heart attack

  • ହୃଦଘାତକୁ କିପରି ଏଡାଯାଇ ପାରିବ?

    ଭୁବନେଶ୍ବର: ଆଜି ବିଶ୍ବ ହାର୍ଟ ଡେ ବା ହୃଦୟ ଦିବସ। ପ୍ରତିବର୍ଷ ୨୯ ସେପ୍ଟେମ୍ବରରେ ହାର୍ଟ ଡେ ପାଳନ ହୋଇଥାଏ। ସମ୍ପ୍ରତି ହୃଦ୍‌ଘାତ ଆଉ ବୟସ୍କଙ୍କ ପାଇଁ ସମସ୍ୟା ହୋଇ ରହିନାହିଁ। ବହୁ ସଂଖ୍ୟାରେ କମ ବୟସର ବ୍ୟକ୍ତିଙ୍କଠାରେ ଦେଖା ଦେବାରେ ଲାଗିଲାଣି ହୃଦ୍‌ଘାତ। ଯାହା ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ହୃଦୟ ରୋଗ ବିଶେଷଜ୍ଞମାନଙ୍କ ମତ, ଆମେ ଏକ ଗମ୍ଭୀର ସମୟ ଦେଇ ଗତିକରୁଛି, ଯେଉଁଥିରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଏହି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଇଁ ଏକାଧିକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି କମ ବୟସର ସମସ୍ତ ଲୋକଙ୍କ ହୃଦୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ ହୋଇ ପଡିଛି।

    ହୃଦଘାତ ସମ୍ପର୍କରେ ପୁଣେର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା ବିକାଶ ଅନୁରାଗ କୁହନ୍ତି, ଜୀବନ ଶୈଳୀ, ଖାଦ୍ୟରେ ଅନିୟମିତତା ହୃଦରୋଗ ଆଶଙ୍କା ବଢାଇ ଦେଇଛି। ତେଣୁ ଲୋକଙ୍କୁ ନିଜର ଖାଦ୍ୟ ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି। ଆମେ ଦୈନିକ ଦିନଚର୍ଯ୍ୟାରେ ଏପରି କିଛି କାର୍ଯ୍ୟ କରୁ ଯାହା ମଧ୍ୟ ହୃଦୟ ପାଇଁ କ୍ଷାତକ ହୋଇପାରେ।

    ହୃଦୟ ରୋଗଗୁଡିକୁ ନେଇ ଦେଖା ଦେଉଥିବା ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ପ୍ରତି ବର୍ଷ ସେପ୍ଟେମ୍ବର ୨୯କୁ ବିଶ୍ବ ହୃଦୟ ଦିବସ ଭାବେ ପାଳନ କରାଯାଇଆସୁଛି। ତେବେ ନିଜର ହୃଦୟକୁ ସୁସ୍ଥ ରଖିବାକୁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ ହେବାର ଆବଶ୍ୟକତା ରହିଛି।

    ହୃଦୟ ସମ୍ବନ୍ଧିତ ରୋଗଠାରୁ ଦୂରେଇ ରହିବାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟ। ଜଙ୍କ ଫୁଡ ବା ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଓ ପ୍ରୋସେସ୍ଡ ଫୁଡ ବା ପ୍ରକ୍ରିୟାକରଣ ହେଉଥିବା ଖାଦ୍ୟଠାରୁ ଦୂରେଇ ରହିବା ଦରକାର।  ଏହା ବଦଳରେ ଫଳ, ସବୁଜ ପନିପରିବା, ଡାଲି, ପ୍ରୋଟିନ ଯୁକ୍ତ ଖାଦ୍ୟ ଓ ନଟ୍ସକୁ ଆହାର ଭାବେ ନିୟମିତ ଗ୍ରହଣ କରିବା ଆବଶ୍ୟକ। ତୈଳଯୁକ୍ତ ଖାଦ୍ୟ, ଅଧିକ ଲୁଣିଆ ଖାଦ୍ୟଠାରୁ ଦୂରେଇ ରହିବା ଦରକାର, ଯାହା କୋଲେଷ୍ଟ୍ରଲ ଓ ରକ୍ତଚାପ ବଢାଇବାରେ ସହାୟକ ହୋଇଥାଏ।

    ଖାଦ୍ୟ: ଖାଦ୍ୟ ବ୍ୟତୀତ ହୃଦ ସମ୍ବନ୍ଧୀୟ ରୋଗରୁ ନିୟମିତ  ବ୍ୟାୟାମ ସହାୟକ ହୋଇଥାଏ। ଏହାକୁ କୌଣସି ବି ବୟସ ବର୍ଗ ଅନୁପାଳନ କରିବା ଦରକାର। ପ୍ରତିଦିନ ଅନ୍ୟୁନ ୩୦ ମିନିଟ ପର୍ଯ୍ୟନ୍ତ ଯୋଗ ଓ ବ୍ୟାୟାମ କରିବା ଆବଶ୍ୟକ। ହାଲକା ହୃଦୟ ବ୍ୟାୟାମ ଓ ଷ୍ଟ୍ରେଚିଂ ଦ୍ବାରା ହୃଦୟକୁ ସୁସ୍ଥ ରଖାଯାଇ ପାରେ। ଏହା ବ୍ୟତୀତ ହୃଦ ରୋଗୀମାନଙ୍କ ମଧ୍ୟରେ ଗମ୍ଭୀର ସମସ୍ୟା କାରଣରୁ ହେଉଥିବା ମେଦବୃଦ୍ଧି, ମଧୁମେହ, ଉଚ୍ଚ ରକ୍ତଚାପ ପରି ସମସ୍ୟା କମ କରିଥାଏ ଯୋଗ ଓ ବ୍ୟାୟାମ।

    ଧୂମ୍ରପାନ/ନିଶା ଓ ଚାପ: ହୃଦଘାତ ସମସ୍ୟା ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି ଧୂମ୍ରପାନ। ସିଗାରେଟରୁ ବାହାରୁଥିବା ଧୂଆ ହୃଦୟର ମାଂଶପେଶୀକୁ କ୍ଷତି ପହଞ୍ଚାଇଥାଏ। ତେଣୁ ହୃଦଘାତଜନିତ ସମସ୍ୟାରୁ ଦୂରେଇ ରହିବାକୁ ହେଲେ ମଦ୍ୟପାନ, ଧୂମ୍ରପାନ ପରି ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ଦରକାର। ଏହା ବ୍ୟତୀତ ଚିନ୍ତା ମଧ୍ୟ ହୃଦୟ ରୋଗର ଏକ ବଡ କାରଣ। ତେଣୁ ଚିନ୍ତା, ମାନସିକ ଚାପଠାରୁ ଦୂରେଇ ରହିବାକୁ ହେବ। ଏହି କ୍ଷେତ୍ରରେ ମେଡିଟେସନ ସହାୟକ ହୋଇଥାଏ।

    ନିଦ୍ରା: ନିଦ ମଧ୍ୟ ହୃଦୟ ସମ୍ବନ୍ଧୀୟ ରୋଗର ଆଉ ଏକ କାରଣ। ନିଦ୍ରାଭାବ ହୃଦୟକୁ ଦୁର୍ବଳ କରିଥାଏ। ମସ୍ତିଷ୍କର ସର୍କାଡିୟନ୍ ରିମ୍ ନିୟନ୍ତ୍ରଣ ପାଇଁ ଭଲ ଓ ପର୍ଯ୍ୟାପ୍ତ ନିଦର ଆବଶ୍ୟକତା ରହିଛି।  ତେଣୁ ସୁସ୍ଥ ହୃଦୟ ପାଇଁ ପ୍ରତ୍ୟେହ ପର୍ଯ୍ୟାପ୍ତ ଶୋଇବା ଦରକାର। ଗବେଷଣାରୁ ମିଳିଛି, ଯେଉଁ ଲୋକଙ୍କୁ ରାତିରେ ଠିକ ନିଦ ନ ହୁଏ ସେମାନଙ୍କଠାରେ ଗୁରୁତର ହୃଦରୋଗ ହେବାର ଆଶଙ୍କା ଅଧିକ ରହିଛି। 
  • ସୁସ୍ଥ ହୃଦୟ, ଅସୁସ୍ଥ ହେଉଛି କାହିଁକି ?

    ହାର୍ଟ ଆଟାକ୍। ଏହି ଶବ୍ଦ ଆମେ ସମସ୍ତେ ଶୁଣିଛୁ। ଘର ପରିବାର ସାଙ୍ଗସାଥୀ ମହଲରେ ଏହାର ଶିକାର ହୋଇ ପ୍ରାଣହାନୀ ଘଟିବା ମଧ୍ୟ ଆମେ ଜାଣିଛୁ। କିଛି ବର୍ଷ ପୂର୍ବେ ଆମେ ଭାବୁଥିଲୁ ଏବଂ ଦେଖୁଥିଲୁ ଯେ ବୟସ୍କ ଲୋକ ଏହାର ଶିକାର ହେଉଛନ୍ତି। କିନ୍ତୁ ଆଜି ସେ କଥା ଆଉ ନାହିଁ। ଯୁବାବସ୍ଥାରେ କିମ୍ୱା ୪୦ ବର୍ଷର ଆରମ୍ଭ ସମୟରେ ମଧ୍ୟ ହାର୍ଟ ଆଟାକ୍ ହେଉଛି ଓ ପ୍ରିୟଜନଙ୍କ ଜୀବନ ଯାଉଛି। ଏବଂ ଶାରୀରିକ ଭାବେ ବାହାରୁ ଫିଟ୍ ଦେଖା ଯାଉଥିବା ଲୋକଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢିଛି। ନିକଟରେ ବିଗବସ୍ ଓ ଟିକଟକ୍ ଫେମ୍ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କର ହାର୍ଟ ଆଟାକରେ ମୃତ୍ୟୁ ହେଲା। ଯାହାଙ୍କ ବୟସ ୪୨ ବର୍ଷ ଥିଲା। ସେ ମଧ୍ୟ ନିଜକୁ ବେଶ ମେଣ୍ଟେନ୍ କରି ରଖିଥିଲେ। ତାଙ୍କୁ ଦେଖି କେହି କହିବ ନାହିଁ ଯେ ସେ କୌଣସି ଭାବେ ଅସୁସ୍ଥ ଥିଲେ ବୋଲି। ତଥାପି ତାଙ୍କର ମୃତ୍ୟୁ ହେଲା। ଅବଶ୍ୟ ହାଇ ପ୍ରୋଫାଇଲ ମୃତ୍ୟୁ କଥା ଆସିଲେ ସନ୍ଦେହ ଓ ଷଡ଼ଯନ୍ତ୍ର ଦିଗଟି ଯୋଡ଼ି ହୁଏ। ଯାହା ତାଙ୍କ କ୍ଷେତ୍ରରେ ମଧ୍ୟ ହୋଇଛି। ଅଧିକ ତଦନ୍ତ ହେଲେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ। ତେବେ ପୁରା ଦେଶ ଯାହାଙ୍କ ପାଇଁ ଏବେ ବ୍ୟସ୍ତ ସେ ହେଉଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ। ସମସ୍ତଙ୍କୁ ହସାଉଥିବା ଓ ନିଜେ ହସୁଥିବା ରାଜୁ ଯେ ଏତେ ବଡ଼ ଧରଣର ହାର୍ଟ ଆଟାକର ଶିକାର ହେବେ ତାକୁ କେହି ସ୍ୱୀକାର କରି ପାରୁନାହାଁନ୍ତି। ୫୮ ବର୍ଷୀୟ ରାଜୁ ଏବେ ବି ମୃତ୍ୟୁ ସହ ଏମ୍ସରେ ଯୁଦ୍ଧ ଜାରି ରଖିଛନ୍ତି। କେବେ ସୁସ୍ଥ ପୁଣି କେବେ ଆହୁରି ଅସୁସ୍ଥ ହେଲେଣି ବୋଲି ଖବର ଆସୁଛି। ଜିମ୍ ରେ ଏକ୍ସରସାଇଜ୍ କରିବା ବେଳେ ଆଟାକ୍ ହେଲା ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଲାଫିଙ୍ଗ କ୍ଲବ୍ କଥା ଅବସାଦ ଓ ଚାପମୁକ୍ତ ଜୀବନ ପାଇଁ ଆଜି ଦିନର ଆବଶ୍ୟକତା। କିନ୍ତୁ ରାଜୁଙ୍କ କଥା ଶୁଣିବା ପରେ ସେ ଦିଗଟି ବି ଉତ୍ସାହିତ କରୁନି।

    ପୂର୍ବ ବର୍ଷ ଘଟିଥିବା ଘଟଣାକୁ ତ ଆଜି ଯାଏଁ ଭୁଲି ପାରି ନାହାଁନ୍ତି ଫ୍ୟାନ୍। ସୁନ୍ଦର ଚେହେରା, ଫିଟ ଆଉ ଫାଇନ୍ ଦେଖା ଯାଉଥିବା ସିର୍ଦ୍ଧାର୍ଥ ଶୁକ୍ଲାଙ୍କର ଦେହାନ୍ତ ସମସ୍ତଙ୍କୁ ବ୍ୟଥିତ କରିଥିଲା। ମାତ୍ର ୪୦ ବର୍ଷ ବୟସରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା । ଅଷ୍ଟ୍ରେଲିଆ କ୍ରିକେଟର ସେନ୍ ୱାର୍ଣ୍ଣଙ୍କ ମୃତ୍ୟୁ ମଧ୍ୟ ସେହି ହାର୍ଟ ଆଟାକରେ। ଯେଉଁମାନେ ବର୍ଷ ବର୍ଷ ଧରି କସରତ କରି ପଡ଼ିଆରେ ଲଢୁଆ ଖେଳ ପ୍ରଦର୍ଶନ ପାଇଁ ଶରୀର ଓ ମନକୁ ପ୍ରସ୍ତୁତ ରଖନ୍ତି ସେ ମଧ୍ୟ ହଠାତ୍ ହୃଦଯନ୍ତ୍ରର ସମସ୍ୟାରେ ପ୍ରାଣ ହରାନ୍ତି। ଲୋକପ୍ରିୟ ପ୍ଲେ ବ୍ୟାକ୍ ସିଙ୍ଗର କେକେ ଙ୍କ ମୃତ୍ୟୁ ତ ସମସ୍ତଙ୍କୁ ଅବାକ୍ କରି ଦେଇଥିଲା । ଷ୍ଟେଜ୍ ପ୍ରୋଗ୍ରାମରୁ ସିଧା ହସପିଟାଲ ଆଉ ସେଠି ମୃତ୍ୟୁ । କନ୍ନଡ଼ ସୁପରଷ୍ଟାର ପୁନିତ ରାଜମୁମାର ତାଙ୍କର ମଧ୍ୟ ଜିମରେ ଆଟାକ୍ ଆସିଲା ଏବଂ ମାତ୍ର ୪୬ ବର୍ଷ ବୟସରେ ମୃତ୍ୟୁ ହେଲା । କମେଡି ସିରିୟଲ ଭାବିଜୀ ର ମଲଖାନ୍ ଚରିତ୍ରରେ ଅଭିନୟ କରୁଥିବା ୪୩ ବର୍ଷୀୟ ଦୀପେଶ ଭାନ୍ ଙ୍କର ମଧ୍ୟ ହାର୍ଟ ଆଟାକ୍ ରେ ଜୀବନ ଯାଇଛି। ତାଙ୍କୁ ଜାଣିଥିବା ବନ୍ଧୁ, ପରିଜନ ଓ କୋ ଆକ୍ଟର କୁହନ୍ତି ଏକ ସୁସ୍ଥ ଶୃଙ୍ଖଳିତ ଜୀବନ ଥିଲା ଦୀପେଶଙ୍କର। ସେ ମଧ୍ୟ ଜିମ୍ ରେ ଢେର ସମୟ ଦେଉଥିଲେ। ହସଖୁସିଆ ପିଲା ନା ନିଶା ସେବନ କରନ୍ତି ନା ଆମିଷ ଭୋଜନ କରନ୍ତି।

    ଆମେ ସେଲିବ୍ରିଟିଙ୍କ କଥା କହୁଛୁ କିନ୍ତୁ ବାସ୍ତବରେ ଆମ ଆଖପାଖରେ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଉଛି। ଯେଉଁଠି ଡାକ୍ତର କହୁଛନ୍ତି ହାର୍ଟ ଆଟାକ୍ ହେଲା ବା କାର୍ଡିଆକ୍ ଆରେଷ୍ଟ ହୋଇଗଲା। କିଛି ବର୍ଷ ପୂର୍ବରୁ ସାଧାରଣତଃ ହୃଦଜନିତ ରୋଗ ନିର୍ଦ୍ଧିଷ୍ଟ ବୟସ ପରେ ହେଉଥିଲା। କହିବାକୁ ଗଲେ ୬୦ ବର୍ଷ ପରର ଏହା ରୋଗ ଥିଲା। ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ଶିକାର ହୁଅନ୍ତି। ରେସିଓ ଏବେ ବି ସେଇଆ ହିଁ ରହିଛି। ଅବଶ୍ୟ ମହିଳାଙ୍କ ହାର୍ଟ ଆଟାକ୍ ଆଶଙ୍କା ମେନୋପଜ୍ ପରେ ବୃଦ୍ଧି ପାଇଥାଏ। ହରମୋନରେ ପରିବର୍ତ୍ତନ ତାର କାରଣ ବୋଲି ବିଶେଷଜ୍ଞ କୁହନ୍ତି। ତେବେ ଯୁବାବସ୍ଥାରେ ହାର୍ଟ ଆଟାକର କାରଣକୁ ଭିନ୍ନ ପ୍ରକାରେ ତର୍ଜମା କରାଯାଉଛି। ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ, ଧୁମ୍ରପାନ, ଜଙ୍କ ଫୁଡ୍, ଅବଶାଦ, କାମର ଚାପ, ଷ୍ଟେରଏଡ୍ ର ପାର୍ଶ୍ୱ ପ୍ରତିକ୍ରିୟା, ଉଚ୍ଚ ରକ୍ତ ଚାପ ଏବଂ ମେଦବହୁଳତା ସହ ଆମ ଜୀବନଶୈଳିକୁ ଦାୟୀ କରାଯାଉଛି। ଏସବୁ ଭିତରୁ କୌଣସି ଗୋଟିକର ପ୍ରଭାବ ହେଉ କିମ୍ୱା ପରିବାରରେ ହାର୍ଟ ଆଟାକ୍ ହୋଇଥିବାର ପୂର୍ବ ରେକର୍ଡ ଥିଲେ ମଧ୍ୟ ପର ପିଢି ମଧ୍ୟରେ ହାର୍ଟ ଆଟାକର ସମ୍ଭାବନା ବଢୁଛି ।

    ହାର୍ଟ ଆଟାକରେ ପ୍ରାୟ ସବୁ ବୟସର ଲୋକଙ୍କ ଭିତରେ ସମାନ ପ୍ରକାର ଲକ୍ଷଣ ଦେଖାଯାଏ। କିନ୍ତୁ ଯୁବାବସ୍ଥାରେ କିଛି ଲକ୍ଷଣକୁ ଅଣଦେଖା କରାଯାଏ ଯାହାର ପରିଣାମ ଆଜି ଦିନରେ ଭୟଙ୍କର ହୋଇପାରେ। ହୃଦ ଯନ୍ତ୍ରଣା ହେବା, ଛାତି ଓଜନିଆ ଲାଗିବା, ବାମ ପାର୍ଶ୍ୱ ହାତରେ ଯନ୍ତ୍ରଣା ଅନୁଭବ ହେବା, ଗରମ ନଲାଗୁ ଥିଲେ ମଧ୍ୟ ଅସ୍ୱାଭାବିକ ଭାବେ ଝାଳ ବୋହିବା, ଥକିଯିବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବା, ପେଟରେ ଯନ୍ତ୍ରଣା ହେବା, ଗ୍ୟାସ ହେଲା ଭଳି ଲାଗିବା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖା ଯାଇପାରେ। ଅବଶ୍ୟ ସମସ୍ତଙ୍କର ଏକା ଭଳି ଲକ୍ଷଣ ଦେଖା ନଯାଇପାରେ। ଅନେକ ସମୟରେ ଯାହାକୁ ଆମେ ସାଧାରଣତଃ ଗ୍ୟାସଟ୍ରିକ୍ ବୋଲି ଭାବୁ ତାହା ମାରାତ୍ମକ ହୃଦ ସମ୍ୱନ୍ଧୀୟ ହୋଇଥାଇପାରେ। ସାମାନ୍ୟ ଅବହେଳା ମୃତ୍ୟୁର କାରଣ ହୋଇପାରେ। ଅବଶ୍ୟ କିଛି ନିର୍ଦ୍ଧିଷ୍ଟ ମେଡିସିନ୍ ଜରୁରୀ ପରିସ୍ଥିତି ପାଇଁ ଘରେ ରଖାଯାଇ ପାରିବ। ଡାକ୍ତରଙ୍କ ପରାମର୍ଶରେ ଆପଣ ଘରେ ଫାଷ୍ଟଏଡ୍ ବକ୍ସରେ ତାକୁ ରଖିପାରିବେ। ଯାହା ଶତପ୍ରତିଶତ ହାର୍ଟ ଆଟାକ ରୁ ମୁକ୍ତି ଦେଇ ପାରିବନି କିନ୍ତୁ ମୃତ୍ୟୁ ଆଶଙ୍କାକୁ ଟାଳିବାରେ ଅନେକାଂଶରେ ସକ୍ଷମ ହୋଇପାରିବ ।

    ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ କୁହେ, ୨୦୧୫ ପରଠାରୁ ହାର୍ଟ ଆଟାକରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି। ଯଦି ୨୦୧୫ରୁ ୨୦୨୦ ଯାଏଁ ବାର୍ଷିକ ହୃଦରୋଗ ଜନିତ ମୃତ୍ୟୁ କଥା କୁହାଯାଏ ତେବେ ଗ୍ରାଫ୍ ଉପରମୁହାଁ ରହିଛି। ୨୦୧୫ରେ ୧୯ ହଜାର ୩୮ମୃତ୍ୟୁ, ୨୦୧୬ରେ ୨୧ହଜାର ୯୦୮ ମୃତ୍ୟୁ, ୨୦୧୭ରେ ୨୩ ହଜାର୨୪୬ ମୃତ୍ୟୁ, ୨୦୧୮ରେ ୨୫ହଜାର ୭୬୪ଜଣ ,୨୦୧୯ରେ ୨୮ହଜାର ୫ଜଣ, ୨୦୨୦ରେ ୨୮୫୭୯ ଜଣଙ୍କ ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା ସରକାରୀ

    ତଥ୍ୟ କହୁଛି। ବେସରକାରୀ ଭାବେ ଏ ସଂଖ୍ୟା ଢେର ଅଧିକ। ଏବଂ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାରେ ଏଭଳି ହାର୍ଟ ଆଟାକ୍ ର ସଂଖ୍ୟା ବଢୁଥିବା ମଧ୍ୟ ବିଭିନ୍ନ ରିପୋର୍ଟରୁ ଜଣା ପଡ଼ୁଛି ।

    ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ବିଶ୍ୱ ଅନ୍ୟ ରୋଗ ଅପେକ୍ଷା ସର୍ବାଧିକ ମୃତ୍ୟୁ କାର୍ଡିଓଭାସ୍କୁଲାର ଡିଜିଜ୍ ରେ ହିଁ ହେଉଛି। ତାର ହୃଦଜନିତ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ଗୋରୀଙ୍କ ମୃତ୍ୟୁ ଆଶଙ୍କା ବଢୁଛି। ୨୦୧୯ରେ ଯେଉଁଠି ୧୭.୯ ମିଲିୟନ୍ ଲୋକଙ୍କ ମୃତ୍ୟୁ ଏହି କାରଣରୁ ହୋଇଥିଲା। ଯାହା ବିଶ୍ୱ ରୋଗୀ ମୃତ୍ୟୁ ଅନୁପାତର ୩୨% ବୋଲି ଆକଳନ କରିଛି ଡବ୍ଲୁଏଚଓ। ସେ ମଧ୍ୟରୁ ୮୫% କେବଳ ହାର୍ଟ ଆଟାକରେ ହୋଇଛି। ଯାହାର କାରଣକୁ ତର୍ଜମା କରି ‘ହୁ’ପକ୍ଷରୁ କୁହାଯାଇଛି ତମ୍ୱାଖୁ ସେବନ, ଅତ୍ୟଧିକ ମଦ ପିଇବା, ଶାରୀରିକ ଶ୍ରମର ଅଭାବ, ମେଦବହୁଳତା ଏବଂ ଅସନ୍ତୁଳିତ ଜୀବନଚର୍ଯ୍ୟା ଏହାର ପ୍ରମୁଖ କାରଣ ହୋଇଛି। ତା ସହ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ମଧ୍ୟ ହାର୍ଟ ଆଟାକ୍ ସମସ୍ୟା ବଢାଉଛି ।

    ଏପରିକି ବିଗତ ଦିନର ଘଟଣାବଳୀକୁ ଅନୁଶୀଳନ କରି ବିଶେଷଜ୍ଞ କହିଲେଣି ସୁସ୍ଥ ରହିବା ପାଇଁ କର୍ମଚଞ୍ଚଳ ରହିବା ଦରକାର ନିୟମିତ କସରତ ଦେହ ପାଇଁ ଆବଶ୍ୟକ। କିନ୍ତୁ କସରତ ମଧ୍ୟ ଗୋଟେ ସୀମା ଭିତରେ ହେବା ଉଚିତ କୌଣସି କଥାର ଅତିରିକ୍ତତା ସମସ୍ୟା କରିପାରେ। ନିୟମିତ ଜିମ୍ କରିବା ଓ କିଛି ଦିନ ବ୍ୟବଧାନରେ ହଠାତ୍ ଅଧିକ ଆକ୍ଟିଭିଟିସ୍ ସମସ୍ୟା କରୁଛି ବୋଲି ଡାକ୍ତର କହୁଛନ୍ତି। ଏପରିକି ସଠିକ୍ ପ୍ରଶୀକ୍ଷକଙ୍କ ପରାମର୍ଶ ବିନା ନିଜ ଶରୀରର ଆବଶ୍ୟକତାକୁ ନଜାଣି କସରତ କରିବା ଅଧିକ ଘାତକ ହୋଇପାରେ। ‘ଫିଟନେସ୍ ଫ୍ରିକ୍ ’ସେଲିବ୍ରିଟିଙ୍କ ମୃତ୍ୟୁରୁ, ଏଭଳି ନିଷ୍କର୍ସ ଆସୁଛି। ଏବଂ ଜୀବନକୁ ଚାପମୁକ୍ତ ରଖିବାର ପ୍ରୟାସ ନିତ୍ୟାନ୍ତ ଆବଶ୍ୟକ। ସଫଳତା ଓ ବିଫଳତା ଉଭୟ ଜୀବନର ଅଂଶ ତେଣୁ ତାକୁ ନେଇ ଅତ୍ୟଧିକ ପ୍ରଭାବିତ ହେବା ଉଚିତ ନୁହେଁ। ଜୀବନକୁ ସୁସ୍ଥ ଓ ନୀରାମୟ ରଖିବା ପାଇଁ ନିଜ ଶରୀର ସହ ମନର ଉପଯୁକ୍ତ ଯତ୍ନ ନିଅନ୍ତୁ। କିଛି ସମସ୍ୟା ଥିଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

    ସୁପ୍ରିୟା ଦାଶଙ୍କ ରିପୋର୍ଟ

Back to top button