INDIA

  • ଭାରତୀୟ ବାୟୁସେନାର ସଫଳ ଯୁଦ୍ଧାଭ୍ୟାସ

    ଭାରତ ଓ ମାଲେସିଆ ମଧ୍ୟରେ ଚାରି ଦିନିଆ ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ବାୟୁସେନା ଓ ରୋୟାଲ ମାଲେସିଆ ବାୟୁସେନା ମଧ୍ୟରେ ଯୁଦ୍ଧାଭ୍ୟାସ “ଉଦାରଶକ୍ତି” ସଫଳ ଭାବରେ ଅନୁଷ୍ଠିତ ହୋଇଛି l ରୟାଲ ମାଲେସିଆ ବାୟୁସେନା ଦ୍ୱାରା ଆୟୋଜିତ ପାରମ୍ପାରିକ ସମାରୋହଦ୍ୱାରା ଏହା ଶେଷ ହୋଇଛି | ଯୁଦ୍ଧାଭ୍ୟାସ ଦ୍ୱାରା ଉଭୟ ବାୟୁସେନାର କୌଶଳ ର ଆଦାନ ପ୍ରଦାନ ହେବା ସହ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ଅଧିକ ନିବିଡ ହୋଇଛି l

  • ଭାରତୀୟ ଫୁଟବଲକୁ ବଡ ଝଟ୍‌କା

    ଭାରତୀୟ ଫୁଟବଲକୁ ଲାଗିଛି ବଡ ଝଟ୍‌କା । ବିଶ୍ୱ ଫୁଟବଲର ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ କୁ ତତ୍କାଳ ପ୍ରଭାବ ଅନୁଯାୟୀ ନିଲମ୍ବିତ କରିଛି। ତେବେ ଫିଫା ନିୟମର ଘୋର ଉଲ୍ଲଙ୍ଘନ କାରଣରୁ ନିଷ୍ପତ୍ତି ନିଆଯାଇଛି । ଗଣତାନ୍ତ୍ରିକ ପଦ୍ଧତିରେ ଏଆଇଏଫଏଫର ବିଭିନ୍ନ ପଦ ଲାଗି ନିର୍ବାଚନ ନହେବା ଯାଏଁ ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଏଥିସହ ଭାରତରେ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏଆଇଏଫଏଫର ସଭାପତି ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଛନ୍ତି। ପ୍ରଫୁଲ୍ଲଙ୍କ ବିରୋଧରେ ଏଆଇଏଫଏଫ ପ୍ରଶାସନିକ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଥିଲା।

    ସୁପ୍ରିମକୋର୍ଟ ପ୍ରଫୁଲ୍ଲଙ୍କ ହସ୍ତକ୍ଷେପକୁ ଅବୈଧ ଘୋଷଣା କରିଥିଲେ। ଏହା ପରେ ମଧ୍ୟ ପଟେଲ ଏଆଇଏଫଏଫ ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲେ। ଏହା ଜଣାପଡିବା ପରେ ଫିଫା ଏଭଳି ନିଷ୍ପତ୍ତି ନେଇଛି। ଏଆଇଏଫଏଫ କାର୍ଯ୍ୟନିର୍ବାହୀ କମିଟି ଏବଂ ଏଆଇଏଫଏଫ ପ୍ରଶାସନର କ୍ଷମତା ଗ୍ରହଣ କରିବାକୁ ପ୍ରଶାସକଙ୍କ ଏକ କମିଟି ଗଠନ ଆଦେଶ ପରେ ଏହି ନିଲମ୍ବନ ହଟାଯିବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଦେଶର କ୍ରୀଡ଼ା ନୀତି ଅନୁଯାୟୀ, କେହି ବି ୩ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ରହିପାରିବେ ନାହିଁ। କିନ୍ତୁ ପ୍ରଫୁଲ୍ଲ ପଟେଲ ୧୩ ବର୍ଷ ଧରି ଏଆଇଏଫଏଫର ଅଧ୍ୟକ୍ଷ ରହିଥିଲେ।

  • ଅମ୍ୱାନୀଙ୍କ ପରିବାରକୁ ଧମକ

    ପୁଣି ମୁକେଶ ଅମ୍ୱାନୀଙ୍କ ପରିବାରକୁ ଧମକ। ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଚେୟାରମ୍ୟାନ ମୁକେଶ ଅମ୍ୱାନୀ ଏବଂ ତାଙ୍କ ପରିବାରକୁ ୩ ଘଣ୍ଟାରେ ଶେଷ କରିଦେବୁ ବୋଲି ଧମକ ଦିଆଯାଇଛି। ରିଲାଏନ୍ସ ଫାଉଣ୍ଡସେନର ଡାକ୍ତରଖାନାକୁ ଏହି ଫୋନ କଲ ଆସିଥିବା ସୂଚନା ମିଳିଛି। ଥରେ କି ଦୁଇ ଥର ନୁହେଁ ୩ ଥର କଲ ଆସିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଡିବି ମାର୍ଗ ପୋଲିସ ଯାଞ୍ଚ ଆରମ୍ଭ କରିଛି। ଏହାସହ ହସପିଟାଲରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ମଧ୍ୟ ଗତବର୍ଷ ଫେବ୍ରୁଆରୀରେ ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ଘର ବାହାରେ ଏକ ସନ୍ଦେହଜନକ କାର ମିଳିଥିଲା। ସେହି କାରରୁ ୨୦ଟି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ୨୦୧୩ ମସିହାରେ ମୁକେଶ ହିଜବୁଲ ମୁଜାହିଦ୍ଦିନଙ୍କଠାରୁ ଧମକ ପାଇଥିଲେ। ଏହାପରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ୭୬ତମ ସ୍ୱାଧୀନତା ଦିବସ: ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ

    ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ସାରା ବିଶ୍ୱରୁ ଭାରତକୁ ଛୁଟିଛି ଶୁଭେଚ୍ଛାର ସୁଅ। ବିଭିନ୍ନ ଦେଶର ଅଗ୍ରଣୀ ନେତା ଭାରତକୁ ତାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଉଛନ୍ତି ଶୁଭ କାମନା। ଏହି ନେତାମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମୌକ୍ରୋ ଓ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ, ନେପାଳ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା।

    ଭାରତକୁ ୭୬ ତମ ସ୍ୱତନ୍ତ୍ରତା ଦିବସ ପାଳନ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମୈକ୍ରୌ ଶୁଭେଚ୍ଛା ଜଣାଇବା ସହ ଭାରତ ସହ ଦ୍ୱିପାକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବାକୁ କହିଛନ୍ତି। ସେତାଙ୍କ ଟ୍ୱିଟରେ ବିଗତ ୭୫ ବର୍ଷ ମଧ୍ୟରେ ଭାରତର ଆଶ୍ଚର୍ଯ୍ୟଜନକ ଉପଲବ୍ଧିର ପ୍ରଶଂସା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି କି, ପ୍ରିୟ ନରେନ୍ଦ୍ର ମୋଦ. ପ୍ରିୟ ଭାରତବାସୀ, ଆପଣମାନଙ୍କୁ ସ୍ୱାଧୀନତା ଦିବସରେ ଶୁଭେଚ୍ଛା। ଆପଣମାନେ ଫ୍ରାନ୍ସ ଉପରେ ଭରସା କରି ପାରନ୍ତି କି, ସେ ସର୍ବଦା ଆପଣଙ୍କ ସାଥିରେ ରହିବ।

    ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତକୁ ଶୁଭେଚ୍ଛା ଦେଇଛନ୍ତି। ବାଇଡେନ କହିଛନ୍ତି, ଭାରତୀୟ ଆମେରିକୀୟ ସମୁଦାୟ ଆମେରିକାକୁ ଏକ ଅଧିକ ସମାବେଶୀ ଓ ମଜବୁତ ରାଷ୍ଟ୍ର ରୂପେ ଠିଆ କରିଛି ଓ ଆଗାମୀ ବର୍ଷରେ ବୈଶ୍ୱିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ମିଳିତଭାବେ କାମ କରିବେ। ସେହିପରି ଆମେରିକାର ବିଦେଶ ମନ୍ତ୍ର ଏଣ୍ଟନି ବ୍ଲିଙ୍କେନ ମଧ୍ୟ ଭାରତବାସୀଙ୍କୁ ସ୍ୱତନ୍ତ୍ରତା ଦିବସର ଶୁଭ କାମନା ଜଣାଇଛନ୍ତି।

    ଅନ୍ୟପଟେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ସୋମବାର ଦିତ ସ୍ୱାଧୀନତାର ୭୬ ବର୍ଷ ପୂରଣ ଅବସରରେ ଭାରତୀୟ ନେତୃତ୍ୱ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟରେ ଭାରତର ବିକାଶ ଯାତ୍ରାର ବି ଉଲ୍ଲେଖ କରିଛନ୍ତି କି, ଭାରତ ଆର୍ଥିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ଜ୍ଞାନ ଓ ଅନ୍ୟ କ୍ଷେତ୍ରରେ ସାର୍ବଭୌମିକ ରୂପରେ ସଫଳତା ହାସଲ କରିଛି।

    ନେପାଳର ପ୍ରଧାନମନ୍ତ୍ରୀ ସେର ବାହଦୂର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶର ସମସ୍ତ ନାଗରିକଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି।

  • ୭୫ ବର୍ଷ…କମ୍ ନୁହେଁ ଏ ସମୟ

    ଭାରତ ସ୍ୱାଧୀନତାର ୭୫ ବର୍ଷ ପୁରଣ କରିସାରିଛି। ମହା ଆଡମ୍ବର ସହ ୭୬ତମ ବର୍ଷରେ ପାଦ ଥାପିଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତ । ଏହି ଅବସରରେ ୭୫ ସପ୍ତାହର ଅମୃତ ମହୋତ୍ସବ ସହ “ହର ଘର ତ୍ରିରଙ୍ଗା” ଭଳି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ୭୫ ବର୍ଷ ପୂର୍ତ୍ତି ଅଧିକ ଉତ୍ସାହପ୍ରଦ କରିବା ପାଇଁ ନିକଟରେ ଫ୍ଲାଗ୍ କୋଡ୍ ରେ ପରିବର୍ତ୍ତନ କରାଯାଇଥିଲା । ଯେଉଁଥିପାଇଁ ଆଜି ସମସ୍ତେ ଘରେ ଘରେ ରାଷ୍ଟ୍ରୀୟ ଧ୍ବଜ ଉଡାଇଛନ୍ତି । ଅବଶ୍ୟ ଖଦି ଭଳି ବିଚାର ଜାତୀୟ ପତାକା ତିଆରି ପାଇଁ ଆଉ ଅର୍ନୀବାର୍ଯ୍ୟ ନୁହେଁ ନିୟମଟି ଅନେକଙ୍କୁ ଦୁଃଖ ଦେଇଛି । ଧ୍ବଜ ପ୍ରତି ସମ୍ମାନ ଓ ଅସମ୍ମାନ ଉଭୟ ପ୍ରକାରର ଦୃଶ୍ୟ ଦେଶର କୋଣ ଅନୁକୋଣରୁ ମିଳିଛି । ଏଭଳି ଏକ ସମୟ ଆଜି ଉପନିତ ହୋଇଛି ଯେଉଁଠି ରାଷ୍ଟ୍ରପ୍ରେମରେ ଉଦବୁଦ୍ଧ ହୋଇଛି ପ୍ରତିଟି ଭାରତୀୟଙ୍କ ପ୍ରାଣ । ଏଭଳି ସମୟରେ ୭୫ ବର୍ଷର ସଫଳତା ଓ ବିଫଳତାର ତର୍ଜମା ସହ ଆଗାମୀ ୨୫ ବର୍ଷ ଅର୍ଥାତ ସ୍ୱାଧୀନତାର ଶହେତମ ବର୍ଷ ୨୦୪୭ ବେଳକୁ ଭାରତକୁ କେଉଁ ଭଳି ଦେଖିବାକୁ ଆମେ ଭାରତୀୟ ଚାହୁଁ ସେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।

    ରାଷ୍ଟ୍ରପର୍ବର ଏ ସମୟରେ ସ୍ଵତଃପ୍ରବୃତ୍ତ ଭାବେ ସ୍ୱତନ୍ତ୍ରତା ସଂଗ୍ରାମର ବଳିଦାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ନିଷ୍ଠା ଓ ଦେଶପ୍ରେମର ଜୟଜୟକାର ହୋଇଛି । ଇତିହାସର ପୁନଃଅବଲୋକନ ସମୟରେ ଆମେ ଅନେକ କଥା ଶିକ୍ଷା ପାଇଛୁ । କେଉଁ ପଦକ୍ଷେପ ଭୁଲ ଥିଲା ଓ କେଉଁଟି ଠିକ୍ ତାର ସମୀକ୍ଷା ହୋଇଛି । ପରାଧୀନ ଭାରତକୁ ସ୍ୱାଧୀନ କରିବା ପାଇଁ କିଭଳି ଲକ୍ଷ ଲକ୍ଷ ଭାରତୀୟ ତ୍ୟାଗ ଓ ତପସ୍ୟା କରିଥିଲେ ସେ କାହାଣୀ ପୁଣି ଜୀବନ୍ତ ହୋଇଛି । ରାଜା ଶାସନ, ଫିରିଙ୍ଗି ଶାସନ ରୁ ଆମେ ସ୍ୱାଧୀନ ଦେଶର ମୁକ୍ତ ନାଗରିକ ହେବାର ଲମ୍ବା ଯାତ୍ରାର ଜଟିଳତା ନଦେଖିବା ଲୋକ ମଧ୍ୟ ଆଜି ଅନୁଭବ କରିପାରୁଛନ୍ତି । ଆଜି ବିଭାଜନର କଷ୍ଟ ମନେପଡ଼ୁଛି କିନ୍ତୁ ୧୯୪୭ ଅଗଷ୍ଟ ୧୪ ଗୁରୁବାର ମଧ୍ୟରାତ୍ରିର ସମ୍ବିଧାନ ପ୍ରଣୟନ ସଭାରୁ ଭାଷି ଉଠୁଥିବା ବିଜୟ ଶଙ୍ଖନାଦ ଆମ କଷ୍ଟ ଲାଘବ କରି ଆମକୁ ଗୌରବାନ୍ବିତ କରଛି । ପଣ୍ଡିତ ନେହେରୁଙ୍କ ସେ ଭାଷଣର ପ୍ରତ୍ୟେକଟି ଶବ୍ଦ ଆମକୁ ଆଜି ମଧ୍ୟ ରୋମାଞ୍ଚିତ କରୁଛି । ‘ଯେତେବେଳେ ସାରା ପୃଥିବୀ ଶୋଇଛି, ଭାରତ ସେତେବେଳେ ସ୍ୱାଧୀନ ହୋଇ ଜୀବନ୍ତ ହୋଇ ଉଠିଛି । ସେ ସମୟ କ୍ବଚିତ ଆସେ ଯେତେବେଳେ ପୁରୁଣାରୁ ନୂଆକୁ ପାଦ ବଢାଇବାର ସୁଯୋଗ ମିଳେ । ବର୍ଷ ବର୍ଷ ଧରି ଶୋଷିତ ହୋଇ ପଡ଼ିଥିବା ଜାତିର ଆତ୍ମା କଥା କୁହେ’ । ବାସ୍ତବରେ ଅକ୍ଲାନ୍ତ ଶ୍ରମ ,ନିରବଚ୍ଛିନ୍ନ ସଂଗ୍ରାମ ଓ ମାଟି ମା’ ପ୍ରତି ତ୍ୟାଗ ଓ ତିତିକ୍ଷା ପରେ ତାହା ଥିଲା ମୁକ୍ତ ହୃଦୟରୁ ଉଦଭାସିତ ଆନନ୍ଦର ବାର୍ତ୍ତା ।

    ବିଗତ ୭୫ ବର୍ଷର ଯାତ୍ରା ପରେ ଆମ ଭିତରକୁ ଅନେକ ଲୋକ ମୁକ୍ତିର ଆନନ୍ଦ ଅନୁଭବ କରି ପାରୁନାହାଁନ୍ତି । ଲକ୍ଷ୍ୟପୁରଣ କରିଛୁ ବୋଲି ଆମେ ଦମ୍ଭରେ କହିପାରୁନୁ । “ହର ଘର ତ୍ରିରଙ୍ଗା” କଥା କହିବା ବେଳେ କେଉଁ ଘର ଅଛି ଯେଉଁଠି ମୁଁ ପତାକା ଉଡାଇବି ସେ ପ୍ରଶ୍ନ ଉଠୁଛି । ତେଣୁ ରାଷ୍ଟ୍ରଭକ୍ତି ମୋ’ ହୃଦୟରେ ଥାଉ ବୋଲି ଅନେକ କହିଛନ୍ତି । ଅବଶ୍ୟ ସ୍ୱାଧୀନ ଭାରତରୁ ଆଜି ଦିନର ଭାରତ ଆଡକୁ ଗତି କରିବା ମଧ୍ୟରେ ଦେଶ ବହୁ ଦୃଷ୍ଟିରୁ ପରିପକ୍ବ ହୋଇଛି । ୭୫ ବର୍ଷ ଧରି ଦେଶରେ ଲୋକତନ୍ତ୍ର ବଜାୟ ରହିବା ସବୁଠାରୁ ବଡ ଉପଲବ୍ଧି । ଅନେକ ପ୍ରଗତିଶୀଳ ଚିନ୍ତାଧାରା ଏ ମାଟିର ସୃଷ୍ଟି। ପୁରା ବିଶ୍ୱକୁ ଦିଗଦର୍ଶନ ଦେଉଥିବା ଭଳି ମାନବସମ୍ବଳ ଏ ଦେଶର ସନ୍ତାନ । ଏ ମାଟିର ଦର୍ଶନ ଅନେକଙ୍କୁ ଅନୁସରଣ କରିବାକୁ ବାଧ୍ୟ କରିଛି । ଏ ଦେଶର ସଂସ୍କୃତି, ପରମ୍ପରା ଓ ବିଭିଧତା ମଧ୍ୟରେ ଏକତାର ସୂତ୍ର ବିଶ୍ୱକୁ ହତଚକିତ କରିଛି ।

    ୨୨ ଭାଷା, ୨ହଜାରରୁ ଅଧିକ ବୋଲି, ୯ଧର୍ମ ବହୁ ପଂଥ, ବହୁ ବିଚାର ମଧ୍ୟରେ ତାଳମେଳ କେବଳ ଭାରତରେ ହିଁ ସମ୍ଭବ ବୋଲି କୁହାଯାଇଛି । ଏଠି ଦେଶର ପ୍ରଥମ ନିର୍ବାଚନରୁ ଭୋଟଦାନର ଅଧିକାର ଲୋକଙ୍କୁ ମିଳିଛି । ଦେଶର ଆବଶ୍ୟକତା ପାଇଁ ଅନେକ ନୀତି, ନିୟମ, ଯୋଜନା ପ୍ରଣୟନ ହୋଇଛି । ଏଠି ଖାଦ୍ୟ ନିରାପତ୍ତା ଓ ଶିକ୍ଷା ଅଧିକାରକୁ ଗୁରୁତ୍ୱ ମିଳିଛି । ମେଲେରିଆ,ଟିବି,ପୋଲିଓ ଉପରେ ବିଜୟ ପାଇଁ ଉଦ୍ୟମ ହୋଇଛି । ଏତେ ବଡ ଦେଶ ଏତେ ଜନସଂଖ୍ୟାରେ ଏହା କିଭଳି ସମ୍ଭବ ହେଲା ସେ ସଫଳତା ବିଶ୍ୱକୁ ତାଜୁବ କରିଛି । କ୍ରୀଡ଼ା କ୍ଷେତ୍ରରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ସିନେମା ଶିଳ୍ପ ବିଶ୍ୱରେ ସର୍ବବୃହତ ବୋଲି ମାନ୍ୟତା ପାଇଛି । ପ୍ରତିରକ୍ଷା ଓ ମହାକାଶ ଗବେଷଣାରେ ବହୁ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରକୁ ପଛରେ ପକାଇଛି ଭାରତ । ତା ସତ୍ତ୍ବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମ୍ଭବ ହୋଇନି ।

    New Delhi: Prime Minister Narendra Modi addresses the nation from the ramparts of the Red Fort on the occasion of the 76th Independence Day, in New Delhi, Monday, Aug 15, 2022. (PTI Photo/Kamal Kishore) (PTI08_15_2022_000026A)

    ଏକଥା ସତ ଯେ ୧୯୪୭ ବେଳକୁ ଯେଉଁ ଅବସ୍ଥାରେ ଇଂରେଜ ଆମକୁ ଛାଡ଼ି ଯାଇଥିଲେ ସେଥିରୁ ଉଠି ଅଣ୍ଟା ସଳଖିବା ସମ୍ଭବ ନଥିଲା । ତଥାପି ଢେର ଉଦ୍ୟମ ହୋଇଛି । ଭାରତୀୟଙ୍କ ଏକତା ଓ ଦେଶ ବିକାଶରେ ନିଷ୍ଠା ହିଁ ସେ ସଫଳତାର ସୂତ୍ର ବୋଲି କହିବାକୁ ହେବ । ଇଂରେଜ ଶାସନର ଫନ୍ଦିରେ ଖଣ୍ଡବିଖଣ୍ଡିତ ହୋଇଥିବା ଭୂଭାଗକୁ ଆମେ ପୁଣି ଯୋଡ଼ିଛୁ, ଅଖଣ୍ଡ ଭାରତ ନିର୍ମାଣ କରିଛୁ । ସବୁଜ, ଶ୍ୱେତ, ନୀଳ ବିପ୍ଲବ ଦ୍ୱାରା ଆମେ ସ୍ୱାବଲମ୍ବୀ ହେବା ଦିଗରେ ବଳିଷ୍ଠ ସୋପାନ ଚଢିଛୁ । ଯୁଦ୍ଧ ହୋଇଛି, ହାରିଛୁ ପୁଣି ଜିତିଛୁ । କିନ୍ତୁ ଶାନ୍ତିର ବାର୍ତ୍ତା ଆଜି ମଧ୍ୟ ଭାରତରୁ ଆସିବ ପୁରା ବିଶ୍ୱର ବିଶ୍ୱାସ ଏ ଦିଗରେ ରହିଛି । ଆଜି ମଧ୍ୟ ଗାନ୍ଧିଜୀଙ୍କ ଅହିଂସା ଓ ସତ୍ୟାଗ୍ରହ ଭାରତ ପାଇଁ ପ୍ରାସଙ୍ଗିକ । ସ୍ୱରାଜର ପରିକଳ୍ପନା ଓ ଗାନ୍ଧି ଅର୍ଥନୀତି ଭାରତର ଆର୍ଥିକ ବିକାଶରେ ସହାୟକ ବୋଲି ତଥ୍ୟ ଭିଜ୍ଞ ମହଲ କହିଛି ।

    ତଥାପି ଅନେକ ଅସମାନତା ପରିକଳ୍ପିତ ସ୍ୱାଧୀନ ଭାରତର ଛବିକୁ ଅସମ୍ପୁର୍ଣ୍ଣ କରି ରଖିଛି । ସମ୍ବିଧାନର ପ୍ରସ୍ତାବନାରେ ନ୍ୟାୟ, ସ୍ୱାଧୀନତା, ସମତା, ଭାତୃତ୍ଵକୁ ଆଦର୍ଶ ଭାବେ ସ୍ୱୀକୃତି ମିଳିଥିଲା । ପ୍ରତ୍ୟେକ ବ୍ୟକ୍ତିର ମର୍ଯ୍ୟଦାର ସହ ଜୀବନ ଜୀଇଁବାର ଅଧିକାର ଓ ସମାନ ସୁବିଧା ସୁଯୋଗ ପାଇବାର ଅଧିକାର ହିଁ ଲୋକତନ୍ତ୍ରର ପ୍ରୟୋଗଶାଲା ଭାରତର ଇପ୍ସିତ ଲକ୍ଷ୍ୟ ବୋଲି ବିଚାର କରାଯାଇଥିଲା। ଦେଶର ନ୍ୟାୟ ବ୍ୟବସ୍ଥା ଆଗରେ, କେହି ଭିନ୍ନ ନୁହଁନ୍ତି । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ,ବିଚାର,ପଂଥ ସମସ୍ତେ ସମାନ ବୋଲି ନିୟମ ହେଲା । କିନ୍ତୁ ସେ କଥା ଆଜି ବାସ୍ତବରେ ହେଉଛି କି ନାହିଁ ସେ ପ୍ରଶ୍ନ ବାରମ୍ବାର ଉଠୁଛି । ସ୍ୱାଧୀନତା ପରେ ସଂସଦୀୟ ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା ଓ ଧର୍ମନିରପେକ୍ଷତାକୁ ରାଜନୈତିକ ଆଦର୍ଶ ଭାବେ ଗ୍ରହଣ କରାଯାଇଥିଲା । ଆମ ଦେଶ ସମ୍ବିଧାନର ଏହା ଥିଲା ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଦିଗ । ଯାହା ପ୍ରତି ଭାରତୀୟଙ୍କ ଆରାଧ୍ୟ ଧର୍ମର ଧର୍ମଗ୍ରଂଥ ଠାରୁ ଉଚ୍ଚରେ ବୋଲି ମୁକ୍ତ ଭାରତର ନାଗରିକଙ୍କୁ ଶିକ୍ଷା ଦିଆଯାଇଥିଲା ।କିନ୍ତୁ ୭୫ ବର୍ଷର ଏ ଅନୁଶୀଳନ ବେଳେ ସେଥିରେ ଅନେକ ଅନ୍ଧାରୀ ଦିଗ ଯୋଡ଼ି ହୋଇଯାଇଛି ।

    ୭୫ ବର୍ଷର ହିସାବକିତାବ ବେଳେ ୭୫ର ଜରୁରୀ ପରିସ୍ଥିତି ଓ ୭୫ ବର୍ଷ ପୂର୍ତ୍ତି ବେଳର ଅଘୋଷିତ ଜରୁରୀ ପରିସ୍ଥିତି ମଧ୍ୟରେ ତୁଳନା କରାଯାଉଛି । କିଏ ବିଭାଜନ ପାଇଁ କଂଗ୍ରେସ ଓ ନେହେରୁଙ୍କୁ ଦାୟୀ କରୁଛି ତ କିଏ ଗାନ୍ଧୀଙ୍କୁ କାଠଗଡ଼ାରେ ଛିଡା କରିଛି । ଏ ଜାତିର ମହାପୁରୁଷଙ୍କୁ ସଂଗ୍ରାମୀମାନଙ୍କୁ ନିଜ ସୁବିଧା ମୁତାବକ ଭାଗବଣ୍ଟା କରାଯାଉଛି । ଅସୂୟା ,ଅସହିଷ୍ଣୁତା ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିଛି । ଗଣତନ୍ତ୍ର ଏଠି ପୂର୍ଣ୍ଣ ହୋଇ ଆଉ ନାହିଁ ବୋଲି ବିଭିନ୍ନ ସୂଚକାଙ୍କ ଦର୍ଶାଉଛି । ଭାରତର ଲୋକ ଖୁସି ତାଲିକାର ଶେଷରେ ରହୁଛନ୍ତି । ସ୍ଵର୍ଣ୍ଣଗର୍ଭା ଏ ମାଟିର ସନ୍ତାନଙ୍କ ପେଟ ଆଜି ଅପୋଷା ରହିଛି । ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ୧୪୦ କୋଟିର ର ଦେଶରେ ୮୦ କୋଟି ଜନତା ସରକାରୀ ପ୍ରଦତ୍ତ ୫ କେଜିର ଖାଦ୍ୟାନ୍ନ ଉପରେ ନିର୍ଭରଶୀଳ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,ଜୀବିକା ସବୁଥିରେ ଘୋର ଅସମାନତା । ରିପୋର୍ଟ କହୁଛି ଏଠି ୧୦% ଲୋକଙ୍କ ପାଖେ ଦେଶର ୯୦% ଧନ । ଆଉ ୯୦% ଲୋକଙ୍କ ମଧ୍ୟରୁ ଅନେକଙ୍କ ଜୀବନ ବିପନ୍ନ । ସେଥିପାଇଁ ତ ଏ ମହୋତ୍ସବର ଆୟୋଜନ ଅନେକ ଇପସିତ ଲକ୍ଷ୍ୟ ପୁରଣ ନହୋଇ ପାରିବାର ବିଫଳତାକୁ ଲୁଚାଇବା ଉଦେଶ୍ୟରେ କରାଯାଉଛି ବୋଲି ସନ୍ଦେହ ହୋଇଛି । ବ୍ୟବସ୍ଥାପିକା, କାର୍ଯ୍ୟପାଳିକା,ନ୍ୟାୟପାଳିକା ଏ ସମସ୍ତେ ଲକ୍ଷ୍ମଣରେଖା ଟପୁଛନ୍ତି ଆଉ ସବୁଠାରୁ ଉଦବେଗର କଥା ଜନତାର ବିଶ୍ୱାସ ତୁଟୁଛି । ତା ପାଇଁ ନିରପେକ୍ଷ କିଏ ଅଛି ସେ ଭରସା ଆଉ ନାହିଁ ।

    ଅବଶ୍ୟ କିଛି କ୍ଷେତ୍ରରେ ପ୍ରଗତିର ଧାରା ଅବ୍ୟାହତ ରହିଛି । ଭିତ୍ତିଭୂମି ନିର୍ମାଣ ହୋଇଛି , ଯୁଗୋପଯୋଗୀ ବ୍ୟବସ୍ଥା ଶିକ୍ଷା, ସ୍ୱାସ୍ଥ୍ୟ ,ଗମନାଗମନ ଆଦି କ୍ଷେତ୍ର ସହ ଯୋଡ଼ି ହୋଇ ଚାଲିଛି । ସମାଜର ଦୁର୍ବଳ ବର୍ଗ ମଧ୍ୟରେ ଜନସଚେତନତା ବଢିଛି । ମହିଳାଙ୍କ ସ୍ଥିତି ପୂର୍ବାପେକ୍ଷା ଢେର ଉନ୍ନତି ଘଟିଛି । ଶିଶୁମହିଳା,ଦଳିତ,ଆଦିବାସୀ ବର୍ଗର ଅବହେଳା ହେଲେ ସ୍ୱର ଶାଣିତ ହେଉଛି । କିନ୍ତୁ ସାଧୁତା, ସଚ୍ଚୋଟତା, ସ୍ୱଚ୍ଛତା , ନୈତିକତା ଓ କର୍ମସଂସ୍କୃତି ପ୍ରତି ନିଷ୍ଠା ଦିଗରେ ଆମେ ନିମ୍ନଗାମୀ ହୋଇଛୁ । ଦୁର୍ନୀତି,ଭ୍ରଷ୍ଟାଚାର ସମୟ ସହ ବଢୁଛି । ଫଳରେ ବିଭିନ୍ନ କ୍ଷେତ୍ରରେ ଅସମାନତା ବୃଦ୍ଧି ପାଇଛି । ଜାତିଆଣ ଭେଦଭାବ ଓ ସାମ୍ପ୍ରଦାୟିକ ମାନସିକତା ଏବେ ବି ଆମ ସମାଜର ବାସ୍ତବତା । ଆଜି ମଧ୍ୟ ନିଜକୁ ବିଶ୍ଵଗୁରୁ କହୁଥିବା ଦେଶରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଆସିନାହିଁ । ଗୁଣି, ଗାରେଡି, ଯାଦୁ,ମନ୍ତ୍ର, ଝଡ଼ାଫୁଙ୍କାକୁ ତଥାକଥିତ ଶିକ୍ଷିତ ସମାଜ ବି ଭରଷୁଛି ।

    ବଞ୍ଚିତ ବର୍ଗ ଆଜି ମଧ୍ୟ ବଞ୍ଚିତ, ସମତା, ସ୍ୱତନ୍ତ୍ରତା ଓ ସମଭାଗିଦାରୀତାର ଲଢେଇ ଆଜି ମଧ୍ୟ ଜାରି ରହିଛି । ଉତ୍କଟ ଦାରିଦ୍ର୍ୟ, ନିରକ୍ଷରତା, ସାମାଜିକ ଭେଦଭାବ, ଅନେକ ଅମାନବୀୟ ପ୍ରଥା, ପରମ୍ପରା, କୁସଂସ୍କାର ଆଜି ମଧ୍ୟ ଅଛି । କିନ୍ତୁ ସମୟ ସହ ତାକୁ ଦୂର କରିବା ଦିଗରେ କିଛି ସଂଗ୍ରାମୀଙ୍କ ସଂଗ୍ରାମ ମଧ୍ୟ ନିରନ୍ତର ଜାରି ରହିଛି । ବିଭାଜନ ଭଳି ବିଷମ ସମୟ ସତ୍ତ୍ବେ ଆମେ ବିଭାଜିତ ନୁହେଁ ତାହା ବୁଝୁଥିବା ମଣିଷ ଆଜି ମଧ୍ୟ ଅଛନ୍ତି । ଅବଶ୍ୟ ସଂଖ୍ୟା କମୁଛି କିନ୍ତୁ ସ୍ୱର ପୁରା ନିରବି ଯାଇନି । ଗାନ୍ଦି ନାହାଁନ୍ତି କିନ୍ତୁ ସେ ବିଚାରକୁ କିଛି ଲୋକ ଆଜି ମଧ୍ୟ ସାଇତି ରଖିଛନ୍ତି ଓ ତାର ପ୍ରାସଙ୍ଗିକତା ବୁଝାଉଛନ୍ତି । ଆଜି ପୁଣି ସୁଯୋଗ ମିଳିଛି, ସମୀକ୍ଷା କରିବା ପାଇଁ ଯେ ବିଚାରର ଭିନ୍ନତା ପରାଧୀନ ଭାରତରେ ମଧ୍ୟ ଥିଲା ତା ସତ୍ତ୍ବେ ଲକ୍ଷ୍ୟ ପୁରଣର ଅଦ୍ଭୁତ କ୍ରାନ୍ତି ବେଳେ କେମିତି ସମସ୍ତେ ଏକ ହୋଇ ଯାଇଥିଲେ । ତେଣୁ ସେ ଧାରା ଅବ୍ୟାହତ ରହୁ । ଦେଶର ନାଗରିକ ନିଜକୁ ସ୍ୱାଧୀନ ଭାବିବ ସେ ପରିବେଶ ଯୋଗାଇ ଦିଆଯାଉ । ଅମୃତ ମହୋତ୍ସବ ସମାଜର ସବୁବର୍ଗ ପାଇଁ ବାସ୍ତବରେ ଅମୃତମୟ ହେଉ ।

    • ସୁପ୍ରିୟା ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ
  • ସୀମା ଅଞ୍ଚଳରେ ଯବାନଙ୍କ ଆଜାଦିର ଉତ୍ସବ

    ଦିଲ୍ଲୀ: ଦେଶର ସୀମା ଅଞ୍ଚଳରେ ଯବାନଙ୍କ ଆଜାଦିର ଉତ୍ସବ ପାଳନ। ସୀମାନ୍ତ ଅଞ୍ଚଳ ଗୁଡିକରେ ଯୱାନ ମାନେ ଦେଶକୁ ସୁରକ୍ଷା ଦେବା ସହ ଆଜିର ଦିନରେ ପତାକା ଲହରାଇ ସ୍ୱାଧିନତାର ଉତ୍ସବ ନମାଉଛନ୍ତି। ଲଦାଖରେ ITBP ଯବାନଙ୍କ  ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି। କେବଳ ଲଦାଖ ନୁହେଁ ଉତ୍ତରାଖଣ୍ଡ , ଅରୁଣାଂଚଳ ପ୍ରଦେଶ ଏବଂ ସିକିମରେ ମଧ୍ୟ ଯୱାନ ମାନେ ଦେଶର ସ୍ୱାଧୀନତା ଦିବସକୁ ପାଳନ କରୁଥିବା ଦେଖିବାକୁ ମିଳିଛି। ସିକିମରେ ୧୮ହଜାର ୮୦୦ ଫିଟ୍ ର ପତାକା ଉତ୍ତୋଳନ କରାଯାଇଥିବା ବେଳେ ଉତ୍ତରାଖଣ୍ଡରେ ୧୭ହଜାର ୫୦୦ ଫିଟ୍ ର ପତାକା ଉତ୍ତୋଳନ କରି ଯୱାନ ମାନେ ନିଜ ଦେଶ ପ୍ରତି ଥିବା ମାତୃତ୍ୱ ଭାବକୁ ପ୍ରଦର୍ଶିତ କରିବା ସହ ଏବେବି ଭାରତୀୟ ଯୱାନ ମାନେ କୌଣସି ବି ପରିସ୍ଥିତିର ସମ୍ମୁଖୀନ କରିପାରିବାର ସାହସିକତା ରଖିଥିବା ଦର୍ଶାଇଛନ୍ତି।

  • ୭୫ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କ ସମ୍ୱୋଧନ

    ଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ଭାରତ। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। ଦେଶକୁ ପରିବାରବାଦ ରାଜନୀତି ସମେତ ଭ୍ରଷ୍ଟାଚାରରୁ ଦୂରେଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତାର ଅମୃତ କାଳରେ ପାଞ୍ଚ ପ୍ରାଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି।

    ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ସାରା ଦେଶ। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଅମୃତକାଳ ସବୁ ଦେଶବାସୀଙ୍କ କର୍ତ୍ତବ୍ୟକାଳ ପାଲଟୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅମୃତକାଳର ପଞ୍ଚପ୍ରାଣକୁ ନେଇ ଆଗକୁ ବଢ଼ିବାକୁ ହେବ ବୋଲି କହିଛନ୍ତି ମୋଦି। ବଡ଼ ସଂକଳ୍ପ ନେଇ ଆଗକୁ ବଢ଼ିବା, ନିଜ ଭିତରେ ଥିବା ଗୁଲାମୀର କୌଣସି ଅଂଶ ଥିଲେ ତାକୁ ବଞ୍ଚିବାକୁ ଦେବାନି, ନିଜର ରାଜୁତି ଉପରେ ଗର୍ବ କରିବା, ଏକତା ଓ ଏକଜୁଟ ରହିବା ସହ ନାଗରିକ ନିଜର କର୍ତ୍ତବ୍ୟ ତୁଲାଇବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

    ଦେଶ ସମ୍ମୁଖରେ ଦୁଇଟି ବଡ଼ ଆହ୍ୱାନ ଛିଡ଼ା ହୋଇଛି। ଭ୍ରଷ୍ଟାଚାର ଓ ଭାଇ-ପୁତୁରା ପରିବାରବାଦ ରାଜନୀତି। ଏ ଦୁଇଟିରୁ ଦୂରେଇ ରହିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁମାନେ ଦେଶକୁ ଲୁଟିଛନ୍ତି, ସେମାନେ ଦେଶକୁ ଫେରାଇବାକୁ ବି ପଡ଼ିବ। ପରିବାରବାଦ କଥା କହିଲେ, ଲୋକଙ୍କୁ ଲାଗୁଛି କି ସେ ରାଜନୀତିର କଥା କହୁଛନ୍ତି।

    ଅମୃତ କାଳ ପାଇଁ ଜୟ ଜବାନ, ଜୟ କିଷାନ ସହ ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନର ଆବଶ୍ୟକତା ଅଛି। ଦେଶର ଯୁବଗୋଷ୍ଠୀକୁ ଅସୀମ ଅନ୍ତରୀକ୍ଷରୁ ସମୁଦ୍ରର ଗଭୀରତା ଯାଏ ଗବେଷଣା ପାଇଁ ଭରପୁର ସାହାଯ୍ୟ ଦେବାକୁ ସରକାର ପ୍ରୟାସ କରୁଛନ୍ତି। ମହିଳାଙ୍କ ମର୍ଯ୍ୟାଦାକୁ କୌଣସିମତେ କ୍ଷୁର୍ଣ୍ଣ ହେବାକୁ ଦେବାନି। ନାରୀଶକ୍ତିର ଗାରିମା ରକ୍ଷା ଦିଗରେ ବକ୍ତବ୍ୟ ଓ ଆଚରଣରେ ସଂଯତ ରହିବା ଜରୁରୀ। ଆତ୍ମନିର୍ଭର ଭାରତ ସରକାରୀ ଏଜେଣ୍ଡା ନୁହେଁ। ବରଂ ସମାଜର ଜନଆନ୍ଦୋଳନ। ଏହାକୁ ଆଗକୁ ନେବାକୁ ହେବ।

    ଅମୃତ କାଳର ପ୍ରଥମ କିରଣ ଆଙ୍କାକ୍ଷୀ ସମାଜର ଆଶାକୁ ପୂରଣ କରୁ। ଆମ ଦେଶ ଭିତରେ କେତେ ବଡ଼ ସାମର୍ଥ୍ୟ ଅଛି, ତ୍ରିରଙ୍ଗା ହିଁ ତାହାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ଭାରତର ଉପଲବ୍ଧି କେବଳ ସଂଯୋଗ ନ ଥିଲା: ରାଷ୍ଟ୍ରପତି

    ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି କାଳରେ ରବିବାର ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି, ଦେଶ ପ୍ରତିବର୍ଷ ୧୪ ଅଗଷ୍ଟକୁ ବିଭାଜନ ବିଭିଷିକା ସ୍ମୃତି ଦିବସ ଭାବେ ପାଳନ କରିଥାଏ । ଉଦ୍ଦେଶ୍ୟ ଥିଲା, ସାମାଜିକ ସମୃଦ୍ଧି, ମାନବ ସଶକ୍ତିକରଣ ଓ ଏକତାର ବୃଦ୍ଧି ।

    ୧୫ ଅଗଷ୍ଟ ୧୯୪୭ରେ ଆମେ ଉପନିବେଶକ ଶାସନର ଶୃଙ୍ଖଳକୁ ଭାଙ୍ଗି ଥିଲେ । ଆମେ ଆମ ନିୟତିକୁ ଏକ ନୂଆ ସ୍ୱରୂପ ଦେବାକୁ ନିର୍ଣ୍ଣୟ ନେଇଥିଲୁ । ଆମେ ଏହି ଶୁଭ ଦିବସର ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ କରିଥାଉ । ଯେଉଁମାନେ ନିଜର ସର୍ବସ୍ୱ ବଳିଦାନ କରିଦେଲେ, ଯେମିତି ଆମେ ସବୁ ଏକ ସ୍ୱାଧୀନ ଭାରତରେ ପ୍ରଶ୍ୱାସ ନେଇପାରୁ । ତାହା ହୋଇଛି । ଏହାରି ମଧ୍ୟରେ ଭାରତ ମାଟିରେ ଲୋକତନ୍ତ୍ରର ଚେର ଲଗାତର ଗଭୀର ଓ ମଜବୁତ ହେବାରେ ଲାଗିଛି ।

    ରାଷ୍ଟ୍ରପତି ଆହୁରି କହିଛନ୍ତି, ସେହି ଦିନମାନଙ୍କରେ ଲୋକତନ୍ତ୍ର ଆର୍ଥିକ ରୂପେ ଉନ୍ନତ ରାଷ୍ଟ୍ରଗୁଡିକ ପର୍ଯ୍ୟନ୍ତ ସିମିତ ଥିଲା । ବିଦେଶ ଶାସକମାନେ ବର୍ଷ ବର୍ଷ ଧରି ଭାରତର ଶୋଷଣ କରିଥିଲେ । ଏହି କାରଣରୁ ଭାରତର ଲୋକ ଦାରିଦ୍ର‌୍ୟ ଓ ଅଶିକ୍ଷା ମଧ୍ୟରେ ବୁଡି ରହିଥିଲେ ।

    ଭାରତର ସ୍ୱାଧୀନତା ଆମ ସହ ବିଶ୍ୱରେ ଲୋକତନ୍ତ୍ରର ସମସ୍ତ ସମର୍ଥକଙ୍କ ପାଇଁ ହୋଇଛି ଉତ୍ସବର ବିଷୟ । ଲୋକତନ୍ତ୍ରର ମହତ୍ୱ ଓ ବାସ୍ତବତାକୁ ଭାରତ ବିଶ୍ୱରେ ପରିଚିତ କରାଇଛି । ଗାନ୍ଧୀଜି ସତ୍ତାର ବିକେନ୍ଦ୍ରିକରଣ ଓ ଜନସାଧାରଣଙ୍କୁ ଅଧିକାର ସମ୍ପନ୍ନ କରିବାକୁ ପ୍ରୟାସ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପରି ମାହାନାୟକମାନଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ସଂଗ୍ରାମ କାଳରେ ଆମର ପ୍ରାଚୀନ ଜୀବନର ମୂଲ୍ୟାୟନକୁ ଆଧୁନିକ ଯୁଗରେ ପୁଣି ସ୍ଥାପିତ କରାଗଲା । ତେଣୁ ମୋ ମତରେ, ଭାରତର ଏହି ଉପଲବ୍ଧି କେବଳ ସଂଯୋଗ ନ ଥିଲା ।

    ରାଷ୍ଟ୍ରପତି ମୁର୍ମୁୁ ତାଙ୍କ ଅଭିଭାଷଣରେ ଆଗକୁ କହିଛନ୍ତି କି, ଦେଶବାସୀ ଆତ୍ମନିର୍ଭର ଭାରତ ନିର୍ମାଣର ସଂକଳ୍ପରେ ଅଂଶଗ୍ରହଣ କରିଛନ୍ତି । ଏହି ଯୁଗାନ୍ତକାରୀ ଆନ୍ଦୋଳନ ଆମ ସଂଘର୍ଷକୁ ବିଶ୍ୱ ସ୍ତରରେ ସ୍ଥାପିତ କରିଛି । ତାକୁ ସମ୍ମାନ ଦେଇ ଏହି ମହୋତ୍ସବର ଆରମ୍ଭ ହୋଇଛି । ଏହି ମହୋତ୍ସବ ଭାରତର ଜନତାଙ୍କୁ ସମର୍ପିତ ଥିବା ରାଷ୍ଟ୍ରପତି କହିଛନ୍ତି । ଶେଷରେ ଆଜାଦୀକା ଅମୃତ ମହୋତ୍ସବ ମାର୍ଚ୍ଚ ୨୦୨୧ରେ ଦାଣ୍ଡି ଯାତ୍ରାର ସ୍ମୃତିକୁ ପୁନଃ ଜୀବନ୍ତ କରାଇ ଆରମ୍ଭ କରାଯାଇଥିବା କହିବାକୁ ଭୁଲିନାହାନ୍ତି ରାଷ୍ଟ୍ରପତି ମୁର୍ମୁ ।

    ସ୍ୱାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଅଭିଭାଷଣ ।

  • ତ୍ରିରଙ୍ଗା କିଣ,,,ନଚେତ୍ ରାସନ ସାମଗ୍ରୀ ଦେବୁନି

    କେନ୍ଦ୍ର ସରକାରଙ୍କ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜାତୀୟ ପତାକା କିଣି ନିଜ ଘରେ ଉଡ଼ାଇବାକୁ କୁହାଯାଇଛି। କିନ୍ତୁ ଏତିକିବେଳେ ଓଡ଼ିଶା ସରକାର ଏହାକୁ ମାଗଣାରେ ଦେବେ ବୋଲି ଘୋଷଣା କରିଛନ୍ତି। ୟୁପିରେ ରାସନ ପାଇଁ ତ୍ରିରଙ୍ଗାକୁ ବାଧ୍ୟ କରାଯାଉଥିବା ଭିଡିଓ ଭାଇରାଲ ପରେ ଏବେ ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ଥିଲା ବେଳେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଏଭଳି ନିଷ୍ପତ୍ତି ବିଜେପିକୁ କଡ଼ା କାଉଣ୍ଟର ସଦୃଶ ହୋଇଛି। ତ୍ରିରଙ୍ଗା କିଣ। ନଚେତ୍ ରାସନ ସାମଗ୍ରୀ ଦେବୁନି। ରାସନ ପାଇବା ପାଇଁ ତ୍ରିରଙ୍ଗା କିଣିବାକୁ ଗରିବ ହିତାଧିକାରୀଙ୍କୁ କିଭଳି ବାଧ୍ୟ କରାଯାଉଛି, ଏହାର ଏକ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେପି ସାଂସଦ ବରୁଣ ଗାନ୍ଧୀ ସ୍ୱର ଉତ୍ତୋଳନ କରିଛନ୍ତି।

    ବରୁଣଙ୍କ ପଛେ ପଛେ ରାହୁଲ ବି କେନ୍ଦ୍ର ସରକାର ଓ ଯୋଗୀଙ୍କୁ ଧିକ୍କାର କରିଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ବେଳେ ଏଭଳି ବିରଳ ଓ ବିକଳ ଚିତ୍ର ପଦାକୁ ଆସିଥିଲା ବେଳେ ଏତିକିବେଳେ ନବୀନ ସରକାର ମାଗଣାରେ ତ୍ରିରଙ୍ଗା ଦେବାକୁ ଘୋଷଣା କରିଛନ୍ତି। ମିଶନ ଶକ୍ତିର ସଦସ୍ୟାଙ୍କୁ ୩୦ ଲକ୍ଷ ତ୍ରିରଙ୍ଗା ତିଆରି କରି ମାଗଣାରେ ବାଣ୍ଟିବାକୁ ଦାୟିତ୍ୱ ଦିଆଯାଇଛି। ସେପଟେ କଟକରେ ତ୍ରିରଙ୍ଗାକୁ ଅସମ୍ମାନ ପ୍ରସଙ୍ଗରେ କଂଗ୍ରେସ ବି ଗର୍ଜିଛି। ଏ ଯାଏ କୌଣସି ଆକ୍ସନ ହୋଇନି କାହିଁକି ବୋଲି ପଚାରିଛି। ଜାତୀୟ ପତାକାକୁ ଅସମ୍ମାନ ହୋଇଥିବାରୁ ଏଥିଲାଗି ଆୟୋଜକ ବି ସମଦାୟୀ। ଆୟୋଜକ ଭୁଲ୍ ମାଗନ୍ତୁ ବୋଲି ଦାବି କରିଛି କଂଗ୍ରେସ। ଆଉ ରାଜ୍ୟ ସରକାରଙ୍କ ମାଗଣାରେ ତ୍ରିରଙ୍ଗା ବାଣ୍ଟିବା ଘୋଷଣା ସାଙ୍ଗକୁ ତ୍ରିରଙ୍ଗା ଅସମ୍ମାନ ଉପରେ ଆପତ୍ତି ଉଠାଇଥିବା କଂଗ୍ରେସ ଅଭିଯୋଗର ଉତ୍ତର ରଖିଛି ବିଜେପି। ସ୍ୱାଧୀନତାର ଅମୃତ ମହୋତ୍ସବ।

    ହେଲେ କେଉଁଠି ଏହି ମହୋତ୍ସବକୁ ନେଇ ଉଲ୍ଲାସ, ଉଦ୍ଦୀପନା ତ କେଉଁଠି ବିକଳ ଚିତ୍ର ଆସୁଛି। ତ କେଉଁଠି ତ୍ରିରଙ୍ଗାକୁ ଅସମ୍ମାନ ତ କେଉଁଠି ମାଗଣାରେ ବାଣ୍ଟିବା ଭଳି ଘୋଷଣା ହେଉଛି। ସର୍ବୋପରି ଜାତୀୟ ପତାକାକୁ ନେଇ ରାଜନୀତି ଅଧିକା। ଆଉ ଦେଶପ୍ରେମ କମ୍ କି ବୋଲି ସାଧାରଣରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି।

    -ନବକିଶୋର ସାହୁ, ସ୍ୱରୂପା ମହାପାତ୍ର ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହେଲେ ଜଗଦୀପ ଧନକଡ଼

    ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବରେ ଜଗଦୀପ ଧନକଡ଼ଙ୍କୁ ମହାମହିମ ରାଷ୍ଟ୍ରପତି ପଦ ଓ ଗୌପନୀୟତାର ଶପଥ ପାଠ କରାଇଛନ୍ତି। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦବୀର ଅଧିକାରୀ ସାଜିଛନ୍ତି ଜଗଦୀପ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦରେ ଜଗଦୀପ ଧନକଡ। ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁଙ୍କ ସମେତ ବହୁ ବିଶିଷ୍ଚ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଧନକଡ ୫୨୮ ଭୋଟ ପାଇ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟା ଆଲଭାଙ୍କୁ ପରାଜିତ କରିଥିଲେ।

    ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଏଣିକି ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜଗଦୀପ୍। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଉପ-ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ। ୫ ବର୍ଷ ପାଇଁ ଏହି ପଦବୀରେ ରହି ଦାୟିତ୍ୱ ତୁଲାଇବେ ଜଗଦୀପ। ରାଜସ୍ଥାନ ଜାଟ୍ ସମ୍ପ୍ରଦାୟର ଏହି ଭେଟେରାନ ପଲିଟିସିଆନ୍ ୧୯୯୭ରୁ ଏ ଯାଏ ଅନୁଷ୍ଠିତ ହୋଇଥିବା ଉପ-ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ସର୍ବାଧିକ ଭୋଟ ମାର୍ଜିନରେ ଜିତିଛନ୍ତି। ସେ ସର୍ବାଧିକ ୭୪.୩୬ ପ୍ରତିଶତ ଭୋଟ୍ ପାଇଥିଲେ। ପ୍ରଧାନମନ୍ତ୍ରୀ ଧନକଡଙ୍କୁ ସବୁବେଳେ ଚାଷୀ ପୁଅ ବୋଲି ନିଜର ଟ୍ୱିଟରେ ସମ୍ୱୋଧନ କରି ଆସିଛନ୍ତି। ତେବେ ଏହା ପଛରେ ଭିନ୍ନ ରାଜନୀତି ଥିବାର ଚର୍ଚ୍ଚା ବି ହେଉଛି। ଧନକଡଙ୍କ ନିଜ ରାଜ୍ୟ ରାଜସ୍ଥାନରେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏବେ ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଅଛି।

    ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦରେ ବସିଥିବାରୁ ହୁଏତ ରାଜସ୍ଥାନ ଭୋଟରେ ଏଥିରୁ ବିଜେପି ଫାଏଦାରେ ରହିପାରେ ବୋଲି ଆକଳନ କରାଯାଉଛି। ରାଜସ୍ଥାନ ହାଇକୋର୍ଟରେ ଆଇନଜୀବି ଥିବା ଧନକଡ ରାଜନୀତିରେ ୧୯୮୯ରେ ଏଣ୍ଟ୍ରି ମାରିଥିଲେ। ଜନତା ଦଳ ଟିକଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ସମର୍ଥିତ ଚନ୍ଦ୍ରଶେଖର ସରକାରରେ ମନ୍ତ୍ରୀ ବି ଥିଲେ। ୧୯୯୧ରେ କଂଗ୍ରେସ ଟିକଟରେ ଲଢିଥିଲେ ବି ହାରିଯାଇଥିଲେ ନିର୍ବାଚନ। ସେଥର ଦଳ କ୍ଷମତାକୁ ଆସିଥିଲା ଓ ନରସିଂହ ରାଓ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୩ରୁ ୯୮ ବିଧାୟକ ହୋଇଥିଲେ। କିନ୍ତୁ ଅଶୋକ ଗେହଲଟଙ୍କ ଉତଥାନ ଦେଖି ତାଙ୍କର ସ୍କୋପ୍ କମ୍ ଥିବା ଜାଣିପାରିଥିଲେ। ଆଉ ୨୦୦୦ରେ ବିଜେପିରେ ସାମିଲ ହୋଇଥିଲେ ଧନକଡ। ଦୀର୍ଘ ଦୁଇ ଦଶନ୍ଧି ଧରି ଦଳର ସାଂଗଠନିକ କାମରେ ନିୟୋଜିତ ଥିଲେ। ୨୦୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ହୋଇଥିଲେ। ଆଉ ଦିଦି-ଧନକଡଙ୍କ ଭିତରେ ବିବାଦ କାହାରିକୁ ଅଛପା ରହିନି। କିନ୍ତୁ ବଡ଼ କଥା ଥିଲା କି, ଧନକଡଙ୍କ ପ୍ରବଳ ବିରୋଧୀ ସତ୍ତ୍ୱେ ଦିଦିଙ୍କ ଟିଏମସି ତାଙ୍କ ବିରୁଦ୍ଧରେ ଗଲାନି। କାରଣ ଉପ-ରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ନିଜକୁ ଦୂରେଇ ରଖିଥିଲା।

    ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button