queen

  • ଆରପାରିରେ ବ୍ରିଟେନ ମହାରାଣୀ ଏଲିଜାବେଥ୍

    ଲଂଣ୍ଡନ: ବ୍ରିଟେନରେ ସର୍ବାଧିକ କାଳ ଶାସନ କରିଥିବା ମହାରାଣୀ ଏଲିଜାବେଥ୍-ଦ୍ୱିତୀୟଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ ମହାରାଣୀ। ମହାରାଣୀଙ୍କ ସମ୍ମାନାର୍ଥେ ବ୍ରିଟେନଓ୍ୱେର ପ୍ରାସାଦରେ ପତାକାକୁ ୧୦ ଦିନ ଅର୍ଦ୍ଧନିର୍ମିତ ରଖାଯିବା ଲାଗି ସରକାରୀ ଭାବେ ଘୋଷଣା କରାଯାଇଛି। ବିଶ୍ୱ ନେତାମାନେ ବି ତାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି।

    ବିଗତ ୭ ଦଶନ୍ଧି ଧରି ବ୍ରିଟେନର ମହାରାଣୀ ଥିଲେ ଏଲିଜାବେଥ୍ ଦ୍ୱିତୀୟ। ଯେତେବେଳେ ବିଶ୍ୱ ଅନେକ ଆହ୍ୱାନର ସାମ୍ନା କରୁଥିଲା, ଏଲିଜାବେଥ୍ ସେତେବେଳେ ବ୍ରିଟେନର ଶାସନ ଭାର ସମ୍ଭାଳିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟେନ ଘୋର ଆର୍ଥିକ ଓ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା। ବ୍ରିଟେନର ଆଧିପତ୍ୟ ହ୍ରାସ ପାଇବାରେ ଲାଗିଥିଲା। ଭାରତ ସମେତ ଅନେକ ଦେଶରେ ବ୍ରିଟିଶ୍ ଶାସନ ଶେଷ ହୋଇସାରିଥିଲା। ଲୋକେ ରାଜତନ୍ତ୍ର ଅନ୍ତ ଚାହୁଁଥିଲେ। ଆଉ ଏ ସବୁ ଆହ୍ୱାନର ମୁକାବିଲା କରି ବ୍ରିଟେନରେ ରାଜତନ୍ତ୍ରର ରକ୍ଷା ଲାଗି ସମସ୍ତଙ୍କ ଆଖିରେ ଏଲିଜାବେଥ୍ ହିଁ ଉପଯୁକ୍ତ ବ୍ୟକ୍ତି ଥିଲେ। ଏଲିଜାବେଥ୍ ଦ୍ୱିତୀୟ ଲୋକଙ୍କ ଉପରେ ରାଜପରିବାରର ଶାସନ ନ ଲଦି ଜନସାଧାରଣଙ୍କ ବିଶ୍ୱାସ ଓ ଭରସା ଜିତିବାକୁ ଉଦ୍ୟମ କରିଥିଲେ। ଆଉ ଏଥିରେ ସଫଳ ହୋଇ ୭୦ ବର୍ଷ ଯାଏ ଲୋକଙ୍କ ନିକଟରେ ମହାରାଣୀ ହୋଇ ରହିପାରିଥିଲେ। ଏଲିଜାବେଥଙ୍କ ରାଜାଭିଷେକ ବିଶ୍ୱର ଅନେକ ଦେଶରେ ସିଧା ପ୍ରସାରଣ ହୋଇଥିଲା।  ୧୯୫୨ ମସିହାରେ ମହାରାଣୀ ହେବା ପରେ ଏଲିଜାବେଥ୍ କମନଓ୍ୱେଲଥ ରାଷ୍ଟ୍ର ଭ୍ରମଣ କରିବା ଆରମ୍ଭ କରିଥିଲେ। ଫଳରେ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇଥିବା ଦେଶଗୁଡ଼ିକରେ ପୁଣିଥରେ ମହାରାଣୀଙ୍କୁ ଆଦର ମିଳିଥିଲା। ଫେବୃଆରୀ ୬, ୨୦୨୨ରେ ମହାରାଣୀ ଏଲିଜାବେଥ୍ ତାଙ୍କ ଶାସନର ୭୦ତମ ବାର୍ଷିକୀ ତଥା ପ୍ଲାଟିନମ୍ ଜୁବୁଲି ପାଳନ କରିଥିଲେ। ଗୁରୁବାର ଅପରାହ୍ନରେ ବାଲମୋରାଇ ପ୍ରାସାଦରେ ରାଶୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୬ ବର୍ଷ ବୟସରେ ରାଣୀଙ୍କ ବିୟୋଗ ଖବର ପାଇ କୃତଜ୍ଞ ରାଷ୍ଟ୍ର ଶୋକାଛନ୍ନ ହୋଇପଡ଼ିଛି। ରାଣୀ ଆଉ ନାହାନ୍ତି ବୋଲି ଘୋଷଣା ପରେ ବଙ୍କିଂହାମ୍ ପ୍ୟାଲେସ, ଲଣ୍ଡନ ଗେଟ୍ ବାହାରେ ଲୋକଙ୍କ କାନ୍ଦୁଥିବାର ଦୃଶ୍ୟ ବୟାନ କରୁଥିଲା, ସତରେ ରାଣୀ ସେମାନଙ୍କର କେତେ ପ୍ରିୟ ଥିଲେ। ବ୍ରିଟେନ୍ ଓ ଅନ୍ୟ ୧୪ଟି ରାଜତନ୍ତ୍ର ଓ ୫୪ ସଦସ୍ୟ ବିଶିଷ୍ଟ ରାଜ୍ୟଗୋଷ୍ଠୀ ଦେଶର ମୁଖ୍ୟ ରହିଆସିଥିବା ଏଲିଜାବେଥ୍ ବିଶ୍ୱର ସର୍ବାଧିକ ସମ୍ମାନସ୍ପଦ ବ୍ୟକ୍ତିର ମାନ୍ୟତା ପାଇଥିଲେ।

    ଏଲିଜାବେଥଙ୍କ ମୃତ୍ୟୁ ପରେ ପ୍ରିନ୍ସ ହ୍ୟାରି ତାଙ୍କ ଜେଜେ ମାଆଙ୍କ ଶେଷଦର୍ଶନ କରିବାକୁ ସ୍କଟଲ୍ୟାଣ୍ଡରେ ପହଞ୍ଚିଛନ୍ତି। ମହାରାଣୀଙ୍କ ମହାପ୍ରୟାଣ ପରେ ବିଶ୍ୱ ନେତା ଶୋକ ପ୍ରକାଶ କରିଛନ୍ତି। ୨୦୧୫ ଓ ୨୦୧୮ରେ ବ୍ରିଟେନ ଗସ୍ତ ବେଳେ ମହାରାଣୀଙ୍କ ସହ ସାକ୍ଷାତ ସ୍ମରଣୀୟ ହୋଇ ରହିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରିଛନ୍ତି। ସାକ୍ଷାତ ସମୟରେ ମହାରାଣୀ ମୋଦିଙ୍କୁ ଏକ ରୁମାଲ୍ ଦେଖାଇଥିଲେ। ତାଙ୍କ ବିବାହ ସମୟରେ ମହାତ୍ମା ଗାନ୍ଧୀ ସେହି ରୁମାଲ୍ ତାଙ୍କୁ ଉପହାର ଦେଇଥିଲେ ବୋଲି ଏଲିଜାବେଥ୍ କହିଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୧୯୮୨ରେ ମହାରାଣୀଙ୍କୁ ସାକ୍ଷାତ ସମୟକୁ ସ୍ମରଣ କରିଛନ୍ତି। ୯/୧୧ ଆକ୍ରମଣ ପରେ ଆମେରିକାର ଦୁଃଖଦ ମୂହୂର୍ତ୍ତରେ ମହାରାଣୀ ସମର୍ଥନ ଜଣାଇଥିଲେ ବୋଲି ବାଇଡେନ୍ କହିଛନ୍ତି। କାନାଡା ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତାରେ ମହାରାଣୀ ଏଲିଜାବେଥଙ୍କୁ ବିଶ୍ୱର ସବୁଠୁ ପ୍ରିୟ ବ୍ୟକ୍ତି ବୋଲି କହିଛନ୍ତି। କାନାଡ଼ା ଜନସାଧାରଣଙ୍କ ପାଇଁ ତାଙ୍କ ସେବା ସବୁଦିନେ ମନେ ରହିବ ବୋଲି ଜଷ୍ଟିନ ଟ୍ରୁଡୋ କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଏଲିଜାବେଥଙ୍କୁ ଜଣେ ଦୟାଳୁ ମହାରାଣୀ ବୋଲି କହିଛନ୍ତି। ଜର୍ମାନୀ ଚାନସେଲର ମହାରାଣୀଙ୍କୁ ଜଣେ ରୋଲ୍ ମଡେଲ୍ ଓ କୋଟି କୋଟି ଲୋକଙ୍କର ପ୍ରେରଣାଦାତ୍ରୀ ବୋଲି ଅଭିହିତ କରିଛନ୍ତି।

    ମହାରାଣୀ ତାଙ୍କର ଦୀର୍ଘ ୭୦ ବର୍ଷ ଶାସନ କାଳରେ ବ୍ରିଟେନ ରାଜତନ୍ତ୍ରର ଅନେକ ଉତଥାନ-ପତ୍ତନ ଦେଖିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ବ୍ରେକ୍ସିଟ୍, ଶୀତଳଯୁଦ୍ଧରୁ ୟୁକ୍ରେନ ଯୁଦ୍ଧ ଯାଏ ସବୁ କିଛି ରାଣୀଙ୍କ ଶାସନ ସମୟରେ ଘଟିଥିଲା। ଆଉ ରାଣୀଙ୍କ ପରଲୋକ ପରେ ଏବେ ସବୁଠି ଶୋକର ଛାୟା। ରାଣୀଙ୍କ ଅନ୍ତ୍ୱେଷ୍ଟିକ୍ରିୟା ଲାଗି ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଛି। ଏଥିଲାଗି ସ୍କଟଲ୍ୟାଣ୍ଡ ସଂସଦର ସମସ୍ତ ଅଧିବେଶନକୁ ବାତିଲ୍ କରାଯାଇଛି। ମୃତ୍ୟୁର ୧୦ ଦିନ ପରେ ଅନ୍ତ୍ୱେଷ୍ଟିକ୍ରିୟା ସମ୍ପନ୍ନ ହେବ। ରାଣୀ ଯଦି ବ୍ରିଟେନରେ ପ୍ରାଣତ୍ୟାଗ କରିଥାଆନ୍ତେ, ତେବେ ଅପରେସନ ଲଣ୍ଡନ ବ୍ରିଜ୍ କରାଯାଇଥାଆନ୍ତା।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
Back to top button