ଓଡ଼ିଶାରାଜ୍ୟ

ଦୁବାଇ ଅଭିମୁଖେ ଭୁବନେଶ୍ୱରରୁ ଉଡିଲା ବିମାନ, ଇଣ୍ଡିଗୋର ବିମାନ ସେବା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତକାଲି ଠାରୁ ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହୋଇଛି ବିମାନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଇଣ୍ଡିଗୋ ବିମାନ ଉଡ଼ାଣ ସେବାର ଶୁଭାରମ୍ଭ କରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ନେଇ ଦୁବାଇ ଅଭିମୁଖେ ଉଡ଼ାଣ ଭରିଛି ଇଣ୍ଡିଗୋ ବିମାନ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ।

ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ୱପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ । ୟୁରୋପ ଓ ଆମେରିକା ବଜାର ପାଇଁ ଦୁବାଇ ହେଉଛି ମଧ୍ୟପ୍ରାଚ୍ୟର ଗେଟ୍ ୱେ ।

ଦୁବାଇକୁ ପ୍ରଥମ ଦିନର ଫ୍ଲାଇଟରେ ଯାତ୍ରୀଙ୍କ ସହ ମିଶନ ଶକ୍ତି ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ ଯାତ୍ରା କରିଛନ୍ତି । ଏୟାରକ୍ରାଫ୍ଟ କ୍ରିୟୁଙ୍କ ସହ ମୋଟ୍ ଭୁବନେଶ୍ୱରରୁ ଦୁବାଇ ଯାଇଛନ୍ତି । ଯାତ୍ରୀଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ଯ୍ୟଟନ କିଟ୍ ବ୍ୟାଗ୍‌, ଫୁଲ ଗୁଚ୍ଛ ସହ ମିଠା ଦିଆଯାଇଥିଲା । ସେହିପରି ଦୁବାଇରୁ ଭୁବନେଶ୍ୱର ଆସି ପହଞ୍ଚିଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିଥିଲେ । ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଶୁଭେଚ୍ଛା କେକ୍ କଟାଯାଇଥିଲା ।

ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ବିମାନ ଉଡିବ । ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା । ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି । ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ ।

Leave a Reply

Your email address will not be published.

Back to top button