ବସ୍ତି ନୁହେଁ- ପ୍ରସ୍ତାବିତ ଭିଆଇପି ସହରର ଭ୍ରମ!

ବସ୍ତି ନୁହେଁ। କୌଣସି ପ୍ରସ୍ତାବିତ ଭିଆଇପି କଲୋନୀ ନଚେତ ନ୍ୟୁ ସିଟିର ଭ୍ରମ ସୃଷ୍ଟି କରିବ ଏ ଏରିଆ। ଯୁଆଡ଼େ ଦେଖିଲେ ନୂଆ ଘର। କେଉଁଠି ନିଅଁ ଖୋଳାହୋଇଛି। ତ କେଉଁଠି ସଦ୍ୟ ପୂଜା ଓ ହୋମଯଜ୍ଞ କରି ଘର କାମର ଶୁଭାରମ୍ଭ ହୋଇଛି। ଶହ ଶହ ଇଟା ଗଦା ହୋଇଛି। ପୁଲା ପ୍ଲଟିଂ ସ୍କିମ୍। ସାଇଜେବୁଲ୍ ପ୍ଲଟ। ସ୍ୱତନ୍ତ୍ର ପାଚେରୀ। ଆଖିଦୃଶିଆ ଜାଗା। କେଉଁଠି ପଥର ପାଚେରୀ ତ କେଉଁଠି ଇଟାର। ଗୋଟିଏ ଗଳିରୁ ଆଉ ଗୋଟିଏ ଗଳିକୁ ଯିବା ଭିତରେ ଆଖିରେ ପଡ଼ିବ- ମିସ୍ତ୍ରୀ ଦିନରାତି ଲାଗିଛନ୍ତି। ବୋରିଂ ଖୋଳି ପାଣି ଟାଙ୍କି ଲାଗିଛି। ସୋଲାରରେ ଜଳୁଛି ବିଜୁଳି। ସିସିଟିଭି ବି ଲାଗିଛି। ସବୁ ଅଛି। ହେଲେ ବିଜୁଳି ଖୁଣ୍ଟ କେବଳ ପୋତାଯାଇନି। କେଉଁଠି ଘର ଛାତି ଉଚ୍ଚର ଉଠିଗଲାଣି। ତ କେଉଁଠି ଘର କାମ ସମ୍ପୂର୍ଣ୍ଣ ହୋଇ ଶୁଭ ବାର ଦେଖି ପ୍ରତିଷ୍ଠା ଅପେକ୍ଷାରେ। ପୁଣି କେଉଁଠି ନୂଆ ତାଲା ଝୁଲୁଛି।ଘର ମାଲିକ ଖଡ଼ି କରି ଗ୍ରହନକ୍ଷତ୍ର ଦେଖି ସିଫ୍ଟ ହୋଇପାରନ୍ତି ନଚେତ କାହାକୁ ଭଡ଼ାରେ ଦେବାକୁ ଭଡ଼ାଟିଆ ଖୋଜୁଥିବେ। କି କାହାକୁ ବିକ୍ରି କରିବାକୁ ଲୋକ ଠିକ୍ କରୁଥିବେ। କାରଣ ସରକାରୀ ଜାଗାକୁ ଲକ୍ଷ ଲକ୍ଷ ଟଙ୍କାରେ କିଣାବିକା ଚାଲିଛି। ସବୁ ଭିତ୍ତିଭୂମି ଯେମିତି ରେଡ୍ଡୀ। ଖେଳ ପଡ଼ିଆରୁ ନେଇ ମନ୍ଦିର। ଦୋକାନ ଘରରୁ ନେଇ ବଡ଼ ବଡ଼ ଗୋଦାମ ଘର।ଶାମପୁର ମୌଜା ପଛପଟେ ଥିବା ପଣ୍ଡାକୁଦିଆରୀ ବସ୍ତି ସଂଲଗ୍ନ ପ୍ରାୟ ୫୦ ଏକରରେ ବ୍ୟାପିଛି ଏ ଅଞ୍ଚଳ ଖଣ୍ଡକ। ପ୍ରାୟ ୪ହଜାର ଲୋକ ସରକାରୀ ଜାଗାକୁ ମାଡ଼ି ବସିଛନ୍ତି। କ୍ରିଷ୍ଣାପୁରୀରୁ ମାତ୍ର ୫ଶହ ମିଟର ଦୂରରେ ମୁଣ୍ଡ ଟେକିଛି ଏ ବସ୍ତି। ରୋଚକ କଥା ହେଲା, ଜବରଦଖଲାକାରୀଙ୍କ କାୟା ବେଶୀ ଦିନ ନୁହେଁ। ନଭେମ୍ୱର ୨୦୨୩ର ସାଟେଲାଇଟ୍ ଇମେଜ୍ କହୁଛି, ଏ ଜାଗା ପୁରା ଖାଲି ଥିଲା। ଇଟା ଖଣ୍ଡେ ବି ପଡ଼ିନଥିଲା। ଆଉ ୨୦୨୬ ବେଳକୁ ପୁରା ଜବରଦଖଲକାରୀଙ୍କ ଅକ୍ତିଆରକୁ ଏହା ଚାଲିଗଲାଣି। ଏ ବସ୍ତିକୁ କେହି ନୂଆ  ବା ଅପରିଚିତ ଲୋକ ଆସିଲେ, ଘର ଖୋଜିବାକୁ ବି ହଇରାଣ ହେବନି। ସେଥିଲାଗି ବି ବାଟ କରିଦେଇଛନ୍ତି ଜବରଦଖଲକାରୀ। ବିଭିନ୍ନ କଲୋନୀରେ ଯେଭଳି ବ୍ଲକ୍ ଓ ଘର ନମ୍ୱର କେଉଁଠୁ କେତେ ଯାଏ ଅଛି, ଉଲ୍ଲେଖ ଥାଏ। ଅନୁରୂପ ଭାବେ ଏଠାରେ ବି ଛୋଟ ଛୋଟ ବାଉଁଶରେ ଟିଣରେ ରଙ୍ଗ ମାରି ଲେନ୍ ନମ୍ୱର ଓ ଘର ନମ୍ୱର ଦର୍ଶାଯାଇଛି। ଏ ଏରିଆ ପ୍ରସ୍ତାବିତ ନ୍ୟୁ-ସିଟି, ଟିପି ସ୍କିମ୍ ଓ ଅଟକିଥିବା ମେଟ୍ରୋ ପ୍ରକଳ୍ପ ସଂଲଗ୍ନରେ ଅଛି। ଗୋଠପାଟଣା, ଦାସପୁର ଓ ମଳିପଡ଼ା ଏରିଆରେ ହେବାକୁ ଥିବା ନ୍ୟୁ-ସିଟିର ଏଣ୍ଟ୍ରାନ୍ସ ପଏଣ୍ଟ ହେଉଛି ଟିପି ସ୍କିମ୍। ଏ ସବୁ ଏରିଆକୁ ଟାଉନ ପ୍ଲାନିଂ ସ୍କିମରେ ନେବାକୁ ଯୋଜନା ବି କରିସାରିଛି ବିଡିଏ। ହେଲେ ସରକାରୀ ଜାଗା ସରକାରଙ୍କ ହାତରେ ଥିଲେ ତ। ନଗର ଉନ୍ନୟନ ମନ୍ତ୍ରୀ ଟିପି ସ୍କିମର ଚାହିଦା ଦେଖି ଉଲ୍ଲସିତ ସତ। ହେଲେ ସାଲିଆ ସାହି ଭଳି ଏମାନଙ୍କୁ ସରକାରୀ ଜାଗାରୁ ହଟାଇବା କେତେ ଯେ କାଠିକର ଟାସ୍କ, ଏ କଥା ମର୍ମେ ମର୍ମେ ଜାଣିସାରିଥିବେ ମନ୍ତ୍ରୀ। ୨ଶହ ଫୁଟିଆ ରାସ୍ତା ପାଇଁ ସାଲିଆ ସାହିରୁ ଜବରଦଖଲ ଉଛେଦ ଲାଗି ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ପ୍ରଶାସନକୁ। ୫୦ ଏକରରୁ ଉର୍ଦ୍ଧ୍ୱ ଜାଗା ଜବରଦଖଲକାରୀ ଭୋଗ କରୁଛନ୍ତି। ନିଇତି ନିର୍ମାଣ କାମ ଚାଲିଛି। ନିଇତି ମୁହଁରେ ମୁହଁରେ କିଣାବିକା ଚାଲିଛି। ବେଳ ଥାଉଁ ଥାଉଁ ସରକାର ଏଥିରେ ଲଗାମ ନ ଲଗାଇଲେ, ଆଗକୁ ସରକାରୀ ଜାଗା ଖୋଜିଲାବେଳକୁ କେବଳ କାଗଜପତ୍ରରେ ଖୋଜୁଥିବେ। ଗ୍ରାଉଣ୍ଡରେ ନୁହେଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *