ଭୁବନେଶ୍ୱର: ଆଜି ମହାମାୟାଙ୍କ ବିଜୟା ଦଶମୀ। ସମସ୍ତ ପୂଜା ମଣ୍ଡପରେ ସ୍ୱତନ୍ତ୍ର ନୀତି କାନ୍ତିରେ ମାଙ୍କ ପୂଜାର୍ଚ୍ଚନା ଚାଲିଛି। ଏନେଇ ଗାଁ ଠୁ ସହର ଚଳଞ୍ଚଳ ହୋଇଛି। ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଦଶହରାରେ ଦେଶ ବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନେକ ସ୍ଥାନରେ ପୂଜା କମିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ କରାଯାଇଛି। ସେପଟେ ଶ୍ରୀମନ୍ଦିରରେ ଦଶହରା ଉତ୍ସବ ପାଳନ କରାଯାଉଛି। ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶରେ ଦର୍ଶନ ଦେଉଛନ୍ତି। ତେବେ କୋଭିଡ କଟକଣା ଯୋଗୁ ଗତ ଦୁଇ ବର୍ଷ ହେବ ଭକ୍ତମାନେ ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଚଳିତ ବର୍ଷ କଟକଣା ହଟିଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। କିନ୍ତୁ ଲଘୁଚାପଜନିତ ବର୍ଷା ଯୋଗୁଁ ଦଶହରା ସାମାନ୍ୟ ଫିକା ପଡ଼ିଛି। ତେବେ ଶ୍ରୀଜିଉଙ୍କ ଅବକାଶ ନୀତି ଶେଷ ପରେ ତଡ଼ପଲାଗି ଓ ଉତ୍ତରୀୟ ମଇଲମ ହୋଇ ତିନିବାଡ଼ରେ ଚନ୍ଦନ ଲାଗି ଓ ନୂଆଲୁଗା ଲାଗି ହୋଇ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now