KCR

  • ପଦାରେ ପଡିଲା କେସିଆର-ସୁନ୍ଦରରାଜନ କଳି

    () ଗଣତନ୍ତ୍ର ଦିବସ ଅବସରରେ ତେଲେଙ୍ଗାନା ରାଜ୍ୟପାଳ ତାମିଲାସାଇ ସୁନ୍ଦରରାଜନ ହାଇଦ୍ରାବାଦର ରାଜଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଆଶ୍ଚର୍ଯ୍ୟର କଥା, ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯୋଗ ଦେଇନାହାନ୍ତି। ତେବେ ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା କଥା, କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥିବାରୁ ଅନେକ ପ୍ରଶ୍ନ ଉଠିଛି। 

    ପଦାରେ ପଡିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ। ଆଜି ଗଣତନ୍ତ୍ର ଦିବସକୁ ସାରା ଦେଶ ଧୁମଧାମରେ ପାଳନ କରୁଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସଂସଦ ଭବନ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ହେଲେ ରାଜନୈତିକ ବିବାଦ କାରଣରୁ ଆଜି ତେଲେଙ୍ଗାନାରେ ଦେଖିବାକୁ ମିଳିଛି ବିବାଦୀୟ ଦୃଶ୍ୟ। ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମିଳିତ ଭାବେ ରାଜଭବନ ପରିସରରେ ପତାକା ଉତ୍ତୋଳନ କରିବାର ବିଧି ଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ଗୁରୁବାର ଦିନ ତେଲେଙ୍ଗାନା ରାଜଭବନ ପରିସରରେ ଆୟୋଜିତ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଏକାକୀ ପତାକା ଉତ୍ତୋଳନ କରିଛନ୍ତି। ଏହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି। ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ହାଇଦ୍ରାବାଦ ଠାରେ ଆୟୋଜିତ ଗଣତନ୍ତ୍ର ଦିବସ ସମାରୋହରେ ଗୋଲଡେନ ଗ୍ଲୋବସ ପୁରସ୍କାର ବିଜେତା ଓ ଓସ୍କାର ନାମାଙ୍କିତ ନାଟୁ ନାଟୁ ଗୀତର ସଂଗୀତକାର ଏମଏମ କେରାବନୀ ଓ ଗୀତିକାର ଚନ୍ଦ୍ରବୋଷଙ୍କୁ ସମ୍ମାନୀତ କରିଛନ୍ତି। ଏହା ପୂର୍ବରୁ ସେ ଅନେକ ସମୟ ଧରି ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଅପେକ୍ଷା କରିଥିଲେ ବି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ପହଞ୍ଚିନଥିବା ଦେଖିବାକୁ ମିଳିଥିଲା।

    ତେଲେଙ୍ଗାନା ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହି କାରଣରୁ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ଯେଉଁ ଭାଷଣ ପଢିଥାନ୍ତି ତାହାକୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରି ପ୍ରଦାନ କରାଯିବାର ନିୟମ ଥିଲେ ବି ତେଲେଙ୍ଗାନା ସରକାର ରାଜ୍ୟପାଳଙ୍କୁ ଏହି ଭାଷଣ ପଠାଇନଥିଲେ। ସେପଟେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳ ବିଧାନସଭାର ଉଭୟ ସଦନରେ ସମ୍ୱୋଧିତ କରିବାର ପରମ୍ପରା ଥିଲେ ବି ଏଥର ରାଜ୍ୟପାଳ ସଦନକୁ ସମ୍ୱୋଧିତ କରିବେ ନାହିଁ ବୋଲି ଜଣାପଡିଛି। କେସିଆର ସରକାରଙ୍କୁ ନେଇ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଅଭିଯୋଗ କରିଛନ୍ତି କି କାର୍ଯ୍ୟାଳୟ ସମ୍ପର୍କିତ ପ୍ରୋଟୋକଲ ପାଳନ କରାଯାଉନାହିଁ। ଏହା ସହ କେସିଆର ସରକାରଙ୍କ କିଛି ବିଧାୟକଙ୍କ ନାମରେ ମଧ୍ୟ ରାଜ୍ୟପାଳଙ୍କର ଅଭିଯୋଗ ରହିଛି।

    ଗୋଟିଏ ପଟେ ରାଜଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ସିକନ୍ଦରାବାଦରେ ବିରୁଲା ସୈନିକ ସ୍ମାରକ ମଇଦାନରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

    ପ୍ରେମଲତା ବାରିକଙ୍କ ରିପୋର୍ଟ

  • ବିଜେପି ଟାର୍ଗେଟରେ ତେଲେଙ୍ଗାନା

    ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ବିଜେପିର ଡେରା। ତେଲେଙ୍ଗାନା ଅକ୍ତିଆର କରିବାକୁ ଖୋଲା ଘୋଷଣା କରିଛି ବିଜେପି। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଜରିଆରେ ଟିଆରଏସ ବିରୋଧରେ ଦଳ ଯୁଦ୍ଧ ଘୋଷଣା କରିବା ବେଳେ ସେପଟେ ଟିଆରଏସ ମଧ୍ୟ କାଉଣ୍ଟର ଆଟାକ୍ ପାଇଁ ପ୍ରସ୍ତୁତ। ହୁଏତ ସେଥିପାଇଁ ପ୍ରୋଟୋକଲକୁ ଭାଙ୍ଗିବା ସହ ବିରୋଧୀ ଗୋଷ୍ଠୀ ସହ ହାତ ମିଳାଇଲେଣି ଟିଆରଏସ ମୁଖ୍ୟ। ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା।

    ବିଜେପି ଟାର୍ଗେଟରେ ତେଲେଙ୍ଗାନା। ଟିଆରଏସର ମୂଳୋତ୍ପାଟନ କରି ପଦ୍ମ ଖେଳାଇବାକୁ ବିଜେପିର କସରତ। କୋଭିଡ ମହାମାରୀ ପରେ ବିଜେପି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜୁଲାଇ ୨ ତାରିଖରୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ କରି ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ କରିଛି ଯୁଦ୍ଧ ଘୋଷଣା। ତେବେ ହାଇଦ୍ରାବାଦକୁ ଦଳର କାର୍ଯ୍ୟକାରିଣୀ ବୈଠକ ବଛାଯିବା ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଏବେ ଦକ୍ଷିଣ ଭାରତ ଉପରେ ବିଜେପିର ଆଖି। ଦକ୍ଷିଣ ଭାରତର କର୍ଣ୍ଣାଟକରେ ଦଳ ସରକାର ଗଠନ କରିବା ପରେ ଅନ୍ୟ ରାଜ୍ୟକୁ ନିଜ ଅକ୍ତିଆରକୁ ନେବାକୁ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ।

    ହୁଏତ ଏହାକୁ ନେଇ କ୍ଷୁବ୍ଧ କେସିଆର। ତେଣୁ ୭୫ ବର୍ଷ ପୁରୁଣା ପ୍ରୋଟୋକଲକୁ ଭାଙ୍ଗିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶନିବାର ବୈଠକରେ ଯୋଗ ଦେବାକୁ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ ମଧ୍ୟ କେସିଆର ସେଠାରେ ନ ଥିଲେ। ଯେଉଁ କେସିଆର ବିଜେପିର ଜଣେ ସହଯୋଗୀ ଦଳ ହୋଇ ଠିଆହୋଇ ଆସୁଥିଲେ ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ନ ଥିଲେ। ଏହାକୁ ନେଇ ବିଜେପି ନେତୃବୃନ୍ଦ ଖପ୍ପା। ତେବେ ଦୁଇ ଦଳ ମଧ୍ୟରେ ଫାଟ ଗତ କିଛି ମାସ ହେବ ଦେଖିବାକୁ ମିଳିଛି। ଗତ ବର୍ଷ ଅକ୍ଟୋବର ୩୦ରେ ତେଲେଙ୍ଗାନାର କରିମନଗର ଜିଲ୍ଲାର ଟିସିଆର ଗଡ ହୁଜୁରାବାଦ ବିଧାନସଭା କ୍ଷେତ୍ରରେ ହୋଇଥିବା ଭୋଟରେ ଦଳ ତୃତୀୟ ନମ୍ବରରେ ରହିଥିଲା, ଯାହା ଦଳକୁ ହତ ଚକିତ କରି ଦେଇଥିଲା।

    ସେହିପରି ୨୦୧୮ ରାଜ୍ୟ ବିଧାନସଭା  ନିର୍ବାଚନରେ ଟିଆରଏସକୁ ୫୯.୩୪% ଓ ବିଜେପିକୁ ମିଳିଥିଲା ମାତ୍ର ୦.୯୩%। କିନ୍ତୁ ୨୦୨୧ ଜୁନରେ ହୋଇଥିବା ନିର୍ବାଚନରେ ବିଜେପି ହାସଲ କରିଥିଲା ୫୨ ପ୍ରତିଶତ ଭୋଟ। ଟିଆରଏସ ସରକାରରେ ମନ୍ତ୍ରୀ ଥିବା ଏଟଲା ରାଜେନ୍ଦ୍ରଙ୍କୁ ଦଳରୁ ବାହାର କରାଯିବା ପରେ ବିଜେପି ତାଙ୍କୁ ଦଳରେ ସାମିଲ କରିଥିଲା ଓ ସେ ହିଁ ହୁଜୁରାବାଦରୁ ଟିଆରସି ନେତାଙ୍କୁ ପରାସ୍ତ କରିଥିଲେ। ଏହାକୁ ନେଇ ଟିଆରସି ଓ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିଲା ଫାଟ। କେସିଆର ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନ ଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ରାଜ୍ୟ ରାଜଧାନୀରେ ଉପସ୍ଥିତ ହୋଇଥିଲେ ମଧ୍ୟ ତାଙ୍କୁ ପାଛୋଟିବାକୁ ଟିଆରଏସ ମୁଖ୍ୟ ନଥିଲେ। ଏହାକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି ବିଜେପି ମଧ୍ୟରେ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କେସିଆରଙ୍କ ବ୍ୟବହାରକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଏହା ସମ୍ବିଧାନିକ ଓ ସାମାଜିକ ମର୍ଯାଦାର ଉଲ୍ଲଙ୍ଘନ କହିଛନ୍ତି। ଏପରି କରି କେସିଆର ଜଣେ ବ୍ୟକ୍ତିଙ୍କୁ ନୁହେଁ, ବରଂ ଏକ ଅନୁଷ୍ଠାନର ଅପମାନ କରିଛନ୍ତି ବୋଲି ଇରାନୀ ଅଭିଯୋଗ କରିଛନ୍ତି।

    ସେପଟେ ରାଜ୍ୟରେ ବିଜେପିର ଭିଡକୁ ନେଇ କ୍ଷୁବ୍ଧ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ ନ କରିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଆଉ ଦୁଇ ଥର ସମାନ ବ୍ୟବହାର ପ୍ରଦର୍ଶନ କରିଛନ୍ତି କେସିଆର। ଏହା ପୂର୍ବରୁ ଚଳିତ ମେ ଓ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଯାଇ ଥିଲେ ମଧ୍ୟ କେସିଆର ମୋଦିଙ୍କୁ ସ୍ୱାଗତ ଜଣାଇବାକୁ ନଥିଲେ। ଚଳିତ ଥର ମୋଦିଙ୍କୁ ସ୍ବାଗତ କରିବାକୁ ନ ଯାଇ, ମୋଦିଙ୍କ ପହଞ୍ଚିବାର କିଛି ସମୟ ପୂର୍ବରୁ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରେ ଅଭ୍ୟର୍ଥନା ଜଣାଇଥିଲେ।ଏହା ପୂର୍ବରୁ ମଧ୍ୟ କେସିଆର ଏନଡିଏ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଦଳରେ ୟୁପିଏର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି।

    ଖାଲି ଏତିକିରେ ବିଜେପିର କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ବିରୋଧରେ କେସିଆରଙ୍କ କ୍ରୋଧ ଥମିନି। ତେଲେଙ୍ଗାନାକୁ ଟିଆରସି ମୁକ୍ତ କରିବାକୁ ବିଜେପିର ଘୋଷଣା ପରେ ସିଧା କେନ୍ଦ୍ର ସରକାରକୁ ହଟାଇବାର କ୍ଷମତା ରଖିଥିବା କେସିଆର କହିଛନ୍ତି। କେସିଆର କହିଛନ୍ତି, ଥରେ ତେଲେଙ୍ଗାନାରେ ସରକାର ଭାଙ୍ଗା ଦେଖାନ୍ତୁ କେନ୍ଦ୍ରରେ ସରକାର ଭାଙ୍ଗିଦେବୁ। ଏଥିସହ କେସିଆର ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଲୋକତନ୍ତ୍ରର ଗଳା ଚାପି ସାତ ରାଜ୍ୟର ସରକାର ଭାଙ୍ଗିଛନ୍ତି। ମୋଦିଙ୍କ ପୂର୍ବରୁ ୧୪ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ କେହି ଦେଶର କ୍ଷତି କରିନାହାନ୍ତି। ମୋଦି ପ୍ରଧାନମନ୍ତ୍ରୀ ନୁହଁନ୍ତି, ସାହୁକାର ବନ୍ଧୁମାନଙ୍କର ସେଲ୍ସମ୍ୟାନ ହୋଇଛନ୍ତି

    ଶିଳାସ୍ମିତା ରାୟ

Back to top button