nupoor

  • ନୂପୁର ଶର୍ମା ବିବାଦ- ଟାର୍ଗେଟରେ କୋର୍ଟ

    ନୂପୁର ଶର୍ମା ବିବାଦରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରେ ଦେଶରେ କୋର୍ଟଙ୍କୁ ମିଶ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଅନେକ ଏହାକୁ ସ୍ବାଗତ କରିଥିବା ବେଳେ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ଅନେକ ନୂପୁରଙ୍କ ପକ୍ଷରେ ଠିଆ ହୋଇଛନ୍ତି। ଏପରି କି, ଖଣ୍ଡପୀଠ ଦେଇଥିବା ବୟାନ ଫେରାଇ ନେବାକୁ ମଧ୍ୟ ମୁଖ୍ୟ ନ୍ୟାୟାଧୀଶଙ୍କୁ ଏକ ଲେଟର ପିଟିଶନ ହୋଇଛି।

    ନୂପୁର ଶର୍ମା ବିବାଦରେ ଟାର୍ଗେଟରେ ସର୍ବୋଚ୍ଚ ନ୍ୟାୟାଳୟ। ଖଣ୍ଡପୀଠଙ୍କ ବୟାନ ଅଯୁକ୍ତିକର। କୋର୍ଟ ବୟାନ ଫେରାଇ ନେବାକୁ ଅପିଲ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଦିଆଯାଇଥିବା ବୟାନକୁ ବିରୋଧ। କୋର୍ଟଙ୍କ ବୟାନ ବିରୋଧରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ। ଦେଶରୁ ବିଦେଶ, ନୂପୁରଙ୍କ ସପକ୍ଷରେ ଠିଆ ହେଉଛନ୍ତି ଅନେକ। ଶୁକ୍ରବାର ନୂପୁର ଶର୍ମା ବିବାଦରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ପୋଷଣ କରିଥିଲେ। ଦେଶର ସାମ୍ପ୍ରତିକ ସାମ୍ପ୍ରଦାୟିକ ସ୍ଥିତି ଓ ଉଦୟପୁର ହତ୍ୟା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ଖଣ୍ଡପୀଠ ନୂପୁରଙ୍କୁ ଦାୟୀ କରିବା ସହ ଟେଲିଭିଜନ ମାଧ୍ୟମରେ ନିସର୍ତ୍ତ ଓ ସାର୍ବଜନୀନ କ୍ଷମପ୍ରାର୍ଥନା କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ଏହା ପରେ ନୂପୁରଙ୍କ ସପକ୍ଷରେ ବାହାରିଛନ୍ତି ଅନେକ। କେହି ଏହାକୁ ବାକ ସ୍ବାଧୀନତାର ହତ୍ୟା କହିବା ସହ କେହି ଶୁଣାଣିକାରୀ ବିଚାରପତିଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏପରିକି, ଖଣ୍ଡପୀଠଙ୍କ ଦ୍ବାରା ଜାରି ଟିପ୍‌ପଣୀକୁ ଫେରାଇ ନେବାକୁ ସୁପ୍ରିମକୋର୍ଟଙ୍କ ଜଣେ ଓକିଲ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଛନ୍ତି।

    ଶୁକ୍ରବାର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପ୍ରକାଶ ପାଇବା ପରେ ଓକିଲ ଅଜୟ ଗୌତମ, ମୁଖ୍ୟବିଚାରପତି ଜଷ୍ଟିସ ଏନଭି ରମଣାଙ୍କୁ ଏକ ଲେଟର ପିଟିଶନ ଦେଇଛନ୍ତି। ସେ ତାଙ୍କ ପିଟିସନରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ପାରଦିବାଲାଙ୍କ ଖଣ୍ଡପୀଠ ଦେଇଥିବା ଟିପ୍ପଣୀକୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେବାକୁ ଅପିଲ କରିଛନ୍ତି। ସେହିପରି ବିଶ୍ବ ହିନ୍ଦୁ ପରିଷଦ ବା ଭିଏଚପି ସର୍ବୋଚ୍ଚ କୋର୍ଟଙ୍କ ବୟାନକୁ ଅନୌପଚାରିକ କହିବାକୁ ପଛାଇନି। ସଂଗଠନର ସଭାପତି ଆଲୋକ କୁମାର ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି, ନୂପୁର ଅପରାଧ କରିଛନ୍ତି କି ନାହିଁ ତାହା ନିର୍ଦ୍ଧାରଣ କୋର୍ଟଙ୍କ କାମ ନ ଥିଲା। ଦେଶବ୍ୟାପୀ ନୂପୁରଙ୍କ ନାମରେ ମାମଲା ରହିଥିବାରୁ ସେସବୁ ସ୍ଥାନକୁ ଯାତ୍ରା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଦିଲ୍ଲୀକୁ ମାମଲା ସ୍ଥାନାନ୍ତର ପାଇଁ ଆବେଦନ ହୋଇଥିଲା। ଶୁଣାଣି କାଳରେ କୋର୍ଟ ଦେଇଥିବା ଟିପ୍ପଣୀ ଅନୌପଚାରିକ ହୋଇଥିବାରୁ ଏହାକୁ କୋର୍ଟଙ୍କ ନିଷ୍ପତ୍ତି ଭାବେ ଗ୍ରହଣ କରା ନ ଯାଉ।

    ଏହି ପ୍ରସଙ୍ଗରେ ନୂପୁରଙ୍କୁ ଜଣେ ହିରୋ କହିଛନ୍ତି ନେଦରଲ୍ୟାଣ୍ଡର ପାର୍ଟି ଫର ଫ୍ରିଡମର ସଭାପତି ଗୋର୍ଟ ବାଇଲ୍ଡର୍ସ। ବାଇଲ୍ଡର୍ସ କହିଛନ୍ତି ନୂପୁର କଦାପି କ୍ଷମା ମାଗିବା ଆବଶ୍ୟକ ନୁହେଁ । ସେ ନୂପୁରଙ୍କ ବୟାନକୁ ସତ୍ୟ କହିବା ସହ ସତ୍ୟ କହି କ୍ଷମା ପ୍ରାର୍ଥନା ଅନାବଶ୍ୟକ କହିଛନ୍ତି। ଉଦୟପୁର ଘଟଣା ପାଇଁ ନୂପୁର ଦାୟୀ ନ ଥିବା କହିଛନ୍ତି। ବାଇଲ୍ଡର୍ସ ପୂର୍ବରୁ ମଧ୍ୟ ପ୍ରଫେଟ ମହମ୍ମଦ ବିବାଦରେ ନୂପୁରଙ୍କୁ ସମର୍ଥନ କରି ଆସିଛନ୍ତି। ସେ କହିଛନ୍ତି, ତୁଷ୍ଠୀକରଣ କଦାପି କାମ କରିନଥାଏ। ଏହା ସ୍ଥିତିକୁ ଆହୁରି ଖରାପ କରିଥାଏ। ସେ ଆହୁରି କହିଛନ୍ତି, ଭାରତରେ ଥିବା ମୋର ପ୍ରିୟ ବନ୍ଧୁମାନେ… ଇସଲାମିକ ଦେଶମାନଙ୍କ ପ୍ରୋତ୍ସାହନାରେ ନ ପଡନ୍ତୁ। ନିଜ ସ୍ୱାଧୀନତା ପାଇଁ ଠିଆ ହୋଇ ଗର୍ବ କରନ୍ତୁ । ନୂପୁର ଜଣେ ପ୍ରକୃତ ହିରୋ ବୋଲି ମଧ୍ୟ କହିଛନ୍ତି ବାଇଲ୍ଡର୍ସ।

    ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠଙ୍କ ଭର୍ତ୍ସନା ପରେ ପରେ ବଲିଉଡ ମଧ୍ୟ ନୂପୁରଙ୍କ ସମର୍ଥନରେ ବାହାରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ, ଅନୁପମ ଖେର ନୂପୁରଙ୍କ ସପକ୍ଷରେ ବାହାରିଛନ୍ତି। ବିବେକ ଟ୍ବିଟ କରି ଉଲ୍ଲେଖ କରିଛନ୍ତି କି, ଆଜି ନ୍ୟାୟପାଳିକା ଆମ ଜୀବନ ଜୀଇଁବାର ଅଧିକାର ଛଡାଇ ନେଇଛି। ଯଦି ତାଙ୍କ ସହ କିଛି ହୋଇଯାଏ, କାହା ବୟାନ ଦାୟୀ ହେବ? ସେହିପରି ପ୍ରସିଦ୍ଧ ଅଭିନେତା ଅନୁପମ ଖେର ସିଧାସଳଖ ବିଚାରପତିଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ ଟ୍ବିଟର ହ୍ୟାଣ୍ଡେଲରେ ବିଚାରପତିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଜଜ୍‌ ସାହାବ ନିଜ ସମ୍ମାନ ପାଇଁ କିଛି ସମ୍ମାନଜନକ କାର୍ଯ୍ୟ କରନ୍ତୁ। ସେପଟେ ପୁଣି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମ୍ନାକୁ ଆସିଛନ୍ତି। ନୂପୁର ବିବାଦରେ ରାହୁଲ ଗାନ୍ଧୀ ବିଜେପିକୁ ପୁଣି ଟାର୍ଗେଟ କରିଛନ୍ତି। ଘୃଣା ନୂପୁର ନୁହଁନ୍ତି, ବିଜେପି ପ୍ରସାର କରୁଛି। ତେବେ ନୂପୁର ପ୍ରସଙ୍ଗରେ କୋର୍ଟଙ୍କ କଡା ଟିପ୍ପଣୀ ଓଲଟା କୋର୍ଟଙ୍କୁ ବିବାଦ ଘେରକୁ ଟାଣି ଆଣିଛି।  

    ଶିଳାସ୍ମିତା ରାୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Back to top button