୍ରୟାସ କରୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଜନସ୍ୱାସ୍ଥ୍ୟ ନିର୍ଦେଶକ ବି କହିଛନ୍ତି, ବନ୍ୟାଞ୍ଚଳରେ ରୋଗ ବଢୁଛି। ମ୍ୟାଲେରିଆ, ଝାଡାବାନ୍ତି, ଡେଙ୍ଗୁ ସହ ସାପ କାମୁଡା ରୋଗୀଙ୍କ ସଂଖ୍ୟା ବଢୁଛି।

    ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲରେ ବନ୍ୟା ଓ ବର୍ଷା ଲାଗି ରୋଗୀ ସଂଖ୍ୟା ବଢୁଛି। ତେବେ ରୋଗୀ ଚାପକୁ କିଭଳି ମୁକାବିଲା କରାଯିବ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ ବି ବଡ଼ ଚାଲେଞ୍ଜ ହୋଇ ଠିଆହୋଇଛି।

    ସିମ୍ପୁଲ ନାୟକଙ୍କ ରିପୋର୍ଟ

  • କମୁନି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

    ଭୁବନେଶ୍ବର: ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମୁନି। ପାଣି ଘେରରେ ଆଜି ବି ଅନେକ ଗାଁ। ବାହ୍ୟ ଜଗତରୁ ବିଛିନ୍ନ ଅନେକ ପଞ୍ଚାୟତ। ଡଙ୍ଗା ନଥିବାରୁ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ବି ପହଞ୍ଚିପାରୁନି ଅନେକ ଜାଗାରେ। ଭୋକ ଓପାସରେ ଦିନ କାଟୁଛନ୍ତି ବିପନ୍ନ। ପିଲାଛୁଆଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ବିପନ୍ନ।

    ଗଲା ୫ ଦିନ ଧରି ରିଲିଫକୁ ଚାତକ ଭଳି ଚାହିଁ ବସିଛନ୍ତି ବନ୍ୟା ବିପନ୍ନ। କାରଣ ଏବେ ବି ଲୋକେ ଜଳବନ୍ଦୀ। ପାଣି ଛାଡ଼ିନି ଗାଁରୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ପୋରଗଦେଇ ପଞ୍ଚାୟତରେ ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିଲେ ଏହା ଜଳ ଜଳ କରି ଦିଶୁଛି। ଘରର ଛାତ ଉପରେ ଆଶ୍ରୟ ନେଇଛି ପିଲାଛୁଆଙ୍କୁ ଧରି ବିପନ୍ନ। ଘର ଭିତରେ ଆଣ୍ଠୁଏ ପାଣି। ରୋଷେଇ କରି ଖାଇବା ବି ସମ୍ଭବ ନୁହେଁ। ଏଭଳି ସ୍ଥଳେ ସରପଞ୍ଚ କହୁଛନ୍ତି, ଲୋକଙ୍କୁ ରିଲିଫ ଦିଆଯାଇଛି। ଆଉ ବିପନ୍ନ କହୁଛନ୍ତି କିଛି ମିଳିନି। ପିଲା ଛୁଆଙ୍କୁ ଧରି ଆଉ କେତେଦିନ ଭୋକ ଓପାସରେ ରହିବୁ ବୋଲି ଭାବବିହ୍ୱଳ ହୋଇଛନ୍ତି ବିଲକୋଲର  ବିପନ୍ନ।

    କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ସମେତ ପାଟକୁରାରେ ଜଳବନ୍ଦୀ ଥିବା ବିପନ୍ନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚି ପାରିନଥିବାରୁ ପ୍ରଶାସନର ଅବହେଳାକୁ ନେଇ ଅସନ୍ତୋଷ ବଢ଼ୁଛି। ମାର୍ଶାଘାଇର ଆଇତପୁର, ଗରଦପୁରର ବଙ୍ଗାଳପୁର ଓ ପାଟକୁରାର ପଦ୍ମପୁରରେ ବନ୍ୟା ପ୍ରକୋପରେ ପୀଡ଼ିତ ବିପନ୍ନଙ୍କୁ ଯଦିଓ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କିନ୍ତୁ ଆଶ୍ରୟସ୍ଥଳୀରେ ବି ପାଣି ପଶିଛି। ଶୁଖିଲା କି ରନ୍ଧା ଖାଦ୍ୟ ବି ମିଳୁନଥିବାର ଅଭିଯୋଗ ହେଉଛି। ଗୃହପାଳିତ ପଶୁଙ୍କ ଅବସ୍ଥା ନ କହିବା ଭଲ। ଏବେକାର ଲଗାଣ ବର୍ଷା ପୁଣି ଜଳବନ୍ଦୀଙ୍କ ଚିନ୍ତା ବଢାଇଦେଇଛି।

    ପୁରୀ ଜିଲ୍ଲାରେ ବିପନ୍ନଙ୍କ ଦୁର୍ଦ୍ଦଶା ତ ବଳି ପଡ଼ିଲାଣି। ଗାଁଗଣ୍ଡାରୁ ବଳିଗଲାଣି ପୁରୀ ପୌରପାଳିକା ଜଳବନ୍ଦୀଙ୍କ ଦୁର୍ଦ୍ଦଶା। ସୁଜାତାନଗର ବାସିନ୍ଦା ୩ ଦିନ ହେଲା ଜଳବନ୍ଦୀ। କୌଣସି ବୋଟ୍‌ର ବ୍ୟବସ୍ଥା ହୋଇନଥିଲା ବେଳେ ଲୋକଙ୍କ ଚଳପ୍ରଚଳ ଲାଗି ମାତ୍ର ଗୋଟିଏ ଡଙ୍ଗା ହିଁ ସାହାରା ସାଜିଛି। ଆଉ ପିପିଲି, ନିମାପଡ଼ା, ଗୋପ୍ ବ୍ଲକରେ ବିପନ୍ନଙ୍କ ଦୁର୍ଦ୍ଦଶା ବି ବଢିଛି। କୁଶଭଦ୍ରା ଓ ଧନୁଆ ନଦୀ ବନ୍ୟା ଜଳରେ ଗୋପ ବ୍ଲକ୍ ର ଶତାଧିକ ଗାଁ ଜଳବନ୍ଦୀରେ। ନିମାପଡା ବଳଙ୍ଗା ରାସ୍ତାର ଧନୁଆ ଉପରେ ୩ ଫୁଟରୁ ଅଧିକ ପାଣି ଚାଲୁଥିଲା। ଏପଟେ ସରକାରୀ ରିଲଫ୍ ନ ପାଇ କ୍ଷତିଗ୍ରସ୍ତଙ୍କ ଆଖିରୁ ଲୁହ ଶୁଖୁନି। ଗୋପ ବ୍ଲକ୍ ଅଣ୍ଡରା- ଇଛାପୁର ପଞ୍ଚାୟତର ଗବଶିଙ୍ଗା ଗାଁରେ ବିପନ୍ନଙ୍କ ଉପରେ ବି ସମଦଶା ପଡ଼ିଛି। ପ୍ରଶାସନର ସାହାଯ୍ୟ ଓ ସହଯୋଗକୁ ଅନାଇ ବସିଛନ୍ତି।

    ବଢ଼ି ବିପତ୍ତି ଯେମିତି ବିପନ୍ନଙ୍କ ପାଇଁ କାଳ ସାଜିଛି। ଏବେ ବି ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ। ପ୍ରଶାସନର ସହାୟତା ପହଞ୍ଚିପାରୁନି। ଯାହାକି ବିଡ଼ମ୍ୱନା।

Back to top button