SARAT PATNAIK

  • ଓଡିଶା କଂଗ୍ରେସ ପାଇଁ କାହିଁକି ଦାଉ ସାଧୁଛି ସେକେଣ୍ଡ ଇନିଂସ?

    ଟପ୍‌ରେ ପ୍ରଥମ ପାଳି । କିନ୍ତୁ ଦ୍ୱିତୀୟ ପାଳିରେ ଶୂନ୍‌ । ଏହା କ୍ରିକେଟ ସ୍କୋର ନୁହେଁ ଏହା ହେଉଛି ପିସିସି ସଭାପତିଙ୍କ ସ୍କୋର । ଦ୍ୱିତୀୟ ଥର ପିସିସି ମଙ୍ଗୁଆଳ ପଦ ଭାର ନେଉଥିବା ନେତାଙ୍କ ପାଇଁ ଏହା ଆଶୀର୍ବାଦ ନାଁ ଅଭିଶାପ। ଏହା ପଛରେ କଅଣ ରହିଛି କାରଣ। ଦେଖନ୍ତୁ ସେକେଣ୍ଡ ଇନିଂସରେ ସ୍କୋରକୁ ନେଇ କାହିଁକି ସ୍କାନରରେ ପିସିସି ମଙ୍ଗୁଆଳ ଏହି ରିପୋର୍ଟରେ।


    ପ୍ରଥମ ପାଳିରେ ହିରୋ। କିନ୍ତୁ କଅଣ ହେଉଛି କେଜାଣି, ଦ୍ୱିତୀୟ ପାଳି ବେଳକୁ ନା ରହୁଛି ସେ ଜୋସ୍ ନା ରହୁଛି ସେ ନମ୍ୱରର କରିସ୍ମା। କାହିଁକି ଦାଉ ସାଧୁଛି ସେକେଣ୍ଡ ଇନିଂସ। ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଆସନର ଇତିହାସକୁ ଦେଖିଲେ ଦ୍ୱିତୀୟ ଥର ସଭାପତି ହେବାରେ ଶରତ ପଟ୍ଟନାୟକ ହେଉଛନ୍ତି ଚତୁର୍ଥ ବ୍ୟକ୍ତି। ଜାନକୀ ବଲ୍ଲଭ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ପରେ ଶରତ ଆରମ୍ଭ କରିଛନ୍ତି ନିଜର ସେକେଣ୍ଡ ଇନିଂସ। ତେବେ ଏ ସବୁ ସଭାପତିଙ୍କ ପ୍ରଥମ ପାଳି ଯେମିତି ଚମକଦାର ଥିଲା। କିନ୍ତୁ ଦ୍ୱିତୀୟ ପାଳି ବେଳକୁ ସେ ଚମକ ରହିଲାନି।

    ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୯୫ରେ ପିସିସି ସଭାପତି ଦାୟିତ୍ୱ ନେବା ସମୟରେ କଂଗ୍ରେସ କ୍ଷମତାକୁ ଆସିଥିଲା। ବ୍ୟାକଡୋର୍ ଏଣ୍ଟ୍ରି କରି ମୁଖ୍ୟମନ୍ତ୍ରୀ ବି ହୋଇଥିଲେ ଜାନକୀ। ୨୦୦୧ ରେ ଶରତ ପଟ୍ଟନାୟକ ସଭାପତି ହେଲେ । ପରିସ୍ଥିତି ଏପରି ହେଲା ଶରତଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇଗଲା । ଖାଲି ବିରୋଧ ନୁହେଁ ଉପକୂଳ ଅଞ୍ଚଳରେ ଟମାଟ ଅଣ୍ଡା ମାଡ଼ ମଧ୍ୟ୍ୟ ହେଲା । ଏହି ଅଣ୍ଡା ମାଡ ଥିଓରି ର ମାଷ୍ଟର ମାଇଣ୍ଡ ଥିଲେ କୁଆଡ଼େ ଲୁଲୁ ମହାପାତ୍ର ।

    ୨୦୦୪ ନିର୍ବାଚନର ମାତ୍ର କେଇ ମାସ ଆଗରୁ ଶରତ ପଟ୍ଟନାୟକଙ୍କୁ ପିସିସି ରୁ ହଟାଇ ଦାୟିତ୍ୱ ନେଇଥିଲେ ସତ ଜାନକୀ। କିନ୍ତୁ ସଫଳ ହେଲେନି। ଦଳ ତ ହାରିଲା ନିଜେ ମଧ୍ୟ୍ୟ ଆଠଗଡ ଆସନରୁ ଶୋଚନୀୟ ଭାବରେ ପରାଜିତ ହେଲେ। ନିର୍ବାଚନ ର ବିଫଳଥା ପାଇଁ ଜାନାକୀ ବଲ୍ଲଭ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରି ଜୟଦେବ ଜେନା ପିସିସି ମଙ୍ଗ ଧରିଲେ । ତାଙ୍କ ସମୟରେ କଳିଙ୍ଗନଗର ଗୁଳିକାଣ୍ଡ ହେଲା । ଘଟଣା ସ୍ଥଳ ପରିଦର୍ଶନ କରିବା ସହ ବିରୋଧୀ ଦଳର ଭୁମିକା ଠିକ ଭାବରେ ନିର୍ବାହ କରି ଉଭୟ ରାଜନୈତିକ ଓ ବ୍ୟବସାୟିକ ସଫଳତା ମଧ୍ୟ୍ୟ ହାସଲ କଲେ ।

    ଖାଲି ସେତିକି ନୁହେଁ ତଳସରା ଓ ଲକ୍ଷ୍ମୀପୁର ଉପ ନିର୍ବାଚନରେ ସଫଳତା କଂଗ୍ରେସ ମନରେ ନୁଆ ଆଶା ସଞ୍ଚାର କରିଥିଲା। କିନ୍ତୁ ଠିକ୍‌ ୨୦୦୯ ନିର୍ବାଚନ ପୁର୍ବରୁ ହଟିଲେ ଜୟଦେବ। ଆଉ ଆସନରେ ବସିଲେ କାମାକ୍ଷା ପ୍ରସାଦ ସିଂହଦେଓ। ଓଡିଶା କଂଗ୍ରେସ ରୁ ଶେଷ ହେଲା ଜାନକୀ ରାଜ ବୋଲି କୁହାଗଲା । କଂଗ୍ରେସ ଦଳରେ ଯିବା ଆସିବା କିଛି ନୁଆ ନୁହେଁ ।

    କାମାକ୍ଷାଙ୍କୁ ଦାୟିତ୍ୱରୁ ହଟାଇ ନିରଞ୍ଜନ ପଟ୍ଟନାୟକ ହେଲେ କଂଗ୍ରେସ ମୁଖିଆ । ସରକାର ବିରୋଧରେ ୨୦୧୨ ସେପ୍ଟେମ୍ବର ୬ ପରିବର୍ତ୍ତନ ସମାବେଶ ଓ ସେପ୍ଟେମ୍ୱର ୧୦ ଓଡିଶା ବନ୍ଦ ଡାକରା ଦେଇ ଚର୍ଚ୍ଚା କୁ ଆସିଲେ । ନବଗଠିତ ନୂଆପଡା , ଅତାବିରା, ହିନ୍ଦୋଳ ଏନଏସି ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରି ବିଜେଡି କୁ ଟକ୍କର ଦେଲା । କିନ୍ତୁ ୨୦୧୪ ନିର୍ବାଚନ ପୁର୍ବରୁ ନିଜେ ପରିବର୍ତ୍ତନ ହୋଇଗଲେ ନିରଞ୍ଜନ। ଦ୍ୱିତୀୟ ଥର ଆସିଲେ ଜୟଦେବ ଜେନା। ବାଣ୍ଟିଲେ ଟିକେଟ। ନାମାଙ୍କନ ଦାଖଲର ଶେଷ ଦିନ କାହାକୁ ରାସ୍ତା କଡ଼ରେ ତ ଆଉ କାହାକୁ ହୋଟେଲକୁ ଡାକି ରାତି ଅଧିଆ ଟିକେଟ ଦେଇଥିବାର ଅପବାଦ ବି ଲାଗିଲା।

    ଟିକେଟ ବିକ୍ରି ଅଭିଯୋଗର କଳଙ୍କ ଲାଗିଥିଲା ଜୟଦେବଙ୍କ ନାଁ ରେ। ।ନୁଆ ଚେହେରା ଭାବରେ ପ୍ରସାଦ ହରିଚନ୍ଦନ ୨୦୧୫ ଡିସେମ୍ୱରରେ ସଭାପତି ହେଲେ। ପାନ୍ଥନିବାସରେ ନବଚିନ୍ତନ ଶିବିର କରି ସମସ୍ତଙ୍କୁ ଯୋଡ଼ିବାର ପ୍ରୟାସ, ୨୦ ବର୍ଷ ବ୍ୟବଧାନରେ ପ୍ରଥମ କରି ବ୍ଲକ୍ କଂଗ୍ରେସ ସଭାପତି ଗଠନ ଆଦି ଅନେକ ପ୍ରୟାସ କରିଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସାଦଙ୍କ ବିରୋଧରେ ମେଳିର ପରିଣାମସ୍ୱରୂପ ପୁଣି ଥରେ ଗାଦିକୁ ଫେରିଲେ ନିରଞ୍ଜନ ପଟ୍ଟନାୟକ। ୨୦୧୯ ନିର୍ବାଚନ ପରିଚାଳନାର ଭାର କାନ୍ଧରେ ପଡ଼ିଥିଲା।

    କଂଗ୍ରେସ ବିଧାୟକ ସଂଖ୍ୟା ନବ ଗ୍ରହ ରେ ପରିଣତ ହେଲା। ବିଧାନସଭାରେ ଦଳ ବିରୋଧୀ ଦଳ ମାନ୍ୟତା ହରାଇଦେଲା। ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ନିରଞ୍ଜନଙ୍କ ଦକ୍ଷତାକୁ ଅଙ୍ଗୁଳି ଉଠାଇଥିଲା। ବ୍ରଜରାଜନଗର ଉପ-ନିର୍ବାଚନର ମାତ୍ର କେଇଟା ଦିନ ଆଗରୁ ଦାୟିତ୍ୱରୁ ଅବ୍ୟାହତି ଦେଇ ଶରତ ପଟ୍ଟନାୟକଙ୍କୁ ପୁଣି ୨୪କୁ ଲକ୍ଷ୍ୟ ରଖି ହାଇକମାଣ୍ଡ ଦାୟିତ୍ୱ ଦେଇଛନ୍ତି। ବ୍ରଜରାଜନଗରରେ ଅବଶ୍ୟ ଦଳ ହାରିଲା। କିନ୍ତୁ ବିଜେପିକୁ ତୃତୀୟ ସ୍ଥାନକୁ ଠେଲି ଦେଇଥିବାରୁ ଶରତଙ୍କ ଆଗମନ ହୁଏତ ଦଳ ଲାଗି ଶୁଭଙ୍କର ବୋଲି ଅନେକ ବିବେଚନା କରୁଛନ୍ତି। ଆଗକୁ ୨୪ ଲଢେଇ।

    ଏହାରି ଭିତରେ ନବସଂକଳ୍ପ ଶିବିର କରି ବିରୋଧୀ ଓ ବିଦ୍ରୋହୀଙ୍କୁ ଚେତାବନୀ ଦେଇସାରିଛନ୍ତି। ଜୁନ୍ ୧୦ରେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ ସହ ମୁଖିଆ ଭାବେ ଗୃହପ୍ରବେଶ ହେବ କଂଗ୍ରେସ ଭବନରେ। କିନ୍ତୁ ଶରତଙ୍କ ସେକେଣ୍ଡ ଇନିଂସ ସତରେ ସୁରୁଖୁରୁରେ ସମ୍ପନ୍ନ ହେବ ତ। କାରଣ ଗୋଡ଼ଟଣା ନୀତି କଂଗ୍ରେସର ପୁରୁଣା ରୋଗ। ଦେଖିବାକୁ ଗଲେ ୨୪ରେ କର ବା ମର ସ୍ଥିତି ଏବେ କଂଗ୍ରେସ ଆଗରେ। ଅନ୍ୟ ମଙ୍ଗୁଆଳଙ୍କ ଭଳି ଶରତଙ୍କ ଦ୍ୱିତୀୟ ଇନିଂସ ସମଦଶା ଭୋଗିବନି ତ। ନା ଶରତ ଏହି ଟ୍ରେଣ୍ଡକୁ ଭାଙ୍ଗି ଦଳକୁ ଆଶାତୀତ ସଫଳତା ଦେବେ, ତା ଉପରେ ସମସ୍ତଙ୍କ ନଜର।

    ଅନେକ ବାର ଅପବାଦରେ ସନ୍ତୁଳିତ ହେଉଥିଲେ ସେକେଣ୍ଡ ଇନିଂସ ଖେଳିଥିବା ପିସିସି ମଙ୍ଗୁଆଳମାନେ। କେତେବେଳେ ମ୍ୟାଚ୍ ଫିକ୍ସିଂର ଆରୋପ ତ କେତେବେଳେ ସରକାରୀ ଦଳ ସହ ସଲାସୁତୁରାର ଇମେଜ୍। ହେଲେ ଶରତଙ୍କ ସେକେଣ୍ଡ ଇନିଂସ ସ୍କାନରରେ। ଯାହାର ରେଜଲ୍ଟ ଦେଖିବ ଦଳ ୨୪ରେ। ପିସିସି ସଭାପତି ଙ୍କ କାର୍ଯ୍ୟକାଳ କୁ ଦେଖିଲେ ଦ୍ୱିତୀୟ ପାଳିରେ କୌଣସି ପିସିସି ମୁଖିଆ ସଫଳତା ପାଇନାହାଁନ୍ତି । ପରାଜୟ, ବିରୋଧ, ଅପମାନ ଓ ପ୍ରତିବାଦର ସମ୍ମୁଖୀନ ହେବା ସହ ବିବାଦୀୟ ହୋଇଛନ୍ତି । ଏବେ ଶରତ ଙ୍କ ପାଳି ।

    ଶରତ ସଫଳ ହେବେ ନା ଅନ୍ୟ ମାନଙ୍କ ଭଳି ବିବାଦରେ ଛନ୍ଦି ହେବା ସହ ଇତିହାସର ପୁନରାବୃତ୍ତି ହେବ । କଂଗ୍ରେସ ର ଦୁର୍ଦ୍ଦିନରେ ଶରତ ଙ୍କୁ ବିଧାୟକ ମାନେ ସମର୍ଥନ କରିବେ ତ । ଘରେ ନ ପଶୁଣୁ ଚାଳ ବାଜିବା ଭଳି ଅବସ୍ଥା ହେବନିତ। ସନ୍ତୁଷ୍ଟ ଅସନ୍ଥୁଷ୍ଟ ଙ୍କୁ ସାଙ୍ଗରେ ଧରି କେମତି ଚାଲିବେ ତାଙ୍କ ପାଇଁ ଯେତିକି ବଡ଼ ଚ୍ୟାଲଞ୍ଜ । ତାଙ୍କରି ଦ୍ୱିତୀୟ ପାଳିର ଅବଗଣନା ଯେବେ ଇତିହାସ କରିବ, ଆଗାମୀ ଦୁଇ ବର୍ଷର ଅଧ୍ୟାୟକୁ ଅନୁଶୀଳନ କରିବ ହିଁ କରିବ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button