ଅବିଭାଗିକୃତ

ହରିଆଣାରେ ୨ ଦିନିଆ ଚିନ୍ତନ ଶିବିର

ଆଇନ ବ୍ୟବସ୍ଥା ରାଜ୍ୟର ଦାୟିତ୍ୱ ବୋଲି ସମ୍ୱିଧାନ କହିଛି। ସେଥିଲାଗି ପ୍ରତି ରାଜ୍ୟ ପରସ୍ପରଠୁ ଶିଖନ୍ତୁ। ପରସ୍ପରଠୁ ପ୍ରେରଣା ନିଅନ୍ତୁ। ଦେଶର ଆଇନ କାନୁନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ତଥା ଉତ୍କୃଷ୍ଟ କରିବାକୁ ଏହା ଜରୁରୀ। କାରଣ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ସମାନ୍ତରାଳ ଭାବେ ସମ୍ୱିଧାନର ଭାବନାକୁ ସମ୍ମାନ ଦେବା ସହ ଦେଶବାସୀଙ୍କ ପ୍ରତି ଦାୟିତ୍ୱ ବି ତୁଲାଇବାକୁ ହେବ ବୋଲି ଗୃହ ମନ୍ତ୍ରୀ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତୀ ମୋଦି। ବିଭ୍ରାନ୍ତିମୂଳକ ଖବର ପୁରା ଦେଶରେ ବୋବାଲ ଛିଡ଼ା କରିଦେଉଛି। ସେଥିଲାଗି ଲୋକଙ୍କୁ ସଚେତନ କରିବାକୁ ହେବ। ଏଭଳି କୌଣସି ବାର୍ତ୍ତା ଆସିଲେ, ତାହାର ସତ୍ୟାସତ୍ୟ ନ ପରଖି ଅଚାନକ ଫରୱାର୍ଡ କରିବାରୁ ଦୂରେଇ ରୁହନ୍ତୁ।

ଉତ୍ତମ ପ୍ରଶାସନ ପାଇଁ ପଞ୍ଚପ୍ରାଣ ମନ୍ତ୍ର ଉପରେ କାମ କରିବାକୁ ହେବ। ଆଜିକା ଦିନରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ କୌଣସି ବିପତ୍ତିରେ ପହଞ୍ଚିବା ମାତ୍ରେ ଲୋକଙ୍କର ଭରସା ବଢ଼ୁଛି। ସାଇବର ଅପରାଧ, ଡ୍ରୋନ୍ ଟେକ୍ନୋଲୋଜିରେ ହତିଆରର ଉପଯୋଗ ହେଉ ଅବା ଡ୍ରଗ୍ସ ତସ୍କରୀ। ଏ ସବୁକୁ ମୁକାବିଲା ପାଇଁ ନୂଆ ନୂଆ ଟେକ୍ନୋଲୋଜି ଉପରେ କାମ କରିବାକୁ ପଡ଼ିବ। ଆଇନ ବ୍ୟବସ୍ଥା ପ୍ରତି ବିଶ୍ୱାସ ଜନ୍ମାଇବା ସବୁଠୁ ବଡ଼ ଟାସ୍କ। ବିଗତ ବର୍ଷରେ ଭାରତ ସରକାର ଆଇନବ୍ୟବସ୍ଥା ସହ ଜଡ଼ିତ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଥିବାରୁ ପୁରା ଦେଶରେ ଏବେ ଶାନ୍ତିର ବାତାବରଣ ତିଆରି କରିବାରେ ସହାୟକ ସାଜୁଛି। ତିନୋଟି ସି- କୋପରେସନ, କୋର୍ଡିନେସନ ଓ କୋଲାବୋରେସନ୍ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇ ଦେଶରେ ଦୃଢ଼ ଆତଙ୍କବାଦ ନିରୋଧୀ ନେଟଓ୍ୱର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିଲାଗି ଏନଆଇଏକୁ ମଝବୁତ କରାଯାଇଛି। ଯୁବ ଗୋଷ୍ଠୀକୁ ଡ୍ରଗ୍ସ କବଳରୁ ମୁକ୍ତ କରିବାକୁ ହେବ। ଏ ଯାଏ ୨୦ହଜାର କୋଟି ଟଙ୍କାର ଅଧିକ ଡ୍ରଗ୍ସ ଜବତ ହୋଇଛି। ଅପରାଧର ସ୍ୱରୂପ ବଦଳୁଛି। ସେଥିଲାଗି ସବୁ ରାଜ୍ୟକୁ ମିଳିମିଶି ଦୃଢ଼ ରଣନୀତି କରି ଲଢ଼ିବାକୁ ହେବ।

ଦୁଇ ଦିନିଆ ଗୃହ ମନ୍ତ୍ରୀ ସମ୍ମିଳନୀରେ ଆଭ୍ୟନ୍ତରୀଣ ନିରାପତ୍ତା, ସାଇବର ଅପରାଧ, ତଟ ସୁରକ୍ଷା, ମହିଳା ନିରାପତ୍ତା, ପୁଲିସ ଆଧୁନିକୀକରଣ, ସୀମା ବିବାଦ, ଟେକ୍ନୋଲୋଜିର ଉପଯୋଗ କରି ଦଣ୍ଡବିଧାନ ହାର ବୃଦ୍ଧି ଆଦି ଉପରେ ଆଲୋଚନା ହୋଇଛି। ବିଶେଷ କରି ନାରୀ ଶକ୍ତିର ଭୂମିକାକୁ ଗୁରୁତ୍ୱ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button