SUPREME COURT

  • ଅଗଷ୍ଟ ୨ରୁ “୩୭୦” ଶୁଣାଣି

    ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଅଗଷ୍ଟ ୨ ରୁ ଶୁଣାଣି ହେବ । ଏନେଇ ଅଗଷ୍ଟ ୨ରୁ ଦୈନନ୍ଦିନ ଶୁଣାଣି ହେବ ବୋଲି ସୁପ୍ରିମମୋର୍ଟ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ ।

  • ମାଲେଗାଁଓ ବିସ୍ଫୋରଣ: ଅଭିଯୁକ୍ତଙ୍କ ଲିଭ ଯାଚିକା ସର୍ବୋଚ୍ଚ ଅଦାଲତରେ ଖାରଜ

    ନୂଆଦିଲ୍ଲୀ: ୨୦୦୮ ମାଲେଗାଁଓ ବ୍ଲାଷ୍ଟ ମାମଲାରେ ଲ୍ୟୁଟନାଣ୍ଟ କଲୋନେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କୁ ମୁକ୍ତ କରିବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଜାନୁଆରୀ ୨ରେ ତାଙ୍କ ଯାଚିକା ଖାରଜକୁ ଚ୍ୟାଲେଞ୍ଜ କରି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।

    ମାଲେଗାଁଓ ବ୍ଲାଷ୍ଟ ମାମଲାରେ ପୁରୋହିତ, ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ଜଷ୍ଟିସ ହ୍ରିଷିକେଶ ରୟ ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।

    ପୂର୍ବରୁ ହାଇକୋର୍ଟ ତାଙ୍କ ରିଲିଜ ଯାଚିକା ଉପରେ କହିଥିଲେ କି, ତାଙ୍କ ବିରୋଧରେ ସିଆପିସିର ଧାରା ୧୯୭-୨ ଅଧୀନରେ ଦାୟର ହୋଇଥିବାରୁ ଏହା ଉପରେ ତାଙ୍କୁ ମୁକ୍ତ କରାଯାଇ ପାରିବ ନାହିଁ, କାରଣ ଏହା ତାଙ୍କ ଆଧିକାରିକ ଦାୟିତ୍ବ ଅଧୀନରେ ନ ଥିଲା। ଯାହା ଉପରେ ସୁପ୍ରିମକୋର୍ଟ ଏହାକୁ ବିଚାର କରିବାକୁ ମନା କରି ଦେଇଛନ୍ତି। ତେବେ ଟ୍ରାଏଲ କୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରଭାବିତ ନ ହେବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

    ସୂଚନାମୁତାବକ, ୨୦୦୮ ସେପ୍ଟେମ୍ବର ୨୯ରେ ମାଲେଗାଁଓର ଏକ ମସଜିଦ ନିକଟରେ ଥିବା ମୋଟର ସାଇକେଲରେ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ବିସ୍ଫୋରଣରେ ବ୍ୟବହାର ହୋଇଥିବା ମୋଟର ସାଇକେଲ ପ୍ରଜ୍ଞା ଠାକୁରଙ୍କ ନାମରେ ପଞ୍ଜିକୃତ ଥିଲା, ଯାହାକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା। ପରେ ଏହି ମାମଲାର ତଦନ୍ତଭାର ଏନଆଇଏକୁ ଯାଇଥିଲା।

  • ଏପ୍ରିଲ ୨୧ରେ ଜ୍ଞାନବାପୀ ମାମଲାର ଶୁଣାଣି

    ନୂଆଦିଲ୍ଲୀ: ଜ୍ଞାନବାପୀ ମାମଲାରେ ଦାଖଲ ସମସ୍ତ ଯାଚିକାଗୁଡିକୁ ଜିଲ୍ଲା ଜଜଙ୍କ କୋର୍ଟକୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଅପିଲ କରାଯାଇଛି। ଏହି ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ କୋର୍ଟ ସହମତି ପ୍ରକାଶ କରିଛନ୍ତି। ଜ୍ଞାନବାପୀ ବିବାଦକୁ ନେଇ ବହୁ ଯାଚିକା ଦାଖଲ ହୋଇଛି। ସମସ୍ତ ଯାଚିକା ବାରାଣସିର ବିଭିନ୍ନ କୋର୍ଟରେ ପଡିରହିଛି। ଏହା ଉପରେ ଏପ୍ରିଲ ୨୧ ତାରିଖରେ ଶୁଣାଣି ହେବ। ସୂଚନାଯୋଗ୍ୟ, ପୂର୍ବରୁ ସୁପ୍ରିମ କୋର୍ଟ ହିଁ ଏହି ମାମଲାକୁ ଜିଲ୍ଲା ଜଜଙ୍କ କୋର୍ଟରେ ଟ୍ରାନ୍ସଫର କରିଥିଲେ।

    ଯାଚିକାକର୍ତ୍ତାଙ୍କ ପକ୍ଷରୁ ଓକିଲ ବିଷ୍ଣୁ ଜୈନ ସିଜେଆଇଙ୍କ ଖଣ୍ଡପୀଠରେ ଜଣାଇଥିଲେ କି,  ଜ୍ଞାନବାପୀ ମସ୍ଜିଦକୁ ନେଇ ଅନେକ ଯାଚିକା ଦାଖଲ ହୋଇଛି। କିନ୍ତୁ ସେସବୁ ବାରାଣସିର ବିଭିନ୍ନ କୋର୍ଟରେ ପଡିରହିଛି। ସମସ୍ତ ଯାଚିକାକର୍ତ୍ତା ଜିଲ୍ଲା ଜଜଙ୍କ କୋର୍ଟରେ ଯାଚିକାଗୁଡିକୁ ଟ୍ରାନ୍ସଫର କରିବାକୁ ସହମତି ପ୍ରକାଶ କରିଛନ୍ତି, କିନ୍ତୁ ଜିଲ୍ଲା ଜଜଙ୍କ କୋର୍ଟ ବାରମ୍ବାର ଆଦେଶକୁ ଟାଳି ଚାଲିଛନ୍ତି। ବିଷ୍ଣୁ ଜୈନ ଆହୁରି କହିଛନ୍ତି କି, ଆମେ ସୁପ୍ରିମକୋର୍ଟରେ ଅପିଲ କରି ସମସ୍ତ ମାମଲାକୁ ମୁଖ୍ୟ ମାମଲା ସହ ଜିଲ୍ଲା କୋର୍ଟକୁ ଟ୍ରାନ୍ସଫର କରିବାକୁ ଅପିଲ କରିଛୁ। ଏହି ମାମଲାରେ ଶୁଣାଣି ହେବା ଆବଶ୍ୟକ ବୋଲି ଯୁକ୍ତି ବାଢିଛନ୍ତି ଜୈନ।

  • ବିଲକିସ ମାମଲା: କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନୋଟିସ

    ନୂଆଦିଲ୍ଲୀ: ୨୦୦୨ ବିଲକିସ ବାନୁ ମାମଲାରେ ଚିନ୍ତା ବ୍ୟକ୍ତ କରି ଏହାକୁ ଭୟାନକ କହିଛନ୍ତି ସୁପ୍ରିମକୋର୍ଟ। ବିଲକିସଙ୍କ ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ଗୁଜରାଟ ସରକାର ଓ କେନ୍ଦ୍ର ସହ ଦୋଷୀମାନଙ୍କୁ ନୋଟିସ ଜାରି କରିଛନ୍ତି। ବିଲକିସ ମାମଲାରେ  ଆଜୀବନ ଦଣ୍ଡାଦେଶ ପାଇଥିବା ୧୧ ଦୋଷୀଙ୍କୁ ସମୟ ପୂର୍ବରୁ ଛାଡିଦିଆଯିବାକୁ ଚ୍ୟାଲେଞ୍ଜ କରି ଦାୟର ଯାଚିକାଗୁଡିକ ଉପରେ ଆଜି ଶୁଣାଣି କରିଛନ୍ତି କୋର୍ଟ।

    ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ଦେଇଥିବା ଅନୁମତି ସମ୍ବନ୍ଧିତ ଫାଇଲ ପ୍ରସ୍ତୁତ କରିବାକୁ କହିଛନ୍ତି। ଏଥିସହ ଏଥିରୁ ନିର୍ଦ୍ଧାରଣ ହେବ ମୁକ୍ତି ନିଷ୍ପତ୍ତି ଉପରେ କାହାର ମୋହର ଲାଗିଥିଲା। ଏହା ବ୍ୟତୀତ ଏହା ଗୁଜରାଟରେ ଯାଉଛି ନା ମହାରାଷ୍ଟ୍ରରେ ତାହା ମଧ୍ୟ ସ୍ଥିର ହେବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୮ ଏପ୍ରିଲରେ ହେବ।

    ବିଲକିସ ବାନୁ ତାଙ୍କ ପିଆଇଏଲ ଯାଚିକାରେ କହିଥିଲେ କି, ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନାହିଁ କେବଳ ବିଲକିସଙ୍କୁ, ବରଂ ତାଙ୍କ ବଡ ହୋଇଯାଇଥିବା ଝିଅ, ପରିବାର ପ୍ରତି ତଥା ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀ ସ୍ତରରେ ପୁରା ସମାଜ ପ୍ରତି ଝଟକା। ଦୋଷୀମାନେ ମୁକୁଳିବା ପରେ ହିଁ ବିଲକିସଙ୍କ ସହିତ ପୁରା ଦେଶ ତଥା ଦୁନିଆକୁ ଏସମ୍ପର୍କିତ ସୂଚନା ଚକିତ କରିଥିଲା। ସେମାନଙ୍କୁ ସାର୍ବଜନୀନଭାବେ ମାଳା ପିନ୍ଧାଇ, ମିଠା ଖୁଆଇ  ସମ୍ମାନର ସହ ନିଆଯାଇଥିଲା ବୋଲି ବିଲକିସ କହିଥିଲେ।

    ସୂଚନାଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗା କାଳରେ ବିଲକିସ ବାନୁ ଓ ତାଙ୍କ ପରିବାର ପ୍ରାଣ ରକ୍ଷା ପାଇଁ ଏକ ଆଖୁ କିଆରିରେ ଆତ୍ମଗୋପନ କରିଥିବା ବେଳେ କିଛି ହିନ୍ଦୁ ବିଲକିସଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ନାବାଳିକା ଝିଅ ସହ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ। ଯେଉଁ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜୀବିତ ଥିବା ୧୧ ଜଣଙ୍କୁ ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ମୁକ୍ତ କରିଥିଲା ଗୁଜରାଟ ସରକାର।

  • କୋଭିଡ ସମୟରେ ମୁକ୍ତ ହୋଇଥିବା ଦୋଷୀଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

    ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ଜେଲରେ ଭିଡ କମ କରିବାକୁ ଛଡାଯାଇଥିବା ସମସ୍ତ ଦୋଷୀ ଓ ବିଚାରାଧୀନ କଏଦୀଙ୍କୁ ୧୫ ଦିନ ଭିତରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ ଆର ଶାହ ଓ ଜଷ୍ଟିସ ସି ଟି ରବିକୁମାରଙ୍କ ପୀଠ କହିଛନ୍ତି କି, ମହାମାରୀ କାଳରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏହି ନିରପତ୍ତା ସ୍ବରୂପ ଜରୁରୀକାଳୀନ ଜାମିନରେ ମୁକ୍ତ କରାଯାଇଥିବା ବିଚାରାଧୀନ କଏଦୀ ଆତ୍ମସମର୍ପଣ ପରେ ନିୟମିତ ଜାମିନ ପାଇଁ ଅନୁରୋଧ କରିପାରିବେ।

    ପୀଠ ଆହୁରି କହିଛନ୍ତି କି, କୋଭିଡ-୧୯ ବିଶ୍ବ ମହାମାରୀ କାଳରେ ମୁକ୍ତ ହୋଇଥିବା ସମସ୍ତ ଦୋଷୀ ଆତ୍ମସମର୍ପଣ ପରେ ନିଜ ଦଣ୍ଡ କମାଇବାକୁ ଉପଯୁକ୍ତ କୋର୍ଟରେ ଅନୁରୋଧ କରିପାରନ୍ତି। ବହୁ ଦୋଷୀ ଓ ବିଚାରାଧୀନ ଦୋଷୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ବାରା ଗଠିତ ଉଚ୍ଚ ଅଧିକାର ପ୍ରାପ୍ତ ସମିତିର ସୁପାରିଶରେ କରୋନା କାଳରେ ମୁକ୍ତ କରାଯାଇଥିଲା। ତେବେ ମୁକ୍ତ ହୋଇଥିବା ଅଧିକାଂଶ କୈଦୀମାନଙ୍କ ବିରୋଧରେ ଥିବା ମାମଲା ସାଂଘାତିକ ନ ଥିଲା।

  • ଓଏଟି ଭଙ୍ଗ ମାମଲା: ଓଏଟି ବାର କାଉନସିଲ ଯାଚିକା ଖାରଜ

    ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଓଡିଶା ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଭଙ୍ଗ କରିବାକୁ କେନ୍ଦ୍ରର ୨୦୧୯ ବିଜ୍ଞପ୍ତିରେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ରାଜ୍ୟ ଓଏଟି ବାର ଆସୋସିଏସନର ଚ୍ୟାଲେଞ୍ଜିଂ ଯାଚିକାକୁ ଖାରଜ କରି ଦେଇଛନ୍ତି।

    ମୁଖ୍ୟବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏହା ଉପରେ କହିଛନ୍ତି କି, ସମ୍ବିଧାନର ଧାରା ୩୨୩ଏ ଅନ୍ତର୍ଗତ କେନ୍ଦ୍ର ଓଏଟି ଭଙ୍ଗ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଜେନେରାଲ କ୍ଲଜ ଆକ୍ଟ ୨୧ ଅନୁଯାୟୀ, ଟ୍ରିବ୍ୟୁନାଲ ଭଙ୍ଗ କରିବାକୁ କେନ୍ଦ୍ରର ଆହ୍ବାନ ଠିକ ।  ଟ୍ରିବ୍ୟୁନାଲ ଭଙ୍ଗ ନିଷ୍ପତ୍ତି ସମ୍ବିଧାନର ଧାରା ୧୪ର ଉଲ୍ଲଙ୍ଘନ କରୁନାହିଁ। ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ପ୍ରତିଷ୍ଠା କ୍ଷମତାରେ ଟ୍ରିବ୍ୟୁନାଲ ଭଙ୍ଗ କରିବା କ୍ଷମତା ଅନ୍ତର୍ଭୁକ୍ତ ଅଛି ବୋଲି କୋର୍ଟ କହିଛନ୍ତି।  

    କୋର୍ଟ ଆହୁରି କହିଛନ୍ତି ତାଙ୍କ ରାୟରେ କି, ଏହା ଦ୍ବାରା ପ୍ରାକୃତିକ ନ୍ୟାୟିକ ବ୍ୟବସ୍ଥାର ଉଲ୍ଲଙ୍ଘନ ହେଉନାହିଁ, କାରଣ ଓଏଟିର ସମାପ୍ତ କରିବା ନିଷ୍ପତ୍ତିରେ ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ବର୍ଗ ଶୁଣାଣିର ହକଦାର ନୁହଁନ୍ତି। ନିର୍ଣ୍ଣୟ ପ୍ରଶାସନିକ ଶକ୍ତିର ପ୍ରୟୋଗ, ନାଁ କି ଅର୍ଧ ନ୍ୟାୟିକ ଶକ୍ତିର। ଏହା ମଧ୍ୟ ମୌଳିକ ଅଧିକାରକୁ ହନନ କରୁନାହିଁ। କାରଣ ଏଥିସମ୍ବନ୍ଧିତ ମାମଲା ଓଡିଶା ହାଇକୋର୍ଟରେ ଶୁଣାଣି ହୋଇପାରିବ।

    ସୂଚନାଯୋଗ୍ୟ, ୨୦୧୫ରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ, କାରଣ କର୍ମଚାରୀଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ଗଠିତ ଏହି ସଂସ୍ଥା ତାର କାର୍ଯ୍ୟ ତୁଲାଇବା ଲକ୍ଷ୍ୟ ପୂରଣରେ ଅକ୍ଷମ ଥିଲା। ଏହା ପରେ ନିଜ ନିଷ୍ପତ୍ତିକୁ କେନ୍ଦ୍ରକୁ ଜଣାଇଦେଇଥିଲା ରାଜ୍ୟ। ୨୦୧୯ ଅଗଷ୍ଟ ୨ରେ କେନ୍ଦ୍ର ମାନବ ସମ୍ବଳ ଓ ତାଲିମ ବିଭାଗ ଏକ ବିଜ୍ଞପ୍ତି ଜାରି କରିଥିଲା ଓଏଟି ଭଙ୍ଗ କରିବାକୁ।

  • ଲିଭ ଇନ ରିଲେଶନସିପ ଉପରେ ଗାଇଡଲାଇନ ଜାରି କରିବା ଯାଚିକା ଖାରଜ

    ନୂଆଦିଲ୍ଲୀ: ଲିଭ ଇନ ରିଲେଶନସିପକୁ ନେଇ ଗାଇଡଲାଇନ କରିବାକୁ ସୁପ୍ରିମକୋର୍ଟରେ ଦାୟର ଯାଚିକା ଖାରଜ। ଯାଚିକା ଖାରଜ କରି କୋର୍ଟ କହିଛନ୍ତି, ଆପଣ ଏମିତି ଲୋକଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ନାଁ ଲୋକଙ୍କୁ ଲିଭ ଇନ ରିଲେସନସିପରେ ରହିବାକୁ ଦେବାକୁ ଚାହୁଁ ନାହାନ୍ତି? ଏହି ମାମଲାରେ କେନ୍ଦ୍ର ସରକାରର କଣ ଭୂମିକା ରହିଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ଏପରି ଯାଚିକା ଉପରେ ଜରିମାନା ଲଗାଇବା ଆବଶ୍ୟକ ବୋଲି କହିଛନ୍ତି କୋର୍ଟ। ଲିଭ ଇନ ରିଲେସନସିପରେ ହେଉଥିବା ହତ୍ୟାଗୁଡିକ ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଥିଲା। ଏଥିରେ ଲିଭ ଇନରେ ରହୁଥିବା ଯୋଡାଗୁଡିକୁ ପଞ୍ଜିକରଣ ଅନିର୍ବାର୍ଯ୍ୟ କରିବାକୁ ଦାବି ହୋଇଥିଲା।

    ସରକାରକୁ କଡା ନିୟମ ଓ ଗାଇଡଲାଇନ କରିବାକୁ ଆଦେଶ ଦେବାକୁ ଦାବି ହୋଇଛି। ନିୟମଗୁଡିକ ଉପରେ ପଦକ୍ଷେପକୁ ସୁନିଶ୍ଚିତ କରିବାକୁ ମେକାନିଜିମ ବିକଶିତ କରିବାକୁ ପ୍ରାର୍ଥନା କରାଯାଇଛି। ଲିଭ ଇନ ରିଲେସନସିପରେ ଲଗାତର ବଢୁଥିବା ପ୍ରତାରଣା, ଠକେଇ ଓ ହିଂସା ଅପରାଧ ରୋକିବାକୁ ଦାୟର ହୋଇଥିଲା ଯାଚିକା। ଯାଚିକାରେ କୁହାଯାଇଥିଲା କି, ଶ୍ରଦ୍ଧା, ନିକ୍କି ପରେ ଆଉ ଏପରି କେହି ହେବା ଉଚିତ ନୁହେଁ।

    ଲିଭ ଇନ ରିଲେସନକୁ ନେଇ ବିଭିନ୍ନ ସମୟରେ ହତ୍ୟା, ଠକେଇ ପରି ଅପରାଧ ରୋକିବାକୁ ଏପରି ଲୋକଙ୍କ ନାମ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଥିଲା। ଏଥିସହ ମହିଳାମାନଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିକୁ ଆହୁରି ବିସ୍ତାର କରି ପୀଡିତା ବା ଅସନ୍ତୁଷ୍ଟ ପକ୍ଷ ଅନ୍ତର୍ଗତ ମହିଳାମାନଙ୍କ ସ୍ଥିତିକୁ ସ୍ପଷ୍ଟ କରନ୍ତୁ ଯେମିତି ମହିଳା ଆଇନରେ ଥିବା ବିକଳ୍ପକୁ ବ୍ୟବହାର କରି ପାରିବେ।

    ପୂର୍ବରୁ ସୁପ୍ରିମକୋର୍ଟ ଧନ୍ନୁ ଲାଲ ବନାମ ଗଣେଶରାମ ଓ ବଦରୀ ପ୍ରସାଦ, ଇନ୍ଦ୍ରା ଶର୍ମା ପରି ବହୁ ମାମଲାରେ ଦେଇଥିବା ନିଷ୍ପତ୍ତିକୁ ଉପସ୍ଥାପନ କରି ଯାଚିକାରେ କୁହାଯାଇଥିଲା କି, କୋର୍ଟ ଏଥିରେ ମଧ୍ୟ ମାନିଛନ୍ତି କି, ଲିଭ ଇନରେ ରହୁଥିବା ଯୋଡିଙ୍କୁ ବିବାହିତ ଭାବେ ଗ୍ରହଣ କରାଯିବ। ସେମାନଙ୍କଠାରୁ ଜନ୍ମିତ ପିଲାଙ୍କୁ ପିତାଙ୍କ ସମ୍ପତ୍ତି ଓ ଅନ୍ୟ ଅଧିକାର ବିବାହିତ ଦମ୍ପତିଙ୍କ ସନ୍ତାନ ପରି ମିଳିବ।

    ଯାଚିକାରେ କୁହାଯାଇଛି କି, ଲିଭ ଇନ ସମ୍ପର୍କରେ ରେଜିଷ୍ଟ୍ରେଶନ ଅଭାବରୁ ସମ୍ବିଧାନର ଅନୁଚ୍ଛେଦ ୨୧ରେ ବର୍ଣ୍ଣିତ ମହିଳାମାନଙ୍କ ଗରିମାପୂର୍ଣ୍ଣ ଜୀବନ ଧାରଣ ଓ ନିଜର ଅଧିକାରର ସୁରକ୍ଷାର ଗ୍ୟାରେଣ୍ଟିର ହନନ ହୋଇଥାଏ।

  • ବନ୍ଦ ଲଫାପା ନିଷ୍ପକ୍ଷ ନ୍ୟାୟ ସିଦ୍ଧାନ୍ତ ବିରୋଧୀ: ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ସିଲବନ୍ଦ ଲଫାପା ନିଷ୍ପକ୍ଷ ନ୍ୟାୟ ବୁନିଆଦୀ ସିଦ୍ଧାନ୍ତ ବିରୋଧୀ। ସେ ବନ୍ଦ ଲଫାପା ବିରୋଧୀ। ୱାନ ରାଙ୍କ ୱାନ ପେନସନ ଉପରେ କେନ୍ଦ୍ରର ସିଲ ବନ୍ଦ ରିପୋର୍ଟକୁ ଗ୍ରହଣ କରିବାକୁ ମନା କରିବା ସହ ଆଟର୍ନି ଜେନେରାଲ ଭେଙ୍କଟରମନୀଙ୍କୁ ଏପରି କହିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ରକ୍ଷାମନ୍ତ୍ରଣାଳୟ ପକ୍ଷରୁ ପେନସନ ପଇଠ ଉପରେ ବନ୍ଦ ଲଫାପାରେ ରିପୋର୍ଟ ଦିଆଯାଇଥିଲା। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ଏଜିଙ୍କୁ କୋର୍ଟରେ ରିପୋର୍ଟ ପଢିବାକୁ କହିବା ସହ ତାହାକୁ ସାଙ୍ଗରେ ନେଇ ଯିବାକୁ କହିଛନ୍ତି।

    ସିଜେଆଇ ଆହୁରି କହିଛନ୍ତି କି, ଯଦି ସୁପ୍ରିମକୋର୍ଟ ଏହି ପ୍ରଥାକୁ ଅନୁସରଣ କରନ୍ତି, ତେବେ ହାଇକୋର୍ଟ ମଧ୍ୟ ଏହାକୁ ପାଳନ କରିବେ। ବନ୍ଦ ଲଫାପା କେବଳ ଏକ ଉତ୍ସ ବା କୌଣସି ବ୍ୟକ୍ତିର ଜୀବନ ପ୍ରତି ବିପଦ ଥିଲେ ଗ୍ରହଣୀୟ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ୱାନ ରାଙ୍କ ୱାନ ପେନସନ ପଇଠରେ ଥିବା ସରକାରଙ୍କ ସମସ୍ୟା ବିଷୟରେ ଅବଗତ ଅଛୁ କିନ୍ତୁ ଏହା ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜାଣିବାକୁ ଚାହୁଁଛୁ।

    ଏହା ପରେ କୋର୍ଟରେ ଏଜି ରିପୋର୍ଟ ପାଠ କରିଥିଲେ। ରିପୋର୍ଟରେ ଉଲ୍ଲେଖ ଥିଲା କି, ସେନା ବଜେଟ ଏକା ଥରରେ ଏତେ ବଡ ପାଉଣାକୁ ପଇଠ କରିବାକୁ ସକ୍ଷମ ନୁହେଁ। ଉତ୍ସ ସୀମିତ ଓ ଖର୍ଚ୍ଚ ନୟନ୍ତ୍ରିତ ହେବା ଜରୁରୀ। ଅର୍ଥମନ୍ତ୍ରୀଙ୍କୁ ବିଶ୍ବାସକୁ ନିଆଯାଇଛି ଓ କୁହାଯାଇଛି କି, ଥରକରେ ଏତେ ବଡ ଖର୍ଚ୍ଚକୁ ସାମ୍ନା କରିବା ସମ୍ଭବ ନୁହେଁ।

    ମାର୍ଚ୍ଚ ୧୩ ତାରିଖରେ କେନ୍ଦ୍ର ପକ୍ଷରୁ ଏକପାକ୍ଷିଆ ଭାବେ ୪ଟି କିସ୍ତିରେ ଓଆରଓପି ପଇଠ ପାଇଁ ସରକାରର ନିଷ୍ପତ୍ତି ଉପରୁ ଭରସା ହରାଇଥିଲେ କୋର୍ଟ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା ଓ ଏଥିରେ ୨୦୧୯-୨୨ ମଧ୍ୟରେ ସେବା ନିବୃତ୍ତ ସେନା କର୍ମଚାରୀଙ୍କ ୨୮ହଜାର କୋଟି ଟଙ୍କା ଏରିୟର ଦେବାକୁ ସମୟ ସୂଚୀ ପ୍ରଦାନ କରାଯାଇଥିଲା। ଏହା ପରେ କୋର୍ଟ କହିଥିଲେ, ଏତେ ପରିମାଣର ଦେୟ ଗୋଟିଏ ଥରରେ ଦେବା ଦ୍ବାରା ପ୍ରତିରକ୍ଷା ପରିଚାଳନା ଉପରେ ବ୍ୟାପକ ନକାରାତ୍ମକ ପ୍ରଭାବ ପଡିବ। ତେଣୁ କେନ୍ଦ୍ରକୁ ଓଆରଓପି ଏରିଅର ସେନାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୮ ଫେବୃଆରୀ ୨୦୨୪ ମଧ୍ୟରେ ପଇଠ କରିବାକୁ ଅନୁମତି ଦେଇଥିଲେ।

    କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି, ୨୦୧୯ରୁ ଦେବାକୁ ଥିବା ଓଆରଓପି ଏରିୟରରେ ୬ ଲକ୍ଷ ସମସ୍ତ ଫାମିଲି ପେନସନଧାରୀ ଓ ଗାଲେଣ୍ଟ୍ରି ଆୱାର୍ଡ ୱିନରମାନଙ୍କୁ ମାର୍ଚ୍ଚ ୩୦ ମଧ୍ୟରେ ଓ ୭୦ ବର୍ଷରୁ ଅଧିକ ସେବାନିବୃତ୍ତ ୪ ଲକ୍ଷ ସେନା କର୍ମଚାରୀଙ୍କୁ ଜୁନ ୩୦ ଓ ବାକି ୧୦-୧୧ ଲକ୍ଷଙ୍କୁ ଅଗଷ୍ଟ ୩୧, ନଭେମ୍ବର ୩୦ ଓ ଫେବୃଆରୀ ୨୮ରେ ଦିଆଯିବ।

    ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରୁଥିବା ବେଳେ ଏଥିରେ ଜଷ୍ଟିସ ପିଏସ ନରସିହ୍ମା, ଜେବି ପାର୍ଡିୱାଲା ସମ୍ପୃକ୍ତ ଅଛନ୍ତି।

  • ପୁଣି କଲେଜିୟମ ସିଷ୍ଟମ ଉପରେ ବର୍ଷିଲେ ଆଇନମନ୍ତ୍ରୀ

    ନୂଆଦିଲ୍ଲୀ: ତୁଟୁନି ସରକାର ଓ ନ୍ୟାୟପାଳିକାର ବିବାଦ। ପୁଣି ମୁହାଁମୁହିଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି ଓ ଆଇନ ମନ୍ତ୍ରୀ। ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ବିଚାରପତି ନିଯୁକ୍ତିକୁ ନେଇ ସୁପାରିଶ ପରେ ଆଇନ ମନ୍ତ୍ରୀ ବର୍ଷିଛନ୍ତି ନ୍ୟାୟପାଳିକା ଉପରେ। କିଛି ପୂର୍ବତନ ବିଚାରପତି ଓ ସାମାଜିକକର୍ମୀ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଭାରତୀୟ ନ୍ୟାୟପାଳିକାରକୁ ବିରୋଧୀଙ୍କ ପାଇଁ ଉପଯୋଗ କରୁଛନ୍ତି। ସେପଟେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ସିଜେଆଇ କହିଛନ୍ତି ମୋର ଏସବୁ ବିବାଦରେ ଫସିବାର ନାହିଁ।

    ବିଚାରପତି ନିଯୁକ୍ତିକୁ ନେଇ ବର୍ଷିଲେ ଆଇନମନ୍ତ୍ରୀ। କଂଗ୍ରେସ ପ୍ରତି ରହୁଛି ନ୍ୟାୟପାଳିକାର ପକ୍ଷପାତିତା। ବିରୋଧୀଙ୍କ ସପକ୍ଷରେ ନ୍ୟାୟପାଳିକାର କରାଯାଉଛି ବ୍ୟବହାର।ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗ ଦେବା ଅବସରରେ ଆଇନ ମନ୍ତ୍ରୀ କିରଣ ରିଜିଜୁ କଲେଜିୟମ ସିଷ୍ଟମ ଦ୍ବାରା ବିଚାରପତି ନିଯୁକ୍ତିକୁ କଟାକ୍ଷ କରିଛନ୍ତି। ଏହା କଂଗ୍ରେସର ମନ୍ଦଉଦ୍ଦେଶ୍ୟର ପରିଣତି ବୋଲି କହିଥିଲେ ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଥିଲେ କି ସେ ସୁପ୍ରିମକୋର୍ଟର ବର୍ତ୍ତମାନ ବିଚାର ପତି, ବିଗତ ବିଚାରପତି ଓ ସମସ୍ତ ବିଚାରପତିଙ୍କ ସହ ଏକ ମଧୁର ସମ୍ପର୍କ ରଖିଛନ୍ତି। ସମ୍ପ୍ରତି ଅଳ୍ପ କିଛି ପୂର୍ବତନ ବିଚାରପତି… ହୁଏତ ତିନି ବା ଚାରି ଜଣ ଓ କିଛି ଓକିଲ ଭାରତ ବିରୋଧୀ ଗୋଷ୍ଠୀର ଅଂଶ ଭାବେ କାମ କରୁଛନ୍ତି। ଏମାନେ ଭାରତୀୟ ନ୍ୟାୟବ୍ୟବସ୍ଥାକୁ ବିରୋଧୀଙ୍କ ଦୃଷ୍ଟିଭଙ୍ଗିକୁ ନେଇ କାମ କରାଇବାକୁ ଚେଷ୍ଟା କରୁଛନ୍ତି। ମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ କି, କିଛି ନ୍ୟାୟପାଳିକାକୁ ଯାଇ ସରକାରର କାର୍ଯ୍ୟଧାରା ଉପରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛନ୍ତି। ସରକାରୀ ନୀତିରେ ପରିବର୍ତ୍ତନ ଆଣିବାକୁ କହୁଛନ୍ତି। ସେମାନେ ଚାହୁଁଛନ୍ତି କି, ନ୍ୟାୟପାଳିକା ବିରୋଧୀର କାର୍ଯ୍ୟ କରୁ, ଯାହା କେବେ ହେବ ନାହିଁ। ରିଜିଜୁ ଆହୁରି କହିଥିଲେ କି, ବିଚାରପତିମାନେ କୌଣସି ଗୋଷ୍ଠୀ ବା ରାଜନୈତିକ ସମ୍ବନ୍ଧର ଅଂଶ ନୁହଁନ୍ତି। କିପରି ସେମାନେ ଖୋଲାଖୋଲି କହିବେ କି, ଭାରତୀୟ ନ୍ୟାୟପାଳିକା ସରକାର ଉପରେ ଆଧିପତ୍ୟ ବିସ୍ତାର କରୁ। ସେଥିପାଇଁ ଆମ ସମ୍ବିଧାନରେ ଏକ ଲକ୍ଷ୍ମଣରେଖା ରହିଛି। ଏହା କି ପ୍ରକାର ପ୍ରୋପାଗଣ୍ଡା ବୋଲି ଆଶ୍ଚର୍ଯ୍ୟବ୍ୟକ୍ତ କରିଥିଲେ ଆଇନମନ୍ତ୍ରୀ। ସେପଟେ ଆଇନମନ୍ତ୍ରୀଙ୍କ ବୟାନ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନାକରିଦେଇଥିଲେ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଡି ୱାଇ ଚନ୍ଦ୍ରଚୂଡ।

    ବିଚାରପତି ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରୀ କହିଥିଲେ କି, ବିଚାରପତି ନିଯୁକ୍ତି  କ୍ଷେତ୍ରରେ ଚୂଡାନ୍ତ ପ୍ରକ୍ରିୟାକରଣ ପାଇଁ ନ୍ୟାୟପାଳିକାର କୌଣସି ଭୂମିକା ନାହିଁ। ତେବେ ପରବର୍ତ୍ତୀ ସମୟରେ ଏହା କଂଗ୍ରେସ ଦଳର ମନ୍ଦ ଉଦ୍ଦେଶ୍ୟ ପାଇଁ ହୋଇଥିଲା। ଏହାକୁ ଲୋକେ କହିଥିଲେ ନ୍ୟାୟପାଳିକାର ସୀମା ଅତିକ୍ରମଣ । ତା ପରେ କଲେଜିୟମ ସିଷ୍ଟମ ରୂପ ନେଇଥିଲା।ବର୍ତ୍ତମାନ ସରକାରର ସ୍ଥିତି ସ୍ପଷ୍ଟ କି, କଲେଜିୟମ ସିଷ୍ଟମ ତାର ସ୍ଥାନରେ ରହିଛି। ଯେପର୍ଯ୍ୟନ୍ତ ଏକ ନୂଆ ସିଷ୍ଟମକୁ ଆରମ୍ଭ କରାଯାଇ ନାହିଁ, ଆମେ କଲେଜିୟମ ସିଷ୍ଟମକୁ ଅନୁପାଳନ କରିବୁ, କିନ୍ତୁ ବିଚାରପତି ନିଯୁକ୍ତି ନ୍ୟାୟିକ ନିର୍ଦ୍ଦେଶରେ ହେବ ନାହିଁ। ଏହା ସମ୍ପୂର୍ଣ୍ଣରୂପେ ପ୍ରଶାସନିକ କାର୍ଯ୍ୟ ବୋଲି ରିଜିଜୁ କହିଥିଲେ। ଏହି କନକ୍ଲେଭରେ ପୁଣି ଥରେ ଆଇନମନ୍ତ୍ରୀଙ୍କୁ କଲେଜିୟମ ସିଷ୍ଟମକୁ ନେଇ ମୁଖର ହେବା ଦେଖିବାକୁ ମିଳିଥିଲା। ତେବେ ପରେ ଡାଏସକୁ ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ଆସି କଲେଜିୟମ ସିଷ୍ଟମ ସପକ୍ଷରେ ବାଢିଥିଲେ ମତ। ନ୍ୟାୟପାଳିକାକୁ ସ୍ବାଧୀନ ରଖିବାକୁ କଲେଜିୟମର ସୃଷ୍ଟି। ଏହାକୁ ବାହ୍ୟ ଶକ୍ତିମାନଙ୍କ ଠାରୁ ଅଲଗା କରି ରଖିବା ଦ୍ବାରା ସମ୍ଭବ। ସିଜେଆଇ ଆହୁରି କହିଥିଲେ କି, ଜଣେ ବିଚାରପତି ଭାବେ ସିଷ୍ଟମକୁ ଆମକୁ ଯେଉଁ ଭାବେ ଦିଆଯାଇଛି ତାକୁ ଗ୍ରହଣ କରିଛି। ମୁଁ କହୁନାହିଁ କି, ପ୍ରତ୍ୟେକ ବ୍ୟବସ୍ଥା ସଠିକ, କିନ୍ତୁ ଏହା ସର୍ବୋତ୍କୃଷ୍ଟ ବ୍ୟବସ୍ଥା, ଯାହାକୁ ଆମେ ବିକଶିତ କରିଛୁ। ସରକାର ଓ ନ୍ୟାୟପାଳିକା ମଧ୍ୟରେ ଜାରି ବିବାଦ ଭିତରେ ସୁପ୍ରିମକୋର୍ଟର ସିଜେଆଇ ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ସମ୍ବିଧାନିକ କୋର୍ଟଗୁଡିକରେ ବିଚାରପତି ନିଯୁକ୍ତିକୁ ନେଇ ସୁପାରିଶ ନାମସବୁ ଉପରେ ସରକାର ମଞ୍ଜୁରି ନ ଦେବାର କାରଣସବୁର ଖୁଲାସା କରିବା ଉପରେ ଅସନ୍ତୋଷ ବ୍ୟକ୍ତ ପୂର୍ବକ ରିଜିଜୁଙ୍‌କୁ ମଧ୍ୟ ଉତ୍ତର ଦେଇଥିଲେ। ସିଜେଆଇ କହିଥିଲେ କି, ତାଙ୍କର ନିଜ ଦୃଷ୍ଟିଭଙ୍ଗି ରହିଛି ଓ ମୋର ମଧ୍ୟ। ଦୁଇଟି ପରସ୍ପରଠାରୁ ଭିନ୍ନ ହୋଇପାରେ। ଏଥିରେ କୌଣସି ଭୁଲ ନାହିଁ। ଆମକୁ ଦୃଷ୍ଟିଭଙ୍ଗି ବିବିଧତା ଭିତରେ ନ୍ୟାୟ ବ୍ୟବସ୍ଥା ଭିତରେ ରହି କାମ କରିବାକୁ ହେବ। ଆମେ କେଉଁ ମାମଲାର କିପରି ସମାଧାନ କରିବୁ ଓ କେଉଁ ରାୟ ଦେବୁ ଏହାକୁ ନେଇ ଆମକୁ କେହି ବାଧ୍ୟ କରିପାରିବେ ନାହିଁ। ଏପରି ଆମ ସହକର୍ମୀଙ୍କ ସହ ମଧ୍ୟ ରାୟକୁ ନେଇ ଖୁଲାସା କରୁ ନାହିଁ। ଆମ ଭିତରେ ଏକ ସୀମା ରହିଛି। ଆମେ କଣ କରିବୁ ତାହା  ଆମକୁ ସଠିକ ଜଣା।  

    ଏଥିସହ କିନ୍ନର ବରିଷ୍ଠ ଓକିଲ ସୌରଭ କିରପାଲଙ୍କୁ ବିଚାରପତି ନିଯୁକ୍ତିକୁ ନେଇ ଲାଗିରହିଥିବା ବିବାଦ ଉପରେ ସିଜେଆଇ କହିଥିଲେ କି, କୌଣସି ବିଚାରପି ପ୍ରାର୍ଥୀଙ୍କ ଯୌନ ବିବିଧତା ସହ ତାଙ୍କ ଦକ୍ଷତାର କୌଣସି କାର୍ଯ୍ୟ ନାହିଁ। ବିଚାରପତି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ପାରଦର୍ଶିତା, ଦକ୍ଷତା, ବରିଷ୍ଠତାକୁ ପ୍ରାଧାନ୍ୟ ଦିଆଯାଏ, ଯାହା କିରପାଲଙ୍କ ନିକଟରେ ରହିଛି। ଏଥିସହ ବିଚାରପତିଙ୍କ କାର୍ଯ୍ୟଦକ୍ଷତାକୁ ଦର୍ଶାଇବାକୁ ଯାଇ ସିଜେଆଇ କହିଥିଲେ, ଆମେରିକା ଓ ଅଷ୍ଟ୍ରେଲିଆ, ଏମିତିକି ସିଙ୍ଗାପୁରରେ ବର୍ଷରେ ସୁପ୍ରିମକୋର୍ଟ ୮୦ରୁ ୧୦୦ ଦିନ ଚାଲୁଥିବା ବେଳେ ଆମେ ସପ୍ତାହକ ଯାକ କାମ କରୁ। ଦଫତର ସମୟ କାଳ ପରେ ମଧ୍ୟ ଆମକୁ ସେହି କେଶ ସମ୍ବନ୍ଧିତ ଆଇନ କାନୁନର ପଠନ କରିବାକୁ ହୋଇଥାଏ ଅବସର ସମୟରେ। ଶନିବାର କୋର୍ଟ ବନ୍ଦ ଥିଲେ ମଧ୍ୟ ଆମେ ପରବର୍ତ୍ତୀ ରାୟର ଡ୍ରାପ୍ତ ପ୍ରସ୍ତୁତ କରୁ, ରବିବାର ଏହାକୁ ପୁନଃ ଅନୁଶୀଳନ କରି ସୋମବାର କୋର୍ଟରେ ଏହାକୁ ପାଠକରୁ। ସେହିପରି ନ୍ୟାୟପାଳିକା ଉପରେ କେନ୍ଦ୍ରର ଚାପକୁ ନେଇ ପ୍ରଶ୍ନ ଉପରେ ସିଜେଆଇ କହିଥିଲେ, ସରକାରୀ କଳର କାର୍ଯ୍ୟପାଳିକାରୁ କୌଣସି ପ୍ରକାରର ଚାପର ପ୍ରଶ୍ନ ଉଠୁନାହିଁ। ଯାହା ନିର୍ବାଚନ ଆୟୋଗ ମାମଲାରୁ ରାୟରୁ ପ୍ରମାଣିତ ହେଉଛି ବୋଲି ସିଜେଆଇ ଅତି ସହଜଭାବେ କହିଥିଲେ।

    ତେବେ ଟାଇମ୍ସ ଅଫ ଇଣ୍ଡଆର କନକ୍ଲେଭ କାଳରେ ଆଇନମନ୍ତ୍ରୀଙ୍କ କଲେଜିୟମକୁ ଟାର୍ଗେଟ କିଛି ନୂଆ ନୁହେଁ। ସର୍ବଦା କଲେଜିୟମ ପ୍ରସଙ୍ଗରେ ଆଇନମନ୍ତ୍ରୀ ସତମୁଖର ହୋଇଉଠିଥାନ୍ତି, ଯାହା ନ୍ୟାୟପାଳିକା ଉପରେ ମୋଦି ସରକାରର ଚାପ ବୋଲି ଅନେକ ଅନୁଭବ କରିଥାନ୍ତି। ନିକଟରେ ମହାରାଷ୍ଟ୍ର ପ୍ରସଙ୍ଗରେ ସିଜେଆଇଙ୍କ ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା, ଯାହାକୁ ନ୍ୟାୟପାଳିକା ଉପରେ କୁଠାରାଘାତ ବୋଲି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡାଯାଇଥିଲା।

    ଶିଳାସ୍ମିତା ରାୟଙ୍କ ରିପୋର୍ଟ

  • ‘ଜଣେ ମୁଖ୍ୟମନ୍ତ୍ରୀଙ୍କୁ କିପରି ପୁନଃ ସ୍ଥାପିତ କରାଯିବ ଯିଏ ଫ୍ଲୋର ଟେଷ୍ଟ ଦେଇ ନାହାନ୍ତି’

    ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ମହାରାଷ୍ଟ୍ରରେ ପୁଣି ଉଦ୍ଧବ ଠାକରେ ସରକାରର ପୁନଃ ପ୍ରତିଷ୍ଠା ଅପିଲ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କୋର୍ଟ। କୋର୍ଟ କହିଛନ୍ତି କି, କିପରି ଠାକରେ ସରକାରକୁ ପୁନଃ ସ୍ଥାପନ କରାଯାଇ ପାରିବ। ରାଜ୍ୟପାଳଙ୍କ ଦ୍ବାରା ଆସ୍ଥା ଭୋଟ ତାଙ୍କୁ ଅବୈଧ ଅନୁଭୂତ ହୋଇଥିଲେ ବି ସେ ଏହାର ସମ୍ମୁଖୀନ ନ କରି ପଦରୁ ଇସ୍ତଫା ଦେଇ ଥିଲେ, ଯାହା ପ୍ରମାଣିତ କରିଛି କି, ବିଧାନସଭାରେ ସେ ସଂଖ୍ୟାଗରିଷ୍ଠତା ସ୍ଥିତିରେ ନଥିଲେ।

    କୋର୍ଟ ଆହୁରି କହିଛନ୍ତି କି, ଏହା ଯୁକ୍ତିସଂଗତ ହୋଇଥାନ୍ତା, ଯଦି ଉଦ୍ଧବ ସରକାର ବିଶ୍ବାସ ମତରେ ହାରି ଯାଇଥାନ୍ତେ। ଯାହାବି ହେଉ ଆପଣଙ୍କୁ କ୍ଷମତାରୁ ବାହାର କରିଦିଆଯାଇଛି, କାରଣ ଆପଣ ବିଶ୍ବାସ ମତକୁ ଏଡାଇ ଦେଇଥିଲେ। ଶିବସେନାର ରାଜନୈତିକ ସଂକଟକୁ ନେଇ ଦାୟର ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା।

    ଖଣ୍ଡପୀଠ ମାମଲାର ଚୂଡାନ୍ତ ଶୁଣାଣି କାଳରେ ତତ୍କାଳୀନ ରାଜ୍ୟପାଳ ଭାଗତ ସିଂହ କୋଶ୍ୟାରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କୋଶ୍ୟାରୀ ଉଦ୍ଧବ ସରକାର ଭାଙ୍ଗିବା ସମୟରେ ପକ୍ଷପାତିତା କରିଥିବା କହିଛନ୍ତି। ଶିବସେନାର ଏହା ଏକ ଆଭ୍ୟନ୍ତରିଣ ଆଦର୍ଶଗତ ବିବାଦ, ଏଥିରେ ରାଜ୍ୟପାଳଙ୍କର ହସ୍ତକ୍ଷେପ କରିବାର ନ ଥିଲା। ସେହିପରି ଖଣ୍ଡପୀଠ ଆହୁରି କହିଛନ୍ତି କି, ଶିବସେନାର ୩୯ ବିଧାୟକ ବିଦ୍ରୋହ କରିବା ପରେ ରାଜ୍ୟପାଳଙ୍କ ଦ୍ବାରା ବିଶ୍ବାସ ମତ ପାଇଁ ଆହ୍ବାନ ନିଷ୍ପତ୍ତି ତରବରିଆ ଥିଲା। ରାଜ୍ୟପାଳଙ୍କୁ ଜାଣିବା ଉଚିତ ଥିଲା କି, ଠାକରେଙ୍କୁ ବିଶ୍ବାସ ମତ ପାଇଁ କହିବା ଦ୍ବାରା ସରକାର ଭାଙ୍ଗି ଯିବ। ସେପଟେ ବହୁମତ ସାବ୍ୟସ୍ତ ଉଦ୍ଧବଙ୍କ ପାଇଁ ଅସମ୍ଭବ ଜାଣି ସେ ୨୯ ଜୁଲାଇ ୨୦୨୨ରେ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟପାଳଙ୍କ ପଦକ୍ଷେପ ଏକନାଥ ଗୋଷ୍ଠୀକୁ ଜିତାଇବା ପାଇଁ ଉଦ୍ଦିଷ୍ଟ ଥିଲାବୋଲି କହିଛନ୍ତି କୋର୍ଟ।

    ଏଥିସହ ବହୁମତ ସାବ୍ୟସ୍ତ କରିବାରେ ଅସର୍ଥତା ପାଇଁ ଇସ୍ତଫା ଦେଇଥିବାରୁ ଉଦ୍ଧବ ଗୋଷ୍ଠୀ ଗୃହରେ ସଂଖ୍ୟା ଲଘୁ ସାବ୍ୟସ୍ତ ହୋଇଛି, ତେଣୁ ଏପରି ସ୍ଥଳେ କିପରି ସରକାର ଗଠନ ପାଇଁ ଦିଆଯିବ ବୋଲି ଠାକରେଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ।

Back to top button