unasa bali

  • ଉଆଁସ ବଳୀ ଶେଷ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ବଳୀଯାତ୍ରାର ଉଆଁସ ବଳୀ କାର୍ଯ୍ୟ ଶେଷ ହୋଇଛି । ଆଶ୍ୱିନ ଅମାବାସ୍ୟାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ ଅଷ୍ଟଚଣ୍ଡୀଙ୍କ ପୀଠରେ ବଳୀଯାତ୍ରାର ପ୍ରଥମ ପର୍ଯ୍ୟାୟ ବଳୀ କାର୍ଯ୍ୟ ମାଁ ସମଲେଇଶ୍ୱରୀଙ୍କ ପୀଠରେ ପାରମ୍ପରିକ ବିଧିବିଧାନରେ ସମ୍ପନ୍ନ ହୋଇଛି । ଏଥର ବାଉତିଛତ୍ର ଶୋଭଯାତ୍ରା, ଉଆଁସ ବଳୀ ବୁଢାରଜା ବଳୀ କାର୍ଯ୍ୟ ଆଜି ଶେଷ ହୋଇଥିବା ବେଳେ ନିଶାବଳୀ ଓ ମହାନବମୀବଳୀ ପାଇଁ  ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

    ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପୀଠ ସୁବର୍ଣ୍ଣପୁର । କାହିଁ କେତେ ଦିନରୁ ଏହି ସହରରେ ପାଳିତ ହୋଇଆସୁଛି ବଳୀଯାତ୍ରା । ଏଥର ବଳୀଯାତ୍ରାରେ ବାଉତି ଛତ୍ର ଶୋଭାଯାତ୍ରା ମାଁ ସୁରେଶ୍ୱରୀଙ୍କ ପୀଠରୁ ବାହାରି ମାଁ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚିଥିଲା । ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଘୋଡାଘାଟପଡା ଜୁଡା ଖମ୍ବରେ ପହଂଚିଥିଲା । ଦହନାମାଳର ମାଡ ପରେ ରାତ୍ରୀର ଶେଷ ପ୍ରହରରେ ବୁଢାରଜା ପୀଠରେ ବଳୀକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ବଳୀ ଦେଖିବା ସହ ମାଁ ସମଲେଶ୍ୱରୀଙ୍କ ଆଶୀର୍ବାଦ ପାଇବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।

    ସୋନପୁର ଗଡଜାତରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ବଳିଯାତ୍ରା । ଉଆଁସ ବଳୀ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଗକୁ ଖଉଲ ଫିଟା ବଳୀ ,ଗାୟନ ବଳୀ , ଡାଙ୍ଗୁଆ ବଳୀ, ନିଶାବଳୀ ଓ ନବମୀ ରାତିର ମହାବଳୀ କାର୍ଯ୍ୟ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମଗ୍ର ଯାତ୍ରାକୁ ସରସ ଓ ସୁନ୍ଦର କରିବାକୁ ଆୟୋଜକ କମିଟି, ସେବାୟତ ଲାଗିପଡିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ମହାବଳୀ ଯାତ୍ରାରେ ଏଥର ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତଙ୍କର ସମାଗମ ଆଶା କରାଯାଉଛି ।

    ବଳୀ କହିଲେ ମୁଖ୍ୟତଃ ଇଷ୍ଟ ଦେବାଦେବୀଙ୍କ ପାଖରେ ଜୀବଜନ୍ତୁଙ୍କ ବଳି ପଡୁଥିବା ବେଳେ ସୁବର୍ଣ୍ଣପୁରରେ ଯନ୍ତ୍ର , ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗରେ ବଳିକାର୍ଯ୍ୟ ପାଳନ କରାଯାଏ । ଏହି ଅନନ୍ୟ ପର୍ବ ଦେଖିବାକୁ ଦୀର୍ଘ ୧୫ ଦିନ ବ୍ୟାପୀ ସହର ରେ ଲାଗିଥାଏ ଭକ୍ତଙ୍କ ଭିଡ  ।

    ଗଣପତି ବାଘଙ୍କ ରିପୋର୍ଟ

Back to top button