marriage

  • ବିବାହ: ବଦଳୁଛି ପ୍ରଥା ପରମ୍ପରା

    ଭାରତୀୟ ସଂସ୍କୃତିରେ ବାହାଘର ଏକ ଗୁରୁତ୍ୱପୁର୍ଣ୍ଣ ବ୍ୟବସ୍ଥା। ପରିବାର ଏହି ବିବାହ ନାମକ ଅନୁଷ୍ଠାନର ଦାନ ବୋଲି କୁହାଯାଏ। ପୁଅ ଝିଅ ସମ୍ପର୍କ ବୈଧ କି ଅବୈଧ ତାହା ବିବାହ ସ୍ଥିର କରେ। ସନ୍ତାନର ଅସ୍ଥିତ୍ୱ ମଧ୍ୟ ବିବାହ ସହ ଜଡ଼ିତ ଏକ ପ୍ରସଙ୍ଗ। ପ୍ରତ୍ୟେକ ଧର୍ମ, ଜାତି ଓ ସମ୍ପ୍ରଦାୟ ସହ ଅଞ୍ଚଳ ବିଶେଷରେ ଏହାର ସ୍ୱତନ୍ତ୍ରତା ବାରି ହୁଏ। ଯାହା ଆମେ ଜାଣୁ ଯେ, ଭୋଜି, ଭାତ, ଆନନ୍ଦ ଉତ୍ସବ, ନୂଆ ନୂଆ ପୋଷାକ, ନୂଆ ବନ୍ଧୁ ପରିଜନ ଓ ଦେବାନେବାର ଏକ ବିରାଟ ଆୟୋଜନ ହେଉଛି ବିବାହ। ସମାଜ ସେ ସବୁ ପରେ ହିଁ ବୈବାହିକ ବନ୍ଧନକୁ ବୈଧ ବୋଲି ମୋହର ମାରୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆରେଞ୍ଜ ମ୍ୟାରେଜ ଠାରୁ ଭିନ୍ନ ହୋଇ କିଛି ଲୋକ ସ୍ୱଇଛାରେ ଲଭ୍ ମ୍ୟାରେଜ କଲେ, ଯେଉଁଠି ଘର ଲୋକଙ୍କ ସହମତି ନଥିଲେ ବିବାହ ନିରାଡମ୍ବର ଭାବେ କୋର୍ଟ କଚୋରୀରେ ହେଲା। କିଛି ପୁଣି କଣ୍ଟ୍ରାକ୍ଟ ମ୍ୟାରେଜକୁ ବାଛିଲେ। ଯଦି ସବୁ ଠିକ୍ ରହିବ ତେବେ ଅଧିକ ଅବଧି ଯାଏଁ ବୈବାହିକ ଜୀବନ ଆଗକୁ ବଢିବ ନହେଲେ ଯେତିକି ହେଲା ସେତିକି ଢେର କହି କଣ୍ଟ୍ରାକ୍ଟ କିଛି ବର୍ଷ ପରେ ଭାଙ୍ଗିଦେଲେ । ଯାହା ବିଦେଶରେ ହେଉଥିଲା ଏବେ କିଛି କିଛି ଭାରତୀୟ ଯୁବପିଢି ସେ ଧାରା ଧରିଲେଣି। ନଚେତ୍ ଲିଭ୍ ଇନ୍ ରେ ରହିବେ ବିନା କୌଣସି ପ୍ରତିବଦ୍ଧତାରେ ବିଶେଷ କିଛି ଆବେଗ ଓ ଭାବପ୍ରବଣତା ରେ ବାନ୍ଧି ନହୋଇ ଚଳିବେ। ଯଦି ମନ ଖୁବ ଜୋରରେ ମିଶିଗଲା ତେବେ ବିବାହ ମଧ୍ୟ କରିପାରନ୍ତି ।

    ତେବେ ଏତେ ସବୁ କଥାର ଗୋଟିଏ ନିଷ୍କର୍ସ ସମୟ ସହ ବିବାହକୁ ନେଇ ପୂର୍ବ ସ୍ଥିରିକୃତ ନୀତି, ନିଷ୍ପତ୍ତି ଓ ଅବଧାରଣା ବଦଳୁଛି। ଯେମିତି ବାହାଘରରେ ପୁଅ ପକ୍ଷକୁ ବିଶେଷ ଗୁରୁତ୍ୱ ଦିଆଯାଏ। ତାଙ୍କ ଡିମାଣ୍ଡ, ତାଙ୍କ ମର୍ଯ୍ୟଦା, ତାଙ୍କ ସାମାଜିକ ପ୍ରତିଷ୍ଠା ଏସବୁର ଭୂମିକା ଝିଅଘର ପକ୍ଷଠାରୁ ଅଧିକ ପ୍ରାଥମିକତା ପାଏ। ବର ପକ୍ଷ ଯାହା କହିବେ କନ୍ୟା ପକ୍ଷ ତାହା ସହିବେ । ବର ଯେମିତି ହେଲେ ବି କନ୍ୟା ତା ସହ ମୁହଁ ବନ୍ଦ କରି ବିବାହ ବନ୍ଧନରେ ବାନ୍ଧି ହୋଇଯିବ। ତାହା ଏବେ କିଛି ସ୍ଥାନରେ ବଦଳିଗଲାଣି ବୋଲି ପ୍ରତୀୟମାନ ହେଉଛି। ଝିଅମାନେ ଶିକ୍ଷିତ ଓ ଆର୍ଥୀକ ସ୍ୱାବଲମ୍ବି ହେବା ସହ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଏ ପରିବର୍ତ୍ତନର ଏକ ଗୁରୁତ୍ୱପୁର୍ଣ୍ଣ ଦିଗ ହୋଇପାରେ। ବାହା ହେବାକୁ କଥା ଦେଇ ପ୍ରତାରଣା କଲେ ସମାଜ ଜାଣିଯିବ ଭୟରେ ଝିଅ ନିରବ ହୋଇ ପ୍ରେମିକର ବିବାହ ଦେଖିବ ଏବଂ ପରିବାର କଥାରେ ଅନ୍ୟତ୍ର ବୋହୁ ହୋଇ ଯିବ। ଏସବୁ ଆଉ ଚଳେଇ ନେବା ମାନସିକତାରେ ନାହାଁନ୍ତି ନୂଆ ପିଢିର ଝିଅ। ହକ୍ ପାଇଁ ଥାନା କଚେରୀ ଯାଏଁ ଯିବାକୁ ଆଉ ଭୟ କରୁ ନାହାଁନ୍ତି। ଲୋକଲଜ୍ଜା, ସମାଜ କ’ଣ କହିବ ସେକଥା ଅଛି କିନ୍ତୁ ତାଙ୍କୁ ଖାତିର ନକରି ଆଗକୁ ବଢିବା ଯୁବତୀଙ୍କ ସଂଖ୍ୟା ବଢୁଛି ।

    ବିବାହ ଯେହେତୁ ବ୍ୟକ୍ତିଗତ ନିଷ୍ପତ୍ତି ତେଣୁ ତାକୁ ବ୍ୟକ୍ତି ଉପରେ ଛଡ଼ାଯାଉ ସେ କେଉଁ ଭଳି ସମ୍ପର୍କ ଗଢିବାକୁ ଚାହେଁ। ଯେଉଁଠି ଚାଇଲ୍ଡ ମ୍ୟାରେଜ, ଆରେଞ୍ଜ ମ୍ୟାରେଜ୍ ଓ ଫୋର୍ସ ମ୍ୟାରେଜ ଭଳି କଥା ଆଜି ବି ସମାଜରେ ବହୁଳ ଭାବେ ଜାରି ରହିଛି ସେଠି ସହମତି ଥିବା ଓ ନଥିବା ଗୁରୁତ୍ୱପୁର୍ଣ୍ଣ ହେଲାଣି। ସବୁଠାରୁ ବଡ କଥା ଝିଅର ପସନ୍ଦ ନାପସନ୍ଦ ସମ୍ପର୍କ ଆଗକୁ ବଢିବ ନବଢିବର ମାପକାଠି ହୋଇ ସାରିଛି। କମ୍ ସେ କମ୍ ପୁଅ ତା ପାଇଁ ଯୋଗ୍ୟ କି ଅଯୋଗ୍ୟ ସେ କଥା ଖୋଲା ଖୋଲି କହିବାର ସାହସ ରଖୁଛନ୍ତି କିଛି ଝିଅ। ଜୀବନସାଥୀ ବାଛିବାର ସର୍ବନିମ୍ନ ଅଧିକାର ପାଉନଥିବା ଝିଅ ଏବେ ଏ ପୁରା ପ୍ରସଙ୍ଗ ଘରର ବଡ଼ଙ୍କ ଉପରେ ନୁହେଁ ବରଂ ନିଜ ହାତରେ ରଖିବାକୁ ଚାହୁଁଛନ୍ତି। କିଛି ଦିନ ଧରି ଯେଉଁ ସବୁ ଘଟଣା ଘଟିଚାଲିଛି ତାରି ଆଧାରରେ ଏସବୁ ଚର୍ଚ୍ଚା ବଢିଛି। କେଉଁଠି ବାହାଘର ଦିନକ ପରେ ପୁଅ ଅଯୋଗ୍ୟ ଜାଣି ଘରୁ ପଳାଉଛି ସଦ୍ୟ ବିବାହିତ ଝିଅ। କେଉଁଠି ବେଦୀ ଉପରେ ଘରଲୋକଙ୍କ ଚାପରେ ବସିଥିବା ଝିଅ ସାହସ ଜୁଟାଇ ପୂର୍ବରୁ ବାହାଘର ହୋଇସାରିଛି କହି ଚୁଡ଼ି ଶଙ୍ଖା ଖୋଲି ଫୋପାଡି ଦେବାରେ ସମର୍ଥ ହୋଇଛି। ପୁଣି କେଉଁଠି ନିଶାସକ୍ତ ବରକୁ ଦେଖି ବିଜୟମାଳା ଛିଣ୍ଡେଇ ବିବାହକୁ ଅଗ୍ରାହ୍ୟ କରିଛନ୍ତି। ଆଉ କେଉଁଠି ତ ସମୟକୁ ଖାତିର ନକରି ବରଯାତ୍ରୀ ସହ ନାଚିବାରେ ମସଗୁଲ ବରର ମାନସିକତା ଦେଖି ସେଇଠି ଆଉ ଜଣଙ୍କୁ ବିବାହ କରି ଭାବି ବରକୁ ପାନେ ଚଖେଇଛି ବିବାହ ମଣ୍ଡପରେ ବସିଥିବା ଝିଅ। ଜୁନ ମାସରେ ତ ପୁରା ଦେଶରେ ଚହଳ ପକାଇଦେଲେ ୨୪ ବର୍ଷୀୟ ଗୁଜରାତି ଝିଅ କ୍ଷମା ବିନ୍ଦୁ। ଯେତେବେଳେ ସେ ପ୍ରଚାର କଲେ ଯେ ହିନ୍ଦୁ ରିତିନୀତିରେ ବାହା ତ ହେବେ କିନ୍ତୁ ସେ ବାହାଘରରେ ବର କିଏ ରହିବେନି ବରଂ ସେ ନିଜ ସହ ହିଁ ବିବାହ କରିବେ। ବହୁ ବିରୋଧ ହେଲା, ତା ସତ୍ତ୍ୱେ ସେ ପାରମ୍ପରିକ ବେଶଭୂଷାରେ ବିବାହ ମଣ୍ଡପରେ ବସିଲେ ବାହାଘର ବିଧି ହେଲା, ନିଜକୁ ନିଜେ ସିନ୍ଦୁର ଓ ମଙ୍ଗଳସୂତ୍ର ପିନ୍ଧି ବିବାହିତ ହୋଇଗଲେ। ଏପରିକି ବିବାହ ପରର ହନିମୁନ ଯିବା ପାଇଁ ସେ ଡେଷ୍ଟିନେସନ୍ ପ୍ଲାନ୍ କରି ସାରିଥିବା ମଧ୍ୟ ଶୁଣିବାକୁ ମିଳିଲା। ଅନ୍ୟ କାହାକୁ ନୁହେଁ ବରଂ ନିଜକୁ ଭଲପାଇ ସେ ‘ସୋଲୋଗାମୀ’ର ରାସ୍ତା ବାଛିଲେ ବୋଲି କହିଲେ। ଏଭଳି ବିବାହ ବ୍ୟତିକ୍ରମକୁ ନେଇ ସମସ୍ତେ ନିଜ ନିଜ ସ୍ତରରେ ବିଚାର କରିଲେ। କିଏ ସ୍ୱେଛାଚାରି କିଏ ଚରିତ୍ରହୀନା କିଏ ଉଗ୍ର ଆଧୁନିକତା ବୋଲି କହିଲେ। ସମାଜିକ ଗଣମାଧ୍ୟମ ଏସବୁ ଝିଅଙ୍କୁ ବିଭିନ୍ନ ଢଙ୍ଗରେ ଚିତ୍ରଣ କରି ଚାଲିଲା। ଘର ପରିବାରର ସଂସ୍କୃତି, ସମାଜର ଅଧୋଗତି, ନୀତି, ନୈତିକତା ନେଇ ମତ ଦିଆଗଲା । କିଛି ଏଭଳି ମେସେଜ ସୋସିଆଲ ମିଡିଆରେ ଦିଆଗଲା ଯାହାକୁ ଦେଖି ଲାଗିବ ବାସ୍ତବରେ ଝିଅମାନେ ଆମ ସାମାଜିକ ଚଳଣି, ଆମ ସଂସ୍କୃତିକୁ ବେଖାତିର କରୁଛନ୍ତି ।

    ବିଗତ ଦିନରେ ବହୁ ସେଲିବ୍ରିଟି ବିଗଫ୍ୟାଟ୍ ୱେଡିଂ ବଦଳରେ ନିରୋଳାରେ ପରିବାର ଲୋକଙ୍କ ଗହଣରେ ବିବାହ କରି ଜଣାଇଛନ୍ତି ଯେ ବିବାହ ମାନେ କେବଳ ଖର୍ଚ୍ଚ ନୁହେଁ। ସାଧାସିଧାରେ ବିବାହ ସମ୍ଭବ। ଘର ଭିତରେ ନିଜେ ହାତରେ ସଜ ହୋଇ, ନିଜମାଙ୍କ ବିବାହ ବେଳର ଶାଢୀ ପିନ୍ଧି ବାହାହେଲେ ବଲିଉଡର ଜଣେ ଆଗଧାଡିର ହିରୋଇନ୍। ଆଉ ଗୋଟିଏ ଲୋକପ୍ରିୟ ଯୋଡ଼ି ତ ବିଦେଶରେ ବାହା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଘର ଲନରେ ବିନା ଖାସ୍ ମେକଅପ୍ ଓ ତାମଝାମରେ ବାହାଘର ସାରିଦେଲେ। ଆଉ ବିବାହ ପରେ ଫ୍ୟାନକୁ ଘର ଗେଟ ବାହାରେ ଆସି କହିଲେ ଆମେ ବାହା ହୋଇଗଲୁ। ଆଉ ଜଣେ ଏସବୁରୁ ଆଉ ପାଦେ ଆଗକୁ ବଢି, ବର୍ଷ ବର୍ଷର ପରମ୍ପରା ଭାଙ୍ଗିଲେ। ନିଜ ବିବାହରେ ପୁରୁଷ ପୁରୋହିତ ନୁହେଁ ମହିଳାଙ୍କ ଦ୍ୱାରା ବିବାହ ବିଧି ସମ୍ପନ୍ନ କରି ଜଣାଇଦେଲେ ଯେ ମନ୍ତ୍ରପାଠ ଗୁରୁତ୍ୱପୁର୍ଣ୍ଣ । କିଏ ପଢିଲେ, ସେ ମହିଳା କି ପୁରୁଷ ତାର କୌଣସି ଗୁରତ୍ୱ ନାହିଁ। ତା ଛଡ଼ା ପିଲା ଜନ୍ମ ପରେ ବିବାହ କରିବା। ପିଲାଙ୍କ ବାହାଘର ପରେ ପରିଣତ ବୟସରେ ପୁର୍ନବିବାହ କରିବା। ତମାମ ବ୍ୟତିକ୍ରମ ବିବାହକୁ ନେଇ ଦେଖିବାକୁ ମିଳୁଛି। କାହାକୁ ଅଡ଼ୁଆ ଲାଗୁ ଥାଇପାରେ କିନ୍ତୁ ବିବାହାର ରୁପ ବଦଳୁଛି। ଏବଂ ପରମ୍ପରାର ପୂର୍ବ ଅବଧାରଣା ଝିଅମାନେ ବଦଳାଇବାରେ ପ୍ରମୁଖ ଭୁମିକା ନେଉଛନ୍ତି।

    ଧରାବନ୍ଧା ନିୟମ ବଦଳୁ। ସମୟ ବଦଳେଇ ଦେଉ କି ଆମ ସଚେତନତା । ବ୍ୟକ୍ତି ସ୍ବାଧିନତାର ଗୁରୁତ୍ବ ରହୁ । ପୁରୁଣା ଚଳଣି ଯାହା ଭେଦଭାବ ସୃଷ୍ଟିକାରୀ ସେ ସବୁରୁ ସମାଜ ମୁକ୍ତ ହେଉ। ବଦଳିଯାଉ ସେ ସବୁ ନିୟମ ଯେଉଁଥିରେ ଗୋଟେ ପକ୍ଷ ଆଉ ଗୋଟେ ପକ୍ଷ ନିକଟରେ ମାନ, ମର୍ଯ୍ୟଦା, ସ୍ବାଭିମାନ, ଆତ୍ମସମ୍ମାନ ସବୁ ଅଜାଡ଼ି ଦେଉ ବୋଲି ଆଶା ରହେ । ସେଠି ସବୁ କଥା ବଦଳିବା ଦରକାର । ପୁଅ ଝିଅ ଉଭୟ ଉଭୟଙ୍କୁ ଜାଣନ୍ତୁ । ଜାଣିଲା ବୁଝିଲା ପରେ ବିବାହ ହେଉ, ପୁଅ ଝିଅଙ୍କ କିଣାବିକା ନହେଉ । ଚରିତ୍ର କେବଳ ଝିଅର ନୁହେଁ ପୁଅ ର ମଧ୍ୟ ବିଚାରକୁ ଆସୁ । ସମ୍ପର୍କ ବିଶ୍ବାସ ଉପରେ ପ୍ରତିଷ୍ଠିତ ହେଉ। ଯଦି ଜୀବନର କୈଣସି ମୁହୁର୍ତ୍ତରେ ବୈବାହିକ ଜୀବନ ଅଣନିଃଶ୍ବାସୀ ହେଉଛି ସେଥିରୁ ମୁକୁଳିବା ଅଧିକାର ମିଳୁ । ବିଚ୍ଛେଦ ପାଇଁ କେବଳ ଗୋଟିଏ ପକ୍ଷକୁ ଦାୟୀ କରାନଯାଉ । ଫମ୍ପା ଆବେଗରେ ଦିନେ ମାସେ ବର୍ଷେ ଚଳି ହୁଏ । ବର୍ଷ ବର୍ଷ ସମ୍ପର୍କ ତିଷ୍ଠିବାକୁ ହେଲେ ଉଭୟ ପକ୍ଷର ନିଷ୍ଠା ଅପରିହାର୍ଯ୍ୟ । ତେଣୁ ବିବାହକୁ ବନ୍ଧନ ଭାବି ସବୁ ପ୍ରତିକୂଳ ପରିସ୍ଥିତିରେ ବାନ୍ଧି ହୋଇ ରହିବା ଓ ପରମ୍ପରା ବଦଳେନାହିଁ ବୋଲି ଭାବି ଧାରକରଜ କରି ବାହାଘର କରିବା ଧାରା ବଦଳିବା ଦରକାର ।

    • ସୁପ୍ରିୟା ଦାଶଙ୍କ ରିପୋର୍ଟ  
  • ବିବାହ ପରେ ବର କନ୍ୟାଙ୍କୁ ୩ ଦିନ ଯାଏ ଶୌଚାଳୟ ଯିବା ମନା

    ବିବାହ ଏକ ପବିତ୍ର ବନ୍ଧନ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥାନ୍ତି ପୁଅ ଏବଂ ଝିଅ। ବିବାହ ପରେ ଅନେକ ରୀତିନୀତି ସହ ପରମ୍ପରା ରହିଛି। ହେଲେ ଆଜି ବି ଏମିତି ଏକ ଦେଶ ଅଛି ଯେଉଁଠାରେ ବିବାହ ପରେ ବର କନ୍ୟାଙ୍କୁ ୩ ଦିନ ଯାଏ ଶୌଚାଳୟ ଯିବାକୁ ଅନୁମତି ଦିଆଯାଇନଥାଏ। ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

    ଇଣ୍ଡୋନେସିଆର ଡିଡୋଙ୍ଗ ନାମକ ଏକ ସମ୍ପ୍ରଦାୟରେ ଏଭଳି ପରମ୍ପରା ରହିଛି। ଯେଉଁଥିରେ ବିବାହ ପରେ ଉଭୟ ବର ଏବଂ କନ୍ୟାଙ୍କୁ ୩ ଦିନ ପାଇଁ ଶୌଚାଳୟ ଯିବାକୁ ମନା । ତେବେ ଏହା ପଛରେ ଏକ ବଡ କାରଣ ରହିଛି। ବିବାହ ଏକ ପବିତ୍ର ବନ୍ଧନ। ଯଦି ବର ଏବଂ କନ୍ୟା ଶୌଚାଳୟ ଯାଆନ୍ତି ସେଥିରେ ସେମାନଙ୍କର ଶୁଦ୍ଧତା ବ୍ୟାହତ ହୁଏ ଏବଂ ସେମାନେ ଅପରିଷ୍କାର ହୋଇଯାଆନ୍ତି। ତେଣୁ ସେମାନଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ। ଏହାସହ ଶୌଚାଳୟକୁ ଗଲେ ସେଠାରେ ମଳତ୍ୟାଗ କରାଯାଏ। ସେଠାରେ ମଇଳା ଥିବାରୁ ନକରାତ୍ମକ ଶକ୍ତିର ପ୍ରଭାବ ସିଧାସଳଖ ପଡିଥାଏ ବୋଲି ଲୋକଙ୍କ ଧାରଣା ରହିଛି। ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ଅସୁବିଧା ସୃଷ୍ଟି କରିବା ସହ ଖରାପ ନଜର ପଡିଥାଏ। ଏହି ସମ୍ପ୍ରଦାୟର ଲୋକମାନେ ମଧ୍ୟ ବରକନ୍ୟାଙ୍କୁ ଖୁବ କମ ଖାଇବାକୁ ଦେଇଥାନ୍ତି। ଯାହା ଫଳରେ ସେମାନଙ୍କୁ ଶୌଚାଳୟ ଯିବାକୁ ପଡିନଥାଏ। ଇଣ୍ଡୋନେସିଆରେ ଏହି ରୀତିନୀତିକୁ କଡାକଡି ଭାବେ ପାଳନ କରାଯାଏ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ଯୁବକ ର ୯ଟି ପତ୍ନୀ…

    ଜଣେ ପୁରୁଷ ୮ ଜଣଙ୍କୁ ଏକା ସାଙ୍ଗରେ ବାହା ହୋଇଛନ୍ତି । ଏମତି ଘଟଣା ସାରା ବିଶ୍ବରେ ବିରଳ । ପୁର୍ବରୁ ତାଙ୍କର ସ୍ତ୍ରୀ ଥିଲା । କିନ୍ତୁ କଣ ପାଇଁ ୮ ଜଣଙ୍କୁ ପୁଣି ବାହା ହେଲେ ତାହା ଏକ ବଡ ପ୍ରଶ୍ନ । ଧର୍ମ ଓ ସଂସ୍କୃତି ଦୃଷ୍ଟିରୁ ଏହି ବିବାହ କୁ ପରିବାର ବର୍ଗ ଗ୍ରହଣ କରିନାହାଁନ୍ତି ।ଗତ ବର୍ଷ ୮ ଜଣ ଝିଅ କୁ ବାହା ହେଲା । ଏହି ବିବାହ ପରେ ପତ୍ନୀ ସଂଙ୍ଖ୍ୟା ୯ ରେ ପହଞ୍ଚିଲା l ମହାଭାରତରେ ପଞ୍ଚୁପାଣ୍ଡବ ଦ୍ରୌପଦୀ ଙ୍କୁ ବିବାହ କରିଥିଲେ । କିନ୍ତୁ ଏ ଯୁବକ ଜଣଙ୍କ ୯ ଜଣଙ୍କୁ ବାହା ହୋଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପରେ ଜଣେ ପତ୍ନୀ ତା ଠାରୁ ଅଲଗା ହୋଇଗଲେ ବର୍ତ୍ତମାନ ଏହି ଯୁବକ ୮ ଜଣ ପତ୍ନି କୁ ନେଇ ଜୀବନଯାପନ କରୁଛନ୍ତି । ସେ ଯୁବକ ହେଉଛନ୍ତି ବ୍ରାଜିଲ୍ ର ଅର୍ଥର ଓ ଉର୍ସ । ପ୍ରଥମ ପତ୍ନୀ ହେଉଛନ୍ତି ଲୁଆନା ।

    ଲୁଆନା ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ମଡେଲ କହିବା କଥା ସମସ୍ତ ସ୍ତ୍ରୀ ଙ୍କ ସହତି ତାଙ୍କର ବୈବୈହାକ ଜୀବନ ଭଲ ଅଛି । ତାଙ୍କ ପ୍ରଥମ ସ୍ତ୍ରୀ ଲୁଆନା ଙ୍କ କହିବା କଥା ଏହି ବାହାଘର ର ଉଦ୍ଦେଶ୍ୟ ହେଉଛି ତାଙ୍କ ସ୍ବାମୀ ଙ୍କୁ ଖୁସି ରଖିବା । ଅର୍ଥର ପତ୍ନୀ ଆର୍ଥ ଙ୍କ ସମେତ ବାକି ୭ ଜଣ ପତ୍ନୀ କୁ ଖୁ ରଖିବା ପାଇଁ ଆର୍ଥର ନଥିବା ବେଳେ ଡେଟିଙ୍ଗ କରନ୍ତି । ଆର୍ଥର ଙ୍କ ବିବାହ ପରେ ଆଉ ଗୋଟିଏ ହୃଦୟ ହୋଇଗିଲା । ଏହି ବିବାହ ପରେ ଉବୟ ଙ୍କ ପ୍ରତି ବିଶ୍ବାସ ବଢିଯାଇଛି । ସମସ୍ତ କହନ୍ତି ଏକାଧିକ ବିବାହ ଫଳରେ ଘରେ ଅଶାନ୍ତି ହେବା ସହିତ ସାମାଜିକ ଜୀବନ ବାଧାପ୍ରାପ୍ତ ହୁଏ । କିନ୍ତୁ ଏ କ୍ଷେତ୍ରରେ ସମ୍ପୁର୍ଣ ଓଲଟା ହୋଇଚି । ଲୁଆନା ଓ ଅର୍ଥର ପରଷ୍ପର କୁ ଅଧିକ ଭଲପାଇବା ସହତି ଭରସା ଓ ବିଶ୍ବାସ ବୃଦ୍ଧି ପାଇଛି । ଏହା ତାଙ୍କ ଉଭୟ ଙ୍କ ପାଇଁ ବରଦାନ ସଦୃଶ । ସବୁ ନୁଆ ପତ୍ନୀ ତାନିଆ , ଏମିଲି, ସିଟିୟା , ଓ ଥାଏନେ ଙ୍କ କହିବା କଥା ଅର୍ଥର ସେମାନଙ୍କର ସମସ୍ତ ଆବଶ୍ୟକତା ପୁରଣ କରନ୍ତି ତାଙ୍କ ଉପରେ ସମସ୍ତେ ପୁରା ଫିଦା ଅଛନ୍ତି ।

    ଇଣ୍ଟେଲିଜଣ୍ଟ ,ଦୟାଳୁ ଭଲ ମଣିଷ । ସବୁ ପତ୍ନୀ ମାନଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। ବାହାଘର ପ୍ରଥମେ ସମସ୍ତ ନା ମନେରଖିବା କଷ୍ଟ ଲାଗୁଥିଲା । କିନ୍ତୁ ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଲାଣି । ଆର୍ଥ ସମସ୍ତ ପତ୍ନୀ ଙ୍କୁ ନିଜ ଦାଦୀ ଙ୍କ ସହ ମିଶାଇଥିଲା । ତାଙ୍କ ଘର ଲୋକ ଏମାନଙ୍କୁ ଗ୍ରହଣ କେଲ ନାହିଁ । ତଥାପି ଏହାକୁ ଖାତିର ନକିର ସ୍ବାଭାବିକ ଭାବରେ ଜୀବନ ଝାପନ କରୁଛନ୍ତି । ଅନ୍ୟ ମାନଙ୍କ ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି । ଆର୍ଥର ଙ୍କ ଠାରୁ ଅନ୍ୟ ମାନେ ଶିକ୍ଷା ଲାଭ କେଲ ପରିବାର ମଧ୍ୟ୍ୟରେ କୌଣସି ଆଶାନ୍ତି ସୃଷ୍ଟି ହେବ ନାହିଁ । ଏକାଧିକ ବିବାହ କଲେ ମଧ୍ୟ୍ୟ ସମଝୋତା ସହ ସମସ୍ଚେ ରହିବେ ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
  • ସାତଜଣଙ୍କ ପତ୍ନୀ…ଗୋଟିଏ ଝିଅ

    ଗୋଟିଏ ଝିଅ। ହେଲେ ସାତ ଜଣଙ୍କ ପତ୍ନୀ। ବିବାହ ହୁଏ। ମାସକ ପରେ କିନ୍ତୁ ଦେଖିଲା ବେଳକୁ କନ୍ୟା ଛୁ। କେବଳ ଏକା ଛୁ ମାରେନା। ଗଲା ବେଳକୁ ପୁରା ଘର ଖାଲି କରିଦିଏ। ପୁରା ପ୍ରକରଣରେ ଝିଅ ସହ ପୁରା ୧୧ ଜଣିଆ ଗ୍ୟାଙ୍ଗ୍‌ ସାମିଲ। ବନ୍ଧୁତା କରି ବିବାହ ସହ ସର୍ବସ୍ୱ ଲୁଟି ଫେରାର ହୋଇଯାଉଥିବା ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ଲାଗି ପୁଲିସ ଜାଲ ବିଛାଇଛି। ହେଲେ ଏ ଯାଏ ଧରାପଡିନାହାନ୍ତି।
    ନାଁ କାଜଲ। କିନ୍ତୁ କଳାକନା ବୁଲାଇବାରେ ମାହିର୍। କିଭଳି ବନ୍ଧୁତା କରିବ। ତା ପରେ ନିଜ ଜାଲରେ ଫସାଇ ବିବାହ କରିବ। ଆଉ କ୍ଲାଇମାକ୍ସ ହେବ ପୁରା ଘର ଲୁଟ୍ ଯୋଜନାରେ।

    ଏମିତି ସେମିତି ପୁଅକୁ ଫସାଇନି। ଇଞ୍ଜିନିଅର, ଡାକ୍ତର ଭଳି ବଡ଼ ପଦପଦବୀ ଧାରୀ ଯୁବକଙ୍କ ସହ ସୋସିଆଲ ମିଡିଆରୁ ବନ୍ଧୁତାର ସମ୍ପର୍କ ଯୋଡିଥାଏ ଚତୁର କାଜଲ। ଦିଲ୍ଲୀରେ ରହି ଦିଲ୍ ଦେଉ ଦେଉ କେମିତି ଚୂନ ଲଗାଇଛି ଅନେକଙ୍କୁ, ତାକୁ ଯିଏ ଶୁଣୁଛି। ତାଜୁବ ହେଉଛି। କାଜଲ ଏକା ନୁହେଁ। ସେ କେବଳ ମୋହରା। କାରଣ ତାକୁ ଅପରେଟ କରନ୍ତି ୧୧ ଜଣିଆ ଗ୍ୟାଙ୍ଗ୍। ୧୧ ଜଣିଆ ଗ୍ୟାଙ୍ଗ୍ ପାଇଁ କାମ କରେ କାଜଲ। ଏମାନଙ୍କର ଉଦ୍ଦେଶ୍ୟ ସପିଂ, ସୋସିଆଲ ମିଡିଆରେ ସମୟ ବିତାଇବା ସହ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା। ୮ ଜଣ ପୁରୁଷଙ୍କୁ କାଜଲ ବିବାହ କରି ପ୍ରତାରଣା କରିବା ପରେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି।

    ବିବାହ କରି ସର୍ବସ୍ୱ ଲୁଟ୍‌ କରି ଫେରାର ହୋଇଥିବା ଏହି ଗ୍ୟାଙ୍ଗକୁ ଧରିବାରେ ଫେଲ୍ ମାରିଛି ପୁଲିସ। ସୋସିଆଲ ମିଡିଆରେ ପୁରୁଷଙ୍କ ସହ ବନ୍ଧୁତା ସ୍ଥାପନ କରେ କାଜଲ। ତାପରେ କିଛି ଦିନ କଥାବାର୍ତ୍ତା କରି ମିଶିବା ପରେ ବିବାହ କରନ୍ତି। ଏହାପରେ କିଛି ଦିନ ଧରି ସ୍ୱାମୀ ସ୍ତ୍ରୀ ଏକାଠି ରୁହନ୍ତି। ପରିବାରଲୋକଙ୍କ ସହ ମିଶିବା ପରେ ସେମାନଙ୍କ ବିଶ୍ୱାସ ଜିତିଥାଏ। ପରେ ସେ ତାଙ୍କ ଗ୍ୟାଙ୍ଗ ସଦସ୍ୟଙ୍କୁ ତାଙ୍କ ଶାଶୁଘର ପରିବାର ଲୋକ ଭାବରେ ଗ୍ରହଣ କରିଥାନ୍ତି। ଏତିକି ବେଳେ ଗ୍ୟାଙ୍ଗ ସାହାଯ୍ୟରେ ସେମାନଙ୍କ ସହ ମିଶି ସ୍ୱାମୀଙ୍କଠାରୁ ଲୁଟି ଫେରାର ହୋଇଯାଇଥାନ୍ତି ମହିଳା ଏବଂ ତାଙ୍କ ଗ୍ୟାଙ୍ଗର ସଦସ୍ୟ।

    ଏଇ ଯେମିତି ଫରିଦାବାଦ ବଲାଭଗଡରେ ରହୁଥିବା ଅଜୟ ଏକ ଡେଟିଂ ଆପ୍‌ ଜରିଆରେ କାଜଲ ନାମକ ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲେ। ମାସେ କଥାବାର୍ତ୍ତା ହେବା ପରେ ଉଭୟ ଦିଲ୍ଲୀରେ ସାକ୍ଷାତ ହୋଇଥିଲେ। ସେପଟେ କାଜଲଙ୍କ ପରିବାରଲୋକେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରହୁଥିବା ନେଇ କହିଥିଲେ କାଜଲ। ତାଙ୍କ ପରିବାରଲୋକଙ୍କ ସହ ଅଜୟଙ୍କୁ ଦେଖା କରିବା ସହ ପରିଚିତ କରାଇଥିଲେ। ଅଜୟ ୧୧ ଜଣଙ୍କୁ ଦେଖା କରିଥିଲେ। ଯାହାକୁ କାଜଲ ତାଙ୍କ ସମ୍ପର୍କୀୟ ବୋଲି କହି ପରିଚିତ କରାଇଥିଲେ।

    ଏପଟେ କାଜଲଙ୍କ ପ୍ରେମରେ ପଡିବା ସହ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଅଜୟ। ପରେ ବିବାହ କଥା ଶୁଣି ରାଜି ହେବା ସହ ପରିବାରଲୋକେ ମଧ୍ୟ ଖୁସି ହୋଇଯାଇଥିଲେ। ୨୦୨୦ ଅଗଷ୍ଟ ୭ ରେ ଉଭୟଙ୍କ ବିବାହ ହୋଇଥିଲା। ପରେ ଉଭୟେ ବହୁ ଖୁସିରେ ସମୟ ଅତିବାହିତ କରୁଥିଲେ। ଏହାସହ କାଜଲ ଅଜୟଙ୍କୁ କିଛି ମାଗୁନଥିବା ବେଳେ ଟଙ୍କା ସଞ୍ଚୟ ପାଇଁ ବାରମ୍ୱାର କରୁଥିଲେ। ହେଲେ ବିବାହର ପ୍ରଥମ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସବୁକିଛି ଅଚାନକ ବଦଳି ଯାଇଥିଲା। ଅଜୟ ସନ୍ଧ୍ୟାରେ ଘରକୁ ଫେରିବା ପରେ ପୁରା ଘର ଖାଲି ହୋଇଯାଇଥିଲା ଏବଂ କାଜଲ ଘରେ ନଥିବା ଜାଣିବାକୁ ପାଇଥିଲେ ଅଜୟ।

    କାଜଲଙ୍କ ସପ୍ତମ ଶିକାର ହୋଇଥିଲେ ଅଜୟ। କାଜଲ ପରିବାରଲୋକଙ୍କ ଖୁବ ଯତ୍ନ ନେଇଥିବା ବେଳେ ହୃଦୟ ମଧ୍ୟ ଜିତିଥିଲେ। ଏହାସହ କାଜଲ ଅଜୟଙ୍କୁ ଏକ ବୁଟିକ ଖୋଲି କାମ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ୨୦ ଲକ୍ଷ ଆବଶ୍ୟକ ଥିଲା। ପରେ ଅଜୟ ନିଜ ସଞ୍ଚୟରୁ କାଜଲଙ୍କୁ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଏବଂ ବାକି ଟଙ୍କା ପାଇଁ ଋଣ ମଧ୍ୟ ନେଇଥିଲେ। ନଭେମ୍ୱର ୨୦ରେ କାଜଲ ସଞ୍ଜନା ନାମକ ବୁଟିକ ଖୋଲିଥିଲେ। ବୁଟିକ ଠିକଠାକ ଚାଲିଥିବା ବେଳେ ଅଜୟ ତାଙ୍କ କାମ ପାଇଁ ଦିଲ୍ଲୀରୁ ହରିୟାଣା ଯାଇଥିଲା ବେଳେ କାଜଲ ଘରର ସମସ୍ତ ଜିନିଷ ଲୁଟି ନେଇଗଲେ। ଯାଉଥିବା ବେଳେ ପଡୋଶୀ ପଚାରିବାରୁ ଫରିଦାବାଦ ଯାଇଥିବା କହି ଚତୁରତାର ସହ ଟାଳି ଦେଇଥିଲେ।

    ଅଜୟ କାଜଲଙ୍କୁ କଲ୍ କରିଥିଲେ ବି ତାଙ୍କ ଫୋନ୍ ସ୍ୱିଚଅଫ୍ ଦେଖାଇଥିଲା। ସନ୍ଦେହ କରି ଘରେ ପହଞ୍ଚିବାରୁ ଯାହା ଦେଖିଲେ ତାଙ୍କର ହୋସ୍ ଉଡିଯାଇଥିଲା। ଘରେ ଓ ବୁଟିକ୍ ସପ୍ ରେ କୌଣସି ସାମଗ୍ରୀ ନଥିଲା। ପ୍ରାୟ ୪୫ ଲକ୍ଷ ଟଙ୍କା ଠକି ନେଇ କାଜଲ ଫେରାର ହୋଇଯାଇଥିବା ନିଶ୍ଚିତ ହେବା ପରେ ପୁଲିସକୁ ଜଣାଇଥିଲେ। ପୁଲିସ ବି ବିଶ୍ୱାସ କରିପାରିନଥିଲା। ତେବେ କାଜଲର ଅସଲ ଚିତ୍ର ଓ ଚରିତ୍ର ଧୀରେ ଧୀରେ ପଦାକୁ ଆସିବାରେ ଲାଗିଲା।

    ଏହା ଆଗରୁ କାଜଲ ୭ ଜଣଙ୍କୁ ଏମିତି ଚୂନ ଲଗାଇଥିବା କଥା ସାମ୍ନାକୁ ଆସିଲା। ନୋଏଡା, ଗାଜିଆବାଦ, ଗୁରୁଗାଁଓ ଫରିଦାବାଦ ଏବଂ ଦିଲ୍ଲୀର ବାସିନ୍ଦା କାଜଲଙ୍କ ଦ୍ୱାରା ଶିକାର ହୋଇଥିବା ଜଣାପଡିଛି। ତେବେ କାଜଲଙ୍କ ୯ ଆଧାରକାର୍ଡ, ୬ଟି ପ୍ୟାନକାର୍ଡ ସହ ଭୋଟରକାର୍ଡ ଜବତ କରିଛି ପୁଲିସ। ଆଉ କାଜଲ ଓ ତାହାର ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା ଜାରି ରଖିଛି।

    • ସୌନ୍ଦର୍ଯ୍ୟା ମହାନ୍ତି ଓ ପ୍ରଦୀପ ନାୟକଙ୍କ ରିପୋର୍ଟ
  • ଦେଶର ପ୍ରଥମ ମହିଳା IPS ଙ୍କ ବିବାହ, ବିଚ୍ଛେଦ ଓ ତପସ୍ୟା

    1972 ମସିହାରେ କିରଣ ବେଦୀ ଭାରତୀୟ ଇତିହାସରେ ପ୍ରଥମ ମହିଳା ଭାବରେ ଭାରତୀୟ ପୋଲିସ ସେବା (ଆଇପିଏସ୍) ରେ ଯୋଗ ଦେଇଥିଲେ। ସେ ଆଇପିଏସରେ ପୁରୁଷ ସର୍ବୋଚ୍ଚତା ସମାପ୍ତ କରିବା ପରେ ତାଙ୍କର ପ୍ରେରଣାଦାୟକ ଯାତ୍ରା ଯୋଗୁଁ ଅନେକ ମହିଳା ଅଧିକାରୀ ଅଫିସର ପଦରେ ପ୍ରବେଶ କରୁଥିବା ଦେଖାଯାଇଥିଲା | ଏହା ବ୍ୟତୀତ, ସେ ନିଜ କ୍ୟାରିୟରରେ କିଛି ବର୍ଷ ପାଇଁ ପୁଡୁଚେରୀର 24 ତମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ | 35 ବର୍ଷ ଧରି ଦେଶ ସେବା କରିବା ପରେ କିରଣ ବେଡି 2007 ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ ଏବଂ ତତ୍କାଳୀନ ମହାନିର୍ଦ୍ଦେଶକ,ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ଛାଡିଥିଲେ।

    ବୃତ୍ତିଗତ ସାମ୍ମୁଖ୍ୟରେ ଥିବାବେଳେ କିରଣ ବେଦୀ ନିଜର ହୃଦୟ ଏବଂ ପ୍ରାଣ ସହିତ ଦେଶ ସେବା କରିଥିଲେ | ଅବଶ୍ୟ, ଏହି ପ୍ରକ୍ରିୟାରେ ସେ ନିଜ ଜୀବନରେ ଅନେକ ଜିନିଷ ବଳିଦାନ ଦେଇଥିଲେ | ଦୁଃଖ ର ବିଷୟ ଯେ, ତାଙ୍କ ବିବାହ ସ୍ୱର୍ଗତ ବ୍ରିଜ ବେଦୀଙ୍କ ସହ ଅଧିକ ସମୟ ବିତାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଯାଇଥିଲା। ଏବଂ ଏହା ଶେଷରେ ପୃଥକତା ସୃଷ୍ଟି କରିଥିଲା | ଅବଶ୍ୟ, କିରଣ ଏବଂ ବ୍ରିଜ ପରସ୍ପରକୁ କେବେ ବି ଛାଡପତ୍ର ଦେଇ ନଥିଲେ ଏବଂ ଦୁହେଁ ବିଚ୍ଛେଦ ପରେ ମଧ୍ୟ ଅନ୍ୟ କାହା ସହିତ ଜଡିତ ନଥିଲେ |

    1972 ମସିହାରେ କିରଣ ପେଶୱରିଆ ଏବଂ ବ୍ରିଜ ବେଦୀ ଏକ ଅନ୍ତରଙ୍ଗ ବିବାହ ଉତ୍ସବରେ ବିବାହ କରିଥିଲେ | 10 ବର୍ଷର ବୟସ ବ୍ୟବଧାନ ଥାଇ ମଧ୍ୟ କିରଣ ଏବଂ ବ୍ରିଜ ନିଶ୍ଚିତ କରିଥିଲେ ଯେ ସେମାନେ ବାକି ଜୀବନକୁ ଏକାଠି ବିତାଇବାକୁ ଚାହୁଁଛନ୍ତି | ବିବାହ ପରେ କିରଣ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ମୁସୁରିରେ  ପୋଲିସ୍ ତାଲିମ ଆରମ୍ଭ କରିଥିଲେ | ବ୍ରିଜ ବେଦୀ ଜଣେ ସମାଜସେବୀ ଥିଲେ, ଯିଏ ଅମୃତସରରେ ଏକ ବିଦ୍ୟାଳୟ ଖୋଲିଥିଲେ ଯାହା ପ୍ରାୟ 600 ପିଲାଙ୍କୁ ଶିକ୍ଷା ପ୍ରଦାନ କରିଥିଲା। ତେବେ ଦୁଃଖର ବିଷୟ 31 ଜାନୁୟାରୀ 2016 ରେ ହୃଦ୍‌ଘାତ ହେତୁ ବ୍ରିଜଙ୍କର ଦେହାନ୍ତ ହୋଇଥିଲା। ଏମିତି ଥିଲା ଦେଶର ପ୍ରଥମ ମହିଳା ଆଇପିଏସଙ୍କ ବନ୍ଧନ ରୁ ବିଚ୍ଛେଦ ର କାହାଣୀ l

Back to top button