ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ଘୋଷଣା ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହାସହ ଆଗାମୀ ଦିନର କାର୍ଯ୍ୟଧାରା ଦିଗରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ା, ରାଜ୍ୟ ଉପସଭାପତି ସୁଜିତ୍ ପାଲଟା ସିଂ , ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସୁମନ ସାହୁଙ୍କ ସମେତ ବହୁ ଛାତ୍ର ନେତା ଉପସ୍ଥିତ ଥିଲେ।
politics
-
ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ୱର୍ଦ୍ଧନା
-
ଆଜି ଫ୍ଲୋର ଟେଷ୍ଟ
ପାଟଣା: ଆଜି ଫ୍ଲୋର ଟେଷ୍ଟ। ବିହାର ବିଧାନସଭାରେ ଆଜି ବହୁମତ ପରୀକ୍ଷା ଦେବେ ନୀତିଶ- ତେଜସ୍ୱୀ ମହାମେଣ୍ଟ ସରକାର। ତା ପୂର୍ବରୁ ଆଜି ସକାଳୁ ସକାଳୁ ପାଟନାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଂ ସିବିଆଇର ରେଡ୍ । ଗଠବନ୍ଧନ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ ଆରଜେଡିର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହଙ୍କ ଘରେ ରେଡ୍ କରିଛି । ସୁନୀଲ ସିଂହ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି। ରେଲୱେରେ ନିଯୁକ୍ତି ଏବଂ ଜମି ଜାଲିଆତି ମାମଲାରେ ସିବିଆଇ ରେଡ୍ କରୁଛି । ଉଦ୍ଦେଶ୍ୟମୂଳକ ଭାବେ ସିବିଆଇ ରେଡ୍ କରିଛି। ଆରଜେଡି ବିଧାୟକଙ୍କୁ ଜାଣିଶୁଣି ହଇରାଣ ହରକତ ଏବଂ ଡରାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ସୁନୀଲ ସିଂହ।
-
ବନ୍ୟାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି
ବନ୍ୟାରେ ଉବୁଟୁବୁ ନଦୀକୂଳିଆ ଅଞ୍ଚଳ। ବନ୍ୟାକୁ ମୁକାବିଲା କରିବାକୁ ସରକାର କେବଳ ବୈଠକ, ନିର୍ଦେଶ, ନୋଟିସ ଓ ସମୀକ୍ଷାରେ ନିଜକୁ ସୀମିତ ରଖିଦେଇଛନ୍ତି। ବନ୍ୟାକୁ ୩ରୁ ୪ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ନଥିବା ବିରୋଧି ଅଭିଯୋଗ କରିଥିବା ବେଳେ ଏହାର ଜବାବ ରଖିଛି ବେଜେଡ଼ି ।
ପାଣି ଘେରରେ ଲୋକେ । ଗ୍ରାଉଣ୍ଡରେ ବିଜେପି । ସେପଟେ ବନ୍ୟା ସ୍ଥିତି ସମିକ୍ଷା ପାଇଁ କଂଗ୍ରେସ ଗଢିଲା କମିଟି । ଆଗକୁ ଲଘୁଚାପ ବଢାଇପାରେ ଦୁର୍ଦ୍ଦଶା । ଏ ସମୟରେ କିଏ ଲୋକଙ୍କ ପାଇଁ କାମ କରୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ରାଜନୀତି। ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିୂବାରେ ବିଫଳ ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ବିରୋଧି । ରାଜ୍ୟ ସରକାର ବନ୍ୟା ପରିଚାଳନା ବିଫଳ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ବିଜେପିର ୩ଟି ଟିମ୍ ପୁରୀ, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ବାଙ୍କି ଅଞ୍ଚଳ ଗସ୍ତ କରିଛନ୍ତି । ଗ୍ରାଉଣ୍ଡରେ ଲୋକଙ୍କ ସ୍ଥିତି ପରଖିଛନ୍ତି । ଏହାସହ ସରକାର ଏଯାଏଁ ଲୋକଙ୍କ ପାଖରେ ମୈଳିକ ସୁବିଧା ସୁଯୋଗ ପହଞ୍ଚାଇ ପାରି ନଥିବା ଅଭିଯୋଗ କରିଛି ଦଳ । ସେପଟେ କଂଗ୍ରେସ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିଛି ।
ସେପଟେ ବିଜେଡ଼ିର ସ୍ଥାନୀୟ ବିଧାୟକମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ଲାଗିପଡ଼ିଛନ୍ତି । ଖୋର୍ଦ୍ଧାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ସ୍ଥାନୀୟ ବିଧାୟକ ଯାଇ ସ୍ଥତିର ସମିକ୍ଷା କରିଛନ୍ତି । ଏପଟେ ବିରୋଧି ବନ୍ୟାକୁ ନେଇ ରାଜନିତୀ ନ କରିବାକୁ କହିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୱାର୍ଡ ମେମ୍ୱରଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କ ପାଖରେ ଥିବା କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ।
ତେବେ ବନ୍ୟା ପରି ପ୍ରକୃତିକ ବିପତ୍ତି ସମୟରେ ରାଜନିତୀ ପାରା ମିଟର ମଧ୍ୟ ବଢିବାରେ ଲାଗିଛି । ହେଲେ ଏହି ସମୟରେ ବିପନ୍ନଙ୍କ ପାଖରେ କିଏ ଓ କେତେ ସହାୟତା ପହଞ୍ଚାଉଛି ତାହା ତ ସମୟ କହିବ ।
-
ପାଖରେ ଶୁଅ ସରକାରୀ ଚାକିରୀ ମିଳିବ
କର୍ଣ୍ଣାଟକ: କର୍ଣ୍ଣାଟକରେ ସରକାରୀ ଚାକିରୀ କରିବାକୁ ହେଲେ ମହିଳାଙ୍କୁ କାହାରି ନା କାହାରି ସହ ଶୋଇବାକୁ ପଡ଼େ। ଆଉ ପୁରୁଷ ଲାଞ୍ଚ ନ ଦେଲେ ଚାକିରୀ ମିଳିବା ସ୍ୱପ୍ନ। ବିଜେପି ଶାସିତ କର୍ଣ୍ଣାଟକ ସରକାରଙ୍କ ବିରୁଦ୍ଧରେ ଏଭଳି ବିଷ ଓଗାଳିଥିଲା ବେଳେ ଚାକିରୀକୁ ନେଇ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ। ରାଜ୍ୟ ପିସିସି ମୁଖପାତ୍ର ତଥା ବିଧାୟକ ପ୍ରିୟଙ୍କ ଖଡଗେ ଏଭଳି ଗୁରୁତର ଅଭିଯୋଗ ଆଣିବା ପରେ ସବୁଠି ହଇଚଇ। ସରକାରୀ ନିଯୁକ୍ତିରେ ଏଭଳି ବଡ଼ ଧରଣର ସ୍କାମ୍ ର ଏସଆଇଟି ତଦନ୍ତ ଦାବି କରିଛନ୍ତି ଖଡଗେ। ତା ସହ ଏ ସବୁର ତ୍ୱରିତ ବିଚାର ଲାଗି ସରକାର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରନ୍ତୁ ବୋଲି ଅପିଲ୍ କରିଛନ୍ତି। ଖଡଗେଙ୍କ ଅଭିଯୋଗ ଅନୁସାରେ, କର୍ଣ୍ଣାଟକରେ ସରକାରୀ ଚାକିରୀ ବିକ୍ରି ହେଉଛି। ଯଦି ଜଣେ ମହିଳା ସରକାରୀ ଚାକିରୀ ପାଇବା ଲାଗି ଚାହୁଁଛନ୍ତି, ତେବେ ଶିକ୍ଷାଗତ ଯୋଗ୍ୟତା ମୂଳ ମାପକାଠି ନୁହେଁ। ମହିଳାଙ୍କୁ କାହାରି ନା କାହା ସହ ଶୋଇବାକୁ ପଡ଼ୁଛି। ଆଉ ପୁରୁଷ ଲାଞ୍ଚ ନ ଦେଲେ ସରକାରୀ ଚାକିରୀର ସ୍ୱପ୍ନ ଦେଖିବା ବୃଥା। ତେବେ କର୍ଣ୍ଣାଟକ ସରକାରର ଜଣେ ମନ୍ତ୍ରୀ ଜଣେ ଯୁବତୀଙ୍କୁ ସରକାରୀ ଚାକିରୀ କରାଇଦେବାକୁ କହି ତାଙ୍କ ସହ ଶୋଇବାକୁ କହିଥିଲେ। ଆଉ ସଂପୃକ୍ତ ଯୁବତୀ ନିଯୁକ୍ତି ସ୍କାମ୍ କଥା ଉଠିବା ପରେ ଚାକିରୀରୁ ଇସ୍ତଫା ଦେଇସାରିଛନ୍ତି। ଆଉ ଏହାର ଚାକ୍ଷୁସ ପ୍ରମାଣ କୁଆଡ଼େ ତାଙ୍କ ପାଖରେ ଅଛି ବୋଲି ଦାବି କରୁଛନ୍ତି ଖଡଗେ। କର୍ଣ୍ଣାଟକ ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ବା କେପିଟିସିଏଲ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ସିଭିଲ ଇଞ୍ଜିନିୟର ପାଇଁ ୧୪ଶହ ୯୨ଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି ବାହାର କରିଥିଲା। ଜଣେ ପ୍ରାର୍ଥୀ ପରୀକ୍ଷାରେ ବ୍ଲୁ-ତୁଥ୍ ବ୍ୟବହାର କରି ଲେଖୁଥିଲା ବେଳେ ଧରାପଡ଼ିଥିଲେ। ଆଉ ଗିରଫ ହୋଇଥିଲେ। ଏହାକୁ ଭିତ୍ତିକରି ବିଧାୟକ ଖଡଗେ କହିଛନ୍ତି କି, ପ୍ରାୟ ୬ଶହ ପଦବୀ ପାଇଁ ମୋଟା ଅଙ୍କର ଡିଲ୍ ହୋଇଥିଲା। ସନ୍ଦେହ କରାଯାଉଛି କି, ସହକାରୀ ଯନ୍ତ୍ରୀ ଆଶାୟୀଙ୍କଠୁ ୫୦ ଲକ୍ଷ ଓ କନିଷ୍ଠ ଯନ୍ତ୍ରୀ ଆଶାୟୀଙ୍କଠୁ ୩୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଛି। ଏମିତିରେ ଦେଖିବାକୁ ଗଲେ ପ୍ରାୟ ୩ଶହ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅନୁମାନ କରୁଛନ୍ତି ଖଡଗେ। ଏମିତି ହେଲେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ଖଡଗେ। କର୍ଣ୍ଣାଟକ ସରକାର ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଛନ୍ତି। ଯେଉଁମାନେ କେପିଟିସିଏଲରେ ବାହାରିଥିବା ପଦବୀ ଲାଗି ଆବେଦନ କରିଥିଲେ। ସେପଟେ ବିଜେପି ଏହାର କଡ଼ା କାଉଣ୍ଟର କରିଛି। ଏଭଳି ନୀଚ କାମ କଂଗ୍ରେସ ସରକାର ଅମଳରେ ହେଉଥିବ। ସବୁସ୍ତରରେ ଉତ୍କର୍ଷତା ଲାଭ କରୁଥିବା ଯୁବତୀ ଓ ମହିଳାଙ୍କ ପ୍ରତି ଏଭଳି ଅପଶବ୍ଦ ବ୍ୟବହାର କରିଥିବା କଂଗ୍ରେସ ବିଧାୟକ ଦେଶର ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ। ଗଲା ଏପ୍ରିଲରେ ବି ପିଏସଆଇ ନିଯୁକ୍ତିରେ କିଭଳି ବ୍ୟାପକ ଲାଞ୍ଚ କାରବାର ହୋଇଥିଲା, ସେ ସମ୍ପର୍କିତ ଏକ ଅଡିଓ ଟେପ୍ ଜାରି କରିଥିଲେ ଖଡଗେ। ଜଣେ ପ୍ରାର୍ଥୀ ଓ ଦଲାଲଙ୍କ ଭିତରେ ଚାକିରୀ ପାଇବାକୁ ନେଇ ଡିଲ୍ ସମ୍ପର୍କିତ କଥାବାର୍ତ୍ତା ହୋଇଥିଲା। ଗୃହ ମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ରଙ୍କ ଇସ୍ତଫା ଦାବି କରିଥିଲେ ଖଡଗେ। ଏଡିଜିପିଙ୍କୁ ଅନ୍ୟ ବିଭାଗକୁ ବଦଳି କିମ୍ୱା ତଦନ୍ତ ନ ସରିଲା ଯାଏ ଛୁଟିରେ ପଠାଇ ଦିଆଯାଉ ବୋଲି ଦାବି କରିଥିଲେ। ତେବେ ଅଡ଼ିଓ ରିଲିଜ ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ନିଯୁକ୍ତି ଅନିୟମିତତାର ତଦନ୍ତ ହେବ ବୋଲି କଥା ଦେଇଥିଲେ। ଆଉ ଯିଏ ବି ଦୋଷୀ, ସେମାନଙ୍କ ବିରୁଦ୍ଧରେ ଆକ୍ସନ ହେବ ବୋଲି ପ୍ରତିଶୃତି ଦେଇଥିଲେ।
- ପ୍ରଦୀପ ନାୟକଙ୍କ ରିପୋର୍ଟ
-
ଜେଡିୟୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲାକି ବିଜେପି ?
ବିହାରରେ ନୀତିଶଙ୍କ ନୂଆ ଇନିଂସ ଆରମ୍ଭ ହୋଇସାରିଛି। ଏଥର ମହାଗଠବନ୍ଧନ ସହ। ଏନଡିଏର ହାତ ଛାଡ଼ିଲାବେଳକୁ ନୀତିଶଙ୍କର ସବୁଠୁ ବଡ଼ ମନ୍ତବ୍ୟର ରହସ୍ୟ ଉପରୁ ଏ ଯାଏ କିନ୍ତୁ ପରଦା ହଟିଲାନି। ଯାହାକୁ ନେଇ ଅନେକ ଆକଳନ, ଆଲୋଚନା ଓ ଚର୍ଚ୍ଚା ଜାରି ରହିଛି। ଜେଡିୟୁକୁ ଭାଙ୍ଗିବାକୁ କୁଆଡ଼େ ବିଜେପି ଚକ୍ରାନ୍ତ କରୁଥିବାର ସଙ୍ଗୀନ ଆରୋପ ଲଦିବା ପରେ ଯଦିଓ ବିଜେପି ନେତା ଜଣକ ପରେ ଜଣେ ଏହାକୁ କାଉଣ୍ଟର କରିବାରେ ଲାଗିଛନ୍ତି। ଆଉ ନୀତିଶଙ୍କ ଉପରେ ବର୍ଷିଛନ୍ତି। ତେବେ ନିରିଖେଇ ଦେଖିଲେ ସତରେ କଅଣ ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା କି ବିଜେପି। ମହାରାଷ୍ଟ୍ର ଫର୍ମୁଲା ଆପଣାଇବାକୁ ବସିଥିଲା କି।
ଜେଡିୟୁରେ ଥିବା ଗୃହ ଶତୃଙ୍କ ଜରିଆରେ ଖଣ୍ଡ ଖଣ୍ଡ କରିଦେବାକୁ ଚାହୁଁଥିଲା କି। ମୋଦିଙ୍କ ହନୁମାନ ବୋଲା ଯାଉଥିବା ଏଲଜେପିର ଚିରାଗ ପାଶଓ୍ୱାନଙ୍କର ସେମିତି କିଛି ପ୍ରଛଦପଟ୍ଟରେ ଭୂମିକା ଥିଲା କି। ଜେଡିୟୁର ଲଲନ ସିଂ କାହିଁକି ନୂଆ ସରକାର ହେବା ଆଗରୁ ଦଳ ଭିତରେ ଓ ବାହାରେ ଥିବା କିଛି ନେତାଙ୍କ ଚରିତ୍ର ସଂହାର କରିଥିଲେ। କାରଣ ଏନଡିଏର ହାତ ଛାଡ଼ିବା ପଛରେ ଅନେକ କାରଣ କୁହାଯାଉଛି। ଉଭୟ ବିଜେପି ଓ ଜେଡିୟୁର ସମାନସଂଖ୍ୟକ ୧୬ ଜଣ ଲେଖାଏଁ ସାଂସଦ ଥିଲା ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମାନ ଅନୁପାତ ଚାହୁଁଥିଲେ ନୀତିଶ। କାରଣ ବିହାର ବିଜେପି କୋଟାରୁ କେନ୍ଦ୍ରରେ ମନ୍ତ୍ରୀ ହେଉଥିଲା ଭଳି ଜେଡିୟୁ କୋଟାରୁ ବି ହୁଅନ୍ତୁ ବୋଲି ଚାହିଁଥିଲେ ନୀତିଶ। କିନ୍ତୁ ୨୦୧୯ ପରେ ଜେଡିୟୁରୁ କେବଳ ଆରସିପି ସିଂଙ୍କୁ ମନ୍ତ୍ରୀ କରାଗଲା। ଆଉ ଖାସ୍ କରି ସେଥିଲାଗି ତ ଲଲନ ସିଂ କହିଥିଲେ, କେନ୍ଦ୍ର କ୍ୟାବିନେଟରେ କେବେ ବି ସାମିଲ ହେବନି ଜେଡିୟୁ। କେବଳ ଏତିକି ନୁହେଁ, ଆରସିପିଙ୍କୁ ଧରି ଜେଡିୟୁରେ ଫାଟ କରିବାକୁ ଚାହିଁଥିଲା ବିଜେପି ବୋଲି ସଙ୍ଗୀନ ଆରୋପ ଲଦିଥିଲେ। ଏମିତିରେ ବିହାର ବିଧାନସଭାରେ ବିଜେପି କୋଟାରୁ ବାଚସ୍ପତି ହୋଇଥିବା ବିଜୟ ସିହ୍ନାଙ୍କ ସହ ନୀତିଶଙ୍କର ବିଧାନସଭା ଭିତରେ ଓ ବାହାରେ ଅନେକ ଥର ବିବାଦ ଉପୁଜିଥିଲା।
ଅଗ୍ନିପଥ ନିଯୁକ୍ତିକୁ ନେଇ ବିହାରରେ ଅଶାନ୍ତ ଓ ହିଂସା ପରିସ୍ଥିତି ଲାଗି ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୟସଓ୍ୱାଲ ନୀତିଶ ସରକାରଙ୍କୁ ଟାର୍ଗେଟ କରିଥିଲେ ଅତୀତରେ। ଏ ପ୍ରସଙ୍ଗରେ ବିଜେପି କାହିଁକି ଏକାକୀ ଟାର୍ଗେଟ ହେଉଛି। ଏହା ତୁରନ୍ତ ବନ୍ଦ ହେବା ଦରକାର। ତା ନହେଲେ ଏହା କାହାପାଇଁ ବି ଭଲ ହେବନି ବୋଲି ଚେତାଇ ଦେଇଥିଲେ। କାରଣ ନୀତିଶ ଏ ସବୁ ପ୍ରସଙ୍ଗରେ ଅସମ୍ଭବ ନୀରବତା ଅବଲମ୍ୱନ କରୁଥିଲେ। ଏ ସବୁ ତ ଅତୀତ। ଆଉ ଏହାର ପ୍ରତିଫଳନ ଆଜି ସମସ୍ତଙ୍କ ସାମ୍ନାରେ। ହେଲେ ଆରସିପି,ଚିରାଗଙ୍କ ଭୂମିକାକୁ ଏବେ ରାଜନୈତିକ ଷଡ଼ଯନ୍ତ୍ର ଚର୍ଚ୍ଚାର ସ୍କାନରରେ ଦେଖାଯାଉଛି। କାରଣ ସାନି ନିର୍ବାଚନ କରିବାକୁ ଦାବି କଲେଣି ଚିରାଗ। ଆଉ ବିଜେପି କହିବାରେ ଲାଗିଛି, ନୀତିଶ ବିଶ୍ୱାସଘାତକ। ସେପଟେ ଆରଏଲଜେପିର ପଶୁପତି ପାରଶ ଯିଏ କି କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ସେ ଏନଡିଏ ସହ ରହିବେ ବୋଲି କହିଛନ୍ତି। ଏହାରି ଭିତରେ ଅଡ଼ିଓ ଟେପ୍ ଭାଇରାଲ ଖବର ନୀତିଶଙ୍କ କଥାରେ ଦମ୍ ଅଛି ବୋଲି ଚର୍ଚ୍ଚାକୁ ବି ଶାଣିତ କରୁଛି।
କେନ୍ଦ୍ରରୁ କିଏ ଜଣେ ମନ୍ତ୍ରୀ ଷଡ଼ଯନ୍ତ୍ର କରି ଜେଡିୟୁକୁ ଭାଙ୍ଗିବାକୁ ହୋଇଥିବା ଅଡ଼ିଓ ଭାଇରାଲ ଟେପ୍ କୁ ନେଇ ଏ ଯାଏ ସ୍ପଷ୍ଟତା ଆସିପାରିନି। ଜେଡିୟୁ ଜାହାଜରେ ଛିଦ୍ର କରିବାକୁ ତା ହେଲେ କିଏ ଷଡ଼ଯନ୍ତ୍ର କରୁଥିଲା। ଷଡ଼ଯନ୍ତ୍ର ହୋଇଥିଲା ସତରେ ନା ବିଜେପି ସାଙ୍ଗରେ ରହି ନିଜକୁ ସହଜ ମନେ କରୁନଥିବା ନୀତିଶ ଏହି ଷଡ଼ଯନ୍ତ୍ର ଥିଓରୀକୁ ଆଗକୁ ଆଣି ନିଜକୁ ପୁଣି କ୍ଷମତା ଚୌକିରେ ବସାଇ ବିଜେପି ଓ ମେଣ୍ଟ ସହଯୋଗୀଙ୍କ ଭିତରେ ଲଢ଼େଇ ଦେଖିବାକୁ କରିଛନ୍ତି କି ଫନ୍ଦି।
- ପ୍ରେମଲତା ବାରିକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ
-
ପୁଣି ଥରେ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ…କାହିଁକି ରହିଛି ତେଜସ୍ୱୀଙ୍କ ବିହାର ପଲିଟିକ୍ସରେ ତେଜ୍ ?
ନୀତିଶଙ୍କ ରାଜତିଳକ ହୋଇଛି। ଥରେ ନୁହେଁ। ଆଜିକୁ ମିଶାଇ ୮ ଥର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି ନୀତିଶ। ହେଲେ ନୀତିଶଙ୍କ ତୁଳନାରେ ଢେର୍ କନିଷ୍ଠ ଥିବା ତେଜସ୍ୱୀ ଯାଦବଙ୍କ ତେଜ୍ ବି କିଛି କମ୍ ନାହିଁ ବିହାର ପଲିଟିକ୍ସରେ। ନୀତିଶଙ୍କ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ତେଜସ୍ୱୀ। ଗଲା ନିର୍ବାଚନରେ ବି ନୀତିଶଙ୍କ ଦଳକୁ ତିନି ନମ୍ୱର ଆସନକୁ ଠେଲିଦେଇଥିଲେ ତେଜସ୍ୱୀ। ଆଉ ଏଥର ପାଳିରେ ପୁଣି ଥରେ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତେଜସ୍ୱୀ। ବିହାର ବିଧାନସଭାରେ ବିରୋଧୀ ଦଳ ନେତା। ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ। ଲାଲୁ – ରାବ୍ରିଙ୍କ ସବା ସାନ ପୁଅ। ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ଯାହାର ନେତୃତ୍ୱରେ ପରିଚାଳିତ। ଗଲା ବିଧାନସଭା ନିର୍ବାଚନରେ ବିହାରର ଏକକ ସଂଖ୍ୟାଗରିଷ୍ଠ ଦଳର ନେତା। ସେ ହେଉଛନ୍ତି ତେଜସ୍ୱୀ ଯାଦବ। ସଂଖ୍ୟାରେ ବିଜେପି ଓ ଜେଡିୟୁକୁ ପଛରେ ପକାଇଦେଇଥିଲେ ବି ବିହାର ଶାସନର ଡୋରି ଧରିବାକୁ ଅଳ୍ପକେ ବଞ୍ଚିତ ହୋଇଥିଲେ ତେଜସ୍ୱୀ।
କାରଣ ନୀତିଶ ପଟ୍ଟ ପରିବର୍ତ୍ତନ କରିଦେଲେ। କ୍ରିକେଟରେ କ୍ୟାରିଅର କରୁଥିଲା ବେଳେ ୨୦୧୦ରେ ଆରଜେଡି ଲାଗି କ୍ୟାମ୍ପେନ୍ କରିବା ଆରମ୍ଭ କରିଥିଲେ ତେଜସ୍ୱୀ। ପ୍ରଚାରକୁ ଆଧୁନିକୀକରଣ ସହ ଲୋକଙ୍କ ପାଖରେ ପହଞ୍ଚିବାକୁ ଡିଜିଟାଲ ପ୍ରଚାରକୁ ଆପଣାଇଥିଲେ ତେଜସ୍ୱୀ। ୨୦୧୫ ବିହାର ବିଧାନସଭା ଆସନରେ ରାଘୋପୁର ଆସନରୁ ମହାଗଠବନ୍ଧନର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଆଉ ମହାମେଣ୍ଟ ସଂଖ୍ୟା ଗରିଷ୍ଠ ଆସନ ହାସଲ କରିଥିବା ବେଳେ ତେଜସ୍ୱୀଙ୍କ ସାଂଗଠନିକ ଢାଞ୍ଚା ଓ ଦଳକୁ ସଠିକ୍ ପରିଚାଳନା ପାଇଁ ପୁରଷ୍କୃତ କରାଯାଇଥିଲା। ବିହାରର ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ ତେଜସ୍ୱୀ। ନୀତିଶଙ୍କ କ୍ୟାବିନେଟରେ ପୂର୍ତ୍ତ, ଜଙ୍ଗଲ ପରିବେଶ ଭଳି ଦୁଧିଆଳୀ ବିଭାଗ ବି ସମ୍ଭାଳିଥିଲେ ତେଜସ୍ୱୀ। କିନ୍ତୁ ୨୦୧୮ରେ ତେଜସ୍ୱୀଙ୍କ ପଛରେ ବିବାଦ ଗୋଡ଼ାଇଥିଲା। ତେଜସ୍ୱୀ ନିଜକୁ ଆରଜେଡିର ନେତା ବୋଲି ଘୋଷଣା କଲେ। ଯଦିଓ ଲାଲୁ-ରାବ୍ରୀଙ୍କର ଦଳ। ହେଲେ ସବୁରି ଆଗରେ ଥିଲେ ତେଜସ୍ୱୀ।
୨୦୨୦ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ପ୍ରୋଜେକ୍ଟ କରାଯାଇଥିଲା। ମହାଗଠବନ୍ଧନ ଯଦିଓ ୧୧୦ ଆସନ ଅକ୍ତିଆର କରିଥିଲା। ଆଉ ଆରଜେଡି ଏକାକୀ ୭୫ ଆସନ ହାତେଇ ସବୁଠୁ ବଡ଼ ଦଲ ଭାବେ ଉଭା ହୋଇଥିଲା। ତା ସତ୍ତ୍ୱେ ସରକାର ଗଠନ କରିପାରିଲାନି। କାରଣ ସରକାର ଗଢ଼ିବାକୁ ହେଲେ ଆବଶ୍ୟକ ଥିଲା ମ୍ୟାଜିକ ନମ୍ୱର ୧୨୨। ସେଥିଲାଗି ତେଜସ୍ୱୀ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୭ରେ ତେଜସ୍ୱୀଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିଲା। ମନି ଲଣ୍ଡରିଂ ମାମଲାରେ ତେଜସ୍ୱୀ ଓ ତାଙ୍କ ପରିବାର ନାଁରେ ଇଡି ୨୦୦୪ରେ ରୁଜୁ କରିଥିବା ମାମଲା ଆଧାରରେ ଏହା ହୋଇଥିଲା। ଇଣ୍ଡିଆନ ରେଲଓ୍ୱେ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମରେ ହୋଇଥିବା ଦୁର୍ନୀତିକୁ ନେଇ ସିବିଆଇ ସ୍କାନରକୁ ଆସିଥିଲେ ତେଜସ୍ୱୀ। ଆଉ ତେଜସ୍ୱୀ ବିବାଦରେ ଫସିଥିବା ଦେଖି ନୀତିଶ ଦୂରେଇଗଲେ।
ଆଉ ବିଜେପି ସହ ମିଶି ନୂଆ ସରକାର ଗଢ଼ିଲେ। ମହାଗଠବନ୍ଧନର ହାତ ଛାଡ଼ିଦେଲେ। ଅବଶ୍ୟ ତେଜସ୍ୱୀ ଏହି ମାମଲାରୁ ବର୍ତ୍ତିଗଲେ। କାରଣ ସେ ଦିଲ୍ଲୀ ହାଇକୋର୍ଟରେ ଦର୍ଶାଇଥିଲେ କି, ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା, ନାବାଳକ ଥିଲେ, ସେତେବେଳେ ତାଙ୍କ ନାଁରେ ଏଭଳି ମାମଲା ହୋଇଛି। ଯାହା ବାବଦରେ ତାଙ୍କର କୌଣସି ଲେନଦେନ୍ ନଥିଲା। ଏବେ ନୀତିଶ ପୁଣି କଡ଼ ଲେଉଟାଇବାରୁ ବିହାର ରାଜନୀତିରେ ପୁଣି ଘମାସାନ। ତେଜସ୍ୱୀ ପୁଣିଥରେ ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ। ତେବେ ଇଫତାର ପାର୍ଟିରୁ କକା-ପୁତୁରା ପୁଣି ନିକଟତର ହେବା ଦୃଶ୍ୟପଟ୍ଟରୁ ଆଜି ଗୋଟିଏ ମଞ୍ଚରେ ବିହାରର ନେତୃତ୍ୱ ନେବାକୁ ଶପଥ ଗ୍ରହଣ କରିଛନ୍ତି। ବଡ଼ ପୁଅ ତେଜପ୍ରତାପଙ୍କ ବଦଳରେ ସାନ ପୁଅ ତେଜସ୍ୱୀ ହିଁ ଲାଲୁଙ୍କ ଲିଗାସି ସମ୍ଭାଳିପାରିବେ ବୋଲି ଲାଲୁ ଜାଣିଥିଲେ। ଯଦିଓ ୨୦୧୦ରେ ପ୍ରଚାର ଅଭିଯାନର ମଙ୍ଗ ଧରିଥିଲେ ତେଜସ୍ୱୀ ଆଉ ୨୪୩ ଆସନରୁ ମାତ୍ର ଆରଜେଡି ୨୨ଟି ଆସନରେ ହାମୁଡ଼େଇ ପଡ଼ିଥିଲା।
କିନ୍ତୁ ୨୦୧୫ରୁ ନିଜର ନେତୃତ୍ୱ ଦେଖାଇବାରେ ପାରଙ୍ଗମ ହୋଇଥିଲେ ତେଜସ୍ୱୀ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନୀତିଶଙ୍କ ଭଳି ଭେଟେରାନଙ୍କ ନୀତି ଓ କରାମତିକୁ ନେଇ ଯେତିକି ଚର୍ଚ୍ଚା ହୁଏ। ଠିକ୍ ଅନୁରୂପ ଭାବେ ତେଜସ୍ୱୀଙ୍କ ଭଳି ଯୁବ ଚେହେରା ଓ ଯୁବ ନେତୃତ୍ୱଙ୍କୁ ନେଇ ବି ସେତିକି ଚର୍ଚ୍ଚା ଜାରି। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିବା, ଆନ୍ଦୋଳନ କରିବା, ରୋଜଗାରକୁ ନେଇ ଶାଣିତ ଟିପ୍ପଣୀ ଓ ସରକାରଙ୍କ ଉପରେ ଚାପ ପକାଇବା ହେଉ ଅବା ଜାତିଭିତ୍ତିକ ଜନଗଣନା ପାଇଁ ଅଡ଼ି ବସିବା। ଅନେକ ଜନସ୍ୱାର୍ଥ ପ୍ରସଙ୍ଗରେ ତେଜସ୍ୱୀଙ୍କ ତେଜ୍ ଦେଖିସାରିଛି ବିହାର।
- ପ୍ରଦୀପ ନାୟକଙ୍କ ରିପୋର୍ଟ
-
ତ୍ରୀରଙ୍ଗାକୁ ନେଇ ମୁହାଁମୁହିଁ
ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ଅବସରରେ ପାଳନ କରୁଛି ଆଜାଦୀକା ଅମୃତ ମହୋତ୍ସବ। ଏହି ପବିତ୍ର ଉତ୍ସବମୁଖର ବର୍ଷରେ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବାକୁ କେନ୍ଦ୍ର ସରକାର ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି। ଘର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଚାଲିଛି ଓ ପ୍ରତି ଘରେ ଅଗଷ୍ଟ ୧୫ ତାରିଖରେ ତ୍ରୀରଙ୍ଗା ଉଡାଇାକୁ ମୋଦି ଆହ୍ୱାନ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ସପକ୍ଷ ଓ ବିପକ୍ଷ ମଧ୍ୟରେ ଆରମ୍ଭ ହୋଇଛି ବାକ୍ଯୁଦ୍ଧ। ତେବେ ଏହି ଯୁଦ୍ଧରେ ଅନ୍ୟାନ୍ୟ ବିରୋଧୀ ଦଳ କଂଗ୍ରେସଠାରୁ ଦୂରତା ରକ୍ଷା କରୁଥିବା ବେଳେ କଂଗ୍ରେସ ଏକା ପଡିଯାଇଛି ଏହି ଲଢେଇରେ।
ହର ଘର ତ୍ରୀରଙ୍ଗା। ଏହି ନାରା ଦେଇ ବିଜେପି ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ କରିବାକୁ ଦେଇଛି ଆହ୍ୱାନ। ଦେଶର ୨୦ କୋଟି ଘର ଉପରେ ତ୍ରୀରଙ୍ଗାକୁ ଫରଫର କରି ଉଡାଇ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଗୌରବାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ପ୍ରତି ଘରେ, ପ୍ରତି ଗାଁରେ, ପ୍ରତି ଛକରେ ତ୍ରୀରଙ୍ଗା ଫରଫର ହୋଇ ଉଡିବ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହାକୁ କିଛି ନିଆରା, କିଛି ଖାସ ଓ ସ୍ମରଣୀୟ କରିବାକୁ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଦେଶ ପାଳନ କରିବ ସ୍ୱାଧୀନତାର ଅମୃତ ମହୋତ୍ସବ। ଏଥିସହ ମୋଦି ତାଙ୍କ ୯୧ତମ ମନକି ବାତ୍ କାର୍ଯ୍ୟକ୍ରମରେ ଅଗଷ୍ଟ୨ରୁ ପ୍ରତ୍ୟେକ ଭାରତୀୟ ସୋସିଆଲ ମିଡିଆରେ ନିଜ ପ୍ରୋଫାଇଲ ପିକଚରରେ ତ୍ରୀରଙ୍ଗା ରଖିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ। ଅଗଷ୍ଟ ୨ ହେଉଛି ତ୍ରୀରଙ୍ଗାକୁ ରୂପ ଦେଇଥିବା ପିଙ୍ଗାଲି ଭେଙ୍କୟାଙ୍କ ଜନ୍ମ ଜୟନ୍ତୀ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ଟ୍ବିଟର ଆକାଉଣ୍ଟର ଡିପି ବଦଳାଇ ସେଥିରେ ତ୍ରିରଙ୍ଗା ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବହୁ ସୋସିଆଲ ମିଡିଆ ୟୁଜର ମଧ୍ୟ ନିଜ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗାକୁ ସ୍ଥାନ ଦେଇଛନ୍ତି। ଏପରିକି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜ ଟ୍ବିଟରର ଫଟୋ ବଦଳାଇଥିବା ସହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ତ୍ରିରଙ୍ଗା ଫଟୋ ଦେଇଛନ୍ତି।
ତେବେ କଂଗ୍ରେସ ନେତାଙ୍କ ଦ୍ୱାରା ଜବାହରଲାଲଙ୍କ ହାତରେ ତ୍ରୀରଙ୍ଗା ଥିବା ଫଟୋକୁ ନେଇ ଉପହାସ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମୁଖପାତ୍ର ସମ୍ୱିତ ପାତ୍ର କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି କି, କଂଗ୍ରେସ ନେତା ଚାହିଁଥିଲେ ଖାଲି ତ୍ରିରଙ୍ଗାକୁ ସ୍ଥାନ ଦେଇ ପାରିଥାନ୍ତେ। କିନ୍ତୁ ନିଜ ବଂଶବାଦକୁ ଉପସ୍ଥାପିତ କରିବାକୁ ଏହି ଜାତୀୟ ଉତ୍ସବରେ ଏପରି ଫଟୋ ଦେଇଛନ୍ତି। ସେପଟେ ତ୍ରୀରଙ୍ଗାକୁ ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ କଂଗ୍ରେସ ନେତା ମଧ୍ୟ ପ୍ରତିକ୍ରୀୟାଶୀଳ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି କି, ଆମେ ତ ଆମ ଡିପିରେ ଆମ ନେତାଙ୍କ ଫଟୋ ଦେଇଛୁ। କିନ୍ତୁ ମନେ ହେଉଛି ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଯେମିତି ତାଙ୍କ ପରିବାର କାନରେ ପଡୁନାହିଁ। ଯେଉଁମାନେ ୫୨ ବର୍ଷ ପର୍ଯ୍ୟନ୍ତ ନିଜ ନାଗପୁର ହେଡ କ୍ୱାଟରରେ ପତାକା ଉଡାଇ ନାହାନ୍ତି? କଣ ସେମାନେ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶକୁ ସମ୍ମାନ ଦେବେ? ବୋଲି ପ୍ରଶ୍ନ କରିଛନ୍ତି ରମେଶ।
ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସର ମିଡିଆ ଆଣ୍ଡ ପବ୍ଲିସିଟି ସେଲ ଆହୁରି ଦୁଇ ପାଦ ଆଗକୁ ଯାଇଛନ୍ତି। ସେ ଆରଏସଏସ ନେତାଙ୍କୁ ତ୍ରିରଙ୍ଗା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବାକୁ କହିବା ସହ ଆରଏସଏସ ଓ ଆରଏସଏସ ମୁଖ୍ୟ ମୋହନ ଭଗୱତଙ୍କ ଟ୍ୱିଟର ସ୍କ୍ରିନ ସଟ ମଧ୍ୟ ଟ୍ୱିଟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଉଭୟର ଡିପିରେ ତ୍ରୀରଙ୍ଗା ଦିଆଯାଇନାହିଁ। ସେହିପରି ଭାରତୀୟ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ ଟ୍ୱିଟ କରି କହିଛନ୍ତି, ଯେଉଁମାନଙ୍କର ଦେଶର ସ୍ୱାଧୀନତା ସଂଗ୍ରାମରେ କୌଣସି ଅବଦାନ ନାହିଁ ସେମାନଙ୍କ ମନରେ ତ୍ରୀରଙ୍ଗା ପ୍ରତି ସମ୍ମାନ ନାହିଁ। ସେହିପରି କଂଗ୍ରେସର ବହୁ ନେତା ଆରଏସଏସ ତଥା ବିଜେପିର ବହୁ ନେତାଙ୍କ ଆକାଉଣ୍ଟର ସ୍କ୍ରିନ ସଟ ସେୟାର କରିଛନ୍ତି, ଯେଉଁମାନଙ୍କ ଡିପି ଫଟୋ ବଦଳାଯାଇନାହିଁ।
ଅନ୍ୟପଟେ ସାଂସଦମାନଙ୍କର ଏକ ତ୍ରୀରଙ୍ଗା ରାଲିର ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଜେପି ସାଂସଦମାନେ ଯୋଗ ଦେଇଥିଲେ, କିନ୍ତୁ ଏଥିରେ କଂଗ୍ରେସ ସାଂସଦ ସମ୍ପୂର୍ଣ୍ଣ ଗାଏବ ଥିଲେ। ଏହାକୁ ନେଇ ବିଜେପି କଂଗ୍ରେସର ଦେଶପ୍ରେମକୁ ନେଇ ପ୍ରଶ୍ନ କରାଯାଇଛି। ଏହାର ଉତ୍ତରରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି କି, ଏହା ଏକ ବିଜେପିର କାର୍ଯ୍ୟକ୍ରମ, ଆମେ ସାମିଲ ହେବାର ଆବଶ୍ୟକତା ନ ଥିଲା। କିଏ ପ୍ରକୃତ ଦେଶପ୍ରେମୀ ଆମକୁ ଜଣା। ଯେଉଁ ଖବରକାଗଜ ସ୍ୱାଧୀନତା ସଂଗ୍ରାମ କାଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା, ତାକୁ ଏବେ କାଠଗଡାକୁ ଟଣା ଯାଉଛି। ତେଣୁ ଆମେ କାହିଁକି ବିଜେପିର ଅଜେଣ୍ଡାକୁ ଗ୍ରହଣ କରିବୁ? ସେମାନେ ଖାଦିକୁ ଶେଷ କରିଦେଇଛନ୍ତି। ପତାକା ସବୁ ଚୀନରୁ ଆସୁଛି । ସେମାନେ ପତାକାର କୋଡ ମଧ୍ୟ ବଦଳାଇ ଦେଇଛନ୍ତି। ସେମାନେ ସରକାରକୁ ସେମାନଙ୍କ ରାଜନୈତିକ କାର୍ଯ୍ୟ ପାଇଁ ସାଇନବୋର୍ଡ ଭାବେ ବ୍ୟବହାର କରୁଛନ୍ତି ବୋଲି ଅଧୀର ରଞ୍ଜନ କହିଛନ୍ତି।
ତେବେ ତ୍ରୀରଙ୍ଗାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଜାରି ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ମିଳିତ ପ୍ରତିକ୍ରୀୟା। ଅନେକ ନିଜ ଡିପିରେ ତ୍ରୀରଙ୍ଗା ଲଗାଇଥିବା ବେଳେ ଅନେକ ଲଗାଇ ନାହାନ୍ତି। ଯାହାକୁ ନେଇ ବଢିଛି ବିବାଦ।
ଶିଳାସ୍ମିତା ରାୟଙ୍କ ରିପୋର୍ଟ
-
ରାହୁଲ ହେବେ ପରବର୍ତ୍ତୀ ଏଆଇସିସି ଅଧ୍ୟକ୍ଷ!
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ବଡ ଧରଣର ଚର୍ଚ୍ଚା । କିଏ ଧରିବ କଂଗ୍ରେସର ମଙ୍ଗ । ରାହୁଲୁଙ୍କୁ ମିଳିବ କି ପୁଣି ଥରେ ଏଆଇସିସି ଦାୟିତ୍ବ ।ଏଆଇସିସି ଅଧ୍ୟକ୍ଷ ପଦ ନେଇ ଚର୍ଚ୍ଚା ଥମିନଥିବା ବେଳେ ସାଧୁମାନେ ଭବିଷ୍ୟବାଣୀ କଲେଣି କି ରାହୁଲ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ରାହୁଲ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରିବା ସମୟରେ ଜଣେ ସାଧୁ ଭବିଷ୍ୟବାଣୀ କରିଛନ୍ତି । ରାହୁଲଙ୍କ କର୍ଣ୍ଣାଟକ ଗସ୍ତ ସମୟରେ ଘଟିଛି ଏହି ଘଟଣା । ଏହି ସମୟରେ ଡି.କେ ବେନୁଗୋପାଲଙ୍କ ସହ ଚିତ୍ରାଦୁର୍ଗସ୍ଥିତ ଶ୍ରୀ ମୁରୁଗାରାଜେନ୍ଦ୍ର ମଠ ପରିଦର୍ଶନ କରିଥିଲେ । ଆସନ୍ତା ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଲିଙ୍ଗାୟତ ସମ୍ପ୍ରଦାୟକୁ ଆକୃଷ୍ଟ କରିବା ପାଇଁ ରାହୁଲ ଏହି ଦୀକ୍ଷା ଗ୍ରହଣ କରିଥିବା କୁହାଯାଉଛି । ସେଠାରେ ୧୫ ରୁ ୧୭ ପ୍ରତିଶଥ ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ ରହିଛି । ରାହୁଲ ଏଆଇସିସି ସଭାପତି ନ ହେଲେ କିଏ ହେବ ପରବର୍ତ୍ତୀ ସଭାପତି । ଗାନ୍ଧୀ ପରିବାର ବାହାରକୁ ଚାଲିଯିବ କି ଏଆଇସିସି ସଭାପତି ପଦ । ପୂର୍ବରୁ ସୀତାରାମ କେଶରୀ ଏଆଇସିସି ସଭାପତି ଥିଲେ କିନ୍ତୁ ରିମୋଟ ଥିଲା ଗାନ୍ଧୀ ଫ୍ୟାମିଲି ହାତରେ ଥିଲା । ତେବେ ଯେଉଁଦିନ ଏହାକୁ ସୀତାରମ କେଶରୀ , ଶରଦ ପାୱାର , ତାରିକ ଅନୱାର ବିରୋଧ କଲେ ସେ ଦିନ ମଧ୍ୟ୍ୟାହ୍ନ ଭୋଜନ ସାରି ବୈଠକକୁ ଆସିବା ବେଳକୁ ତାଙ୍କୁ ପାର୍ଟି ବାହରର ରାସ୍ତା ଦେଖାଇ ଦିଆଗଲା । ନୂଆ ଚର୍ଚ୍ଚା ଏବେ ସାମନାକୁ ଆସିଛି । ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ ରାହୁଲ ଗାନ୍ଧୀ ସଭାପତି ହେବା ପାଇଁ ରାଜି ନହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏଆଇସିସି ସଭାପତି ହେବେ । ବର୍ତ୍ତମାନ କଂଗ୍ରେସ ସଙ୍ଗଠନରେ ନିର୍ବାଚନ ପ୍ରକିୟା ଜାରି ରହିଛି । ଆଗାମୀ ସେପ୍ଟେମ୍ବର, ଅକ୍ଟୋବର ମାସ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାହୁଲଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିନାହିଁ । ଅଧୀରଙ୍କ ପ୍ରଶ୍ନରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରେ ବସିବେ କି ନା ଚିନ୍ତା କରିବା ବୋଲି କହିବା ପରେ ସସପେନ୍ସ ବଢିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦଛାଡିବା ପାଇଁ ଚାହୁଁନାହାଁନ୍ତି ଅଶୋକ ଗେହେଲଟ । ଯଦି ରାହୁଲ ମନା କରନ୍ତି ତେବେ ଗେହେଲଟଙ୍କ ନା ରେ ବାଜିପାରେ ମୋହର । କାରଣ ଗାନ୍ଧୀ ପରିବାର ପ୍ରତି ଅଶୋକ ଗେହଲଟଙ୍କ ଆନୁଗତ୍ୟ କାହାକୁ ଅଛପା ନାହିଁ । ୨୦୨୪ ନିର୍ବାଚନ ପୂର୍ବରୁ ଦଳ ନୂଆ ଅଧ୍ୟକ୍ଷଙ୍କୁ ନେଇ ନିର୍ବାଚନ ମୈଇଦାନକୁ ଓହ୍ଲାଇବା ପାଇଁ ସ୍ଥିର କରିଛି । ରାହୁଲ ଗାନ୍ଧୀଙ୍କୁ ରାଜନୈତିକ ବିରୋଧୀମାନେ ପପୁ କହି ସମାଲୋଚନା କରୁଥିବା ବେଳେ ବର୍ତ୍ତମାନର ଚର୍ଚ୍ଚା କିଛିସମୟ ପାଇଁ ବିରୋଧୀଙ୍କ ମୁହଁରେ ବ୍ରେକ ଲଗାଇବ।
- ସ୍ମରଜିତ ଆର୍ଯ୍ୟ
-
ଅଣବିଜେପି ନେତାଙ୍କ ବିରୋଧରେ ବିଜେପିର ଅଭିଯାନ ଅଭିଯୋଗ
ନୂଆଦିଲ୍ଲୀ: ବର୍ତ୍ତମାନ ବିଜେପି ଟାର୍ଗେଟରେ ଆମ ବିଜେପି ଶାସିତ ରାଜ୍ୟ। ମହାରାଷ୍ଟ୍ର ପରେ ଅନ୍ୟ ଅଣ ବିଜେପି ଶାସିତ ରାଜ୍ୟରେ କ୍ଷମତା ହାସଲ କରିବା ପାଇଁ ଚେଷ୍ଟା କରୁଛି ବିଜେପି । କୌଣସି ପ୍ରକାର ରାଜନୈତିକ ଅସ୍ତିରତା ସୃଷ୍ଟି କରି ଚାପ ପ୍ରୟୋଗ କରି ଶାସକ ଦଳ ହାତରୁ କ୍ଷମତାକୁ ଛଡାଇ ଆଣି ନିଜେ ଶାସନ ଭାର ସମ୍ଭାଳିବା ବିଜେପିର ଏକ ମାତ୍ର ଲକ୍ଷ୍ୟ ହୋଇଛି। ଏଥିପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କେନ୍ଦ୍ରୀୟ ବିଜେପି ପକ୍ଷରୁ କରାଯାଉଛି। ଆବଶ୍ୟକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭିନ୍ନ ସଂସ୍ଥାକୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରୟୋଗ କରାଯାଉଛି। ମହାରାଷ୍ଟ୍ର ଏହାର ସଦ୍ୟତମ ଉଦାହରଣ । ଶିବସେନା ସରକାରକୁ ଭାଙ୍ଗି ଏକନାଥ ସିନ୍ଧେଙ୍କ ସହଯୋଗରେ ବିଜେପି ସରକାର ଗଠନ କଲା। ଏହା ପରେ ପରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଲା। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ କ୍ରସ ଭୋଟିଙ୍ଗ ହୋଇଛି। ତେଣୁ ସରକାର ବଦଳିବା ଆଶଙ୍କା ବଢିଥିଲା। ଏହା ମଧ୍ୟରେ ନଗଦ ଟଙ୍କା ସହ କୋଲକତାରୁ ଝାଡଖଣ୍ଡର ତିନି କଂଗ୍ରେସ ବିଧାୟକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ୧୦ ଦିନିଆ ସିବିଆଇ ହେପାଜତରେ ରହିଛନ୍ତି। ଯଦିଓ ତିନି ବିଧାୟକଙ୍କୁ କଂଗ୍ରେସ ନିଲମ୍ବନ କରିଛି କିନ୍ତୁ କଂଗ୍ରେସ କହିଛି ଝାଡଖଣ୍ଡରେ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି। କଂଗ୍ରେସ ତିନି ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଏପରି ବୟାନ ଦେଇଛନ୍ତି। ସେହପିରି ପଶ୍ଚିମବଙ୍ଗ ଶାସକ ଦଳ ଟିଏମସି ମଧ୍ୟ ସମାନ ଅଭିଯୋଗ କରିଛି। କେତେବେଳେ ସିବିଆଇକୁ ବ୍ୟବହାର କରି ଚାପ ପ୍ରୟୋଗ କରାଯାଉଛି ତ କେତେବେଳେ ଇଡିର ସହାୟତା ନେଇ ନେତା ମାନଙ୍କୁ ଭୟଭୀତ କରାଯାଉଛି। ଏହା ବିଜେପିର ଏକ ସାଧାରଣ ଚାଲ। ସିବିଆଇ ଓ ଇଡିକୁ ବ୍ୟବହାର କରି ବିଜେପି ରାଜନୈତିକ ଫାଇଦା ଉଠାଉଛି। ସିବିଆଇ ଓ ଇଡି ହେଉଛି କେନ୍ଦ୍ର ସରକାରଙ୍କ ହାତବାରିଶି। କିନ୍ତୁ ବିରୋଧୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଝାଡଖଣ୍ଡରେ ଶାସକ ଜେଏମଏମ, କଂଗ୍ରେସ, ଆରଜେଡି ମିଳିତ ସରକାରକୁ ଭାଙ୍ଗିବା ପାଇଁ ବିଜେପି ତଥା କେନ୍ଦ୍ର ଶାସକ ଦଳ ବିଧାୟକଙ୍କୁ ୧୦ କୋଟି ଟଙ୍କା ଏବଂ ମନ୍ତ୍ରୀ ପଦ ପାଇଁ ପ୍ରଲୋଭନ ଦେଖାଇଥିବା କୁହାଯାଉଛି । ଗିରଫ ହୋଇଥିବା ବିଧାୟକ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଦେଖା କରିବାକୁ ଯାଉଥିଲେ ବୋଲି କୁହାଯାଉଛି। ତେବେ ହିମନ୍ତ କହିଛନ୍ତି, ସେ କଂଗ୍ରେସରେ ଥିଲେ । ତେଣୁ ଅନେକ ସମୟରେ ସେ ଉଭୟ ଗୌହାଟି ଏବଂ ଦିଲ୍ଲୀରେ କଂଗ୍ରେସ ନେତାଙ୍କୁ ଭେଟିଛନ୍ତି । ମୋଟାମୋଟି ଭାବରେ ଦେଖିବାକୁ ଗଲେ କେନ୍ଦ୍ର ସରକାର ବା ବିଜେପି ସିବିଆଇ ଇଡିକୁ ବ୍ୟବହାର କରିବା କିଛି ନୂଆ କଥା ନୁହେଁ । କାରଣ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ସମନ କରିବା ଓ ହାଜର ହେବା ଘଟଣାରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ହୋଇଛି । ସେହିପର ଓଡିଶା କଥା ଦେଖିଲେ ଚିଟଫଣ୍ଡ ଦୁର୍ନୀତିରେ ଓଡିଶାରେ କେତେବେଳେ ସିବିଆଇ ସୁପ୍ତ ହୋଇଯାଉଛି ତ ହଠାତ କେତେବେଳେ ଜାଗ୍ରତ ହୋଇଯାଉଛି । କିଛି ଦିନ ତଳେ ଇଡି ଓଡିଶାରେ ଜାଗ୍ରତ ହୋଇଉଠିଥିଲା। ତେଣୁ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପ୍ରପଟି ଆଟାଚ କରିଚି ଇଡି । ପ୍ରଭାତ ବିଜେଡି ନେତା ହୋଇଥିବା ବେଳେ ତାଙ୍କ ପୁଅ ସୌଭିକ ବିଶ୍ବାଳ ବର୍ତ୍ତମାନ ବିଜେଡି ବିଧାୟକ ଅଛନ୍ତି । ଏ ସମସ୍ତ ଘଟଣାକୁ ଦେଖିଲେ ବିଜେପି କେନ୍ଦ୍ର ଅଧୀନସ୍ଥ ସଂସ୍ଥାକୁ ବ୍ୟବହାର କରିବା ଅଭିଯୋଗ କିଛି ନୁଆ ନୁହେଁ .
- ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
-
ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଶ୍ରମ ଆଇନ
ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଶ୍ରମ ଆଇନ। କେନ୍ଦ୍ର ସରକାର ଖୁବ ଶୀଘ୍ର ଶ୍ରମ ସଂକେତ ଆଇନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ କରୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ନୂଆ ଲେବର କୋଡ ଲାଗୁ ହେବା ପରେ ଦେଶରେ ପ୍ରତ୍ୟେକ ଶିଳ୍ପ ଓ କାର୍ଯ୍ୟାଳୟରେ ପରିବର୍ତ୍ତନ ଦେଖାଯିବ। ବଡ କଥା ହେଉଛି ନୂତନ ଶ୍ରମ ସଂକେତ ଲାଗୁ ହେବା ପରେ କର୍ମଚାଚାରୀଙ୍କ କାର୍ଯ୍ୟ ସମୟ, ହାତକୁ ଆସୁଥିବା ଦରମା ହ୍ରାସ ହେବ ଏବଂ ଇପିଏଫ୍ ଫଣ୍ଡରେ ପରିବର୍ତ୍ତନ ହେବ।
ପୂର୍ବ ପ୍ରଚଳିତ ୧୯ ଟି କେନ୍ଦ୍ରୀୟ ଆଇନକୁ ମିଶାଇ ୪ ଟି ଲେବର କୋଡରେ ପରିଣତ କରାଯାଇଛି। ନୂଆ ଶ୍ରମ ଆଇନର ପ୍ରଭାବ ସିଧା ବେତନ, ପେନ୍ସନ୍ ଓ ଗ୍ରାଚ୍ୟୁଟି ଭଳି ସାମାଜିକ ସୁରକ୍ଷା, ଶ୍ରମ କଲ୍ୟାଣ, ସ୍ୱାସ୍ଥ୍ୟ, କାର୍ଯ୍ୟ ସମୟ, ଛୁଟି ଇତ୍ୟାଦି ନୂଆ ଆଇନରେ ପରିସରଭୁକ୍ତ କରାଯାଇଛି। ଦେଶର ୨୩ଟି ରାଜ୍ୟ କେନ୍ଦ୍ରର ଶ୍ରମ ସଂକେତ ଅନୁଯାୟୀ ସେମାନଙ୍କର ଶ୍ରମ ଆଇନ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ସରକାର ନୂଆ ଲେବର କୋଡ ଆଇନକୁ ସଂସଦରୁ ପାରିତ କରିଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ନୂତନ ଶ୍ରମ ଆଇନ ଆପଣଙ୍କ ଦରମା ଉପରେ କିପରି ପ୍ରଭାବ ପକାଇବ।
ନୂତନ ଶ୍ରମ ଆଇନ ପ୍ରଣୟନ ଦ୍ୱାରା ସପ୍ତାହକୁ ୪ ଦିନ କାମ ଏବଂ ୩ ଦିନ ଆରାମ ଦିଆଯିବ। ତେବେ ଏହି ନୂଆ ଶ୍ରମ ଆଇନରେ କର୍ମଚାରୀଙ୍କୁ ସପ୍ତାହିକ ଛୁଟି ସଂଖ୍ୟା ବଢାଇବାକୁ ପଡିବ। କର୍ମଚାରୀମାନଙ୍କୁ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ। ତେବେ ସପ୍ତାହରେ କର୍ମଚାରୀକୁ ୪ ଦିନରେ ୪୮ ଘଣ୍ଟା କାମ କରିବାକୁ ପଡବ। ଅର୍ଥାତ୍ ଜଣେ କର୍ମଚାରୀ ଯଦି ଦିନକୁ ୧୨ ଘଣ୍ଟା କାମ କରିବ ତେବେ ତାକୁ ୩ ଦିନ ସପ୍ତାହିକ ଛୁଟି ମିଳିବ। କମ୍ପାନୀ ଚାହିଁଲେ ମଧ୍ୟ କର୍ମଚାରୀଙ୍କୁ ଅଧିକ ସମୟ ଧରି କାମ କରାଇପାରିବେ ନାହିଁ। ବର୍ତ୍ତମାନ ଏହା କମ୍ପାନୀଗୁଡିକ ଉପରେ ନିର୍ଭର କରୁଛି କି ସେମାନେ ଏହାକୁ କିପରି ପରିଚାଳନା କରିବେ। ସେହିପରି ନୂଆ ଆଇନ ଅନୁଶାରେ କର୍ମଚାରୀଙ୍କୁ ମିଳୁଥିବା ଦରମା ରାଶି ହ୍ରାସ ପାଇବ। କାରଣ ବେସିକ୍ ପେ, ମୋଟ ଦରମାର ୫୦ ପ୍ରତିଶତ ହେବ।
ଶୁଭଲକ୍ଷ୍ମୀ ସାହୁଙ୍କ, ରିପୋର୍ଟ