gehlot tension

  • ପୁଣି ଅଡୁଆରେ ଗେହଲଟ

    () ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ସମର୍ଥନ ଜଣାଇଛନ୍ତି। ପାଇଲଟଙ୍କ କଠିନ ପରିଶ୍ରମକୁ ବିଚାରକୁ ନେଇ ରାଜସ୍ଥାନର ଦାୟିତ୍ୱ ତାଙ୍କ କାନ୍ଧରେ ଦେବାକୁ କହିବା ପରେ ଗେହଲଟଙ୍କ ଅଡ଼ୁଆ ବଢ଼ିଛି। କାରଣ ଗଲା ସେପ୍ଟେମ୍ୱରରେ ହାଇକମାଣ୍ଡଙ୍କ ନିର୍ଦେଶର ଅବମାନନା କରିଥିଲେ ଗେହଲଟଙ୍କ ଅନୁଗାମୀ। ଆଉ କିଛିଦିନ ତଳେ ଗେହଲଟ ବି ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

    ଗେହଲଟ ଅନୁଗତଙ୍କ ଖୋଲା ବିଦ୍ରୋହ, ବିଧାନସଭାରୁ ସାମୂହିକ ଇସ୍ତଫା ସାଙ୍ଗକୁ ହାଇକମାଣ୍ଡଙ୍କ ନିର୍ଦେଶକୁ ଅବମାନନା ଏପିସୋଡ୍ ଏତେ ସହଜେ ଭୁଲିହେବନି। ସେଥିଲାଗି ସର୍ବଭାରତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ବାଦ୍ ପଡ଼ିବାର ବିଫଳତା ସାଙ୍ଗକୁ ପାଇଲଟଙ୍କୁ କୌଣସିମତେ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇନଦେବାକୁ ରଣନୀତିରେ ସଫଳତା ଭିତରେ କିନ୍ତୁ ଗେହଲଟଙ୍କ ଉପରୁ ଆକ୍ସନର ଚୋଟ ଯେ କୌଣସି ସମୟରେ ପଡ଼ିପାରେ। ସେଥିଲାଗି ତ ଗେହଲଟଙ୍କ କ୍ୟାବିନେଟର ମନ୍ତ୍ରୀ ଓ ଖାସ୍ ଅନୁଗତ ଜଣକ ପରେ ଜଣେ ପାଇଲଟଙ୍କୁ ସମର୍ଥନ କରିବାରେ ଲାଗିଲେଣି। ଗେହଲଟଙ୍କ କ୍ୟାବିନେଟ ମନ୍ତ୍ରୀ ହେମାରାମ ଚୌଧୁରୀ କହିଛନ୍ତି, ପାଇଲଟଙ୍କ କଠିନ ପରିଶ୍ରମ ଲାଗି କଂଗ୍ରେସ କ୍ଷମତାକୁ ଆସିଛି। ତାଙ୍କର ପଦୋନ୍ନତି ନିଶ୍ଚିତ ଥିବାରୁ ଦଳୀୟ ନେତୃତ୍ୱ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ।

    ପୂର୍ବରୁ ଆଉ ଜଣେ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ବି ସମାନ କଥା କହିଥିଲେ। ପାଇଲଟଙ୍କୁ ଶୀଘ୍ର ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ ଗୁଧା। ଯଦି ପାଇଲଟଙ୍କୁ ନେତୃତ୍ୱ ଭୂମିକା ଦିଆ ନ ଯାଏ, ତେବେ ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦ଟି ଆସନରେ ବି ଜିତିବନି ବୋଲି ସତର୍କ କରାଇଦେଇଥିଲେ।

    ଦଳୀୟ ସ୍ୱାର୍ଥ ବିରୋଧରେ କାମ କରିଥିବା ନେତାଙ୍କ ବିରୁଦ୍ଧରେ ଆକ୍ସନ ହେଉ ବୋଲି ଗଲା ୩ ସପ୍ତାହ ତଳେ ପାଇଲଟ ଦାବି କରିଥିଲେ। କାରଣ ଗେହଲଟଙ୍କ ଅନୁଗତ ନେତା ହାଇକମାଣ୍ଡଙ୍କ ନିର୍ଦେଶକୁ ଅବମାନନା କରି କଂଗ୍ରେସ ବିଧାୟକ ଦଳ ବୈଠକରେ ସାମିଲ ହୋଇନଥିଲେ। ସାମୂହିକ ଇସ୍ତଫା ଦେଇ ହାଇକମାଣ୍ଡଙ୍କ ଟେନସନ ବଢ଼ାଇଦେଇଥିଲେ। ଏହା ପରେ ପରେ ଚଳିତ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଭୂରି ଭୂରି ପ୍ରଶଂସାରେ ପୋତି ପକାଇଥିଲେ ଗେହଲଟ। ଆଉ ମୋଦି ବି ଗେହଲଟଙ୍କୁ ବେଶ୍ ପ୍ରଶଂସା କରିଥିଲେ।

    ଏଥିରୁ ଗେହଲଟ କଂଗ୍ରେସକୁ ଦୁର୍ବଳ ଓ ବିଜେପି ପାଇଁ କାମ କରିବାକୁ ଉଦ୍ୟମ କରୁଥିବାର ସଙ୍କେତ ମିଳୁଛି କି ବୋଲି କଟାକ୍ଷ କରିଥିଲେ ପାଇଲଟ୍। କେହି ଦଳୀୟ ଶୃଙ୍ଖଳା ଭଙ୍ଗ କରନ୍ତୁନି। ମହଙ୍ଗା, ହିଂସା, ବେରୋଜଗାର ବିରୁଦ୍ଧରେ ଲଢ଼େଇ କରିବାର ସମୟ ଆସିଛି। ୨୪ରେ କିଭଳି କଂଗ୍ରେସ ସରକାରକୁ ଆସିବ, ସେ ନେଇ ସମସ୍ତେ ଏକଜୁଟ୍ ହୋଇ ପରିଶ୍ରମ ବଦଳରେ ଏଭଳି ଆରୋପ ଲଦିବା ସମୀଚିନ ନୁହେଁ ବୋଲି କହିଥିଲେ ଗେହଲଟ। ସେପଟେ ଦଳର ମୁଖପାତ୍ର ସୁପ୍ରିୟା ସିନେଟ୍  ଏ ସନ୍ଦର୍ଭରେ କହିଥିଲେ କି, ମୋଦିଙ୍କୁ ଗେହଲଟ ପ୍ରଶଂସା କରିନାହାନ୍ତି। ବରଂ ସମାବେଶରେ ଆଇନା ଦେଖାଇଛନ୍ତି ମୋଦିଙ୍କୁ।

    ଗେହଲଟଙ୍କ ଅଡ଼ୁଆ ବଢ଼ିଲାଣି। ୨୩ ନିର୍ବାଚନ ଆଗରୁ ହାଇକମାଣ୍ଡ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବେ ନା ଗେହଲଟଙ୍କୁ ସେ ପର୍ଯ୍ୟନ୍ତ ଜାରି ରଖିବେ। ଆଉ ସେ ଯାଏଁ ଦଳୀୟ ବିଦ୍ରୋହ ଓ ବିବାଦକୁ ପ୍ରଶମିତ କରି ରଖିବାରେ ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ହାଇକମାଣ୍ଡ ସୋନିଆ ଓ ରାହୁଲ ଗାନ୍ଧୀ କି ରଣନୀତି କରିବେ, ତା ଉପରେ ନଜର।

    ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button