IFA

  • ଟୁର୍ଣ୍ଣାମେଣ୍ଟ ଆମ ପାଇଁ ବଡ଼। ଇଲେକ୍ସନ ନୁହେଁ…

    ନିର୍ବାଚନ ତାରିଖ ଘୁଞ୍ଚାଇଲେ ଅଦାଲତ। ୨୮ରେ ନିର୍ବାଚନ ହେବା ଖୁବ୍‌ ଜଲଦି ହୋଇଯାଉଛି ବୋଲି କେନ୍ଦ୍ର କଥାରେ ରାଜି ହୋଇଛନ୍ତି। ଏଭଳି ଶବ୍ଦରେ ସରକାରଙ୍କୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ଉପରେ ଅଧିକ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେପଟେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନରୁ ଭାରତ ବଞ୍ଚିତ ହେଲେ ଭବିଷ୍ୟତରେ ଭାରତୀୟ ଟିମ୍ ବିଶ୍ୱକପ୍ ଖେଳିବାରୁ ବି ବଞ୍ଚିତ ହେବ ବୋଲି ଆଶଙ୍କା କରିଛନ୍ତି ସିଲିସିଟର ଜେନେରାଲ। ଅଗଷ୍ଟ ୨୮ରେ ସର୍ବଭାରତୀୟ ଫୁଟବଲ ମହାସଂଘର ନିର୍ବାଚନ। ଏତେ କମ୍ ସମୟ ଭିତରେ ଏହା ସମ୍ଭବ କି। ଏଆଇଏଫଏଫର ବିଦାୟୀ ସଭାପତି ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକାଳ ସରିଥିଲେ ବି ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ସେ ଓ ତାଙ୍କର ୭ ଜଣ ଲୋକ ହସ୍ତକ୍ଷେପ କରୁଛନ୍ତି।

    ବିସିସିଆଇରେ ବି ଏମିତି ହେଉଥିଲା। କୋର୍ଟ ହସ୍ତକ୍ଷେପ ପରେ ଏଭଳି ସ୍ଥିତି ଦୂର ହୋଇଥିଲା। ଆଇନଜୀବି ରାହୁଲ ମେହେରା କୋର୍ଟକୁ ଏ କଥା ଅବଗତ କରିଥିଲା ବେଳେ ବାଇଚୁଙ୍ଗ ଭୂତିଆଙ୍କ ଓକିଲ ବସନ୍ତ କହିଥିଲେ କି, କେଉଁ ରାଜ୍ୟରେ ୨୮ ବର୍ଷ ହେଲା ସଭାପତି ଅଛନ୍ତି ତ କେଉଁଠି ୧୭ ବର୍ଷ ହେଲା ସଭାପତି ବଦଳିନାହାନ୍ତି। ଏଭଳି ନ୍ୟସ୍ତସ୍ୱାର୍ଥ କମିଟିକୁ ଭାଙ୍ଗିବା ଦରକାର। ଫିଫା କିନ୍ତୁ ମୁଣ୍ଡରେ ବନ୍ଧୁକ ରଖି ଏହାକୁ ଗ୍ରହଣ କରିବାକୁ ବାଧ୍ୟ କରୁଛି। ଭାରତୀୟ ଫୁଟବଲ ଟିମର ପୂର୍ବତନ କ୍ୟାପଟେନ୍ ବାଇଚୁଙ୍ଗ କହିଛନ୍ତି କି, ସେ ୨୦୧୧ରେ ଅବସର ନେଇଥିଲେ। ୨୦୨୨ରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଏଥିଲାଗି ଯେ, ୩୬ ଖ୍ୟାତିସମ୍ପନ୍ନ ଖେଳାଳୀ ଏବେ ସାଧାରଣ ପରିଷଦରେ ଅଛନ୍ତି। ସେଥିଲାଗି ନିର୍ବାଚନ ଲଢ଼ିବାକୁ ତାଙ୍କର ସମ୍ପୂର୍ଣ୍ଣ ଆସ୍ଥା ରହିଛି। ପ୍ରଶାସନିକ କମିଟି ତିଆରି କରିଥିବା ଡ୍ରାଫ୍ଟ ସମ୍ୱିଧାନକୁ ଗ୍ରହଣ କରାଯାଉ। ତେବେ ବରିଷ୍ଠ ଆଇନଜୀବି ଗୋପାଳ ଶଙ୍କରନାରାୟଣ ଯିଏ କି ପ୍ରଶାସନିକ କମିଟି ପକ୍ଷରୁ ଲଢ଼ୁଛନ୍ତି ସେ ସୁପ୍ରିମକୋର୍ଟକୁ କହିଛନ୍ତି କି, ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ପିଫାର ପ୍ରଛଦପଟ୍ଟରେ ଅନେକ ରହିଛନ୍ତି। ଆଉ କହୁଛନ୍ତି କି, ଫିଫାର ବିନା ଅନୁମତିରେ ସବୁ ହେଉଛି। ଫିଫା ଗଲା ଦୁଇ ବର୍ଷ ହେଲା ହସ୍ତକ୍ଷେପ କରୁନଥିଲା।

    ଯେତେବେଳେ କି ସର୍ବଭାରତୀୟ ଫୁଟବଲ ଫେଡେରେସନର ସମ୍ୱିଧାନ ହୋଇନଥିଲା। ଯଦି ପ୍ରଶାସନିକ କମିଟିକୁ ରଦ୍ଦ କରିଦିଆଯାଏ, ତେବେ ଆଜିଠାରୁ ବିଶ୍ୱକପ୍ ହେଲା ଯାଏ କିଏ ପ୍ରଶାସନ କାମକୁ ସମ୍ଭାଳିବ ବୋଲି ପଚାରିଥିଲେ ଖଣ୍ଡପୀଠ। ଆଉ ଉତ୍ତରରେ ସଲିସିଟର ଜେନେରାଲ କହିଥିଲେ କି, ସେକ୍ରେଟାରୀ ଜେନେରାଲ ଦାୟିତ୍ୱ ନିର୍ବାହ କରିବେ। ସେପଟେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନରୁ ଭାରତ ବଞ୍ଚିତ ହେଲେ ଭବିଷ୍ୟତରେ ଭାରତୀୟ ଟିମ୍ ବିଶ୍ୱକପ୍ ଖେଳିବାରୁ ବି ବଞ୍ଚିତ ହେବ ବୋଲି ଆଶଙ୍କା କରିଛନ୍ତି ସିଲିସିଟର ଜେନେରାଲ। କେବଳ ଏତିକି ନୁହେଁ, ମ୍ୟାଚ୍ ଆୟୋଜନରୁ କେବଳ ଭାରତ ବଞ୍ଚିତ ହେବନି। କୌଣସି ଟିମ୍ ଏପରିକି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ବି ଖେଳିବାକୁ ସୁଯୋଗ ପାଇବନି। ସର୍ବୋଚ୍ଚ ଅଦାଲତ ସରକାରଙ୍କୁ କହିଥିଲେ କି, କିଭଳି ଅଧିକା ଟୁର୍ଣ୍ଣାମେଣ୍ଟ ଆସିବ ଓ ଭାରତରେ ହିଁ ହେବ, ଏହାକୁ ଅଗ୍ରାଧିକାର ଦିଅ। ପ୍ରଫୁଲ୍ଲ ପଟେଲଙ୍କ ଓକିଲ କପିଲ ଶିବଲ କୋର୍ଟକୁ କହିଛନ୍ତି କି, ଫୁଟବଲର ବିକାଶ ଆମେ ଚାହୁଁ। ସଂଗଠନରେ କୌଣସି ପଦବୀ ଚାହୁଁନି।

    ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ ଅଧିକାର ଭାରତକୁ ମୁଁ ଆଣିବି। ଯଦି କୌଣସି ଅଦାଲତ ଅବମାନନା କରିଥାଏ, ତେବେ ମୋ ବିରୁଦ୍ଧରେ ଅପରାଧିକ ମାମଲା କରାଯାଉ। ଏହାକୁ ଶୁଣି ଖଣ୍ଡପୀଠ ପଚାରିଛନ୍ତି କି, ତା ହେଲେ କଅଣ ଆପଣ ଫିଫାରୁ ଓହରିଯିବାକୁ ଚାହୁଁଛନ୍ତି। କିନ୍ତୁ ପଟେଲ କହିଥିଲେ କି, ସେ ଫିଫା କାଉନସିଲ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସବୁ ପକ୍ଷର ଶୁଣିବା ପରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି କି, ନିର୍ବାଚନ ସପ୍ତାହେ ଯାଏ ଘୁଞ୍ଚିବ। ଅଗଷ୍ଟ ୨୮ରେ ଥିଲା ନିର୍ବାଚନ। ଯାହା ଫଳରେ ନୂଆ ନାମାଙ୍କନ ଭରିବାକୁ ଅନେକ ସୁଯୋଗ ପାଇବେ। ଫିଫା ପକ୍ଷରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବେ। ଯେବେଠୁ ସେକ୍ରେଟାରୀ ଜେନେରାଲ ଦାୟିତ୍ୱ ନେବେ, ସେବେଠୁ ପ୍ରଶାସନିକ କମିଟି ଅକାମୀ ହୋଇଯିବ। ଫିଫାରୁ କିଭଳି ନିଲମ୍ୱନ ପ୍ରତ୍ୟାହାର ହେବ ଓ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଆୟୋଜନ ଅଧିକାର ପାଇ ଭାରତ ନିଜର ସମ୍ମାନ ରକ୍ଷା କରିପାରିବ, ସେ ଦିଗରେ କେନ୍ଦ୍ର ସରକାର ସୁନିଶ୍ଟିତ କରନ୍ତୁ ବୋଲି ନିର୍ଦେଶ ଦେଇଛନ୍ତି ଅଦାଲତ।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
Back to top button