habisyali chant naveen pray

  • ହବିଷିଆଳୀଙ୍କ ନବୀନ ଭଜନକୁ ବିଜେପିର ନିନ୍ଦା

    ପୁରୀ: କାର୍ତ୍ତିକ ମାସରେ ଭଗବାନଙ୍କ ଭଜନ ବଦଳରେ ନବୀନ ଭଜନ  ହବିଷିଆଳୀଙ୍କ କଣ୍ଠରେ। ଗତକାଲି ହବିଷିଆଳୀଙ୍କୁ ଶାଲ ବଣ୍ଟନ କରାଯିବା ପରେ ହବିଷ୍ୟାଳୀ ନବୀନଙ୍କ ଜୟଜୟଗାନ କରିଛନ୍ତି। ନବୀନଙ୍କୁ ବ୍ରହ୍ମା, ବିଷ୍ଣୁ, ହରଙ୍କ ସହ ତୁଳନା କରିବା ସହିତ ଧନ୍ୟ ଧନ୍ୟ ବୋଲି କହିଥିଲେ ହବିଷିଆଳୀ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିଜେପି ବର୍ଷିଛି ବିଜେଡି ଉପରେ। ଭୋଟ ହାତେଇବାକୁ ନବୀନଙ୍କ ଶସ୍ତା ରାଜନୀତି ବୋଲି କହିଛି ବିଜେପି।

    ଗତକାଲି ପୁରୀରେ ହବିଷିଆଳୀଙ୍କୁ ଶାଲ ବଣ୍ଟନ କରାଯାଇଥିଲା। ଚଳିତ ବର୍ଷ ହବିଷିଆଳୀ କେନ୍ଦ୍ରର ଉଦଘାଟନ ବେଳେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣାକରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ସମର୍ଥ ବର୍ମା ସକାଳୁ ସକାଳୁ ବୃନ୍ଦାବତୀ ନିବାସ ସମେତ ସମସ୍ତ ପାଞ୍ଚଟି ହବିଷିଆଳୀ କେନ୍ଦ୍ରରେ ଜିଲ୍ଲାପାଳ ସମର୍ଥ ବର୍ମା ସକାଳୁ ହବିଷିଆଳୀଙ୍କୁ ଶାଲ୍ ବଣ୍ଟନ କରିଥିଲେ।

    ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ରହୁଥିବା ହବିଷିଆଳୀମାନଙ୍କୁ ପୁରୀ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଶାଲ ପ୍ରଦାନ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ହବିଷିଆଳୀମାନେ ନବୀନଙ୍କ ଜୟଜୟକାର କରିବା ସହ ନବୀନଙ୍କୁ କରୁଣାର ସାଗର, ହବିଷ୍ୟାଳୀଙ୍କ ଗଳାମାଳି ବୋଲି ଜପ କରିଥିଲେ। ପ୍ରଶାସନିକ ଅଧିକାରୀ, ପୋଲିସ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହ ତୁଳନା କରି ଗୀତ ଗାଇଥିଲେ ହବିଷିଆଳୀ।

    ଏହି ଘଟଣା ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟିଛି। ପୁରୀ ବୁଦ୍ଧିଜୀବୀ ମହଲ ଏହାକୁ ବିରୋଧ କରିଥିବା ବେଳେ ନବୀନ ବନ୍ଦନାକୁ ନିନ୍ଦା କରିଛି ବିଜେପି । ଓଡିଶା ବାସୀଙ୍କ ଆଗରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା । ହବିଷ୍ୟାଳୀଙ୍କ ଦ୍ୱାରା ଏଭଳି ଗୀତ ପରିବେଷଣ କରାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର କଥା ବୋଲି ପରିଡା କହିଛନ୍ତି । ପ୍ରଶାସନିକ ଅଧିକାରୀ ମାନେ ଏହି ଗୀତ ଲେଖିଛନ୍ତି, ଯେଉଁଥିରେ  ନବୀନ ବାବୁ ଚଳନ୍ତି ଠାକୁର ବର୍ଣ୍ଣନା କରାଯାଇଛି । ଏପରି କାର୍ଯ୍ୟ ଓଡିଶାବାସୀଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ  ଓ  ଅତି ଗର୍ବେ ହତ ଲଙ୍କା ବୋଲି କହିଛନ୍ତି ପ୍ରଭାତୀ ପରିଡା ।

Back to top button