sco meet

  • କାହିଁକି ସମସ୍ତଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା?

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପ୍ରଶଂସାରେ ଶତମୁଖ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ୟୁନାଇଟେଡ ଆସେମ୍ୱିଲର ୭୭ ତମ ଅଧିବେସନରେ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ଉଜବେକିସ୍ତାନର ଏସସିଓ ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ସହିତ ଆଲୋଚନା ବେଳେ ମୋଦି ପୁଟିନଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହା ସଠିକ୍ କଥା ଥିଲା। ପୁଟିନଙ୍କୁ ମୋଦି ଭଲ ବାର୍ତ୍ତା ଦେଇଥିଲେ ବୋଲି କହିଛନ୍ତି ଇମାନୁଏଲ ମାକ୍ରୋନ।

    ରୁଷ ରାଷ୍ଟ୍ରପତି ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପୁଣିଥରେ ସାରା ବିଶ୍ୱରେ ହଲଚଲ ସୃଷ୍ଟି କରିଥିବାବେଳେ ଆମେରିକା ରାଷ୍ଟ୍ରପତି ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଉଜବେକିସ୍ଥାନରେ ହୋଇଥିବା ଏସସିଓ ସମ୍ମିଳନୀର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାବେଳେ ପୁଟିନଙ୍କୁ ମୋଦି କହିଥିଲେ, ଏବେ ଯୁଦ୍ଧର ସମୟ ନୁହେଁ,ବିଶ୍ୱ ସାମ୍ନା କରୁଥିବା ବିଭିନ୍ନ ସଙ୍କଟର ସମାଧାନ ଲାଗି ଆମକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। କୂଟନୀତି ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ମୋଦି ଗୁରୁତ୍ୱ ଦେଇଥିଲେ। ୟୁକ୍ରେନ ଯୁଦ୍ଧ ପରେ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ସମରକନ୍ଦରେ ପ୍ରଥମ ସାକ୍ଷାତ ଅବସରରେ କିଛି ଦିନ ତଳେ ଏଭଳି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ମୋଦିଙ୍କ ଏହି ମନ୍ତବ୍ୟକୁ ଉଲ୍ଲେଖ କରି ବାଇଡେନ କହିଛନ୍ତି, ଶକ୍ତି ପ୍ରୟୋଗ କରି ପଡୋଶୀ ଉପରେ ଜୟଲାଭ କରିହେବନି। ପୁଟିନଙ୍କୁ ମୋଦୀ ଯେଉଁ ପରାମର୍ଶ ଦେଇଛନ୍ତି, ତାକୁ ସେ ଆଗକୁ ବଢାନ୍ତୁ ଏବଂ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ କରନ୍ତୁ। ସେହିଭଳି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସଲିଭାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନକୁ ଐତିହାସିକ ବିବୃତ୍ତି ବୋଲି କହିଛନ୍ତି।

    ଖାଲି ବାଇଡେନ ନୁହଁନ୍ତି, ପୁଟିନଙ୍କୁ ମୋଦି ଦେଇଥିବା ବୟାନକୁ ନେଇ ଜାତିସଂଘରେ ମଧ୍ୟ ଭାରତକୁ ପ୍ରଶଂସା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହା ଠିକ୍ କଥା ଥିଲା ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି। ପାଶ୍ଚାତ୍ୟ ଦେଶ ବିରୋଧରେ ଏବେ ପ୍ରତିଶୋଧ ନେବା ସମୟ ନୁହେଁ, ବରଂ ବିଶ୍ୱ ପ୍ରତି ଆସୁଥିବା ଚ୍ୟାଲେଞ୍ଜକୁ ଏକାଠି ହୋଇ ସାମ୍ନା କରିବାର ସମୟ ବୋଲି କହିଛନ୍ତି ମାକ୍ରୋନ।

    ସେପଟେ ଜାତିସଂଘ ସାଧାରଣ ପରିଷଦର ୭୭ ତମ ବାର୍ଷିକ ବୈଠକରେ ବିଶ୍ୱନେତାଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଚେତାବନୀ ଦେଇଛନ୍ତି। ଉଦଘାଟନୀ ଅଧିବେସନକୁ ସମ୍ୱୋଧିତ କରି ଜାତିସଂଘର ମହାସଚିବ ଗୁଟେରସ୍ ବିଶ୍ୱନେତାଙ୍କୁ ବିଭିନ୍ନ ସମସ୍ୟା ନେଇ ଚେତାବନୀ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ଖାଦ୍ୟ ସଙ୍କଟ, ରୁଷିଆ-ୟୁକ୍ରେନ ଯୁଦ୍ଧ ବିବାଦ ଏବଂ ଶକ୍ତି ସଙ୍କଟ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ମାନବଜାତି ଏବଂ ପୃଥିବୀର ଭବିଷ୍ୟତ ପ୍ରତି ବିପଦ ଥିବା ବଡ ସମସ୍ୟାର ମୁକାବିଲା କରିବାକୁ କୌଣସି ଦେଶ ପ୍ରସ୍ତୁତ ନୁହଁନ୍ତି। ଦାରିଦ୍ର୍ୟ ଦୂରୀକରଣ ଏବଂ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ମିଳିତ ଜାତିସଂଘ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ ଦିଗରେ ଆଶା କରାଯାଉଥିବା ଅଗ୍ରଗତି ହୋଇପାରିନାହିଁ।ସମଗ୍ର ବିଶ୍ୱ ବିପଦରେ ରହିଛି ଏବଂ ଆମେ ସ୍ଥାଣୁରେ ପରିଣତ ହେଉଛୁ। ଏହାର ମୁକାବିଲା ପାଇଁ ସହଯୋଗ ଓ ଆଲୋଚନା ହେଉଛି ଏକମାତ୍ର ଉପାୟ। ଜାତିସଂଘ ସାଧାରଣ ସଭାରେ ଉପସ୍ଥିତ ଥିବା ସମସ୍ତ ଦେଶର ପ୍ରତିନିଧିଙ୍କୁ ଏକାଠି କାମ କରିବାକୁ ଆହ୍ୱାନ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍।

    ତେବେ ପୁଟିନଙ୍କ ପରମାଣୁ ଧମକ ପରେ ସାରା ବିଶ୍ୱରେ ହଲଚଲ ସୃଷ୍ଟି ହୋଇଛି। ରୁଷ ଓ ୟୁକ୍ରେନ ବିବାଦ ସମ୍ପର୍କରେ ମିଳିତ ଜାତିସଂଘରେ ମଧ୍ୟ ଆଲୋଚନା ହୋଇଛି। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜାତିସଂଘ ମହାସଚିବ। ସେପଟେ ରୁଷ ୟୁକ୍ରେନ ବିରୋଧରେ ପୁଣି ଆରମ୍ଭ କରୁଛି ସମରସଜ୍ଜା। ୟୁକ୍ରେନକୁ କବଜା କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ପୁଟିନ। ଯାହାକୁ ନେଇ ଚିନ୍ତାରେ ସାରା ବିଶ୍ୱ।

    ପ୍ରେମଲତା ବାରିକଙ୍କ ରିପୋର୍ଟ

Back to top button