ରେରାର ରିଜେକ୍ଟ ଖେଳ- ଲୋକଙ୍କୁ ଶୋଷିବାର ନୂଆ ଫର୍ମାଟ୍!

କ୍ରେତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛି କୁଆଡ଼େ ରେରା। ରେରା ପଞ୍ଜୀକୃତ ଆପାର୍ଟମେଣ୍ଟରୁ ଘର କିଣିଲେ ଆଉ କୌଣସି ଅସୁବିଧା କି ଝଞ୍ଜଟ ନାହିଁ। କାରଣ ରେରା କୁଆଡ଼େ ଟିକିନିଖି ଦେଖେ। କୌଣସି ବିଲଡରର ସମସ୍ତ ଦସ୍ତାବିଜକୁ ତନଖି କଲା ପରେ ହିଁ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଦିଏ। ଲୋକେ ସଂପୃକ୍ତ ଆପାର୍ଟମେଣ୍ଟ କି ଡୁପ୍ଲେକ୍ସ ଯଦି ରେରା ପଞ୍ଜୀକୃତ ହୋଇଥିବ ଦେଖିବେ। ତା ହେଲେ ବିନା ଦ୍ୱିଧା ଓ ବିନା ଦ୍ୱନ୍ଦ୍ୱରେ କିଣନ୍ତୁ। କାରଣ ବିଲଡରଙ୍କ କୌଣସି ତୃଟିବିଚ୍ୟୁତି କି ଖିଲାଫୀରେ ଲୋକେ ଆଉ ବିଲଡରଙ୍କ ପାଖକୁ ଦୌଡ଼ି ନୟାନ୍ତ ହେବେନି। ରେରାରେ କେସ୍ ଠୁଙ୍କିଲେ ବା ଅଭିଯୋଗ କଲେ ରେରା ସାବାଡ଼ କରିଦେବ। ଏ ବିଶ୍ୱାସର ଆଧାରରେ ରେରା ଛିଡ଼ା ହୋଇଛି। ହେଲେ ରେରାର ଭିତିରିଆ କଥା ଜାଣିଲେ ଯେ କେହି ତାଜୁବ୍ ହୋଇଯିବ। କେବଳ ସ୍ୱଛତା ମାପକାଠିରେ ଚାଲେନି ରେରା। ବରଂ କୌଣସି ପ୍ରୋଜେକ୍ଟକୁ ସଠିକ ସମୟରେ ରେଜିଷ୍ଟ୍ରେସନ ଦେଲେ ଯାଇ ବିଲଡରଙ୍କ ବି ସ୍ୱାର୍ଥ ସାଧନ ହୁଏ। ଯେତେ ବିଳମ୍ୱ କରିବ, ପରୋକ୍ଷରେ ଉପଭୋକ୍ତାଙ୍କ ଉପରେ ସେତିକି ଆର୍ଥିକ ବୋଝ ପକାଇବେ ବିଲଡର। ଏ କଥା ଜାଣିଛି କି ନାହିଁ ଓରେରା। ସମସ୍ତ ଦସ୍ତାବିଜ୍ ଠିକ୍ ଥିଲେ, ସଅଳ ପ୍ରକଳ୍ପ ପଞ୍ଜୀକୃତ ହେଲେ ପ୍ରକଳ୍ପକୁ ଅପେକ୍ଷା କରିଥିବା କ୍ରେତା ବି ଉପକୃତ ହୁଅନ୍ତେ। ହେଲେ ସାଧାରଣରେ ଯାହା ଧାରଣା ରହିଛି। ବିଲଡର ଲୁଟୁଛନ୍ତି। ଲୋକେ ଶୋଷଣର ଶୀକାର ହେଉଛନ୍ତି। ଏ ଧାରଣା ଓ ଭ୍ରମକୁ ଦୂର କରିବାକୁ ନୁହେଁ। ବରଂ ଏ ଧାରଣା ଅଧିକ ବଳବତ୍ତର ରହୁ। ଏ ଫର୍ମାଟରେ ରେରାର କିଛି ଅଧିକାରୀ ବୋଧହୁଏ ଅଣ୍ଟା ଭିଡ଼ିଛନ୍ତି। ବିଲଡରଙ୍କୁ ଏୟା ନାହିଁ। ସେୟା ନାହିଁ କହି ବାରମ୍ୱାର ଦୌଡାଇବା। ଅଫିସର ଚକ୍କର କାଟିବାକୁ ବାଧ୍ୟ କରିଦେବା। ଆଉ ସର୍ବୋପରି ଏହା ପଛରେ ଯଦିଓ ସ୍ୱଛତାର ଆଧାର ଥାଆନ୍ତା, ତାହେଲେ କିଛି କଥା ନୁହେଁ। କିନ୍ତୁ ଏହା ପଛରେ ବିଲଡରଙ୍କୁ ଶୋଷିବା ହେଉଛି ପ୍ରଥମ ଟାର୍ଗେଟ। ଏ କଥା ଆମେ କହୁନୁ। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କୁ ରେରାର କାରନାମାକୁ ନେଇ ଲେଖିଥିବା ଜଣେ ପ୍ରମୋଟରଙ୍କ ଚିଠି ଏହା ଦର୍ଶାଇଛି। ବାରମ୍ୱାର ଅବଜେକ୍ସନର ଆଳ ନେଇ ବିଲଡରଙ୍କୁ ହଇରାଣ କରିବାକୁ ବିଧିବଦ୍ଧ ଚକ୍ରାନ୍ତ ଚାଲିଛି। ଅବଜେକ୍ସନ, କମ୍ପାଲ୍ଲାଏସନ ଭିତରେ ଝୁଣ୍ଟୁଛି ରେରା। ପ୍ରମୋଟରଙ୍କ ଫାଇଲ ମାସ ମାସ ଧରି ପଡ଼ୁରହିଛି ରେରା ପାଖରେ। ସବୁ ନଥିପତ୍ର ଯୋଗାଣ ପରେ ବି ରେରା ଆଡ଼ୁ ଅସମ୍ଭବ ନୀରବତା ରହୁଛି। ଏଥିରେ ରେରାର ଅବହେଳା ଓ ବ୍ୟତିକ୍ରମକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ବ୍ରହ୍ମପୁରର ଜଣେ ପ୍ରମୋଟର ଅଂଶୁମାନ ପଟ୍ଟନାୟକ। ରେରାର ଦାୟିତ୍ୱକୁ ନେଇ ଆଇନ କଅଣ କହୁଛି, ତାକୁ ଚେତାଇ ଦେଇଛନ୍ତି। ରେରା ଆକ୍ଟର ସବସେକ୍ସନ ୧ର ସେକ୍ସନ ୫ ଅନୁସାରେ ୩୦ ଦିନ ଭିତରେ ରେଜିଷ୍ଟ୍ରେସନ ଦେବାକୁ ବାଧ୍ୟ। ରେଜିଷ୍ଟ୍ରେସନ ଦେବ ନଚେତ କାହିଁକି ରଦ୍ଦ କଲ, କାରଣ ଦର୍ଶାଇବ ରେରା। ୩୦ ଦିନ ଭିତରେ ରେଜିଷ୍ଟ୍ରେସନ ଦେବାକୁ ବିଫଳ ହେଲେ, ଏହା ସ୍ୱତଃପ୍ରବୃତ୍ତ ଭାବେ ପଞ୍ଜୀକୃତ ବୋଲି ଧରାଯିବ। ଏହାର ୭ ଦିନ ଭିତରେ ରେରା ଅଥୋରିଟି ରେଜିଷ୍ଟ୍ରେସନ ନମ୍ୱର ସହ ଲଗ୍‌-ଇନ ଆଇଡି ଦେବାକୁ ବାଧ୍ୟ। ଏ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ, ବମ୍ୱେ ହାଇକୋର୍ଟ, ଦିଲ୍ଲୀ ହାଇକୋର୍ଟ ରେରାର ଦାୟିତ୍ୱ ବାବଦରେ ଦେଇଥିବା ରାୟର ନଜିର ଥୋଇଛନ୍ତି। କେମିତି ରେରା ଅଥୋରିଟି ଉତ୍ତରଦାୟୀ ସେ କଥା କହିଛନ୍ତି। ସେକ୍ସନ ୫ ଅଧୀନରେ ଥରେ ୩୦ ଦିନର ଷ୍ଟାଚୁଟୋରୀ ପିରିୟଡ୍  ସରିଗଲେ। ରେରା ଅଥୋରିଟିଙ୍କ ପ୍ରଶାସନିକ ଉଦାସୀନତା ଲାଗି ରେଜିଷ୍ଟ୍ରେସନକୁ ରଦ୍ଦ କରିହେବନି। ସମୟସୀମାରେ ରେଜିଷ୍ଟ୍ରେସନ ନ ଦେଲେ, ଏହା ସମ୍ୱିଧାନର ଧାରା ୧୪ ସହ ନାଚୁରାଲ ଜଷ୍ଟିସର ନୀତିକୁ ବିରୁଦ୍ଧାଚରଣ କରୁଛି। ରେଜିଷ୍ଟ୍ରେସନ ନମ୍ୱର ସହ ଲଗ୍‌ଇନ ଆଇଡି ଓ ପାସଓ୍ୱାର୍ଡ ଆବେଦନକାରୀକୁ ଦେବା କଥା। ଏହି ଆଧାରରେ ରେରା ଅଥୋରିଟିଙ୍କ ଓ୍ୱେବସାଇଟକୁ ଆକ୍ସେସ କରିହୋଇଥାଆନ୍ତା। ଫଳରେ ସେମାନେ ଓ୍ୱେବପେଜ୍ ତିଆରି କରି ପ୍ରସ୍ତାବିତ ପ୍ରକଳ୍ପ ବାବଦରେ ବିସ୍ତୃତ ତଥ୍ୟ ଅପଲୋଡ କରିବାକୁ ସହଜ ହୁଅନ୍ତା। ହେଲେ ଆଇନ ଏହା କହୁଥିଲେ ସୁଦ୍ଧା ଓରେରା ମନମୁଖୀ କାମ ଚଳାଇଛି। ସମୟ ଅନୁସାରେ ରେଜିଷ୍ଟ୍ରେସନ ପ୍ରମାଣପତ୍ର ଦେଉନି। ତା ସାଙ୍ଗକୁ ପ୍ରମୋଟରଙ୍କୁ ଯେନତେନ ପ୍ରକାରେ ହଇରାଣରେ ପକାଇବାକୁ ମସୁଧା ଚାଲିଛି। ଅଣ୍ଡର ରିଭ୍ୟୁ ନାଁରେ ରିଜେକ୍ସନ ଖେଳ ଆଳରେ ଚାଲିନି ତ ଶୋଷଣ। ଆରଟିଆଇ ତଥ୍ୟ କହୁଛି, ଓରେରାରେ ରିଭ୍ୟୁ ପ୍ରକ୍ରିୟାରେ ଏଭଳି ୭୨ଟି ଆବେଦନ ପଡ଼ିଛି। ଯାହା ୩୦ ଦିନର ସାମ୍ୱିଧାନିକ ଅବଧିର ସୀମାକୁ ଡେଇଁସାରିଛି। ଅନେକ ଆବେଦନ ୪ମାସରୁ ଉର୍ଦ୍ଧ୍ୱ ସମୟ ଧରି ଓରେରାରେ ଗଡ଼ୁଛି। ୧୭ଟି ଆବେଦନକୁ ଓରେରା ଫେରାଇବା ପୂର୍ବରୁ ୩୦ ଦିନ ସମୟ ଗଡାଇ ସାରିଲାଣି। କେବଳ ଏତିକିରେ ଓରେରାର ହଇରାଣ କରିବାର ଖେଳ ସରିନି। ସମସ୍ତ ଡକ୍ୟୁମେଣ୍ଟାରୀ ପ୍ରମାଣର ଡେସପାଚ୍ ସତ୍ତ୍ୱେ କିଛି ପାଉନୁ ବୋଲି ନୂଆ ନାଟକ ବି ରଚୁଛି ରେରା। କୌଣସି ଟେକ୍ନିକାଲ ଉଲ୍ଲଂଘନ ପାଇଁ ପ୍ରମୋଟରଙ୍କୁ ଫାଇନ ଲଦେ ରେରା। ତା ହେଲେ ଜାଣତରେ ଓ ଏମିତି ଇଛାକୃତ ତୃଟି କରୁଥିବା ରେରାକୁ କାହିଁକି ସମାନ ନ୍ୟାୟରେ ଦଣ୍ଡିତ କରାଯିବନି। ମାସ ମାସ ଧରି ପ୍ରକଳ୍ପଗୁଡ଼ିକୁ ସ୍ଥାଣୁ କରିଦିଏ ରେରା। ରେଜିଷ୍ଟ୍ରେସନ ନ ହେଲା ଯାଏ ବଜାରରୁ କୌଣସି ବୁକିଂ ଉଠାଇବନି ବୋଲି ପ୍ରତିବନ୍ଧ ଲଦେ। ଆର୍ଥିକ ଅନିୟମିତତା ଥିଲେ, ଜରିମାନା କରେ। ରେରାର ଦୋହରା ଚରିତ୍ରକୁ ନେଇ ଉଠିଛି ଅଙ୍ଗୁଳି। ପ୍ରମୋଟରଙ୍କ ପ୍ରତି ରେରା ଆଇନଗତ ଭାବେ ଆକ୍ସନ ନିଏ। ସେପଟେ କିନ୍ତୁ ପ୍ରମୋଟରଙ୍କ ଯୁକ୍ତିଯୁକ୍ତ କଥାକୁ ଅଣଦେଖା କରି ହଇରାଣ କରେ। ତାହେଲେ ଏହା କେଉଁ ଆଇନରେ ଲେଖା ଅଛି। ଏ ସନ୍ଦର୍ଭରେ ଓଡ଼ିଶା ବିକାଶ ଅଭିଯାନ ଆଜି ରେରା ଅଧ୍ୟକ୍ଷଙ୍କୁ ଭେଟି ଏହାର ସମାଧାନ ଲାଗି ଆଲୋଚନା କରିଛି। ଓଡ଼ିଶା ବିକାଶ ଅଭିଯାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ ସାହୁ, ସାଧାରଣ ସମ୍ପାଦକ ପ୍ରଶାନ୍ତ ମାର୍ଥା କହିଛନ୍ତି, ଯେଉଁ ଅଧିକାରୀ ଏଭଳି ଜାଣିଶୁଣି କରୁଛନ୍ତି। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ। ପ୍ରମୋଟରଙ୍କୁ ହଇରାଣ କରିଲେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପଡ଼ୁଛି ଉପଭୋକ୍ତାଙ୍କ ଉପରେ। ବିଲଡରଙ୍କୁ ଶୋଷଣ କରିବାର ଏ ବାଟ ବନ୍ଦ ହେଉ। ସବୁ କିଛି ଠିକ୍ ଥିଲେ ସୁଦ୍ଧା ନାଲିଫିତା ତଳେ ଫାଇଲ ପକାଇ ବିଲଡରଙ୍କୁ ଦୌଡ଼ାଇ ପକେଟ ଗରମର ମସୁଧା ହେଉନି ତ। ବିଡିଏ ପ୍ଲାନ୍ ଆପ୍ରୁଭାଲ ଦେବା ପରେ ତାକୁ ପୁଣି କେଉଁ ବଳରେ ତର୍ଜମା କରୁଛି ରେରା। କାରଣ ରେରାର ତ ଟେକ୍ନିକାଲ ଲୋକ ନାହାନ୍ତି। ଏହା ଅଯଥା ଫନ୍ଦି। ରେରା ଅଧ୍ୟକ୍ଷ ଅସିତ ମହାପାତ୍ର ବି କଥା ଦେଇଛନ୍ତି, କୌଣସି ଅସଙ୍ଗତି ଥିଲେ ଦୂର କରାଯିବ। କାହିଁକି ପଞ୍ଜୀକରଣ ଲାଗି ଫାଇଲ୍ ପଡ଼ିରହୁଛି, ସେ ତାକୁ ଅନୁଧ୍ୟାନ କରିବେ। ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ରେରାର କାର୍ଯ୍ୟଶୈଳୀକୁ ସମୀକ୍ଷା କରାଯିବ। କେଉଁଠି ଓ କେଉଁଥିଲାଗି ପ୍ରକଳ୍ପକୁ ପଞ୍ଜୀକରଣ ଲାଗି ମାସ ମାସ ଧରି ସମୟ ଗଡ଼ାଯାଉଛି। ଭୁଲ୍ ପ୍ରମୋଟର ପାଖରେ ରହୁଛି ନା ରେରା ପାଖରେ। ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି ନା ସତରେ ଏହା ପଛରେ କୌଣସି ଆଇନଗତ ଯୁକ୍ତି ଅଛି।ମୋଟ୍ ଉପରେ ପ୍ରମୋଟର ସଂଘ ଦାବି କରିଛି, ରେରାରେ ପଡ଼ିଥିବା କୌଣସି ଆବେଦନ ୩୦ ଦିନ ଗଡ଼ିଯାଇଥିଲେ। ତାକୁ ଆପେ ଆପେ ଅନୁମୋଦନ ବୋଲି ଧରାଯାଉ। ଏଭଳି ଅହେତୁକ ବିଳମ୍ୱ ଲାଗି ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ହେଉ। କେଉଁ ଅଧିକାରୀ ଏଭଳି ଅବହେଳା କରି ଓରେରାର ଉତ୍ତରଦାୟିତ୍ୱ ଓ ସ୍ୱଛତାକୁ କଳୁଷିତ କରୁଛନ୍ତି, ସେମାନଙ୍କ ଉପରେ ଆକ୍ସନ ହେଉ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *