ସ୍ମାର୍ଟଲି ହାର୍ଡଓ୍ୱାର୍କ କରିବାକୁ ମୋଦିଙ୍କ ପରାମର୍ଶ

() ନିଜକୁ ଗୁରୁତ୍ୱ ଦିଅ। ଚାପର ବଶବର୍ତ୍ତୀ ହୁଅନି। ଆଲୋଚନାକୁ ଫୋକସ କର। ଆରୋପକୁ ନୁହେଁ। ପରୀକ୍ଷା ଲାଗି କୌଣସି ପ୍ରକାର ଚାପଗ୍ରସ୍ତ ହୁଅନି। ସ୍ମାର୍ଟଲି ହାର୍ଡଓ୍ୱାର୍କକୁ ଗୁରୁତ୍ୱ ଦିଅ। କିଛି ଏମିତି ଢଙ୍ଗରେ ଚାପମୁକ୍ତ ପରୀକ୍ଷା ଲାଗି ପିଲାଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେବଳ ପିଲାଙ୍କୁ ନୁହେଁ, ଅଭିଭାବକ ଓ ଶିକ୍ଷକଙ୍କ ଦାୟିତ୍ୱବୋଧକୁ ନେଇ ବି ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ପରୀକ୍ଷା ଦିଅ। କିନ୍ତୁ ଚାପଗ୍ରସ୍ତ ହୋଇ ନୁହେଁ। ନକଲରେ ଭବିଷ୍ୟତ ନାହିଁ। ଟାଇମ ମ୍ୟାନେଜମେଣ୍ଟ ନିଜ ମାଆଙ୍କଠୁ ଶିଖ। ହାର୍ଡଓ୍ୱାର୍କ ଓ ସ୍ମାର୍ଟଓ୍ୱାର୍କ ବଦଳରେ ସ୍ମାର୍ଟଲି ହାର୍ଡଓ୍ୱାର୍କକୁ ଗୁରୁତ୍ୱ ଦିଅ। ପରୀକ୍ଷା ଲାଗି ଭରପୁର ପ୍ରସ୍ତୁତି ସତ୍ତ୍ୱେ ଟିକାଟିପ୍ପଣୀରେ ମାତିଲେ ସବୁ ବରବାଦ୍ ହୋଇଯିବ। ଆଲୋଚନା ଲାଗି ଅଧ୍ୟୟନ, ପରିଶ୍ରମ ଦରକାର। କିନ୍ତୁ ଆରୋପରେ ମାତିଲେ ଖାଲରେ ପଡ଼ିବ। କିଛି ଏମିତି ଢଙ୍ଗରେ ପିଲାଙ୍କୁ ପରୀକ୍ଷା ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
କେବଳ ପିଲାଙ୍କୁ ନୁହେଁ, ଅଭିଭାବକଙ୍କ ଉତ୍ତରଦାୟିତ୍ୱ କେତେ, ସେ ବାବଦରେ ବି ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ନିଜର ଦକ୍ଷତା ଜାଣି ସୁଦ୍ଧା ସାମାଜିକ ପ୍ରତିପତ୍ତି ପାଇଁ ପିଲାଙ୍କ ଉପରେ ଯେଭଳି ଚାପ ପକାଯାଉଛି, ତାହା ଚିନ୍ତାଜନକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପିଲାଙ୍କଠୁ ଆଶା ରଖ, କିନ୍ତୁ ସମାଜ କଅଣ କହିବ କହି ଚାପ ପକାଅନି।
ପିଲାଙ୍କୁ ପରୀକ୍ଷା ଟିପ୍ସ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ କି, ଲାଗୁଛି ଯେମିତି ତାଙ୍କ ପରୀକ୍ଷା ଦେଶର କୋଟି କୋଟି ପିଲା ନେଉଛନ୍ତି। ଦେଶର ଯୁବ ପୀଢ଼ିର ସ୍ୱପ୍ନ, ସଂକଳ୍ପ, ଭାବନା, ଅସୁବିଧା ବାବଦରେ ପରୀକ୍ଷା ପେ ଚର୍ଚ୍ଚା ଜରିଆରେ ହିଁ ସେ ଜାଣିବାକୁ ସୁଯୋଗ ପାଉଛନ୍ତି। ଆଉ ଏହା ଜରିଆରେ ସମାଧାନ କରିବାକୁ ସେ ପ୍ରତିଶୃତିବଦ୍ଧ।
ପ୍ରଦୀପ ନାୟକଙ୍କ ରିପୋର୍ଟ