ଅବିଭାଗିକୃତ

ଆରପାରିରେ ମୁଲାୟମ ସିଂ ଯାଦବ

ନୂଆଦିଲ୍ଲୀ: ଚାଲିଗଲେ ନେତାଜୀ। ସମାଜବାଦୀ ଦଳର ପ୍ରତିଷ୍ଠାତା ମୁଖ୍ୟ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ସୋମବାର ସକାଳ ୮ଟା ୧୬ ମିନିଟରେ ଆଇସିୟୁରେ ତାଙ୍କର ପରଲୋକ ଘଟିଛି। ୮୨ ବର୍ଷ ବୟସରେ ଆଖି ବୁଜିଛନ୍ତି ମୁଲାୟମ୍। ମେଦାନ୍ତ ହସ୍ପିଟାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଥିଲେ। ଅଗଷ୍ଟ ୨୨ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୨ରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଲାଗି ଆଇସିୟୁକୁ ନିଆଯାଇଥିଲା। ଆଉ ଡାକ୍ତରଙ୍କ ସକଳ ଚେଷ୍ଟା ଶେଷରେ ଫେଲ୍ ମାରିଲା। ପିତାଙ୍କ ପରଲୋକ ଖବର ପାଇ ତାଙ୍କ ପୁତ୍ର ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ୱିଟରେ ଅବଗତ କରାଇଛନ୍ତି। ସମସ୍ତଙ୍କର ଆଦରଣୀୟ ନେତାଜୀ ଆଉ ନାହାନ୍ତି ବୋଲି କହିଛନ୍ତି। ମୁଲାୟମଙ୍କ ବିୟୋଗ ଖବର ପାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ମୁଲାୟମଙ୍କୁ ମାଟିର ପୁଅ କହି କିଭଳି ସାଧାରଣ ପରିବାରରୁ ଆସି ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ତାହାର ଅବତାରଣା କରିଛନ୍ତି ନିଜର ଶୋକବାର୍ତ୍ତାରେ। ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କର ସମସ୍ୟା ପ୍ରତି ସମ୍ୱେଦନଶୀଳ ଥିଲେ ମୁଲାୟମ। ଲୋକନାୟକ ଜୟପ୍ରକାଶ ଓ ଡକ୍ଟର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ମୁଲାୟମ ଜନସେବା ଲାଗି ନିଜ ଜୀବନକୁ ସମର୍ପିତ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୁଲାୟମଙ୍କ ଅଦ୍ୱିତୀୟ ରାଜନୈତିକ ରଣନୀତି ଥିଲା। ଜରୁରୀକାଳୀନ ପରିସ୍ଥିତିରେ ଲୋକତନ୍ତ୍ରର ପୁନଃସ୍ଥାପନା ଲାଗି ସ୍ୱରକୁ ଶାଣିତ କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମୁଲାୟମଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି। ସର୍ବଦା ଦୁର୍ବଳବର୍ଗଙ୍କ ଉତଥାନ ଲାଗି ଚିନ୍ତା କରୁଥିବା ଯାଦବଙ୍କ ସମର୍ପିତ କାର୍ଯ୍ୟ ସ୍ମରଣୀୟ ହୋଇରହିବ। ସ୍ୱର୍ଗତ ଯାଦବଙ୍କର ଦୀର୍ଘ ୫ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ୟୁପି ରାଜନୀତିକୁ ପ୍ରଭାବିତ ତଥା କବଳିତ କରି ରଖିଥିଲେ ମୁଲାୟମ। ୟୁପିର ତିନି ଥର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ ସ୍ୱର୍ଗତ ମୁଲାୟମ ସିଂ ଯାଦବ। ସମର୍ଥକଙ୍କ ପାଇଁ ସେ ନେତାଜୀ ନାଁରେ ଘରେ ଘରେ ପରିଚିତ ଥିଲେ। ୧୯୯୬ରୁ କ୍ରମାଗତ ୭ ଥର ସଂସଦକୁ ନିର୍ବାଚିତ ହୋଇଥିଲେ ମୁଲାୟମ। ସେହିଭଳି ୧୦ ଥର ୟୁପି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନେତାଜୀ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ବି ନିର୍ବାହ କରିଥିଲେ ନେତାଜୀ। ପିଏମ୍ ମ୍ୟାଟେରିଆଲ ଭାବେ ଚର୍ଚ୍ଚାର ପରିଧିକୁ ଆସିଥିଲେ ମୁଲାୟମ। ଦେଶର ପ୍ରଧାନମନ୍ତ୍ରୀ ଦୌଡ଼ରେ ବି ଏକଦା ଥିଲେ। ୧୯୯୬ରେ ଯେତେବେଳେ ୟୁନାଇଟେଡ ଫ୍ରଣ୍ଟ କେନ୍ଦ୍ରରେ ସରକାର କରିବାକୁ ପ୍ରସ୍ତୁତ ହେଉଥିଲା, ସେତେବେଳେ ମୁଲାୟମଙ୍କ ନାଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସବା ଆଗରେ ଥିଲା। କିନ୍ତୁ ଲାଲୁ ଯାଦବଙ୍କ ସମେତ କିଛି ତୁଙ୍ଗ ନେତା ଏହାକୁ ବିରୋଧ କରିଥିଲେ। ୨୦୧୪ରେ ବି ସମାନ ସମ୍ଭାବନା ଆସିଥିଲା। ସେଥର ବି ତାହା ଫେଲ୍ ମାରିଥିଲା। ମୁଲାୟମଙ୍କ ବିୟୋଗ ଖବର ପାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କର ଶେଷଦର୍ଶନ କରିବାକୁ ମେଦାନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ୧୯୩୯ ନଭେମ୍ୱର ୨୨ରେ ସୈଫାଲ ଗାଁରେ ଜନ୍ମଗ୍ରହଣ କରିଥିଲେ ମୁଲାୟମ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button