lumex

  • LUMEX RESOURCE EOW ACTION (ଲୁମେକ୍ସ ଲୁଟ୍ ମାମଲାକୁ ଘାଣ୍ଟିବ ଇଓଡବ୍ଲୁ)

    01/04/2023

    () ଲୁମେକ୍ସ ଲୁଟ୍ ମାମଲାକୁ ଘାଣ୍ଟିବ ଇଓଡବ୍ଲୁ। ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ ସମେତ ୫ ଜଣଙ୍କ ଅଭଯୁକ୍ତଙ୍କ ନାଁରେ ଇଓଡବ୍ଲୁ ମାମଲା ରୁଜୁ କରିଛି। ସବୁ ଦିଗକୁ ତଦନ୍ତ ହେବ। ତଦନ୍ତକୁ ନିଜେ ଅନୁଧ୍ୟାନ କରିବେ ଅରୁଣ ବୋଥ୍ରା। ମୁଖ୍ୟମନ୍ତ୍ରୀଙ୍କୁ ବି ଏ ସନ୍ଦର୍ଭରେ ଚିଠି ଲେଖିଛନ୍ତି ବାହିନୀପତି। ଆଉ ଫାଇଭ-ଟି ଉପକ୍ରମ ଆଧାରରେ ତଦନ୍ତରେ ସ୍ୱଛତା ବଜାୟ ରଖିବାକୁ ଆରମ୍ଭ ହୋଇଛି ପଦକ୍ଷେପ।

    () ଲୁମେକ୍ସ ମହାଠକେଇ ମାମଲାରେ ଦୁର୍ନୀତି ଜାତିଆତିର ଚେର ବେଶ୍ ଗଭୀର ଏଭଳି ଠକେଇକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି। କାରଣ କମିଶନରେଟ ପୁଲିସର ପାରିଲାପଣିଆ ପଦାରେ ପଡ଼ିବା ଆଉ ବିଧାନସଭାରେ ତୁମ୍ୱିତୋଫାନ ପରେ ଇଓଡବ୍ଲୁ ଏହି ମାମଲାକୁ ହାତକୁ ନେବା ପରେ ଏହାର ଗୁରୁତ୍ୱ ଅଧିକ ବଢ଼ିଯାଇଛି। କୋଟି କୋଟି ଟଙ୍କାର ଠକେଇ ଅଭିଯୁକ୍ତଙ୍କ ଦେହରେ କାହିଁକି କମିଶନରେଟ ପୁଲିସ ହାତ ମାରିପାରୁନି, ତାକୁ ନେଇ ଗୋଟିଏ ପଟେ ସନ୍ଦେହର ବଳୟ ଛିଡ଼ା ହୋଇଛି ତ ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହି ମାମଲାକୁ ଇଓଡବ୍ଲୁକୁ ତଦନ୍ତ ଲାଗି ଦେଇଛନ୍ତି। ଅଭିଯୋଗପତ୍ରରୁ ଜଣାପଡ଼ିଛି, ସିଙ୍ଗାପୁରରେ ବ୍ଲେସବକ୍ ଇଣ୍ଟରନାସନାଲ କମ୍ପାନୀ ସେମାନଙ୍କର ଅଛି କହି ଅଭିଯୁକ୍ତମାନେ ନିଶାରାଣୀ ତାଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶ ନାୟକଙ୍କୁ ଭୁଆଁ ବୁଲାଇଥିଲେ ଏ କମ୍ପାନୀରେ ସେମାନେ ନିର୍ଦେଶକ ଅଛନ୍ତି ବୋଲି କହି ବିଭିନ୍ନ ଜାଲି ଦସ୍ତାବିଜ୍ ଦେଖାଇଥିଲେ ସିଙ୍ଗାପୁରରେ ଥିବା ଏହି କମ୍ପାନୀ ସେମାନଙ୍କର ସମସ୍ତ ଆନ୍ତର୍ଜାତୀୟ ବେପାରର ବୁଝାସୁଝା କରୁଛି ବୋଲି ବିଶ୍ୱାସ ଜନ୍ମାଇ ଆରମ୍ଭ କରିଥିଲେ କାରସାଦି ଆଉ ନିଶାରାଣୀ ଓ ପ୍ରଜ୍ଞାଙ୍କଠୁ ଟଙ୍କା ନେଇଥିଲେ। ଡିଏଲଏଫ ସାଇବର ସିଟିରେ ଯେଉଁ ଘର ଲୁମେକ୍ସ କମ୍ପାନୀ ନାଁରେ ଭଡ଼ା ସୂତ୍ରରେ ନେଇଥିଲେ, ସେ ଘର ଥିଲା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କର। ଲୋପାମୁଦ୍ରାଙ୍କୁ ବି ଛାଡ଼ିନାହାନ୍ତି ଅଭିଯୁକ୍ତ କୁଆଡ଼େ ଲୋପାମୁଦ୍ରାଙ୍କର ଦସ୍ତଖତକୁ ଜାଲି କରି ଆରଓସିରେ କମ୍ପାନୀ ପଞ୍ଜୀକରଣ କରିବାକୁ ସକ୍ଷମ ହୋଇଥିଲେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଅଭିଯୁକ୍ତ ରାଜୀବ ଦାସ, ସୋନିଆ ତ୍ରିପାଠୀ, ଉଷାରାଣୀ ପାଣିଗ୍ରାହୀ, ହିମାଂଶୁ ପାଣିଗ୍ରାହୀ ଓ ବିମଳ ପାଢ଼ୀଙ୍କ ଉପରେ ଆଇନଗତ ଆକ୍ସନ ଓ ସେମାନଙ୍କଠୁ ଟଙ୍କା ଫେରସ୍ତ ନେଇ ଦୀର୍ଘ ଦିନ ହେଲା ଧାଉଁଛନ୍ତି ନିଶାରାଣୀ ଓ ପ୍ରଜ୍ଞା। ହେଲେ କୋର୍ଟଙ୍କ ନିର୍ଦେଶ ପରେ ବି କମିଶନରେଟ ପୁଲିସର ଶୀଥିଳତା ତଦନ୍ତରେ ଅହେତୁକ ବିଳମ୍ୱ ସାଙ୍ଗକୁ କେବଳ ଅଭିଯୋଗକାରୀଙ୍କ ଚାରିପଟେ ତଦନ୍ତ ବୁଲୁଛି ବୋଲି ସନ୍ଦେହ ହେଉଥିଲା ଏହାକୁ ନେଇ ବିଧାନସଭାରେ ସରକାରଙ୍କଠୁ ଉତ୍ତର ଲୋଡ଼ିଥିଲେ ବିରୋଧୀ। ଠକକୁ ଗିରଫ ଓ ନିବେଶକାରୀକୁ ନ୍ୟାୟ ଦେବା ସକାଶେ ଅନବରତ ପ୍ରୟାସ କରି ବିଧାନସଭାରେ ସ୍ୱର ଉଠାଇଥିଲେ ବାହିନୀପତି ବାହିନୀପତିଙ୍କୁ ସମର୍ଥନ କରି ବିଜେପି ବି ସମସ୍ୱରରେ ଜବାବ ମାଗିଥିଲା ସରକାରଙ୍କୁ। ଆଉ କମିଶନରେଟ ପୁଲିସ ଏଭଳି ମାମଲାରେ ଅପରାଧିକ ଦିଗକୁ ଉନ୍ମୋଚନ କରିବାରେ ବିଳମ୍ୱ କରୁଥିବା କଥା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବି ହୃଦବୋଧ କରିଛି ସେଥିଲାଗି ତ ମାମଲା ଏବେ ଇଓଡବ୍ଲୁ ହାତକୁ ନେବା ପରେ ତଦନ୍ତ ତ୍ୱରିତ ହେବ ବୋଲି ଆଶା କରାଯାଉଛି। ଇଓଡବ୍ଲ୍ୟୁ ମଧ୍ୟ ତାର ତଦନ୍ତକୁ ତ୍ୱାରାନ୍ବିତ କରିଛି। କମିଶନରେଟ ପୋଲିସଠୁ ଏ ସଂକ୍ରାନ୍ତୀୟ ଆବଶ୍ୟକ ନଥିପତ୍ର ନେଇସାରିଛି। ମାମଲା ଗମ୍ଭୀରତାକୁ ଦେଖି ଏକାହୁ ଅନୁଶୀଳନ କରିବା ଆରମ୍ଭ କରିସାରିଲାଣି ଇଓଡବ୍ଲ୍ୟୁ। ଆବଶ୍ୟକ ପଡିଲେ ଅଭିଯୋଗକାରୀଙ୍କୁ ପୁଣି ଡାକିବ ଇଓଡବ୍ଲ୍ୟୁ। ଆଉ ଅଭିଯୁକ୍ତଙ୍କ ପାଖରେ ଖୁବଶୀଘ୍ର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ ତ୍ରୀପାଠୀ।  ଆଉ ଫାଇଭ-ଟି ଉପକ୍ରମ ଆଧାରରେ ତଦନ୍ତରେ ସ୍ୱଛତା ବଜାୟ ରଖିବାକୁ ଆରମ୍ଭ ହୋଇଛି ପଦକ୍ଷେପ।

     () ସେପଟେ ଇଓଡବ୍ଲୁ ମାମଲା ହାତକୁ ନେବା ପରେ ତଦନ୍ତ ତ୍ୱରିତ ହେବ ବୋଲି ଆଶା ରହିଛି। ଅଭିଯୁକ୍ତଙ୍କ ସମ୍ପର୍କୀୟ ଅତିରିକ୍ତ ସିପି ଉମାଶଙ୍କର ଦାସ ହୋଇଥିବା ହେତୁ ତଦନ୍ତ ଆଗଉନି କହି ଅଭିଯୋଗକାରିଣୀ ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବ ଓ ଡିଜିଙ୍କୁ ଚିଠି ଲେଖିଥିଲେ। ଆଉ ତଦନ୍ତରେ ସ୍ୱଛତା ବଜାୟ ରଖିବା ସହ ତ୍ୱରିତ ନ୍ୟାୟ ଦେବାକୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଫାଇଭ-ଟି ସଚିବ ଓ ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା ଉଦ୍ୟମ ଆରମ୍ଭ କରିସାରିଛନ୍ତି। ଅରୁଣ ବୋଥ୍ରାଙ୍କ ଭଳି ଦକ୍ଷ ଅଫିସର ବି ଏହି ମାମଲାରେ ତଦନ୍ତରୁ ସବୁ ଦିଗକୁ ନିଜେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।  ଏଣିକି ନ୍ୟାୟ ଲାଗି ନିଶାରାଣୀ ପ୍ରଜ୍ଞାଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି ବୋଲି ସବୁଠି ଚର୍ଚ୍ଚା

     () ଦେଖିବାର କଥା, ଅଭିଯୁକ୍ତ କେବେ ବନ୍ଧା ହେବେ। ଏତେ ବଡ଼ ଧରଣର ଆର୍ଥିକ ନେଣଦେଣର ସବୁ ପ୍ରମାଣ ହାତା ପାହାନ୍ତାରେ। ଦୁର୍ନୀତିର ଚେରକୁ ଧରିବ ଇଓଡବ୍ଲୁ ଏଥିରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ବି ଅଧିକ ଦିନ ଆଉ ଆଇନ ସହ ଲୁଚକାଳି ଖେଳି ପାରିବନି ବୋଲି ସାଧାରଣରେ ବିଶ୍ୱାସ ଦୃଢୀଭୂତ ହେବାକୁ ଲାଗିଲାଣି। ଲୁମେକ୍ସ ମହାଠକେଇର ମହାଠକଙ୍କୁ ଫାଇଭ-ଟି ଛାଟ ବାଜିବାକୁ ଆଉ ବେଶୀ ଦୂର ନୁହେଁ ବୋଲି ସବୁଠି ଚର୍ଚ୍ଚା। ବିରୋଧୀ ବି ସରକାରଙ୍କ ଏଭଳି ତତ୍ପରତାକୁ ସାଧୁବାଦ ଜଣାଇଛନ୍ତି। 

  • LUMEX INQUARY POLICE EFFICIENCY (ଲୁମେକ୍ସ ମହାଠକେଇ ତଦନ୍ତ ଜାରି)

    04/04/2023

    () ଲୁମେକ୍ସ ଲୁଟ ଓ କମିଶନରେଟ ପୁଲିସର ଲୁଚକାଳି ଖେଳକୁ ନେଇ ସବୁଠି ଚର୍ଚ୍ଚା। ଅବଶ୍ୟ ଇଓଡବ୍ଲୁ ନିଜ ହାତକୁ ତଦନ୍ତ ଭାର ନେବା ପରେ ଆଶା ସଞ୍ଚାର ହୋଇଛି ନିବେଶକ ନ୍ୟାୟ ପାଇବେ ବୋଲି। କିନ୍ତୁ ରାଜୀବ ଓ ସୋନିଆଙ୍କ କାରନାମା ଯେଉଁଠି ବି ଦେଖିଲେ, ସବୁଠି ଫ୍ରଡ୍‌ର ଚିହ୍ନ। ଯେଉଁ ସଂସ୍ଥା ନାଁରେ ଓ ନିବେଶକଙ୍କ ଟଙ୍କା ବ୍ୟବହାର କରି ଜାଲି ଦସ୍ତାବିଜ୍ ବଳରେ ରାଜୀବ ନିଜର ଜାଲିଆତି ସାମ୍ରାଜ୍ୟ ବିଛାଇଥିଲା, ସେମାନଙ୍କ ଏତଲା ଉପରେ କଅଣ କରିଛି ପୁଲିସ। ଆଜି ଦେଖନ୍ତୁ କେଉଁ ସ୍ତରର ଠକେଇ କରିଛନ୍ତି ରାଜୀବ ଓ ତାଙ୍କ ସହଯୋଗୀ। ସବୁଠି ଗୋଟିଏ ସ୍ୱର। ଫ୍ରଡ୍ ହିଁ ଫ୍ରଡ୍।

    ଲୁମେକ୍ସ ମହାଠକେଇ ମାମଲାରେ କମିଶନରେଟ ପୁଲିସର ଶୀଥିଳତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ବିଳମ୍ୱରେ ହେଲେ ବି ଇଓଡବ୍ଲୁ ଏହି ମାମଲା ହାତକୁ ନେଇଛି ସତ। ଦକ୍ଷ ଅଫିସର ଅରୁଣ ବୋଥ୍ରା ଏହାର ଅନୁଧ୍ୟାନ ନିଜେ କରିବେ କିନ୍ତୁ ଭୁବନେଶ୍ୱର ଡିସିପି ଗଲା ମାସରେ ଲୁମେକ୍ସ ମହାଠକେଇ ମାମଲାରେ କୋର୍ଟଙ୍କ ନିର୍ଦେଶକୁ କେତେଦୂର ଅନୁପାଳନ ହୋଇଛି, ତାହାର ଉତ୍ତର ଏମିତି ଢଙ୍ଗରେ ରଖିଥିଲେ।

    ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ କହିଛନ୍ତି  ମୂଳ କଥା ହେଲା, ପୋଲିସ କମିଶନରେଟ ଅତ୍ୟନ୍ତ ପ୍ରଫେସନାଲ ଢଙ୍ଗରେ କାର୍ଯ୍ୟ କରେ । ତାହେଲେ କଅଣ ତଦନ୍ତ କେବଳ ଅଭିଯୋଗକାରିଙ୍କ ଚାରିପଟେ ବୁଲୁଥିଲା। ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ କାହିଁକି ହାତ ଯାଉନଥିଲା ବୋଲି ଅଭିଯୋଗ କରି ବିଧାନସଭାରେ ବିରୋଧୀ ସ୍ୱର ଉଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ତାରାପ୍ରସାଦ ବାହିନୀପତି। ଅଭିଯୁକ୍ତ ରାଜୀବ ଦାସ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ହେତୁ ପୁଲିସ ପଛଘୁଞ୍ଚା ଦେଉଛି ବୋଲି କଥା ଉଠିଥିଲା କେବଳ ନିଶାରାଣୀ କି ପ୍ରଜ୍ଞାପ୍ରକାଶ ଅଭିଯୋଗକାରୀ ନଥିଲେ। ଜିଓଚେମ୍, ଜିନ୍ଦଲ ଭଳି ସଂସ୍ଥା ସହ କାରବାର ଓ ଚାଇନାକୁ କ୍ରୋମ୍ ରପ୍ତାନୀ ଚାଲିଛି କହି ରାଜୀବ ଓ ସୋନିଆ ନିବେଶକଙ୍କୁ ଚୂନ ଲଗାଉଥିଲେ। ଏ କଥା ଜାଣିବା ପରେ କିଛି ସଂସ୍ଥା ବି ଏହି ଦମ୍ପତ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ତଦନ୍ତ କଲା କି ନାହିଁ, ତାହା ବି ଅନ୍ଧାରରେ ସେପଟେ ଜିନ୍ଦଲ ବି ଲୁମେକ୍ସ ସଂସ୍ଥା ସହ କୌଣସି କାରବାର କରିନଥିବା ସ୍ପଷ୍ଟ କରିଛି ଆଉ ରାଜୀବ ଜଣେ ଠକ ବୋଲି ମାନିଛି ଆଇନଗତ ପଦକ୍ଷେପ ନିଆଯିବ ବୋଲି ଚେତାଇଦେଇଛି ସଂସ୍ଥା। ଏନେଇ ସୂଚନା ଦେଇଛନ୍ତି ଜିଓଚେମ୍ ଲାବୋରୋଟୋରୀ ଏସ.କେ. ସାହୁ ।

    ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଡିଏଲଏଫ ସାଇବର ସିଟିରେ ଥିବା ଘରେ ଲୁମେକ୍ସ ସଂସ୍ଥା ଖୋଲିଥିଲା। ଏଠି ବି ଲୋପାମୁଦ୍ରାଙ୍କର ଜାଲି ଦସ୍ତଖତ ବଳରେ କୁଆଡ଼େ ରାଜୀବ ଆରଓସିରେ କମ୍ପାନୀ ପଞ୍ଜୀକୃତ କରିଥିବା ଅଭିଯୋଗ ହୋଇଛି। କାରଣ ପାର୍ଟନରସିପ ଫର୍ମର ବର୍ଷେ ପରେ କମ୍ପାନୀ କେମିତି ଗଠନ ହେଲା ତାକୁ ନେଇ ପ୍ରଶ୍ନ ଉଠିଥିଲା। ସମ୍ପର୍କିତ ଅଭିଯୋଗ ଆରଓସି, ଲିକ୍ୟୁଡିଟର ଅଫିସରଙ୍କ ପାଖରେ ଦାଖଲ ସହ ଥାନାରେ ବି ଏତଲା ଦିଆଯାଇଛି ହେଲେ ସେ ବାବଦରେ ଅଗ୍ରଗତି କେତେଦୂର ଗଲା, ତାକୁ ନେଇ ବି ସବୁ ଅନ୍ଧାରରେ। ବଡ଼ କଥା ହେଲା କମ୍ପାନୀର ଏବେକାର ଷ୍ଟାଟସ କଅଣ, ତାକୁ ନେଇ ରିପୋର୍ଟ ଦାଖଲ କରିବାକୁ ନିଯୁକ୍ତ ହୋଇଥିଲେ କୋର୍ଟ ଅଫିସର। ଆଉ କମ୍ପାନୀ କେଉଁଠି ଅଛି, ଏବେକାର ସ୍ଥିତି ପରଖିଲା ବେଳକୁ କମ୍ପାନୀରେ ତାଲା ପଡ଼ିଥିଲା ଆସବାବପତ୍ର ବି ନଥିଲା ଲୁମେକ୍ସ କମ୍ପାନୀ ଘର ଭଡ଼ା ଦେବାକୁ ବି ଅସମର୍ଥ ଥିଲା ବୋଲି କୁଆଡ଼େ ଏହାର ନିର୍ଦେଶକ ଫେରାର୍ ହୋଇଯାଇଥିଲେ। ଏ ସମ୍ପର୍କିତ ରିପୋର୍ଟ ଗଲା ଡିସେମ୍ୱର ମାସରୁ ଦାଖଲ ସରିଲାଣି ବୋଲି ସୂଚନା ମିଳିଛି। ୫ ନିର୍ଦେଶକଙ୍କ ଭିତରେ ବିମଳ ପାଢ଼ୀଙ୍କ ବି ଖୋଜଖବର ନାହିଁ। ଆଇଡିଏଫସି ବ୍ୟାଙ୍କରୁ କ୍ରେଡିଟ କାର୍ଡ ଆଧାରରେ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନାହାନ୍ତି ବିମଳ ଦୁଇ ମାସ ହେଲା ତାଙ୍କୁ ଯୋଗାଯୋଗ କରୁଛନ୍ତି ଫିଲ୍ଡ ଅଫିସର ନା ଫୋନ୍ ଉଠାଉଛନ୍ତି ନା ତାଙ୍କର ଠିକଣା ଠାବ ହୋଇପାରୁଛି ଆସନ୍ତା ମାସରୁ ବ୍ୟାଙ୍କ ବିମଳ ପାଢୀଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ନେବାକୁ ଚିନ୍ତା କରିଛି ବୋଲି କହିଛନ୍ତି ଆଇଡିଏଫସି ବ୍ୟାଙ୍କ ଅଫିସର ଜ୍ୟୋତିର୍ମୟ ମହାପାତ୍ର  ।

    କୋର୍ଟ ଅଫିସର ଫରେନସିକ ଅଡିଟର ମାନିଲେ ଏହା ଫ୍ରଡ କମ୍ପାନୀ ସମସ୍ତ ଟଙ୍କା ନେଣଦେଣ ବ୍ୟକ୍ତିଗତ ପରିବାର ସମ୍ପର୍କୀୟଙ୍କ ଭିତରେ ହୋଇଥିଲା ନିବେଶକଙ୍କୁ ଚୂନ ଲଗାଇବା ପାଇଁ କୌଣସି ବାଟ ଛାଡିନଥିଲେ ଏହି ଠକ ଦମ୍ପତ୍ତି ନିବେଶକଙ୍କୁ ଚୂନ ଲଗାଇବାକୁ କିଭଳି ରାଜୀବ, ସୋନିଆ ଓ ତିନି ସହଯୋଗୀ ଜାଲ ବିଛାଇଥିଲେ, ତାହା ସମସ୍ତଙ୍କୁ ତାଜୁବ କରୁଛି। କାହାକୁ ବି ଛାଡ଼ିଲେନି ଏହି ରାକେଟ୍ ଏବେ ଇଓଡବ୍ଲୁ ମୂଳରୁ ଖୋଜିବ ଏହି ଦୁର୍ନୀତିର ଚେରକୁ। ଆଉ ମାମଲାର ଗମ୍ଭୀରତାକୁ ଦେଖି ଜାଲିଆତିର ଗଭୀରତାକୁ ଖୋଜୁଛି ଇଓଡବ୍ଲୁ ଜାଲିଆତିର ସାମ୍ରାଜ୍ୟର ଏହି ମାଷ୍ଟରମାଣ୍ଡକୁ ଧରିବାକୁ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ।

    ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

  • LUMEX RESOURCES LOOT INQUARY( ଲୁମେକ୍ସ ସଂସ୍ଥା ନାଁରେ ଆର୍ଥିକ ହେରଫେର)

    08/04/2023

    () ଗୋଟିଏ ଉଦ୍ଦେଶ୍ୟ ଥିଲା। ରାତାରାତି ଠକିବା। ଆଉ କୋଟି କୋଟି ଟଙ୍କା ନେଇ ପାର୍ ହୋଇଯିବା। ଚକାଚକ୍‌ ଅଫିସ, ବାବୁଙ୍କ ଭଳି ଠାଣିରେ ଏମିତିରେ ବି କେହି ଅବିଶ୍ୱାସ କରିବାର ପ୍ରଶ୍ନ ଉଠୁନଥିଲା। ଆଉ ବହୁ ବଡ଼ବଡ଼ିଆଙ୍କ ସହ ସମ୍ପର୍କ ସାଙ୍ଗକୁ ନାମୀଦାମୀ ସଂସ୍ଥା ସହ କାରବାର କରୁଥିବାର ମିଛ ଭେଳିକିକୁ ବି ସହଜେ କେହି ଧରିପାରିବେନି ବୋଲି ଭ୍ରମରେ ଥିଲେ ଠକ। କିନ୍ତୁ ଠକାମୀ ବେଶୀ ଦିନ ଚାଲିପାରିଲାନି। କମିଶନରେଟ ପୁଲିସରୁ ତଦନ୍ତ ଭାର ଇଓଡବ୍ଲୁ ନେଇ ଏବେ ଖୋଜୁଛି ଏହି ଠକଙ୍କୁ ଆଉ ଏମାନଙ୍କ ନେଟଓ୍ୱର୍କକୁ।

    ଜାଲ ବିଛାଇଥିଲେ ଆଉ ପାଲରେ ପକାଇଦେଇଥିଲେ ନିଶାରାଣୀ ମହାପାତ୍ରଙ୍କୁ ଲୁମେକ୍ସ ସଂସ୍ଥା ନାଁରେ ଡିଏଲଏଫ ସାଇବର ସିଟିରେ ଅଫିସ ଖୋଲି ଜାଲି ଦସ୍ତାବିଜ୍‌ ଦେଖାଇ ଆଗ ନିଶାରାଣୀଙ୍କ ଭଳି ନିବେଶକଙ୍କଠୁ ଟଙ୍କା ନେବାରେ ସଫଳ ହୋଇଥିଲେ ଠକ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀ। କିଛି ମାସ ଭଲ ରିଟର୍ଣ୍ଣ ଦେଇ ନିଶାରାଣୀଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶଙ୍କୁ ବି ଜାଲରେ ପକାଇଲେ।। ପ୍ରଜ୍ଞାଙ୍କୁ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ଚୂନ ଲଗାଇବା ଆରମ୍ଭ କଲେ ପୋଖରୀପୁଟରେ ଲକଜରି ଭିଲ୍ଲା ଓ ଡୁପ୍ଲେକ୍ସ ଦେବା ନାଁରେ ନେଇଗଲେ କୋଟି କୋଟି ଟଙ୍କା। ଉଭୟ ପତି ପତ୍ନୀଙ୍କ ବିଶ୍ୱାସରେ ବିଷ ଦେଇ କମ୍ପାନୀରେ ତାଲା ଠୁଙ୍କି ଫେରାର୍ ହୋଇଗଲେ ଏହି ଠକ ଦମ୍ପତ୍ତିଙ୍କ ସମେତ ଅନ୍ୟ ତିନି ସହଯୋଗୀ ଉଷାରାଣୀ ପାଣିଗ୍ରାହୀ, ହିମାଂଶୁ ପାଣିଗ୍ରାହୀ ଓ ବିମଳ ପାଢ଼ୀ। କମିଶନରେଟ ପୁଲିସର ଶୀଥିଳତା, କୋର୍ଟଙ୍କ ନିର୍ଦେଶକୁ ଅନୁପାଳନରେ ପୁଲିସର ପଛଘୁଞ୍ଚା, ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସହ ରାଜୀବଙ୍କ ସମ୍ପର୍କ, ବିଧାନସଭାରେ ବିରୋଧୀଙ୍କ ଗର୍ଜନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଆଉ ଶେଷରେ ଇଓଡବ୍ଲୁ ତଦନ୍ତ ହାତକୁ ନେବା ସବୁ ଅତୀତ ଏବେ କଥା ପଡ଼ିଛି, ଇଓଡବ୍ଲୁ କମିଶନରେଟ ପୁଲିସଠୁ ଆବଶ୍ୟକୀୟ ସମସ୍ତ ନଥିପତ୍ର ନେଇସାରିଲାଣି କେବେଠୁ। ଏଡିଜି ଅରୁଣ ବୋଥ୍ରା ପୁଣି ତଦନ୍ତକୁ ନିଜେ ଅନୁଧ୍ୟାନ କରୁଛନ୍ତି। କିନ୍ତୁ ସେପଟେ ଯେଉଁ ତଥ୍ୟ, ପ୍ରମାଣ ଏବେ ସମସ୍ତଙ୍କ ସାମ୍ନାରେ ରହିଛି ହୁଏତ, ଇଓଡବ୍ଲୁ ଭଳି ଦକ୍ଷ ତଦନ୍ତକାରୀ ସଂସ୍ଥାକୁ ତଦନ୍ତକୁ ଆଗେଇନେବାରେ ବିଳମ୍ୱ ଲାଗିନପାରେ ଆଉ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ବି ସମୟସାପେକ୍ଷ ହୋଇନପାରେ ଏନେଇ ନିଜର ମତ ପୋଷଣ କରିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ।

    କାରଣ କୋର୍ଟ ଅଫିସର ଫରେନସିକ ଅଡିଟରୁ ମାନିଛନ୍ତି, ଲୁମେକ୍ସ ପୁରା ଫେକ୍ ତଦନ୍ତରେ ଦେଖିବାକୁ ପାଇଥିଲେ ଯେ, କମ୍ପାନୀରେ ତାଲା ପଡ଼ିଥିଲା ଏପରିକି ଚେୟାର ଟେବୁଲ୍‌ ବି ପାଇନଥିଲେ ନିବେଶର ସବୁ ଟଙ୍କା ନିର୍ଦେଶକମଣ୍ଡଳୀ ନିଜ ନିଜ ଭିତରେ ବାଣ୍ଟିକି ଖାଇ ଯାଇଛନ୍ତି ବିଶେଷକରି ରାଜୀବ, ଉଷା ବିମଳଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି କେବଳ ଏତିକି ନୁହେଁ। ଲୁମେକ୍ସ ସଂସ୍ଥା ଯାହା ସହ ବ୍ୟବସାୟିକ ଚୁକ୍ତି କରିଥିଲା ଆଉ ନେଣଦେଣ କରିଛି ବୋଲି ଦର୍ଶାଇଥିଲା, ସେ ସବୁ ବି ଫେକ୍ ବୋଲି ମାନିଛନ୍ତି। କାରଣ ଏହା ଆଇନସଙ୍ଗତ ବୋଲି ପ୍ରମାଣ କରିବାକୁ କୌଣସି ତଥ୍ୟପ୍ରମାଣ କୋର୍ଟ ଅଫିସରଙ୍କ ହାତରେ ଲାଗିନଥିଲା। ଏପରିକି ରାଜୀବ ହାର୍ଡଡିସ୍କ ନେଇ ପାର୍ ହୋଇଯାଇଛନ୍ତି ବିମଳଙ୍କୁ ବ୍ୟାଙ୍କ ଖୋଜୁଛି ଅନେକ ବ୍ୟାଙ୍କରୁ ଋଣ ନେଇ ଧରାଛୁଆଁ ଦେଉନାହାନ୍ତି ବୋଲି ଅଭିଯୋଗ ଆସିଛି। ଉଷା ହିମାଂଶୁଙ୍କ ଅବସ୍ଥା ବି କିଛି ଏମିତି ବ୍ରହ୍ମପୁରର ନୂଆଗାଁସ୍ଥିତ ଯେଉଁ ରୋୟାଲ ଫାର୍ମାସି ଫ୍ଲାଟରେ ରହୁଥିଲେ, ସେ ଘରକୁ ଆଉ କାହାକୁ ଦେଇସାରିଲେଣି। ଏହି ଫ୍ଲାଟରେ ଏବେ ରହୁଛନ୍ତି ଗଙ୍ଗାଧର ପାଣିଗ୍ରାହୀ। ଯଦିଓ ଘରର ପଞ୍ଜୀକରଣ କ୍ରେତାଙ୍କ ନାଁରେ ଏ ଯାଏ ସରିନି। ଗଙ୍ଗାଧରଙ୍କ କହିବା କଥା, ଏହି ଫ୍ଲାଟକୁ ତାଙ୍କ ନାଁରେ ଏ ଯାଏ ପଞ୍ଜୀକୃତ ହୋଇପାରିନି। କେବଳ ଏଗ୍ରିମେଣ୍ଟ ହୋଇଛି। ପଞ୍ଜାବ ନାସନାଲ ବ୍ୟାଙ୍କ, କର୍ଣ୍ଣାଟକ ବ୍ୟାଙ୍କରୁ ୨୨ ଲକ୍ଷ ଟଙ୍କାର ଋଣ ପାଣିଗ୍ରାହୀ ଦମ୍ପତ୍ତି ନେଇଛନ୍ତି ଗଙ୍ଗାଧରଙ୍କଠୁ ବି ଲକ୍ଷ ଟଙ୍କା ଧାର ନେଇଛନ୍ତି ଘର ପଞ୍ଜୀକରଣ ହେଲେ ଯାଇ ଋଣ ଟଙ୍କା ପରିଶୋଧ କରିବେ ବୋଲି ଗଙ୍ଗାଧର ପାଣିଗ୍ରାହୀ ସମତି ଦେଇ ଅପେକ୍ଷାରେ। ଆଉ ଚଳିତ ମାସରୁ ଗଙ୍ଗାଧରଙ୍କ ଆକାଉଣ୍ଟରୁ ଇଏମଆଇ କଟିବା ଆରମ୍ଭ ହୋଇଛି। ଏ ବିଷୟରେ କହିଛନ୍ତି କୋର୍ଟ ଅଫିସର ସୁରେଶ ପଟ୍ଟନାୟକ

    ଲାଗୁଛି ଯେମିତି ୫କୁ ଯେମିତି ପେଞ୍ଚ କରି ଅନ୍ୟକୁ ନିଜ ପଞ୍ଝାରେ ଫସାଇବାକୁ ଚେଷ୍ଟା କରିଥିଲେ, ଏବେ ସେମିତି ନିଜେ ଭୋଗୁଛନ୍ତି କିଏ ଆଇନ ଆଖିରେ ଧୂଳି ଦେଇ ଲୁଚିଛି ତ କିଏ ବ୍ୟାଙ୍କକୁ ଚୂନ ଲଗାଇ ଧରାଛୁଆଁ ଦେଉନି। ନିବେଶକଙ୍କ ବିଶ୍ୱାସରେ ବିଷ ଦେଇଥିବା ଏହି ଠକ ଗୋଷ୍ଠୀ ବି ଜାଣିବା ଦରକାର, ଆଇନର ହାତ ବହୁତ ଲମ୍ୱା ଅପରାଧ କରି ଯେତେ ଲୁଚିଲେ କି ଫନ୍ଦି କଲେ। କି କୌଣସି ପ୍ରଭାବଶାଳୀର ସମ୍ପର୍କୀୟ କହି ସାଧାରଣରେ ପ୍ରଭାବ ଦେଖାଇବାକୁ ଚେଷ୍ଟା କଲେ ବି ପରିଣତି ଶେଷରେ କଅଣ ହୁଏ, ଏ କଥା ଉଣା ଅଧିକେ ସମସ୍ତଙ୍କୁ ଜଣା।

    ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

  • ଲୁମେକ୍ସ ଲୁଟ୍ ପ୍ରସଙ୍ଗ: ଇଡି କରିବ ତଦନ୍ତ

    () ନକ୍ଷତ୍ର ନ୍ୟୁଜର ପ୍ରଭାବ। ଲୁମେକ୍ସ ଲୁଟ୍ ପ୍ରସଙ୍ଗରେ କ୍ରମାଗତ ଆମ ସାଟେଲାଇଟ ଚ୍ୟାନେଲ ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ପରେ ଶେଷରେ ଏହି ବଡ଼ ଧରଣର ଆର୍ଥିକ ହେରଫେର ମାମଲାର ଯାଞ୍ଚ ପାଇଁ ଅଣ୍ଟା ଭିଡିଛି ପ୍ରବର୍ତ୍ତନ ନିର୍ଦ୍ଦୋଳୟ ବା ଇଡି। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନିର୍ଦେଶ କ୍ରମେ ଠକ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ ନାଁରେ ମାମଲା ରୁଜୁ ହେବା ସହ ଏବେ ଏମାନଙ୍କୁ ଖୋଜୁଛି ଇକୋନୋମିକ୍ସ ଅଫନ୍ସ ୱିଙ୍ଗ ବା ଇଓଡବ୍ଲୁ। ହେଲେ ତଦନ୍ତ ପ୍ରକ୍ରିୟା ଆଗେଇବାକୁ ଆବଶ୍ୟକ ତଥ୍ୟ କମିଶନରେଟ ପୁଲିସଠୁ ଯୋଗାଡ଼ କରିବାକୁ ଯାହା କିଛି ସମୟ ଲାଗିବ। ସେପଟେ ବିଳମ୍ୱରେ ହେଲେ ବି ଇଓଡବ୍ଲୁ ମାମଲା ହାତକୁ ନେଇଥିବାରୁ ନିବେଶକାରୀ ନ୍ୟାୟ ପାଇବେ ବୋଲି ଆଶା ଜାଗି ଉଠିଛି।

    କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଶେଷରେ ଲୁମେକ୍ସ ମହାଠକେଇର ମାଷ୍ଟରମାଇଣ୍ଡ ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କୁ ଧରିବାକୁ ନିର୍ଦେଶ ଦେଇଛନ୍ତି। ଠକ ଦମ୍ପତ୍ତିଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି। ଲୁମେକ୍ସ ରିସୋର୍ସ ସଂସ୍ଥା ନାଁରେ ସାଢ଼େ ୫ କୋଟି। ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ୫ କୋଟି। ଉଭୟ ସଂସ୍ଥାରେ ନିବେଶକାରୀ ନିଶାରାଣୀ ମହାପାତ୍ର ଓ ପ୍ରଜ୍ଞା ପ୍ରକାଶ ନାୟକଙ୍କଠୁ ଚୂନ ଲଗାଇଥିବା ଠକ ଦମ୍ପତ୍ତିଙ୍କ ମହାଠକେଇକୁ ନେଇ ନକ୍ଷତ୍ର ନ୍ୟୁଜର ଘନ ଘନ ପ୍ରସାରଣ ପରେ ଏହାକୁ ନେଇ ବିଧାନସଭାରେ ବିରୋଧୀ ସ୍ୱର ଉତ୍ତୋଳନ କରିଥିଲେ। କାହିଁକି କମିଶନରେଟ ପୁଲିସ ମାମଲାକୁ ଚାପି ବସିଛି। କୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରିବାକୁ ପଛାଉଛି। ଏହି ମାମଲାକୁ ଅଧିକ ଜଟିଳ କରିଦେଇଥିଲା ଯେତେବେଳେ ଅଭିଯୋଗକାରିଣୀ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଅଭିଯୋଗପତ୍ରରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ନାଁ ଉଲ୍ଲେଖ କରିଥିଲେ। ଆଉ ପ୍ରାୟ ୧୦ କୋଟି ଟଙ୍କା ଠକେଇ ହୋଇଥିଲେ ସୁଦ୍ଧା କାହିଁକି ଇଓଡବ୍ଲୁ ଏହାକୁ ହାତକୁ ନେଉନି ବୋଲି ବିଧାନସଭାରେ ବିରୋଧୀ ସରକାରଙ୍କୁ ଉତ୍ତର ମାଗିଥିଲେ। ଆଉ ଶେଷରେ ଇଓଡବ୍ଲୁ ଏହି ମାମଲା ହାତକୁ ନେଇଛି। ତେବେ ତଦନ୍ତ ଲାଗି କମିଶନରେଟ ପୁଲିସଠୁ ଆବଶ୍ୟକୀୟ ନଥିପତ୍ର ଯୋଗାଡ଼ କରିବ ଇଓଡବ୍ଲୁ। ତଦନ୍ତର ଅଗ୍ରଗତିକୁ ତର୍ଜମା କରି ଆଗେଇବ ବୋଲି ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେପଟେ ବିରୋଧୀ ଦଳ କହିଛନ୍ତି, ଏମିତିରେ ବହୁ ବିଳମ୍ୱ ହେଲାଣି। ଏଣିକି ତ୍ୱରିତ ନ୍ୟାୟ ଦେଇ ନିବେଶକାରୀଙ୍କୁ ଆଶ୍ୱସ୍ତ କରିବା କଥା ପୁଲିସ। ଶାସକ ଦଳ କହୁଛି, ଧୈର୍ଯ୍ୟ ଧରନ୍ତୁ, ନିଶ୍ଚିତ ଆକ୍ସନ ନିଆଯିବ।

    ସେପଟେ ବରିଷ୍ଠ ଆଇନଜୀବୀଙ୍କ ମତରେ, କମିଶନରେଟ ପୁଲିସ କୋର୍ଟଙ୍କ ନିର୍ଦେଶକୁ ଠିକଣା ଢଙ୍ଗରେ ଅନୁପାଳନ କରିପାରିଲାନି ଏ କଥା ଏକରକମ ସ୍ପଷ୍ଟ। କୋଟି କୋଟି ଟଙ୍କା ଠକେଇ ହୋଇଥିଲେ ସୁଦ୍ଧା ଏହାକୁ କାହିଁକି ଇଓଡବ୍ଲୁକୁ ହସ୍ତାନ୍ତର କରିନଥିଲା। ଦୀର୍ଘ ଦିନ ଧରି ଫାଇଲରେ ତଦନ୍ତ ଚାଲିଥିଲା ନା ବାସ୍ତବରେ ଗ୍ରାଉଣ୍ଡରେ, ତାକୁ ନେଇ ସ୍ପଷ୍ଟତା ଆସୁନଥିଲା। ଏବେ ଇଓଡବ୍ଲୁ ହାତକୁ ନେବା ପରେ ତଦନ୍ତର ମୋଡ଼ କୁଆଡ଼କୁ ମୁହାଁଉଛି, ଦେଖିବାର କଥା। ଅବସରପ୍ରାପ୍ତ ଡିଜି ସଞ୍ଜୀବ ମାରିକଙ୍କ ମତରେ, ପୁଲିସ ପାରଦର୍ଶିତାର ସହ ଏଭଳି ପରିସ୍ଥିତିରେ ତଦନ୍ତକୁ ଅଗ୍ରାଧିକାର ଦେଇ ଆଗେଇଯିବା କଥା।

    ବଡ଼ ଧରଣର ଆର୍ଥିକ ଠକେଇ। ସବୁ ନେଣଦେଣ ଅନଲାଇନରେ। ଖୋଲା ପୃଷ୍ଠା ଭଳି ଏହି ଠକେଇ ଜଳଜଳ କରି ଦିଶୁଛି। ଏବେ ଇଓଡବ୍ଲୁ ଏହି ମାମଲାକୁ ହାତକୁ ନେବା ପରେ ନିବେଶକାରୀ ତ୍ୱରିତ ନ୍ୟାୟ ପାଇବେ ବୋଲି ପୁଣି ଆଶା ସଞ୍ଚାର ହୋଇଛି।

     ସ୍ୱରୂପା, ନବକିଶୋର ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ବିଧାନସଭାରେ ଲୁମେକ୍ସ ତୋଫାନ

    () ସରକାର ସ୍ବଚ୍ଛ ଶାସନ ପାଇଁ ନିଜ ପିଠି ଥାପୁଡାଉଛନ୍ତି। ମୁଖ୍ୟମନ୍ତ୍ରୀ କୌଣସି ପ୍ରକାରର ଦୁର୍ନୀତି ବା କାର୍ଯ୍ୟ ପ୍ରତି ଅବହେଳା ପ୍ରତି ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରୁଥିବା ଶାସକ ଦଳ କହୁଛି। ହେଲେ ନ୍ୟାୟାଳୟର ନିର୍ଦେଶକୁ ଫୁ କରି କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଠକ ଦମ୍ପତ୍ତି ରାଜୀବ ଲୋଚନ ଦାସ ଓ ସୋନିଆ ତ୍ରିପାଠୀଙ୍କ ଦେହରେ ହାତ ଦେଉନି ପୁଲିସ। ତଥାପି ସରକାର ଚୁପ।  ଯାହାକୁ ନେଇ ଆଜି ବିଧାନସଭାରେ ଉଠିଲା ପ୍ରସଙ୍ଗ। ଜଣେ ଆଇପିଏସଙ୍କ ସମ୍ପର୍କୀୟ ହେତୁ ପୁଲିସ ପଛଘୁଞ୍ଚା ଦେଉଛି କି ବୋଲି ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ବିରୋଧୀ। ନ୍ୟାୟ ଲାଗି ସବୁ ଫୋରମକୁ ଗଲା ସତ୍ତ୍ୱେ ନିବେଶକ ସହାୟତା ନ ପାଇ ହେଉଛି ଅସହାୟ। ଏହା ଉପରେ କଅଣ କରୁଛନ୍ତି ସରକାର ବୋଲି ତମ୍ୱିତୋଫାନ କରିଛନ୍ତି ବିରୋଧୀ ଦଳ।

    ବିଧାନସଭାରେ ଠକ ଦମ୍ପତ୍ତିଙ୍କ କାରନାମାକୁ ନେଇ ବିରୋଧୀଙ୍କ ତମ୍ୱିତୋଫାନ୍। କିଏ ଠକ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ ରକ୍ଷାକବଚ ସାଜିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ୱେ କାହିଁକି ଏ ଯାଏ ବାନ୍ଧିନି ପୁଲିସ୍। କମିଶନରେଟ ପୁଲିସର ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ବୋଲି କଥା ପଦାକୁ ଆସିଛି। ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବଙ୍କଠୁ ନେଇ ଡିଜିଙ୍କ ଯାଏ, ସମସ୍ତଙ୍କୁ ଅଭିଯୋଗକାରିଣୀ ନ୍ୟାୟ ଲାଗି ଗୁହାରି କଲେ। ହେଲେ ଆକ୍ସନ କାଇଁ। ନିଶାରାଣୀ ମହାପାତ୍ରଙ୍କଠୁ ଲୁମେକ୍ସ ସଂସ୍ଥା ନାଁରେ କେବଳ ସାଢ଼େ ୫ କୋଟି ଲୁଟିନାହାନ୍ତି। ତାଙ୍କ ସ୍ୱାମୀ ପ୍ରଜ୍ଞା ପ୍ରକାଶ ନାୟକଙ୍କୁ ବି ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ୫ କୋଟିରୁ ବେଶୀ ଟଙ୍କାର ଚୂନ ଲଗାଇଛନ୍ତି। ସବୁ ପ୍ରମାଣ ହାତପାହାନ୍ତାରେ।

    ତଥାପି ପୁଲିସ କାହା ଚାପରେ ପଛାଉଛି ବୋଲି ପଚାରିଛନ୍ତି ବିରୋଧୀ ଦଳ ନେତା। ଆଉ ବିରୋଧୀ ଦଳ ନେତାଙ୍କ ସହ ସମସ୍ୱରରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଠକ ବୁଲୁଛି। ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରହି ଜ୍ଞାନ ବାଣ୍ଟୁଛି। ଯେଉଁ ସବୁ ସଂସ୍ଥା ସହ କାରବାର କରୁଥିବା କଥା କହି ଜାଲି ଦସ୍ତାବିଜ୍ ବଳରେ ରାଜୀବ, ସୋନିଆ ଓ ତାଙ୍କ ଅନ୍ୟ ୩ ସହଯୋଗୀ ହିମାଂଶୁ, ଉଷା ଓ ବିମଳ ଠକିଛନ୍ତି। ସେ ସବୁ ସଂସ୍ଥା ବି ରାଜୀବଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏତଲା ଉପରେ ଥରୁଟିଏ ହେଲେ ବି ପୁଲିସ ତଦନ୍ତ କରିଛି କି। ଅନ୍ୟ ତିନି ଅଭିଯୁକ୍ତଙ୍କ ପାଖରେ କେତେ ଥର ପହଞ୍ଚି ତନାଘନା କଲାଣି ପୁଲିସ। ଏ ସବୁ ପ୍ରଶ୍ନର ଉତ୍ତର ଆଜି ଚାହୁଁଛନ୍ତି ରାଜ୍ୟବାସୀ।

    ସେପଟେ ଶାସକ ଦଳ ବେଶ୍ ମାପିଚୁପି ଏହା ଉପରେ ବୟାନ ରଖିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଅନୁପାଳନ କରିବା କଥା। ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଗିରଫ ହେବେ। ଆଇନ ଆଖିରେ ସମସ୍ତେ ସମାନ କହି ପ୍ରସଙ୍ଗକୁ ଏଡାଇବାକୁ ଶାସକ ଦଳ ଚେଷ୍ଟା ଚଳାଛି। ଯଦି ଆଇନ ଆଖିରେ ସବୁ ସମାନ ତେବେ ଠକ ଦମ୍ପତ୍ତି ଓ ସେମାନଙ୍କ ସହଯୋଗୀ ଏ ଯାଏ କଅଣ ପୁଲିସ ସ୍କାନରକୁ ଆସିପାରିନାହାନ୍ତି? ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ବି ଅନୁପାଳନ କରିବାକୁ ପୁଲିସ ପଛାଇବା ପଛରେ ରହସ୍ୟ କଅଣ? ଲୁମେକ୍ସ ଓ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ଲୋକଙ୍କୁ ଚୂନ ଲଗାଇଥିବା ରାଜୀବର କାରସାଦି ଓ ସରକାରୀ ବ୍ୟବସ୍ଥାର ଅସହାୟତାକୁ ନେଇ ଏମିତି ତମାମ ପ୍ରଶ୍ନ ଓ ସନ୍ଦେହ ଘୁରିବୁଲୁଛି।

    ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଏହି ଠକ ସଂସ୍ଥା, ଠକ ଦମ୍ପତି ତଥା ସେମାନଙ୍କୁ ସୁରକ୍ଷା ଦେଉଥିବା ଆଇପିଏସଙ୍କ ସମ୍ପର୍କରେ ନାନା ତଥ୍ୟ ପ୍ରମାଣ ଦିଆଯିବା ପରେ ମଧ୍ୟ ସରକାରଙ୍କ ନିରବତା ସରକାରର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button