srimandir

  • ଖୋଲିଲା ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ବଡଦାଣ୍ଡକୁ ରାସ୍ତା

    ପୁରୀ: ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଗଜପତିଙ୍କ ଶ୍ରୀନଅର ପର୍ଯ୍ୟନ୍ତ ରାସ୍ତା ଆଜିଠାରୁ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଖୋଲିଛି । ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ସମର୍ଥ ବର୍ମାଓ ବିସିସିର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଶ୍ରୀମନ୍ଦିର ଚତୁପାର୍ଶ୍ବ ବୁଲି ତଦାରଖ କରିବା ସହ କାମ ତତ୍ପରତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାସ୍ତା ଖୋଲିବାରୁ ଆଶ୍ବସ୍ତି ଅନୁଭବ କରିଛନ୍ତି ଭକ୍ତ।  

    ୧୮ଦିନ ପରେ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  ଅଧିନରେ ଥିବା ବଡଦାଣ୍ଡର ଡ୍ରେନେଜ, ଇଲେକ୍ଟ୍ରିସିଟି, ସ୍ବେରେଜ ଓ ପାଣି ପାଇପ ପାଇଁ କାର୍ଯ୍ୟ ଶେଷ ହେବା ପରେ ଖୋଲିଲା ରାସ୍ତା। ଗତ ୬ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ବାରରୁ ଗଜପତିଙ୍କ ଶ୍ରୀନଅର ରାସ୍ତାକୁ ବନ୍ଦ କରାଯାଇଥିଲା । ଯାହା ଫଳରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ମାନେ ହଇରାଣ ହେଉଥିଲେ। ରାସ୍ତା  ଖୋଲିବା ପରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି। ସେପଟେ  ଶ୍ରୀମନ୍ଦିର ଚତୁପାର୍ଶ୍ବ କାର୍ଯ୍ୟ ଯୋଗୁଁ ବାସେଳି ସାହି, ମାର୍କଣ୍ଡେଶ୍ବର ସାହି, ହରଚଣ୍ଡୀ ସାହି ବାଲିସାହି ବାସିନ୍ଦା ନାହିଁ ନଥିବା କଷ୍ଟ ଭୋଗୁଥିବା କହିଛନ୍ତି ଭକ୍ତ ଓ ସ୍ଥାନୀୟ ବାସିନ୍ଦା।

    ଅନ୍ୟପଟେ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଚତୁପାର୍ଶ୍ବର କାର୍ଯ୍ୟର ଅଗ୍ରଗତିକୁ ତଦାରଖ କରିଛନ୍ତି । ଓବିସିସି ଓ ଟାଟାର ଅଧିକାରୀ ଜିଲ୍ଲାପାଳଙ୍କୁ ସଂପୂର୍ଣ୍ଣ କାର୍ଯ୍ୟକୁ ନେଇ ଦେଖାଇଥିଲେ । ତେବେ ସମସ୍ତ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା କହିଛନ୍ତି ସୁପରିଟେଣ୍ଡଟ ଇଞ୍ଜିନିୟର ।

    ଏବେ ପ୍ରଶ୍ନ ଉଠିଛି କେବେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଏକକାଳୀନ ଶ୍ରୀମନ୍ଦିର ଚତୁପାର୍ଶ୍ବରେ କାମ ଚାଲୁଥିବାରୁ ଭକ୍ତ ଙ୍କ ଠାରୁ ଆରମ୍ଭ କରି ସମସ୍ତ ସାହିର ବାସିନ୍ଦାଙ୍କ ଜୀବନ ଓ ଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି।

    ଶିବପ୍ରସାଦ ଦାସ

  • ବର୍ଷର ଶେଷ ଦିନ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ

    ପୁରୀ: ବିଦାୟୀ ବର୍ଷ ୨୦୨୨ର ଶେଷ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଲକ୍ଷାଧିକ ଭକ୍ତ। ନୂଆବର୍ଷରେ ନୂଆ ଢ଼ଙ୍ଗରେ ଜୀବନର କାର୍ଯ୍ୟାଧାରା ଆରମ୍ଭ କରିବା ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ବଡ଼ଦାଣ୍ଡରେ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଆଜି ରାତି ଗୋଟାଏରୁ ଇଂରାଜୀ ନୂତନ ବର୍ଷ ଅବସରରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତ ପାଇପାରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

    ଇଂରାଜୀ ନବବର୍ଷ ୨୦୨୩ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ। ୨୦୨୨ ବର୍ଷର ବିଦାୟ ଦିନରେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ନିଜ ପରିବାରର‌ ମଙ୍ଗଳ କାମନା ସହ ସବୁଆଡେ ସୁଖ, ସମୃଦ୍ଧି, ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଚରଣରେ ନତମସ୍ତକ ହୋଇ ପ୍ରାର୍ଥନା କରିଛନ୍ତି। ୨୦୨୨ ବର୍ଷର ଆଜି ଶେଷ ଦିନରେ ମହାପ୍ରଭୁଙ୍କ ଟିକେ ଝଲକ ପାଇବା ପାଇଁ ଭକ୍ତଙ୍କ ଲମ୍ୱା ଲାଇନ୍ ଦେଖିବାକୁ ମିଳିଥିଲା ବଡ଼ଦାଣ୍ଡରେ। ଲାଇନ୍ ଭିତରେ ଘଣ୍ଟା ଘଣ୍ଟା ଧରି ଭକ୍ତମାନେ ଠିଆ ହୋଇ କଷ୍ଟକୁ ଖାତିରି ନକରି ଅତି ଆନନ୍ଦରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେହିପରି ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ବି ସତର୍କ ଓ ସଜାଗ ରହି ଆବଶ୍ୟକୀୟ ପଦକ୍ଷେପ ନେଇଥିଲା। ଇଂରାଜୀ ନୂତନ ବର୍ଷ ଅବସରରେ ଆଜି ରାତି ଗୋଟାଏରୁ ଶ୍ରୀମନ୍ଦିର ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

    ରବିବାର ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଅପେକ୍ଷା କରି ରହିଛନ୍ତି। ଗତ ଦୁଇବର୍ଷ ହେବ କୋଭିଡ କଟକଣା ହେତୁ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ। ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ପ୍ରତିବର୍ଷ ଯେତିକି ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି ତାହାର ଦୁଇଗୁଣା ଭିଡ ଜମିବ ବୋଲି ଅନୁମାନ କରିଛି ପ୍ରଶାସନ। ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ ଛକରୁ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଛି। ସେପଟେ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ଉଠା ଦୋକାନକୁ ବନ୍ଦ କରାଯାଇଛି। ଶନିବାର ଓ ରବିବାର ଏହି ଦୁଇଦିନ ବଡ଼ଦାଣ୍ଡରେ ଉଠା ଦୋକାନ ବନ୍ଦ ରହିବ। ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡ, ସମୁଦ୍ର କୂଳ ଓ ସହରର ବିଭିନ୍ନ ସ୍ଥାନରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ 0ଗୁରୁତ୍ୱ ଦିଆଯାଇଥିବା ଜିଲ୍ଲାପାଳp କହିଛନ୍ତି।

    ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସମୟ ଯେତିକି ପାଖଉଛି ପୁରୀରେ ଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ସେତିକି ଆଗ୍ରହ ବଢ଼ିବାରେ ଲାଗିଛି।

    ସମ୍ୱିତ ମିଶ୍ର

  • ଶ୍ରୀମନ୍ଦିରରେ ବିଜୟା ଦଶମୀ ଅନୁଷ୍ଠିତ

    ପୁରୀ: ଶାରଦୀୟ ପୂଜା ଅବସରରେ ଉତ୍ସବ ମୁଖର ହୋଇଛି ଶ୍ରୀ କ୍ଷେତ୍ର ପୁରୀ । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦଶହରା ବା ବିଜୟା ଦଶମୀ ନୀତି ଅନୁଷ୍ଠିତ ହୋଇଛି । ଏହି ନୀତି ଅନୁଯାୟୀ, ଶ୍ରୀ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବା ସହ ଆୟୁଧ ପୂଜା କରଯାଇଛି । ସେପଟେ ବିଭିନ୍ନ ପୂଜା ମଣ୍ଡପ ରେ ମା ମହାମାୟାଙ୍କ ବିଜୟା ଦଶମୀ ବା ଦଶହରା ପୂଜା କରାଯାଉଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପୁରୀ ଆସି ଶାରଦୀୟ ପୂଜା ର ବେଶ ମଜା ଉଠାଉଛନ୍ତି।

    ଆଜି ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶ୍ରୀଜଗନ୍ନାଥ,  ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି ।  ଦଶହରା ପାଇଁ  ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପୂର୍ଣ୍ଣ କରାଯାଇଥିଲା । ଆଜି ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ହେବା ପରେ ତଡ଼ପଲାଗି ଓ ଉତ୍ତରୀୟ ମଇଲମ ହୋଇ ତିନିବାଡ଼ରେ ଚନ୍ଦନ ଲାଗି ଓ ନୂଆଲୁଗା ଲାଗି ହୋଇ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା । ଆଜି ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଛି  । ମେକାପ ତିନଟି ରୂପାଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳ ମୁଷଳ, ସୁଭଦ୍ରାଙ୍କ ବାଡ଼ରେ  ସୁବର୍ଣ୍ଣ ତଡକୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଛନ୍ତି ।

    ଚଳିତ ବର୍ଷ ମା ମହାମାୟା ଙ୍କ ଆଗମନ ହେତୁ ବେଶ ଉତ୍ସବ ମୁଖର ହୋଇପଡିଛି ଶ୍ରୀ କ୍ଷେତ୍ର ପୁରୀ । ଶ୍ରୀକ୍ଷେତ୍ର ର ବିଭିନ୍ନ ମଣ୍ଡପ ରେ ମା ଙ୍କ ଦଶହରା ପୂଜା କରାଯାଉଥିବା ବେଳେ ପୁରୀ ସମୁଦ୍ର କୁଳ ନିକଟରେ ଥିବା ଦୁର୍ଗା ବାଡ଼ି ରେ ଆଜି ମା ଙ୍କୁ ମେଲାଣି ଦିଆଯାଇବା ସହ ବାଙ୍ଗୀୟ ପରମ୍ପରା ଅନୁଯାଇ ମା ମହା ମାୟା ଙ୍କୁ ସିନ୍ଦୁର ଅର୍ପଣ କରଯାଇଛି । ଏଥିସହ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନିଜ ନିଜ ମଧ୍ୟରେ ସିନ୍ଦୁର ଖେଳିଛନ୍ତି । ତେବେ ଚଳିତ ବର୍ଷ କୋଭିଡ କଟକଣା ହଟିବା ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବେଶ ଉତ୍ସାହ ର ସହ ଶାରଦୀୟ ପୂଜା କୁ ଉପଭୋଗ କରିଛନ୍ତି ।

    ତେବେ କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନରୁ ବଂଚିତ ହୋଇଥିବା ବେଳେ ଚଳିତବର୍ଷ କଟକଣା ହଟିଯାଇଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

    ପିଣ୍ଟୁ ସାହୁ ଙ୍କ ରିପୋର୍ଟ

  • ମା ବିମଳାଙ୍କ ଷୋଡଶ ଦିନାତ୍ମକ ପୂଜା ଲାଗି ଆରମ୍ଭ

    ପୁରୀ: ଶ୍ରୀ କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ଷୋଡଶ ଦିନାତ୍ମକ ପୂଜା ଲାଗି ଆରମ୍ଭ ହୋଇଛି। ଚଳିତ ବର୍ଷ ବିନା କଟକଣା ରେ ମା ଜଗତ ଜନନୀ ମା ଦୁର୍ଗାଙ୍କ ଆରାଧନା ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର। ଏଥିଲାଗି ଆଜି ଗଜପତି ମହାରାଜା ସ୍ରୋତ୍ରୀୟ ବ୍ରହ୍ମଣଙ୍କୁ ବରଣ କରିବା ସହ ଷୋଡଶ ଦିନାତ୍ମକ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି।

    ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ,ନଡିଆ,ବସ୍ତ୍ର ପ୍ରଦାନ କରିଛନ୍ତି। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଥିଲେ । ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଶ୍ୱରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ,ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି । ମୂଳାଷ୍ଟମୀ ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ହେଉଛି ଶାରଦୀୟ ଦୁର୍ଗାପୂଜା ମହୋତ୍ସବ । ସେ ନେଇ ଆରମ୍ଭ ହୋଇଛି ମା’ଙ୍କର ଷୋଡ଼ଶ ଉପଚାର ପୂଜା ।

    ଶାରଦୀୟ ପୂଜା ଅବସରରେ ସର୍ବତ୍ର ମା’ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ମୂଳାଷ୍ଟମୀ ଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଗତବର୍ଷ ମଳମାସ ପଡ଼ିଥିବାରୁ ୪୫ ଦିନ ହୋଇଥିଲା ଷୋଡ଼ଶ ଦିନାତ୍ମକ ପୂଜା । ହେଲେ ଚଳିତ ବର୍ଷ ମୂଳାଷ୍ଟମୀରୁ ପୂଜା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୧ ତାରିଖରେ ମହାସପ୍ତମୀ, ୧୨ରେ ମହାଷ୍ଟମୀ, ୧୩ରେ ମହନବମୀ ଓ ଅକ୍ଟୋବର ୧୫ରେ ଶ୍ରୀମନ୍ଦିରରେ ଦଶହରା ପାଳିତ ହେବ ।

    ଆଜି ମୂଳାଷ୍ଟମୀ ଠାରୁ ଶ୍ରୀ କ୍ଷେତ୍ର ରେ ଶ୍ରୀ ମନ୍ଦିର ରେ ଥିବା ମା ବିମଳା ଙ୍କ ନୀତି କାନ୍ତି ଅନୁଯାଇ ଶ୍ରୀ କ୍ଷେତ୍ର ଥିବା ବିଭିନ୍ନ ଦେବୀ ପୀଠ ମାନଙ୍କ ରେ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥାଏ

    ପିଣ୍ଟୁ ସାହୁଙ୍କ ରିପୋର୍ଟ

Back to top button