SPEAKER

  • ବିକ୍ରମ ହେଲେ ବାଚସ୍ପତି…

    ବିଧାନସଭାର ଗାରିମା ଓ ପଦମର୍ଯ୍ୟାଦା ରଖିବାକୁ ସଂକଳ୍ପବଦ୍ଧ। ସମସ୍ତଙ୍କର ସହଯୋଗ କାମନା କରି ବିଧାନସଭାର ୨୪ ତମ ବାଚସ୍ପତି ଭାବେ ଆସନ ଅଳଙ୍କୃତ କରିଛନ୍ତି ବିକ୍ରମ କେଶରୀ ଆରୁଖ। ସେପଟେ ବାଚସ୍ପତି ଭାବେ ନିରପେକ୍ଷତା ବଜାୟ ରଖିବା ସହ ବିରୋଧୀ ଦଳକୁ ବିଶ୍ୱାସ ଓ ଅଧିକ ସୁଯୋଗ ଦେବାକୁ ଅପିଲ କରିଛନ୍ତି ବିରୋଧୀ ଦଳ।
    ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ। ୨୪ତମ ବାଚସ୍ପତି ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଅଭିଜ୍ଞ ଆରୁଖ। ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସେ ହିଁ ବାଚସ୍ପତି ହେବା ଥୟ ବୋଲି ଆଗରୁ ଜଣାଥିଲା।

    ସେଥିଲାଗି ତ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସି ତାଙ୍କୁ ସର୍ବସମ୍ମତ ସମର୍ଥନ କରିବାକୁ ପ୍ରସ୍ତାବ ଆଣିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ପ୍ରସ୍ତାବକୁ ସମର୍ଥନ କରିଥିଲେ ଶାସକ ଓ ବିରୋଧୀ ଦଳ ନେତା। ଆଉ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବୋଲି ଉପ-ବାଚସ୍ପତି ଘୋଷଣା କରିବା ପରେ ବିକ୍ରମଙ୍କୁ ଆସନକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ତୁଙ୍ଗ ନେତା। ଆସନରେ ବସିବା ପରେ ଆସନର ମର୍ଯ୍ୟାଦା, ଗୃହର ଗାରିମା ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି।

    ସେପଟେ ବାଚସ୍ପତି ଭଳି ନିରପେକ୍ଷ ଆସନରେ ବସି କୌଣସି ପକ୍ଷପାତିତାକୁ ପ୍ରଶ୍ରୟ ନ ଦେବା, ବିରୋଧୀଙ୍କୁ ବିଶ୍ୱାସକୁ ନେଇ ଅଧିକ ସୁଯୋଗ ଦେବା ଭଳି ଆଶା ରଖିଥିଲେ ବିରୋଧୀ ଦଳ। ଅନେକ ଅଭିଜ୍ଞତା ଓ ଅନୁଭବର ଆଧାରରେ ଗୃହ ପରିଚାଳନା ସୁରୁଖୁରୁରେ ସମ୍ପନ୍ନ କରିବେ ବୋଲି ଆଶାବାଦୀ ବିରୋଧୀ। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଦଳରୁ ଇସ୍ତଫା ଦେବାର ପରମ୍ପରା କେବେଠୁ ଆଉ ନାହିଁ। ଅଭିନନ୍ଦନ ଆଳରେ ଶାସକ ଦଳର ଚିନ୍ତାଧାରାରେ ପରିବର୍ତ୍ତନ ଆଶା ରଖିଛନ୍ତି ବିରୋଧୀ। ସେପଟେ ଗୃହକୁ ପରିଚାଳନା ଦିଗରେ ସମସ୍ତ ସଭ୍ୟ ବାଚସ୍ପତିଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

    ୨୪ ତମ ବାଚସ୍ପତି ଭାବେ ଦାୟିତ୍ୱ ନେଇଛନ୍ତି ବିକ୍ରମ କେଶରୀ ଆରୁଖ। ଗୃହର ଗାରିମା, ଶାସକ ବିରୋଧୀଙ୍କୁ ଗୋଟିଏ ଦୃଷ୍ଟିରେ ଦେଖି ବିଧିବ୍ୟବସ୍ଥା ଭିତରେ ଗୃହର ସୁପରିଚାଳନା କରିବାର ଗୁରୁଭାର ଏବେ ଆରୁଖଙ୍କ ଉପରେ।

    • ଦୁଷ୍ମନ୍ତ ବେହେରାଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ
  • ନବୀନ ଙ୍କ କାମରାଜ ପ୍ଲାନ…ବଦଳିବ ମନ୍ତ୍ରୀମଣ୍ଡଳ?

    ଶୁକ୍ରବାର ବଜ୍ରରାଜନଗର ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ବିଜୟ ସହିତ ସୁପ୍ରିମକୋର୍ଟରେ ମଧ୍ୟ ରାଜ୍ୟ ସରକାର ବିଜୟ ହୋଇଥିବା ପରେ ଏବେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବାର ଉପଯୁକ୍ତ ସମୟ ବୋଲି ଭାବିଛନ୍ତି ପାର୍ଟି ସୁପ୍ରିମୋ । ଖୁବଶୀଘ୍ର ବଦଳିପାରେ ରାଜ୍ୟରେ ମନ୍ତ୍ରୀମଣ୍ଡଳର ରୂପରେଖ । ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର । ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇଲେ ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଥବା ବେଳେ ଅନେକ ହେଭିୱେଟ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି l

    କାମରାଜ ପ୍ଲାନ ରେ ଯେଭଳି ଭାବରେ 1963 ରେ କଂଗ୍ରେସର ନବକଳେବର ହୋଇଥିଲା ସେଭଳି ଭାବରେ ଏବେ ବିଜୁ ଜନତା ଦଳ ସେହି ପ୍ଲାନ ଆପଣେଇଛି ବୋଲି ଚର୍ଚ୍ଚା ହେଉଛି l ସମସ୍ତ ବରିଷ୍ଠ ନେତାମାନେ ନିଜ ପଦରୁ ଇସ୍ତଫା ଦେଇ ସମସ୍ତ ଶକ୍ତି ତୃଣମୂଳ ସ୍ତରରେ ବିଜେଡି କୁ ଉତ୍ସର୍ଗ କରିବେ ଏବଂ ନେତାମାନେ ସାଂଗଠନିକ କାର୍ଯ୍ୟ ଗ୍ରହଣ କରିବାକୁ ମନ୍ତ୍ରୀ ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହଉଛି l

Back to top button