ramdev

  • ରାମଦେବଙ୍କ ବୟାନକୁ ନେଇ ରାଜନୀତି ତେଜ

    ନୂଆଦିଲ୍ଲୀ: ଅଡୁଆରେ ଯୋଗଗୁରୁ ବାବା ରାମଦେବ। ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟକୁ ନେଇ କଂଗ୍ରେସ, ଟିଏମସି ସମେତ ଅନେକ ଦଳ କାଠଗଡାକୁ ଟାଣିଛନ୍ତି ବାବାଙ୍କୁ। ଏଭଳି ବିବାଦୀୟ ବୟାନ ପାଇଁ ରାମଦେବ ସମଗ୍ର ଦେଶକୁ କ୍ଷମା ମାଗନ୍ତୁ ବୋଲି ଦାବି ହେଉଛି।

    ବାବାଙ୍କ ବୟାନକୁ ନେଇ ତୀବ୍ର ସମାଲୋଚନା କରାଯାଇଛି। ରାଜନୈତିକ ବୟାନବାଜି ଆରମ୍ଭ ହେବାସହ ସାମାଜିକ ମହଲରେ ସୃଷ୍ଟି ହୋଇଛି ଆଲୋଚନା। ଚାରିଆଡୁ ତାଙ୍କୁ ସମାଲୋଚନା କରାଯାଇଛି। ଏପରିକି ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି। ମହାରାଷ୍ଟ୍ରର ଥାନେରେ ଆୟୋଜିତ ଏକ ଯୋଗ ଶିବିରରେ ବାବା ରାମଦେବ କହିଥିଲେ ଯେ, ମହିଳାମାନେ ଶାଢିରେ ଭଲ ଦେଖାଯାନ୍ତି, ସାଲୱାର ସୁଟରେ ବି ଭଲ ଦେଖାଯାନ୍ତି, ଏପରିକି ମହିଳାମାନେ କିଛି ନପିନ୍ଧିଲେ ବି ସୁନ୍ଦର ଦେଖାଯାନ୍ତି। ତେବେ ରାମଦେବଙ୍କ ଏଭଳି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବୟାନକୁ ନେଇ ଦେଖାଦେଇଛି ବିବାଦ।

    ଦିଲ୍ଳୀ ମହିଳା କମିଶନ ମୁଖ୍ୟ ଶ୍ବାତୀ  ମାଲିୱାଲ ଏହି ଭିଡିଓକୁ ସେୟାର କରିବା ସହ ବାବା ରାମଦେବଙ୍କ ଟିପ୍ପଣୀକୁ ନିନ୍ଦା କରିଛନ୍ତି। ରାମଦେବ ମହିଳାଙ୍କୁ ଅପମାନିତ କଲା ଭଳି ଦେଇଥିବା ଟିପ୍ପଣୀ ପାଇଁ ଦେଶର ସବୁ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍ ବୋଲି ଶ୍ୱାତୀ ଦାବି କରିଛନ୍ତି। ରାମଦେବଙ୍କ ବିବାଦୀୟ ବୟାନ ସବୁ ମହିଳାମାନଙ୍କୁ ମାନସିକ ଆଘାତ ଦେଇଛି। ଏହି ଘଟଣାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି। ଫଡନାଭିସଙ୍କ ପତ୍ନୀ ଅମୃତାଙ୍କ ସାମ୍ନାରେ ରାମଦେବ ଏଭଳି ଟିପ୍ପଣୀ ଦେବା ନିନ୍ଦନୀୟ ବୋଲି ଶ୍ୱାତୀ କହିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଯେତେବେଳେ ରାମଦେବ ମହିଳାଙ୍କ ଉପରେ ଏଭଳି କଥା କହିଲେ ସେଠାରେ ଉପସ୍ଥିତ ଥିବା ଅମୃତା ଫଡନାଭିସ୍ ଏହାର ବିରୋଧ କଲେନି କାହିଁକି? ସରକାର ବି କାହିଁକି ନୀରବ? ରାଜ୍ୟ ସରକାର କ’ଣ ନିଜ ଜିଭକୁ କେନ୍ଦ୍ର ସରକାରଙ୍କ ପାଖରେ ବନ୍ଧା ପକାଇଛନ୍ତି କି? ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ।

    ସେହିଭଳି ଟିଏମସି ସାଂସଦ ମହୁଆ ମୋଇତ୍ର ମଧ୍ୟ ସମାଲୋଚନା କରିଛନ୍ତି। ୨୦୧୧ ମସିହା ଘଟଣାକୁ ନେଇ ରାମଦେବଙ୍କୁ ପରିହାସ କରି ମହୁଆ କହିଥିଲେ, ମୁଁ ଜାଣିପାରୁଛି ଯେ ବାବା ମହିଳାଙ୍କ ସାଲୱାର-ସୁଟ୍ ପୋଷାକରେ ରାମଲୀଳା ମଇଦାନରୁ କାହିଁକି ପଳାୟନ କରିଥିଲେ? ରାମଦେବ ବୋଧେ ସାଲୱାର-ସୁଟ୍ ଏବଂ ଶାଢୀ ଅଧିକ ପସନ୍ଦ କରନ୍ତି। ରାମଦେବଙ୍କ ମସ୍ତିଷ୍କ ବିକୃତି ହୋଇଛି। ତେଣୁ ତାଙ୍କ ଚିନ୍ତାଧାରାକୁ ଏକପାଖିଆ କରିଦେଇଛି ବୋଲି କହିଛନ୍ତି ମହୁଆ। ଅନ୍ୟପଟେ ଆନ୍ଧ୍ରପ୍ରଦେଶ ମହିଳା ମୋର୍ଚ୍ଚା ମଧ୍ୟ ବାବା ରାମଦେବଙ୍କ ବୟାନକୁ ବିରୋଧ କରିବା ସହ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଜିଲ୍ଳା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବୟାନକୁ ବିରୋଧ କରିବା ସହ ରାମଦେବ ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ଯଦି ରାମଦେବ କ୍ଷମା ନମାଗନ୍ତି ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି।

    ଯୋଗଗୁରୁ ବାବା ରାମଦେବ କେବଳ ଯୋଗ ଶିକ୍ଷା ପାଇଁ ଜଣାଶୁଣା ନୁହଁନ୍ତି ବରଂ ବେଳେବେଳେ ରାଜନୈତିକ ବିବୃତ୍ତି ଦେଇ ମଧ୍ୟ ଚର୍ଚ୍ଚାର ପରିଧିକୁ ଆସନ୍ତି। ଆଉ ଏବେ ମହିଳାଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ। ବାବାଙ୍କ ବୟାନକୁ ନେଇ କଂଗ୍ରେସ, ଟିଏମସି ସମେତ ଅନେକ ଦଳ ବାବା ରାମଦେବଙ୍କ ମହିଳାଙ୍କ ଉପରେ ଦେଇଥିବା ବିବୃତ୍ତିକୁ ବିରୋଧ କରିବା ଆରମ୍ଭ କରିଛନ୍ତି।

Back to top button