ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦ୍ଘାଟନ କଲେ ରାଷ୍ଟ୍ରପତି

Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର : ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯିବା ଉଚିତ୍ । ସେମାନଙ୍କୁ ନୈତିକତା, ସମ୍ବେଦନଶୀଳତା ଏବଂ ପରୋପକାର ତଥା ଭାରତୀୟ ମୂଲ୍ୟବୋଧ ଆଧାରରେ ଶିକ୍ଷାର ଉପଯୋଗ କରିବା ପାଇଁ ସମର୍ଥ କରିବାକୁ ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’ର ଉଦଘାଟନ ସମାରୋହରେ ପରାମର୍ଶ ଦେଇଛନ୍ତି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।

ଏହି ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଶିକ୍ଷାବିତ ମାନଙ୍କୁ ମାର୍ଗଦର୍ଶନ ନିମନ୍ତେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାବ୍ୟତିତ ସେ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ଆମ ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ । ଆଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ଭାରତ ବିଶ୍ୱଗୁରୁ ହେବା ପାଇଁ ଯାଉଛି । ଭାରତ ବିଶ୍ୱର ଜ୍ଞାନର ମହାଶକ୍ତି ହେବା ଦିଗରେ ମଧ୍ୟ ଗତି କରୁଛି ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ରୂପ ଦିଆଯାଇଛି । ବିଗତ ଜାତୀୟ ଶିକ୍ଷା ନୀତିରେ ଅନେକ ପଦକ୍ଷେପ ନିଆଯାଇଛି । ଭାରତରେ ପ୍ରଥମ ଥର ପାଇଁ ୩ ବର୍ଷ ପିଲାଙ୍କୁ ସାଧାରଣ ଶିକ୍ଷାରେ ଯୋଡା ଯାଉଅଛି । ବାଲବାଟିକା ୧, ୨, ୩ ଏବଂ ଶ୍ରେଣୀ ପ୍ରଥମ ଓ ଦ୍ୱିତୀୟର ଶିକ୍ଷା ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହୋଇସାରିଛି । ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ସାର୍ବଜନୀନ ହେବାକୁ ଯାଉଛି । ଆଗାମୀ ପ୍ରାୟ ଦୁଇ ବର୍ଷ ଭିତରେ ଦ୍ୱାଦଶ ପର୍ଯ୍ୟନ୍ତ ସେ ସବୁକୁ ପୁସ୍ତକରେ ରୂପାନ୍ତରିତ କରାଯିବ ।

ପ୍ରଧାନମନ୍ତ୍ରୀ କହିବାନୁସାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଭାରତ ପାଇଁ ବହୁତ ମହତ୍ୱପୂର୍ଣ୍ଣ ରହିଛି । ଏହି ଦଶକର ଅନେକ ନିର୍ଣ୍ଣୟ ବିଗତ ୧୦୦ ବର୍ଷକୁ ପ୍ରଭାବିତ କରିଛି । ଦେଶକୁ ସ୍ୱାଧୀନତା ମିଳିବା ସହ ଭାରତର ସମ୍ବିଧାନ ପ୍ରଣୟନ ହେଲା । ଦେଶରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲା । ଆଇଆଇଟି, ଏନଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନେକ ଉତ୍କର୍ଷ କେନ୍ଦ୍ର ଆଜି ଭାରତରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଅନେକ ଅନୁଷ୍ଠାନର କ୍ୟାମ୍ପସ ବିଦେଶରେ ପ୍ରତିଷ୍ଠା ହେବା ପାଇଁ ଯାଉଛି । ଏହି ପ୍ରବାସ ବାସ୍ତବରେ ବୈଶ୍ୱିକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *