କୁଆଡ଼େ ଗଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଫାଇଲ୍। ପୁଲିସ ଏନକାଉଣ୍ଟରରେ ନିହତ ବିକାଶ ଦୁବେର ଫାଇଲ୍ କେମିତି ହଜିଗଲା। କିଏ ହଜାଇଲା। ଏହା ଇଛାକୃତ ନୁହେଁ ତ। ୨୦୨୦ରେ ୟୁପି ପୁଲିସର ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେର ରେକର୍ଡ ହଜାଇଦେଇଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଆକ୍ସନ ନେବାକୁ ସୁପାରିଶ କରିଛନ୍ତି ତଦନ୍ତ କମିଶନ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି.ଏସ. ଚୌହ୍ୱାନଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଶନ ଏହି ସୁପାରିଶ କରିଛନ୍ତି। ସୁପାରିଶ ପଛରେ ଆଧାରକୁ ଦେଖିଲେ ଏଥିରେ ପୁଲିସ ସଂସ୍କାର, ବଦଳି, ପୋଷ୍ଟିଂ, ସିଆରପିସି, ଅନ୍ୟାନ୍ୟ ଆଇନଗତ ସଂସ୍କାର, ସରକାରୀ ଓକିଲ, ପବ୍ଲିକ ପ୍ରସିକ୍ୟୁଟର, ସର୍ଭିସ ଅଫ ସମନ୍, ହ୍ୟାଣ୍ଡକଫ୍, ବିକାଶ ଦୁବେର ଅପରାଧିକ ରେକର୍ଡ ସମ୍ପର୍କିତ ନିଖୋଜ ଫାଇଲ ଅଛି। ଜୁଲାଇ ୨୨, ୨୦୨୦ରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଡ୍ରାଫ୍ଟ ନୋଟିଫିକେସନକୁ ଅନୁମତି ଦେଇଥିଲେ। ଯେଉଁଠି ୩ ଜଣିଆ ତଦନ୍ତ କମିଶନର ନେତୃତ୍ୱ ନେବାକୁ ଅବସରପ୍ରାପ୍ତ ବିଚାରପତି ଚୌହ୍ୱାନଙ୍କୁ ଦାୟିତ୍ୱ ଦିଆଯାଇଥିଲା।
Madhya Pradesh, July 09 (ANI): Police personnel arrest Vikas Dubey, the main accused in the Kanpur encounter case, at the Mahakal temple, in Ujjain on Thursday. (ANI Photo) ଏପ୍ରିଲ ୨୦୨୨ରେ ତଦନ୍ତ କମିଶନ ୟୁପି ପୁଲିସକୁ କ୍ଲିନଚିଟ୍ ଦେଇଥିଲେ। ବିକାଶ ଦୁବେ ଓ ତାହାର ୫ ଜଣ ସହଯୋଗୀଙ୍କୁ ୟୁପି ପୁଲିସ କରିଥିବା ଏନକାଉଣ୍ଟରରେ କୌଣସି ତୃଟି ପାଇନଥିଲେ ତଦନ୍ତ କମିଶନ। ଯୁପି ପୁଲିସର ଭୁଲ୍ଭଟକାକୁ ନେଇ କୌଣସି ପ୍ରମାଣ ବି ପାଇନଥିଲେ ତଦନ୍ତ କମିଶନ। ବିକାଶ ଦୁବେ ଓ ତାହାର ୫ ସହଯୋଗୀଙ୍କୁ ୨୦୨୧ ଜୁଲାଇରେ ପୁଲିସ ଏନକାଉଣ୍ଟର କରିଥିଲା। ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ନିର୍ଦେଶ ଦେଇଥିଲେ କି, ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ପରେ ଏହାକୁ ନେଇ ତଦନ୍ତ କମିଶନ କରିଥିବା ସୁପାରିଶକୁ ତୁରନ୍ତ କାର୍ଯ୍ୟକ୍ଷମ କର। ଏପରିକି ତଦନ୍ତ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ଓ୍ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ହିମା କୋହଲୀଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ବି ଅନୁପାଳନ କରାଯାଇଥିଲା। କମିଶନଙ୍କ ସୁପାରିଶ ଭିତରେ ରହିଛି ପୁଲିସ ଆଧୁନିକୀକରଣ, ପୁଲିସ ଉପରେ କାମର ଚାପ କମାଇବା, ମହିଳା, ଦୁର୍ବଳ ବର୍ଗ, ଦିବ୍ୟାଙ୍ଗଙ୍କ ପ୍ରତି ମାନବୀୟ ସମ୍ୱେଦଶୀଳତା ମନୋଭାବ ଆପଣାଇବା ଆଦି ଥିଲା।
ଏହା ସହ ପ୍ରୟାଗରାଜ, ଆଗ୍ରା ଓ ମିରଟ୍ ସହରରେ ଅନ୍ୟ ବଡ଼ ସହର ଭଳି କମିଶନରେଟ୍ ସିଷ୍ଟମ ଲାଗୁ କରିବା, ସଂଗଠିତ ଅପରାଧ ନିୟନ୍ତ୍ରଣରେ ସ୍ପେଶିଆଲ ଆକ୍ଟକୁ କାର୍ଯ୍ୟକ୍ଷମ ସହ ସ୍ପେଶିଆଲ ସେଲ୍ ଖୋଲାଯାଉ। ସ୍ଥାନୀୟ ଗୁଇନ୍ଦା ସୂଚନାକୁ ସୁଦୃଢୀକରଣ କରିବା, କୁଖ୍ୟାତ ଅପରାଧୀଙ୍କୁ ଚିହ୍ନଟ ସହ ସେମାନଙ୍କ ଗତିବିଧି ଉପରେ ନିରନ୍ତର ନଜର ରଖିବା, ଅପରାଧକୁ ଚିହ୍ନଟ ଲାଗି ଭିଡିଓଗ୍ରାଫି, ତଦନ୍ତକାରୀ ଅଫିସରଙ୍କ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଖଞ୍ଜାଯାଉ। ଗୋଟିଏ ଜିଲ୍ଲା କି ଗୋଟିଏ ଜାଗାରେ ଯେମିତି ଅଧିକ ଦିନ କୌଣସି ପୁଲିସ କି ରାଜସ୍ୱ ଅଫିସର ପ୍ରଶାସନିକ କଳକୁ ପ୍ରଭାବିତ କରି ରହିପାରିବେନି, ସେ ନେଇ ସ୍ୱତନ୍ତ୍ର ନୀତି କରନ୍ତୁ ସରକାର। ବିଶେଷ କରି ଆର୍ମ ଲାଇସେନ୍ସ, ଖଣିକୁ ଲାଇସେନ୍ସ ଦେଉଥିବା ଅଧିକାରୀ, ବାଲି ଓ ପଥର ଖଣିକୁ ଲାଇସେନ୍ସ ଦେଉଥିବା ଅଧିକାରୀଙ୍କ କ୍ଷେତ୍ରରେ ଏହାକୁ ଦୃଢ ଭାବରେ ଅନୁପାଳନ ହେଉ। ପୁଲିସ ହେପାଜତରୁ ଅନେକ ସମୟରେ ଅପରାଧୀ ଚମ୍ପଟ ମାରୁଥିବା ଓ ଏହା ପରେ ତାକୁ ଧରିବାକୁ ଯାଇ ଏନକାଉଣ୍ଟର କରିବାକୁ ପଡ଼ୁଥିବା ସ୍ଥିତି ବାବଦରେ ବି କମିଶନ ସୁପାରିଶ କରିଛନ୍ତି। କୋର୍ଟର ଅନୁମତି ନେଇ ହିଁ ଏଭଳି ଅପରାଧୀଙ୍କୁ ହ୍ୟାଣ୍ଡକପ୍ ପକାଇପାରିବେ ପୁଲିସ।
ଟ୍ରାଞ୍ଜିଟ୍ କି ରିମାଣ୍ଡରେ ନେଉଥିଲା ବେଳେ ଅପରାଧୀ ପୁଲିସକୁ ଚକମା ଦେଇ ଖସିଯିବାର ଅନେକ ନଜିର ରହିଛି। ତେବେ ତଦନ୍ତ କମିଶନର ପୁନର୍ଗଠନ କରିବାକୁ ସୁପ୍ରିମକୋର୍ଟରେ ଆଇନଜୀବି ଘନଶ୍ୟାମ ଉପାଧ୍ୟାୟ ପିଆଇଏଲ ଫାଇଲ୍ କରିଥିଲେ। ଏହାକୁ କୋଲ୍ଡ-ବ୍ଲଡେଡ୍ ମର୍ଡର ବୋଲି ଅଭିହିତ କରିଥିଲେ। ତଦନ୍ତ କମିଶନ ପ୍ୟାନେଲ ବିନା ତଦନ୍ତରେ ପୁଲିସକୁ କ୍ଲିନଚିଟ୍ ଦେଇ ଏଭଳି ରିପୋର୍ଟ ତିଆରି କରିଛନ୍ତି। କିନ୍ତୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ବରିଷ୍ଠ ଆଇନଜୀବି ହରିଶ ସାଲଭେ ଏହାକୁ ବିରୋଧ କରିଥିଲେ। ଯିଏ ୟୁପି ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରୁଥିଲେ। ତଦନ୍ତ କମିଶନଙ୍କ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇସାରିଛି। ସେଥିଲାଗି ଏହି ମାମଲାକୁ ଏଇଠି ବନ୍ଦ କରିଦେବା ଉଚିତ୍। ଅଭିଯୋଗ ଓ ପ୍ରତି ଅଭିଯୋଗ ଚାଲିବ। ତିନି ଜଣିଆ ତଦନ୍ତ କମିଶନ ରିପୋର୍ଟ ଦେଇସାରିଛି।
ସମସ୍ତଙ୍କୁ ଏହି ରିପୋର୍ଟରେ ଖୁସି କରାଯିବ ବୋଲି କିଛି ଅର୍ଥ ନାହିଁ। କମିଶନ ରିପୋର୍ଟକୁ ଚ୍ୟାଲେଞ୍ଜ କରିବାର ପ୍ରଶ୍ନ ଉଠୁନି। ଏହା କୌଣସି ରାୟ ନୁହେଁ ଯେ, ଏହା ବିରୁଦ୍ଧରେ ଅପିଲ୍ କରାଯାଇପାରିବ। ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କରିଦେଇଥିଲେ। ତଦନ୍ତ କମିଶନରେ ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶଶୀକାନ୍ତ ଅଗ୍ରଓ୍ୱାଲ ଓ ଅବସରପ୍ରାପ୍ତ ୟୁପିର ଡିଜିପି କେ.ଏଲ.ଗୁପ୍ତା ସଦସ୍ୟ ଥିଲେ। ଜୁଲାଇ ୩, ୨୦୨୦ ମଧ୍ୟରାତ୍ରିରେ ୮ ଜଣ ପୁଲିସ କର୍ମଚାରୀଙ୍କୁ ଆମ୍ୱୁସ୍ କରି ବିକାଶ ଦୁବେ ଓ ତାହାର ସହଯୋଗୀ ଗୁଳି କରି ହତ୍ୟା କରିଥିଲେ। ବିକାଶ ଦୁବେକୁ ଗିରଫ କରିବାକୁ ଡିଏସପି ଦେବେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଆମ୍ୱୁସର ଶୀକାର ହୋଇଥିଲା। ଛାତ ଉପରୁ ପୁଲିସ କର୍ମୀଙ୍କ ଉପରକୁ ଗୁଳି କରିଥିଲେ ବିକାଶ ଓ ତାହାର ସହଯୋଗୀ। ଘର ଆଗରେ ବୁଲଡୋଜର ରଖି ଭୁଲ୍ ଗୁଇନ୍ଦା ସୂଚନା ବଳରେ ପୁଲିସକୁ ଚକମା ଦେବାରେ ସଫଳ ହୋଇଥିଲା ଦୁବେ ଗ୍ୟାଙ୍ଗ। ପରେ ଜୁଲାଇ ୧୦ରେ ଦୁବେକୁ ଏନକାଉଣ୍ଟର କରାଯାଇଥିଲା।
ଦୁବେକୁ ଗିରଫ କରି ଉଜ୍ଜୟିନୀରୁ କାନପୁର ନେଉଥିଲା ବେଳେ ପୁଲିସ କବଳରୁ ଖସିବାକୁ ଚେଷ୍ଟା କରିବାରୁ ପୁଲିସ ଗୁଳି କରିଥିଲା। ଆଉ ଏଭଳି ଏନକାଉଣ୍ଟର ପୁଲିସ ଜାଣିଶୁଣି କରିଥିବାର ଅଭିଯୋଗ ହେବାରୁ ଏହାକୁ ନେଇ ତଦନ୍ତ କମିଶନ ଗଠନ କରିଥିଲେ ସୁପ୍ରିମକୋର୍ଟ। ବିକାଶ ଦୁବେକୁ ଏନକାଉଣ୍ଟର ଆଗରୁ ତାହାର ୫ ସହଯୋଗୀଙ୍କୁ ଏନକାଉଣ୍ଟର କରିସାରିଥିଲା ପୁଲିସ।