jail meals

  • ମାଲିସ ପରେ ଏବେ ମିଲ୍ସକୁ ନେଇ ଚର୍ଚ୍ଚା

    () ତିହାର ଜେଲରେ ଦିଲ୍ଲୀର ଜେଲ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅୟସ ଆରାମର ଗୋଟିଏ ପରେ ଗୋଟିଏ ଭିଡ଼ିଓ ପଦାକୁ ଆସିବାରେ ଲାଗିଛି। ଆଗ ମାଲିସ ଭିଡ଼ିଓ ଆସିଥିଲା। ଆଉ ଏବେ ମିଲ୍ସ ଖାଉଥିବାର ଭିଡ଼ିଓ ପଦାକୁ ଆସିଛି। ଜେଲ୍ ଭିତରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ୮କେଜି ଓଜନ ବଢ଼ିଥିବାର କଥା କହିଥିଲା ବେଳେ ତାଙ୍କ ଓକିଲ କିନ୍ତୁ ଏହାର ବିପରୀତ କଥା କହିଥିଲେ। କୁଆଡ଼େ ଜେଲରେ ରହି ଜୈନଙ୍କର ୨୮ କେଜି ଓଜନ ହ୍ରାସ ପାଇଛି। ଆଉ ଏତିକିବେଳେ ଏହି ଭିଡ଼ିଓ ପୁଣି ନୂଆ ବିବାଦକୁ ଛିଡ଼ା କରିଛି।

    ମାଲିସ ପରେ ଏବେ ମିଲ୍ସ। ତିହାର ଜେଲରେ ବିଚାରାଧୀନ ବନ୍ଦୀ ଥିବା ଦିଲ୍ଲୀର ସ୍ୱାସ୍ଥ୍ୟ ତଥା ଜେଲ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କିଭଳି ଭିଆଇପି ଟ୍ରିଟମେଣ୍ଟ ମିଳୁଛି। ତାକୁ ନେଇ ଗୋଟିଏ ପରେ ଗୋଟିଏ ଭିଡ଼ିଓ ପଦାକୁ ଆସିବାରେ ଲାଗିଛି। ମଙ୍ଗଳବାର ଟ୍ରାଏଲ କୋର୍ଟରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଥିଲେ କି, ତିହାର ଜେଲରେ ସେ କୌଣସି ଭଲ ଖାଦ୍ୟ କି ଉତ୍ତମ ଚିକିତ୍ସା ପାଉନାହାନ୍ତି। ଜେଲରେ ବନ୍ଦୀ ଥିବାରୁ ତାଙ୍କର ପ୍ରାୟ ୨୮ କେଜି ଓଜନ ହ୍ରାସ ପାଇଲାଣି।

    ଆଉ ବୁଧବାର ମନ୍ତ୍ରୀ ଜେଲ ଭିତରେ ନାନା ରକମର ସ୍ୱାଦିଷ୍ଟ ଭୋଜନ ଆରାମରେ ବସି ଖାଉଥିବାର ଭିଡ଼ିଓ ପଦାକୁ ଆସିଛି। ଆଉ ଏହି ମଉକାକୁ ବିଜେପି ଭଲା ସହଜେ କିଭଳି ଛାଡ଼ନ୍ତା। ବିଜେପି ମୁଖପାତ୍ର ସେହଜାଦ୍ ପୁନାଓ୍ୱାଲା ଜେଲ୍ ଭିତର ଥିବା ସିସିଟିଭି ଫୁଟେଜକୁ ସେୟାର କରି କହିଛନ୍ତି କି, ମିଡିଆରେ ଆଉ ଏକ ଭିଡିଓ ଆସିଛି। ଜଣେ ବଳାତ୍କାରୀଠୁ ମାଲିସ ଖାଇ ତାକୁ ଫିଜିଓ ଥେରାପିଷ୍ଟ କହି ଅକଳରେ ପଡ଼ିଥିବା ଆପ୍ କୁ ଜେଲ୍ ଭିତରେ ଜୈନ୍ ଭୁରିଭୋଜନ ଖାଉଥିବାର ଭିଡିଓ ପଦାକୁ ଆସିଛି। ଯେଉଁଠି ତାଙ୍କୁ ସହାୟକ ଖାଦ୍ୟ ପରଷି ଦେଉଛନ୍ତି। ଲାଗୁଛି ଯେମିତି ମନ୍ତ୍ରୀ ଛୁଟି କଟାଇବାକୁ କୌଣସି ରିସୋର୍ଟରେ ଅଛନ୍ତି। ଖାଦ୍ୟ ତାଲିକାରେ ଅନେକ ସୁସ୍ୱାଦୁ ଖାଦ୍ୟ ରହିଛି। ଜେଲରେ ମନ୍ତ୍ରୀ ସଜ୍ଜା କାଟୁଛନ୍ତି ନା ମଜା, ତାକୁ ନେଇ ପ୍ରଶ୍ନ କରିଛି ବିଜେପି।

    ଜେଲରେ ଦୀର୍ଘ ୫ ମାସ ହେଲା ଥିବା ସତ୍ୟେନ୍ଦ୍ରଙ୍କୁ ଜାମିନ ମିଳୁନଥିଲା ବେଳେ କିଭଳି ସେ ଏଭଳି ଭିଆଇପି ଟ୍ରିଟମେଣ୍ଟ ପାଉଛନ୍ତି। ଏହାର ଉତ୍ତର କେଜରିଓ୍ୱାଲ ଦିଅନ୍ତୁ କହି ସୁକେଶଙ୍କଠୁ ଟଙ୍କା ଅସୁଲି, ବଳାତ୍କାରୀଙ୍କଠୁ ମାଲିସ ଆଉ ଏବେ ଜେଲ୍ ବାହାରୁ ଖାଇବା ମଗାଇ ଅୟସ ଆରାମ କରୁଛନ୍ତି କେମିତି ବୋଲି ପଚାରିଛି ବିଜେପି। ମଙ୍ଗଳବାର ସତ୍ୟେନ୍ଦ୍ରଙ୍କ ଓକିଲ ରାହୁଲ ମେହେରା ଅଭିଯୋଗ କରିଥିଲେ କି, କୋର୍ଟରେ ଅଣ୍ଡରଟେକିଂ ଦେଇଥିବା ସତ୍ତ୍ୱେ ଇଡି ଜାଣିଶୁଣି ଏଭଳି ସମ୍ୱେଦନଶୀଳ ସୂଚନା ଓ ଭିଡିଓକୁ ମିଡିଆରେ ଲିକ୍ କରିଛି।

    ଏପରିକି ତିହାର ଜେଲରେ ଭିଆଇପିଙ୍କ ଭଲି ସମସ୍ତ ସୁବିଧା ସୁଯୋଗ ପାଉଥିବା ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ମେହରା। ନା ଜେଲରେ ଭଲ ଖାଦ୍ୟ ନା ମେଡିକାଲ୍ ଚେକଅପ୍ କରାଯାଉଛି। ଯଦି ଜଣେ ବିଚାରାଧୀନ ବନ୍ଦୀ ସତ୍ୟେନ୍ଦ୍ରଙ୍କର ଗୋଡ଼ କି ହାତ ଚିପିଦେଲେ, ସେଥିରେ ଜେଲ୍ ମାନୁଆଲ୍ସ କେଉଁଠି ଉଲ୍ଲଂଘନ ହେଉଛି। ଅବଶ୍ୟ ଇଡିର ଓକିଲ ଜୋହେବ ହୋସେନ୍ ସତ୍ୟେନ୍ଦ୍ରଙ୍କ ଓକିଲଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ଇଡି ପକ୍ଷରୁ ଗୋଟିଏ ବି ତଥ୍ୟ, ସୂଚନା କି ଭିଡିଓ ଲିକ୍ କରାଯାଇନି।

    ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କେଉଁ ଆଧାରରେ ଏଭଳି ଭିଆଇପି ଟ୍ରିଟମେଣ୍ଟ ମିଳିଛି, ତାକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ଭିତରେ ହଟଚମଟ ଜାରି ରହିଛି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button