odisha govt

  • ବିରୋଧୀ ନା ଗଣମାଧ୍ୟମ: ସରକାର ପାଇଁ କିଏ ଅଡୁଆ?

    ଭୁବନେଶ୍ବର:  ସରକାରଙ୍କୁ ଅକଳରେ ପକାଉଛି କିଏ। ବିରୋଧୀ ନା ଗଣମାଧ୍ୟମ। ବିରୋଧୀ କହୁଛନ୍ତି, ସ୍ୱରକୁ ଚାପିଦିଆଯାଉଛି। ଆଉ ଗଣମାଧ୍ୟମକୁ ଲାଗିଛି ଅଘୋଷିତ କଟକଣା। ଏତିକିବେଳେ ଦଳ ଓ ସରକାରକୁ ଆଇନା ଦେଖାଇବାକୁ ପ୍ରୟାସ କରୁଥିବା ସାମ୍ୱାଦିକରୁ ନେତା ପଦବାଚ୍ୟ ବ୍ୟକ୍ତି ଅଡ଼ୁଆରେ। ଅବଶ୍ୟ ଏହି ଆଇନା କାହା ସ୍ୱାର୍ଥରେ ତାକୁ ନେଇ କିଛି ପ୍ରଶ୍ନ ଉଠାଇବା ବି ସ୍ୱାଭାବିକ।

    ଆମ ଘରର ହାଲଚାଲ, ଧ୍ୱନି ପ୍ରତିଧ୍ୱନି ଭଳି କିଛି ସମ୍ପାଦକୀୟ ଟ୍ୟାଗଲାଇନ ବିଜେଡି ଓ ସରକାରଙ୍କୁ ଅନେକ ସମୟରେ ଆଇନା ଦେଖାଇଛି। କେବଳ ଲେଖାରେ ନୁହେଁ, ଅନେକ ସମୟରେ ଏ ସବୁ ସମ୍ପାଦକୀୟ ଲେଖିଥିବା ସମ୍ପାଦକଙ୍କ ମନ୍ତବ୍ୟ ବି ବିଜେଡିର ଅଜାଗା କ୍ଷତରେ ମଇଲମ ଲଗାଇବା ବଦଳରେ ଚୂନ ଲଗାଇଛି। ଜଣେ ହେଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ତ ଅନ୍ୟଜଣେ ହେଲେ ସାଂସଦ ଭର୍ତ୍ତୃହରି ମହତାବ୍। ଏମାନେ ବିଜେଡିରେ ଥାଇ ବି ସରକାର ଓ ଦଳକୁ କ୍ରମାଗତ ଆଇନା ଦେଖାଇବା କାମରେ ଲାଗିଛନ୍ତି ବୋଲି ଗୋଟିଏ ଗୋଷ୍ଠୀ କହୁଥିଲା ବେଳେ ଅନ୍ୟ ଗୋଷ୍ଠୀ କହୁଛି, କ୍ଷମତାଚ୍ୟୁତ ଭୟରେ ଆଗୁଆ ବାଟ କାଟିବାକୁ ଏ ସବୁ ଅଭିନୟ। କାରଣ ଜଳନ୍ତା ପ୍ରସଙ୍ଗରେ ଏମାନଙ୍କ ଲେଖା ଓ ମନ୍ତବ୍ୟ ଘିଅ ଢାଳିବା ସଦୃଶ ପାଲଟିଛି। ଓଡ଼ିଶାରେ ଶାସନ କିଏ ଚଳାଉଛି ବୁଝାପଡ଼ୁନି କହି ଏ ପ୍ରଶ୍ନ ଜନତା ମୈଦାନରୁ ପଚାରି ଜନତା ମୁହଁରୁ ଉତ୍ତର ପାଇସାରିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଆଉ ଧର୍ମେନ୍ଦ୍ର ପ୍ରଧାନ ବି କହିଥିଲେ, ସବୁ ଜାଣି ନବୀନ ଧୃତରାଷ୍ଟ୍ରର ଅଭିନୟ କରୁଛନ୍ତି। ସେତେବେଳେ ସୌମ୍ୟ ପଟ୍ଟନାୟକ ଏହାର କଡ଼ା କାଉଣ୍ଟର କରିଥିଲେ। କିନ୍ତୁ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିହେଉନି। ସତ କହିଲେ ଦଳରୁ ବହିଷ୍କାର ଭୟର ଚିତ୍ର ଓଗାଳିବା ସହ କେତେଦିନ ବିଜୁଙ୍କ ନାଁରେ ମହୁ ପିଇବ ବୋଲି ବିଜେଡିକୁ ଆଇନା ଦେଖାଇଥିବା ସୌମ୍ୟଙ୍କ ମୁହଁରୁ ଯେମିତି ବିଜେପିକୁ ପ୍ରଶ୍ନର ଉତ୍ତର ମିଳିସାରିଛି।

    ଏବେ ଆସନ୍ତୁ ଭର୍ତ୍ତୃହରିଙ୍କ କଥା ଦେଖିବା। ଲୋୟର ପିଏମଜିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବିଜେପି- ପୁଲିସ ଭିତରେ ସଂଘର୍ଷର ଅଧ୍ୟାୟକୁ ନେଇ ବିଧାନସଭା ଭିତରେ ଓ ବାହାରେ ଉଠିଲା ପଡ଼ିଲା କଥା। ପୁଲିସ ନିଜର କର୍ତ୍ତବ୍ୟ କରୁଥିବା ବେଳେ ବିଜେପି କର୍ମୀଙ୍କ ହିଂସ୍ର ଆଚରଣକୁ ନେଇ ବିଜେଡି ବର୍ଷିଥିଲା। ଅପରାଧିକ ତତ୍ତ୍ୱକୁ ଧର୍ମେନ୍ଦ୍ର ନିୟନ୍ତ୍ରଣ କରନ୍ତୁ। ପୁଲିସ ବି ବିଜେଡିର କର୍ମୀ ସାଜି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଶୋଭନୀୟ ନୁହେଁ ବୋଲି ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ପରେ ପ୍ରଣବଙ୍କ କାଉଣ୍ଟର ଟ୍ୱିଟ୍ ଓ ସିଧା ନଡ୍ଡାଙ୍କୁ ଟ୍ୟାଗ୍ କରି ସସ୍ମିତ ପାତ୍ରଙ୍କ ଟ୍ୱିଟ୍ ହଇଚଇ ଖେଳାଇଦେଇଥିଲା। ବିଧାନସଭା ଅଧିବେଶନରେ ଦ୍ୱିତୀୟ ପର୍ଯ୍ୟାୟରେ ବି ଆଇନଶୃଙ୍ଖଳାକୁ ନେଇ ଗୃହ ପୁଣି ସରଗରମ ରହିବ, ଆକଳନ କରାଯାଉଛି। ଆଉ ଏତିକିବେଳେ ଧ୍ୱନି ପ୍ରତିଧ୍ୱନିରେ ଭର୍ତ୍ତୃହରି ଲେଖିଥିବା ଉଚ୍ଚାରଣ ଆଚରଣ ମାର୍ଜିତ ହେବା ଆବଶ୍ୟକ ସମ୍ପାଦକୀୟ ବିଜେଡିକୁ ଅକଳରେ ପକାଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ବଦଳରେ ଗୁଣ୍ଡାଙ୍କ ଭଳି ସାଦା ପୋଷାକରେ କିଏ ଥିଲା ବୋଲି ବିଜେପି ପୂର୍ବରୁ ଉତ୍ତର ମାଗିଥିଲା ବେଳେ ନିଜ ଲେଖାରେ ସିପି ଏହାର ଜବାବ ରଖିବା ଦରକାର ବୋଲି ଭର୍ତ୍ତୃହରି କହିଛନ୍ତି। ବିକ୍ଷୋଭକାରୀ ଯଦି ଢେଲା, ପଥର ମାଡ଼ କଲେ ଆଉ ପୁଲିସ ଆହତ ହେଲେ। ଭୁବନେଶ୍ୱର ପରା ସାକ୍ଷୀ ରହିଛି ଏମିତି ଅନେକ ଘଟଣାର କହି ବିଜୁଙ୍କ ଉପସ୍ଥିତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାକ ଫଟାଇବା କଥାର ଅବତାରଣା କରିଛନ୍ତି। ହିଂସାର ଉତ୍ତର ପୁଲିସ ଦ୍ୱାରା ଅଧିକ ହିଂସା ଦ୍ୱାରା ଦେବାରୁ ଶାସନର ସମ୍ମାନ ଉପରେ ଆଞ୍ଚ ଆସିଛି। ଆଚରଣ ଓ ଉଚ୍ଚାରଣରେ ମାର୍ଜିତ ହେତୁ ବିଜେଡି ଏତେଦିନ ଶାସନରେ। କିନ୍ତୁ ଏହାକୁ ପୁଲିସ ନିଜ ଆଚରଣରେ କ୍ଷୁର୍ଣ୍ଣ ନ କରୁ ବୋଲି ପରାମର୍ଶ ଦେଇଛନ୍ତି।

    ସେପଟେ ବିଜେଡିରେ ଆଉ ନାହିଁ କହି ଧରିତ୍ରୀର ସମ୍ପାଦକ କେବେଠୁ ସ୍ପଷ୍ଟ କରିସାରିଛନ୍ତି। ସେ ଏବେ ମୁକ୍ତ ଓ ନିରପେକ୍ଷ ବୋଲି କହିଆସୁଛନ୍ତି ତଥାଗତ। କିନ୍ତୁ ନିକଟରେ କ୍ଷମତାର ଗାତ ଶୀର୍ଷକ ଲେଖାରେ କେବଳ ସମାଲୋଚନା ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବନି କହି ସିଇସି ନିଯୁକ୍ତିକୁ ନେଇ ଅନେକ କଥା କହିଛନ୍ତି। ହେଲେ ଏଠି ବି ସୋସିଆଲ ମିଡ଼ିଆ ୟୁଜର୍ସ ତଥାଗତଙ୍କ ନିରପେକ୍ଷତା କେତେ କହି ତାକୁ କଟାକ୍ଷ କରିଛନ୍ତି। ସମ୍ପାଦକୀୟ ହିସାବରେ ଏତେ ଯଦି ନିରପେକ୍ଷ। ତେବେ ରାଜ୍ୟ ସରକାରଙ୍କ ବାବଦରେ ବି ପଦୁଟିଏ ଲେଖିଥିଲେ ଭଲ ହୋଇଥାଆନ୍ତା ବୋଲି ତୀର୍ଯ୍ୟକ ତୀର ମାରିଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ନିର୍ବାଚନ ଆୟୋଗ ନିଯୁକ୍ତି କ୍ଷେତ୍ରରେ ବି ବିରୋଧୀ ଦଳ ନେତା ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତି ନେବା କଥା ଲେଖିଥିଲେ ଜିଭରେ ହାଡ଼ ଅଛି ବୋଲି ବୁଝାପଡ଼ୁଥାଆନ୍ତା।

    ଭର୍ତ୍ତୃହରି, ତଥାଗତ ଓ ସୌମ୍ୟ। ଖବରକାଗଜର ମାଲିକ ଓ ସମ୍ପାଦକ ବି। ଅନେକ ସମୟରେ ଏମାନଙ୍କ ଲେଖନୀ ମୁନ ଦଳମତ ବାଛବିଚାର ଦେଖେନି। କିନ୍ତୁ ଅନେକ ସମୟରେ ପରିସ୍ଥିତିର ବାଧ୍ୟବାଧକତା ବି ଜନତାଙ୍କ ଆଖିରେ ଏମାନଙ୍କୁ ସମାଲୋଚନାର ପାତ୍ର ସଜାଇଛି।

    ନବକିଶୋର ସାହୁଙ୍କ ସହ ପ୍ରଦୀପ କୁମାର ନାୟକଙ୍କ ରିପୋର୍ଟ

  • କୋଭିଡ ପାଇଁ ରାଜ୍ୟର ଆଗୁଆ ପଦକ୍ଷେପ

    () ରାଜ୍ୟରେ ବର୍ତ୍ତମାନ ନାହିଁ କୋଭିଡ ଭୟ । ହେଲେ ଆଗୁଆ ପ୍ରସ୍ତୁତି ଆରମ୍ଭ  କରିଦେଇଛନ୍ତି ରାଜ୍ୟ ସରକାର । ଔଷଧଠାରୁ ଆରମ୍ଭ କରି ବେଡ ଓ ଅକ୍ସିଜେନ୍ ପର୍ଯ୍ୟନ୍ତ ସବୁ କିଛି ମହଜୁଦ ରଖାଯାଇଛି । ଆସନ୍ତକାଲି  ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମକ୍‌ ଡ୍ରିଲ କରାଯିବ । କେନ୍ଦ୍ର ସରକାରଙ୍କ ୱେବ ପୋର୍ଟାଲରେ ସବୁ ତଥ୍ୟ ଅପଲୋଡ କରିବେ ଜିଲ୍ଲା ପ୍ରଶାସନ । ଏହାସହ ଆସନ୍ତାକାଲି ରାଜ୍ୟର କୋଭିଡ ସ୍ଥିତି ସମିକ୍ଷା କରିବେ । ଏପଟେ ବନ୍ଦ ଥିବା ଟିକାକରଣକୁ ଆରମ୍ଭ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ।

    ମଙ୍ଗଳବାର ରାଜ୍ୟରେ କୋଭିଡ଼ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅକ୍ସିଜେନ ମହଜୁଦ ଉପରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱ । ସାମ୍ଭାବ୍ୟ କରୋନା ଲହରକୁ ନେଇ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ଆସନ୍ତାକାଲି ସାରା ଦେଶରେ ହେବ ମକ୍ ଡ୍ରିଲ । ଜିଲ୍ଲା ସ୍ତରରେ ହସ୍ପିଟାଲ ଓ ମେଡିକାଲ କଲେଜରେ ବେଡ,ଅକ୍ସଜେନ,ଆଇସିୟୁ,କୋଭିଡ କିଟ, ଔଷଧ, ଭେଣ୍ଟିଲେଟର,ପିପିଇ କିଟ୍,ସହ ମ୍ୟାନପାୱାରକୁ ନେଇ ହେବ ମକ୍‌ ଡ୍ରିଲ । ଯେଉଁଥିରେ ଏ ସମସ୍ତ ତଥ୍ୟକୁ କେନ୍ଦ୍ର ସରାକରଙ୍କ ୱେବ ପୋଟାଲରେ ଅପଲୋଡ କରିବ ଜିଲ୍ଲା ପ୍ରଶାସନ । ଏହାସହ ଆସନ୍ତାକାଲି ଅପରାହ୍ନ ୪.୩୦ମିନିଟ ସମୟରେ ରାଜ୍ୟର କୋଭିଡ଼ ସ୍ଥିତି ସମିକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    ସେପଟେ ନଭେମ୍ୱର ୨୮ ପରଠାରୁ ରାଜ୍ୟରେ ସରକାରୀ ଟୀକାକରଣ କେନ୍ଦ୍ରରେ ଟୀକାକରଣ ବନ୍ଦ ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ । ଯେହେତୁ ଅନେକ ଦେଶରେ କୋଭିଡ ସଂକ୍ରମଣ ବଢ଼ିଛି ତେଣୁ  ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ରାଜ୍ୟ । ହେଲେ ଏଯାଏଁ କେନ୍ଦ୍ର ନିକଟରୁ କୌଣସି ପ୍ରତି ଉତ୍ତର ମିଳିନାହିଁ । ଯେତେଶିଘ୍ର ଟୀକା ମିଳିବ, ଟୀକାକରଣ ଲାଗି ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏହାସହ କୋଭିଡ ଭୟରେ କିଛି ଦିନ ହେଲା ଘରୋଇ ହସ୍ପିଟାଲରେ ପ୍ରିକସନ୍ ଡୋଜ୍ ଟୀକା ଗ୍ରହଣ ବଢ଼ିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୪୧% ପ୍ରିକସନ ଡ଼ୋଜ ନେଇଛନ୍ତି ବୋଲି କହିଛନ୍ତି ।

    ବିଗତ ୪ଟି ଲହର ପରେ ଲୋକଙ୍କ ଆଣ୍ଟିବଡି ବଢିଥିବାରୁ ରାଜ୍ୟରେ ସେତେ ବଡ ଲହର ଆସି ନପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

    ନବ କିଶୋର ସାହୁ

  • ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି

    () କୋର୍ଟ କଚେରୀ ସ୍ୱାଭାବିକ ହେଲାଣି କି। ସମ୍ୱଲପୁର କଚେରୀ ଛକରୁ କେବେ ୧୪୪ ଧାରା ଉଠିବ। ଓକିଲ ସଂଘ ସଦସ୍ୟଙ୍କ ଉପରୁ ନିଲମ୍ୱନ ଉଠିବା ପ୍ରକ୍ରିୟା କେତେ ବାଟ ଗଲା। ଏଭଳି ସ୍ଥିତିରେ ରାଜ୍ୟ ସରକାର କି ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି କି। ଏମିତି ତମାମ ପ୍ରଶ୍ନରେ ଘାରି ହେଉଛି ଆନ୍ଦୋଳନ ଓ ଏହା ପରବର୍ତ୍ତୀ ଆକ୍ସନର ରୂପରେଖକୁ ନେଇ ସସପେନ୍ସ।

    ସବୁ ଶିଥିଳ ନା ଆଉ କିଛି ଚାଲିଛି ଯୋଜନା ..! ୮ ଦିନ ବିତିଗଲାଣି। ସ୍ୱାଭାବିକ ହେଲାଣି କି କୋର୍ଟ କାମ। ଆଇନଜୀବୀ କୋର୍ଟ କାମରେ ସାମିଲ ହେଲେଣି କି। ମହକିଲଙ୍କର କୌଣସି ଅସୁବିଧା ହେଉନି ତ। ସମ୍ୱଲପୁର ଓକିଲ ସଂଘର ହିଂସାତ୍ମକ ଆନ୍ଦୋଳନ, ୪୩ ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡ, ବ୍ୟାପକ ଗିରଫଦାରୀ ପରେ ସ୍ଥିତି ସ୍ୱାଭାବିକ କରିବାକୁ ଯଦିଓ ସବୁସ୍ତରରେ ଉଦ୍ୟମ ଚାଲିଛି। ଆଉ ଆଇନଜୀବୀ ସଂଘ ବି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର ଲାଗି ବିଚାର କରୁଛନ୍ତି। ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର କଅଣ କରୁଛନ୍ତି। କେବଳ ନୀରବଦ୍ରଷ୍ଟା ସାଜିଛନ୍ତି ନା ବେଞ୍ଚ୍ ବିବାଦର ଅବସାନ ସୁପ୍ରିମକୋର୍ଟ କରିବା ପରେ ଆରାମରେ ବସିଛନ୍ତି। କିନ୍ତୁ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ଆଇନମନ୍ତ୍ରୀଙ୍କ କହିବା କଥା, ସରକାର ସବୁ ଦିଗକୁ ଅନୁଧ୍ୟାନ କରି ତର୍ଜମା କରୁଛନ୍ତି। ସୋମବାର ଉତ୍ତରାଞ୍ଚଳ ଆଇଜି ବି କହିଥିଲେ ପରିସ୍ଥିତି ସ୍ୱାଭାବିକ କରିବାକୁ ସବୁମତେ ଉଦ୍ୟମ ଜାରି ରହିଛି। ଯଦିଓ ଓକିଲ ପ୍ରତିନିଧି ଦଳ ପୁଲିସର ଅମାନବୀୟ ଆଚରଣକୁ ନେଇ ଅଙ୍ଗୁଳି ଉଠାଇଛି। ୧୪୪ ଧାରା ଉଠାଇ ସ୍ଥିତି ସ୍ୱାଭାବିକ କରାଯାଉ ବୋଲି ଦାବି କରିଛି।

    ସେପଟେ ସମ୍ମାନ ପାଇଁ ଜଣେ ଆଇନଜୀବୀ ଇଚ୍ଛା ମୃତ୍ୟୁ ଦାବି କରିଥିଲା ବେଳେ ସଂସଦରେ ଆଜି ବି ଉଠିଛି ଏହି ପ୍ରସଙ୍ଗ। ଓକିଲଙ୍କୁ ବେଲ୍ ମିଳୁନି। ଆଇନଜୀବୀକୁ ଆଜି ଅସହାୟ କରିଦିଆଗଲାଣି। ହକ୍ ଲାଗି ଆନ୍ଦୋଳନ କଲେ ନାଲିଆଖି ଦେଖାଯାଉଛି ବୋଲି କ୍ଷୋଭ ଝାଡ଼ିଛନ୍ତି ଆଇନଜୀବୀ ସୁମନ୍ତ ସ୍ୱାଇଁ। ସେପଟେ ସ୍ଥିତି ସ୍ୱାଭାବିକ ଲାଗି କେନ୍ଦ୍ର ଆଇନ ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସଂସଦରେ ସୁରେଶ ପୂଜାରୀ ପୁଣି ଥରେ ଦାବିକୁ ଦୋହରାଇଛନ୍ତି। ମାନବାଧିକାର କ୍ଷୁର୍ଣ୍ଣ ହେଉଥିବାରୁ ମାନବାଧିକାର କମିଶନ ତଦନ୍ତ କରନ୍ତୁ।

    ଓକିଲଙ୍କର ହିଂସାତ୍ମକ ଆନ୍ଦୋଳନ ବେଞ୍ଚ ପ୍ରତିଷ୍ଠାର ସବୁତକ ଆଶା ମଉଳାଇ ଦେଇଛି। କିନ୍ତୁ ଏଭଳି ଆନ୍ଦୋଳନ କେତେ ମହଙ୍ଗା ପଡ଼ିଲାଣି। କେବଳ ଓକିଲଙ୍କ ଲାଗି ନୁହେଁ, ମହକିଲ ଓ କଚେରୀ ପାଇଁ ବି। ଏହାର ସମାଧାନ କେମିତି ଓ କେଉଁ ଆଧାରରେ ହେବ, ସମୟ କହିବ।

    ଜ୍ୟୋତି ସାହୁ ଓ ସିମ୍ପୁଲ୍ ନାୟକ ଙ୍କ ରିପୋର୍ଟ

  • ସବୁ ଜିଲ୍ଲା ରେ  ହେବ  ଛୋଟ  ଶିଳ୍ପ  ପାର୍କ

    ଭୁବନେଶ୍ବର : ଭୁବନେଶ୍ବରରେ  ଚାଲିଥିବା  ମେକ୍‌ ଇନ୍ ଓଡିଶା କନକ୍ଲେଭରେ  ଆଜି  ମହିଳା  ଉଦ୍ୟୋଗୀ  ଅଧିବେଶନ  ଅନୁଷ୍ଠିତ  ହୋଇଯାଇଛି। ଏହି  କାର୍ଯ୍ୟକ୍ରମରେ  ମୁଖ୍ୟ  ଅତିଥି  ଭାବରେ  ଯୋଗଦେଇ  ମୁଖ୍ୟମନ୍ତ୍ରୀ ନବୀନ  ପଟନାୟକ  କହିଥିଲେ ଯେ 2001 ରେ ଆରମ୍ଭ  ହୋଇଥିବା ମିଶନ ଶକ୍ତି, ଆଜି  ଓଡ଼ିଶାର  ସତୁରି  ଲକ୍ଷ ସଶକ୍ତ ମା  ମାନଙ୍କର  ଏକ  ମହାଶକ୍ତି   ହୋଇଛି । ମୋ ସରକାର ପାଇଁ  ମହିଳା ସଶକ୍ତିକରଣ  କେବଳ  ଏକ  ସ୍ଲୋଗାନ୍  ନୁହେଁ,  .it is a non negotiable code. ଏହା  ଏକ  ପବିତ୍ର  ଦାୟିତ୍ଵ ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ। 

    ଓଡ଼ିଶାରେ  ଆମର  ଛଅ  ଲକ୍ଷ  ସ୍ବୟଂ ସହାୟକ ଗୋଷ୍ଠି  କାମ  କରୁଛନ୍ତି ବୋଲି  ସୂଚନା  ଦେଇ  ମୁଖ୍ୟମନ୍ତ୍ରୀ  କହିଥିଲେ SHG  ମାନଙ୍କୁ  SME ରେ  ରୂପାନ୍ତର  କରିବା   ରାଜ୍ୟ  ସରକାରଙ୍କ ଲକ୍ଷ୍ୟ। We are prepared to run the extra mile to make this happen. ଏଥିପାଇଁ  ଆମେ  ସବୁ  କିଛି  କରିବାକୁ  ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।  ମିଶନ  ଶକ୍ତି  ମା ମାନଙ୍କୁ  ବିନା ସୁଧରେ ପାଞ୍ଚ  ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ  ରାଜ୍ୟ  ସରକାରଙ୍କ  ନିଷ୍ପତ୍ତି  ଦ୍ଵାରା ଓଡିଶାର  ଲକ୍ଷ  ଲକ୍ଷ ମା  ଉପକାର  ପାଇବେ ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ।

    ମୁଖ୍ୟମନ୍ତ୍ରୀ  କହିଥିଲେ ଯେ  ପାଞ୍ଚ   ବର୍ଷରେ ପାଞ୍ଚ  ହଜାର  କୋଟି  ଟଙ୍କାର  କାମ,  ମା  ମାନଙ୍କୁ  ଦେବା  ପାଇଁ  ଓଡିଶା କ୍ୟାବିନେଟ  ନିଷ୍ପତ୍ତି  ନେଇଥିଲା  ଓ ଏହାଦ୍ଵାରା  ପ୍ରାୟ  ଏକ  ଲକ୍ଷ  SHG  ଉପକାର ପାଉଛନ୍ତି। ମିଶନ  ଶକ୍ତି ଫେଡେରେସନ  ମାନଙ୍କୁ  ଆହୁରି  ମଜବୁତ  କରିବା  ଓ ସେମାନଙ୍କୁ  ସକ୍ରିୟ ଆର୍ଥିକ କେନ୍ଦ୍ର (vibrant  financial  hub) ରେ  ପରିଣତ  କରିବା  ଆମର  ଲକ୍ଷ୍ୟ  ବୋଲି  ଉଲ୍ଲେଖ  କରି ପ୍ରତି ଜିଲ୍ଲା ଫେଡେରେସନ କୁ  ଏକ  କୋଟି  ଟଙ୍କାର  ରିଭଲ୍ଭିଂ ପାଣ୍ଠି, ପ୍ରତି  ବ୍ଲକ  ସ୍ତରରେ ଫେଡେରେସନକୁ   ପଚାଶ  ଲକ୍ଷ  ଟଙ୍କାର    ରିଭଲ୍ଭିଂ ପାଣ୍ଠି ଦିଆଯିବ  ବୋଲି  ମୁଖ୍ୟମନ୍ତ୍ରୀ  ଘୋଷଣା  କରିଥିଲେ।

    ସେହିପରି ପଞ୍ଚାୟତ ସ୍ତରରେ  ଥିବା  ଫେଡେରେସନ  ପାଇଁ  ମାର୍କେଟ  କମପ୍ଲେକ୍ସ ସହ  ସ୍ଵତନ୍ତ୍ର  ଅଫିସ ଘର  ମଧ୍ଯ  କରାଯିବ ବୋଲି  ମୁଖ୍ୟମନ୍ତ୍ରୀ  ଘୋଷଣା  କରିଥିଲେ  .ମହିଳା  ମାନଙ୍କୁ  ଉଦ୍ୟୋଗୀ  କରିବା  ଲକ୍ଷ୍ୟ କୁ  ସାକାର  କରିବା  ପାଇଁ ତିରିଶ  ଯାକ  ଜିଲ୍ଲାରେ ମାଇକ୍ରୋ, ମିନି  ଶିଳ୍ପ  ପାର୍କ କରାଯିବ ବୋଲି  ମଧ୍ଯ  ମୁଖ୍ୟମନ୍ତ୍ରୀ  ଘୋଷଣା  କରିଥିଲେ। ଓଡିଶାର  ରୂପାନ୍ତରଣରେ  ମା  ମାନଙ୍କର  ବଡ  ଭୂମିକା  ରହିଛି  ବୋଲି  ବର୍ଣ୍ଣନା  କରି  ମୁଖ୍ୟମନ୍ତ୍ରୀ  ମା  ମାନଙ୍କର  ସାମଗ୍ରିକ  ସଶକ୍ତିକରଣ  ପାଇଁ  ପ୍ରତିଶ୍ରୁତିବଦ୍ଧ  ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ ।

    ଏହି  ଅବସରରେ  ମୁଖ୍ୟମନ୍ତ୍ରୀ ମିଶନ  ଶକ୍ତି  ବିଭାଗର  ଏକ  କଫି  ଟେବୁଲ  ବୁକ, Mission Shakti – Scaling Up  ଉନ୍ମୋଚନ  କରିଥିଲେ  ଏବଂ  କଟକ   ମା  ତାରେଣୀ  ଏସଏଚଜିର କବିତା ସାହୁ,  ସୁନ୍ଦରଗଡ଼  ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ  ଓ  ନୂଆପଡା  ବନଦୁର୍ଗା  ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ  ସମ୍ମାନିତ  କରିଥିଲେ  । ସେହିପରି  ଏସଏଚଜି  ମାନଙ୍କୁ  ରୁଣ  ଦେବା ରେ  ଭଲ  କାମ  କରିଥିବା  ଓଡିଶା  ଗ୍ରାମ୍ୟ  ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ  ୟୁକୋ ବ୍ୟାଙ୍କକୁ  ସମ୍ବର୍ଦ୍ଧିତ  କରିଥିଲେ ।

     କାର୍ଯ୍ୟକ୍ରମରେ  ମିଶନ  ଶକ୍ତି  ବିଭାଗ  ମନ୍ତ୍ରୀ  ଶ୍ରୀମତୀ ବାସନ୍ତୀ  ହେମ୍ବ୍ରମ  ତାଙ୍କ  ଉଦବୋଧନରେ  ମା  ମାନଙ୍କ ବିକାଶ  ପାଇଁ  ନିଆଯାଇଥିବା  ପଦକ୍ଷେପ  ଉପରେ  ଆଲୋକପାତ  କରିଥିଲେ । ମିଶନ  ଶକ୍ତି  ସଚିବ   ସୁଜାତା  କାର୍ତ୍ତିକେୟ  ସ୍ଵାଗତ  ଭାଷଣ  ଦେଇଥିଲେ । ବିଭାଗୀୟ  ନିର୍ଦେଶକ  ଧନ୍ୟବାଦ  ଅର୍ପଣ  କରିଥିଲେ ।

  • କେବେ ଶିବପ୍ରସାଦଙ୍କ ଗୁହାରି ଶୁଣିବେ ସରକାର?

    ଗୋପ: ଗରିବ ଲୋକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  ତାସହ ଅନେକ ଯୋଜନା ବି କରିଛନ୍ତି । କିନ୍ତୁ ସବୁ ଯୋଜନା ଯେମିତି ଅଧାବାଟରେ ବାଟମଣା ହୋଇଛି । ସ୍ବାଧୀନତାର ୭୫ ବର୍ଷ ପରେ ବି ବିକାଶକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିକାଶ  କେବଳ ବଡବଡ ବାବୁଙ୍କ ପାଇଁ । ଯାହା ଏଚିତ୍ରରୁ ସ୍ପଷ୍ଟ ଅନୁମେୟ କରାଯାଉଛି । ଆସନ୍ତୁ ନଜର ପକାଇବା ଏ ରିପୋର୍ଟ ଉପରେ । 

    ଗରିବ ଲୋକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  ତାସହ ଅନେକ ଯୋଜନା ବି କରିଛନ୍ତି । କିନ୍ତୁ ଏସବୁ ଯୋଜନା ଶିବପ୍ରସାଦଙ୍କ ପାଇଁ ଯେମିତି ସାତସପନ ହୋଇଛି ।  ପୁରୀ ଜିଲ୍ଲା ବଉଳାଙ୍ଗ ପଞ୍ଚାୟତର ବାସିନ୍ଦା ହେଉଛନ୍ତି ଶିବପ୍ରସାଦ ସ୍ବାଇଁ। ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ପୁଅ । ୨୨ ବର୍ଷ ତଳେ ଶିବପ୍ରସାଦ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ, କାମ କରୁଥିବା ସମୟରେ ବିଦ୍ୟୁତ ଲାଗିଯିବାରୁ ସେବେଠାରୁ ସେ ଅଚଳ ହୋଇପଡିଛନ୍ତି । କୌଣସି କାମ ମଧ୍ୟ କରିପାରୁନଥିବା ବେଳେ ଭିନ୍ନକ୍ଷମ ଜୀବନ କାଟୁଛନ୍ତି ଶିବପ୍ରସାଦ । ଅନ୍ୟପଟେ ଚାଳଛପର ଘରେ ଜୀବନ କଟୁଥିବା ବେଳେ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେତିକିରେ ତାଙ୍କର ସଂସାର ଚଳେ । ଦିବ୍ୟାଙ୍ଗ କାର୍ଡ ଖଣ୍ଡେ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଥିବା କୋହଭାର କଣ୍ଠରେ କହିଛନ୍ତି ଶିବପ୍ରସାଦ ।    

    ତେବେ ଶିବପ୍ରସାଦଙ୍କୁ ଦେଖିଲେ ପ୍ରଶ୍ନ ଉଠେ ସରକାରଙ୍କ ମାଳ ମାଳ ଯୋଜନା କେବଳ ବଡବଡିଆଙ୍କ ପାଇଁ । ତେବେ ଏ ଘଟଣା ନେଇ ଆମେ ବଉଲାଙ୍ଗ ସରପଞ୍ଚ ନରହରି ଦଳାଇଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପରେ ଆମେ ଗୋପ ବ୍ଳକ ଅଧ୍ୟକ୍ଷାଙ୍କୁ ମଧ୍ୟ ଯୋଗାଯୋଗ କରିଥିଲୁ ସେ ପ୍ରତିକ୍ରିୟା ରଖିଥିଲେ ଆପଣଙ୍କ ମ୍ୟାଧମରେ ଖବର ପାଇଲି। ଖୁବୁଶୀଘ୍ର ଶିବପ୍ରସାଦଙ୍କୁ ସରକାରୀ ସ୍ତରରେ ସାହାଯ୍ୟ ଯୋଗାଇ ଦିଆଯିବ । ଅନ୍ୟପଟେ ସେହି ୱାର୍ଡ ସଭ୍ୟଙ୍କ ପ୍ରତକ୍ରିୟା ସେ ବିଜେପି ହୋଇଥିବା ଯୋଗୁ ତାଙ୍କର କୌଣସି କଥା କେହି ଶୁଣୁ ନାହାନ୍ତି ।

    ଦାରିଦ୍ର୍ୟତା ହୋଇଛି, ଗରିବ ଲୋକର  ପରିଚୟ । ଏଠି ସବୁ କେବଳ ପ୍ରତିଶ୍ରୁତି  । କିନ୍ତୁ ଶିବପ୍ରସାଦଙ୍କୁ ମିଳିଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ତାକୁ ଅପେକ୍ଷା ।

    ଭାରତୀ ଭୂଷଣଙ୍କ ରିପୋର୍ଟ

  • ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

    ଭୁବନେଶ୍ବର:  ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୧.୧.୨୦୨୨ରୁ ପିଛିଲା ଭାବରେ ଲାଗୁ କରାଯାଇଛି। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି  କରାଯାଇଛି। 

    କର୍ମଚାରୀ ଓ ପେନ୍ସନଭୋଗୀ  ମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ। ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ ।

  • ରାଜ୍ୟରେ ୨ ଲକ୍ଷରୁ ଅଧିକ ଘରେ ପହଞ୍ଚି ନାହିଁ ବିଜୁଳି

    ଭୁବନେଶ୍ବର: ରାଜ୍ୟରେ ଏଯାଏଁ ୨ ଲକ୍ଷରୁ ଅଧିକ ଘରେ ବିଜୁଳି ସେବା ପହଞ୍ଚି ନାହିଁ । କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଓ ଦିନ ଦୟାଲ ଯୋଜନା ବନ୍ଦ ଥିବାରୁ ଆଲୋକୀ କିରଣରେ ସମସ୍ୟା ହେଉଥିବା କହିଲେ ଶକ୍ତି ମନ୍ତ୍ରୀ । ଏପଟେ ବିରୋଧି କହିଲେ ଦୋଷ ଲୁଚାଇବା ପାଇଁ କେନ୍ଦ୍ର ମୁଣ୍ଡରେ ଦୋଷ ଲଦୁଛନ୍ତି ରାଜ୍ୟ ସରକାର । ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲା  ବିଦ୍ୟୁତ ଉପଭୋକ୍ତା ସଂଘ ।

    ରାଜ୍ୟରେ ଏଯାଏଁ ଅନ୍ଧାରରେ ବିଭିନ୍ନ ଗ୍ରାମର ୨ ଲକ୍ଷ ୭୮ ହଜାର ଘର ରହିଛନ୍ତି । ଦୀର୍ଘ ଦେଢ଼ ବର୍ଷ ହେବ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଓ ଦିନ ଦୟାଲ ଯୋଜନା ବନ୍ଦକୁ ଦାୟୀ କଲେ ମନ୍ତ୍ରୀ। ଏପଟେ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଯେଉଁ ଗାଁରେ ବିଦ୍ୟୁତ ସଂଯୋଗ ନାହିଁ ସେଠି ପ୍ରାଥମିକତା ଭିତ୍ତିରେ ବିଜୁଳି ସଂଯୋଗ ଦେଉଛନ୍ତି ।  କିଛି ସ୍ଥାନକୁ ଲଜିଷ୍ଟିକ ସୁବିଧା ନାହିଁ ।  ପାହାଡ଼ ଉପରେ ଥିବା ଗାଁକୁ ସମସ୍ୟା ହେଉଛି। ଜଙ୍ଗଲ ଓ ପରିବେଶ କ୍ଲିଅରାନ୍ସ ବି ବିଦ୍ୟୁତ୍ ସଂଯୋଗରେ ବାଧକ ସାଜୁଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୭-୯୮ ପ୍ରତିଶତ ଗାଁକୁ ବିଦ୍ୟୁତ୍ କରଣ ହୋଇଛି। ସୌର ବ୍ୟବସ୍ଥା ବି କରାଯାଉଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ । ଏପଟେ କେନ୍ଦ୍ର ନାଁ ନେଇ ରାଜ୍ୟ ସରକାର ନିଜର ଦୋଷ ଖସାଇବା ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ।

    ରାଜ୍ୟସରକାରଙ୍କ ଦୋଷ ପାଇଁ ୨ ଲକ୍ଷ ୭୮ ହଜାର ଘର ଏବେ ମଧ୍ୟ ଅନ୍ଧାରରେ ବୋଲି କହିଛନ୍ତି ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି । ରାଜ୍ୟର ମଧ୍ୟ ଅନେକ ନିଜସ୍ୱ ଯୋଜନା ରହିଛି । କେବଳ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କଲେ ହେବ ନାହିଁ । ଏହାସହ ବିଭିନ୍ନ ଯୋଜନାର ତଦାରଖ ଠିକ୍‌ରେ ନ ହେବା ଦ୍ୱାରା ଲୋକ ଏଯାଏଁ ଅନ୍ଧାରରେ ରହୁଥିବା ଅଭିଯୋଗ କରିଛି ଉପଭୋକ୍ତା ସଂଘ।

    ବଳକା ବିଜୁଳି ରାଜ୍ୟ କହି ଆସୁଥିବା ରାଜ୍ୟ ସରକାର କେବେ ଶତ ପ୍ରତିଶତ ଘରକୁ ବିଜୁଳି ଦେବେ, ଦେଖିବାକୁ ରହିଲା।  

    ନବ କିଶୋର ସାହୁଙ୍କ ରିପୋର୍ଟ

  • ପୂଜା ପୂର୍ବରୁ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିବ ଖୁସି ଖବର!

    ଭୁବନେଶ୍ବର: ପୂଜା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର । ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଥିବା ସୂଚନା। ତେଣୁ ଆଗାମୀ ୧୫ ଦିନ ଭିତରେ ସରକାର ଏହାର ସମାଧାନ କରିବା ଆଶା କରାଯାଉଛି।

     ୪୨ ଟି ବିଭାଗର ୭୦ ହଜାର  ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ସେମାନଙ୍କ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ କରିଥିଲେ ଦାବି। ଫଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏହାକୁ ନେଇ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ସରକାରଙ୍କ ପକ୍ଷରୁ ହୋଇଥିଲା ଆଲୋଚନା। ଆଲୋଚନା ସଫଳ ହୋଇଥିବା ସୂଚନା ମିଳିବା ପରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦେଖାଦେଇଛି ଖୁସି।

    ପୂଜା ପୂର୍ବରୁ ଭଲ ଖବର ମିଳିବା ନେଇ ମହାସଂଘ ଆଶା ରଖିଛି। ଯଦି ପୂର୍ବପରି ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ସାବ୍ୟସ୍ତ ହୁଏ ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ କହିଛି।

  • ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ

    ଭୁବନେଶ୍ବର: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତାକ୍ରମରେ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରିରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିଅର ଇଞ୍ଜିନିୟର, ଜଣେ ଓ.ଏ.ଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ ଜଣେ ସାମାଜିକ ଶିକ୍ଷା ଅଧିକାରୀ ଅନ୍ତର୍ଭୁକ୍ତ। ପୂର୍ବରୁ ୧୬୪ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଏହି ୯ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

    ଚାକିରୀରୁ ବହିଷ୍କୃତ ହୋଇଥିବା ୫ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଆଶିଷ କୁମାର ଦାଶ। କଣ୍ଟ୍ରାକ୍‌ଟର ମାନଙ୍କ ଠାରୁ ଅସତ୍ ଉପାୟରେ ୧୦.୨୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ସେ ଭିଜିଲାନ୍‌ସ ଦ୍ବାରା ଧରା ପଡିଥିଲେ। ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

    ସେହିପରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ଏକ୍‌ଜ୍ୟୁକିଟିଭ ଇଞ୍ଜିନିୟର ମାନସ ରଂଜନ ମହାନ୍ତି ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । କଟକ ଗଣ୍ଡରପୁର ଡ୍ରେନେଜ୍ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ମନୋଜ କୁମାର ବେହେରା ଓ ତାଙ୍କ ପତ୍ନୀଙ୍କ ନାମରେ ୪.୨୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଭିଜିଲାସନ୍ ମାମଲା ଚାଲିଥିଲା ।

    କେନ୍ଦୁଝର ଜିଲ୍ଲା ସାଳପଡାସ୍ଥିତ ବୈତରଣୀ ଜଳସେଚନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଉମେଶ କୁମାର ଶାଶିନୀଙ୍କ ବିରୁଦ୍ଧରେ ୧.୪୨ କୋଟି ଟଙ୍କାରୁ ଅଧିକ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଦୁର୍ନୀତି ମାମଲା ରହିଛି । ଉମରକୋଟ ସଡକ ଓ କୋଠାବାଡିର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଶୁଦ୍ଧାନନ୍ଦ ବେହେରାଙ୍କ ନାମରେ ନିମ୍ନମାନର କାମ କରିବାର ଅଭିଯୋଗ ଥିଲା। ଏହାସହିତ ତାଙ୍କ ନାମରେ ୭୦.୯୩ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲ ରହିଛି। ଅସାଧୁ କାର୍ଯ୍ୟରେ ଲିପ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

    ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଜଳଧର ମଲ୍ଲିକ, ବାଲେଶ୍ବର ଜିଲ୍ଲାରେ ଡେପୁଟି କଲେକ୍ଟର ଥିବା ଓ ମୟୁରଭଂଜ ଜିଲ୍ଲାର ସାମାଖୁଣ୍ଟା ବ୍ଲକ୍‌ର ପୂର୍ବତନ ତହସିଲଦାର ଓ.ଏ.ଏସ ଅଧିକାରୀ ସବିତା ସାହୁଙ୍କୁ ଅସାଧୁତା କାରଣରୁ ଚାକିରୀରୁ ବହିଷ୍କାର କରାଯାଇଛି। ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ ପ୍ରଭାସିନୀ ବାବୁଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି।

    ଗଞ୍ଜାମ ଜିଲ୍ଲା ରୁରାଲ ୱାର୍କ୍ସ ଡିଭିଜନ-୨ର ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ପୂର୍ବତନ ଜୁନିଅର ଇଞ୍ଜିନିୟର ତ୍ରିନାଥ ସେଠୀଙ୍କ ପେନ୍‌ସନ୍‌କୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

Back to top button