ହେମା କମିଟିକୁ ନେଇ ହଇଚଇ : ମାଲାୟଲମ ଫିଲ୍ମ ଯୌନ ଶୋଷଣ

ମାଲାୟଲମ ଚଳଚ୍ଚିତ୍ର ଜଗତରେ ହଇଚଇ। ମଲିଉଡରେ ଲଗାତାର ଯୌନ ଶୋଷଣର ଶୀକାର ହେଉଛନ୍ତି ମହିଳା କଳାକାର। ହେମା କମିଟି ରିପୋର୍ଟ ସାର୍ବଜନୀନ ପରେ ହଇଚଇ ଖେଳିଯାଇଛି। ମହିଳା କଳାକାରଙ୍କୁ ଯୌନଶୋଷଣ ଲାଗି ଅପରାଧିକ ନେଟଓ୍ୱର୍କ ଚାଲିଛି। ଯିଏ ଯୌନ ସନ୍ତୁଷ୍ଟି ଦେବନି, ତାଙ୍କୁ ଇଣ୍ଡଷ୍ଟ୍ରିରୁ ବିଦା କରାଯାଉଛି। ଇଣ୍ଡଷ୍ଟ୍ରିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅସାଧୁ ମେଣ୍ଟରେ ଥିବା ପ୍ରଯୋଜକ, ନିର୍ଦେଶକ ଓ ଅଭିନେତାମାନେ ମହିଳା କଳାକାରଙ୍କ ଭାଗ୍ୟ ନିର୍ଦ୍ଧରଣ କରୁଛନ୍ତି। ଯୌନ ଅନୁଗ୍ରହହ ଦାବିକୁ ମନା କଲେ ମିଳିମିଶି କଳାକାରଙ୍କୁ ବାହାର କରିଦିଅନ୍ତି। ଅଗଷ୍ଟ ୧୯ରେ ହେମା କମିଟି ରିପୋର୍ଟ ସାର୍ବଜନୀନ ପରେ ୨ ଜଣ ହାଇପ୍ରୋଫାଇଳ୍ ସିନେ ହେଭିଓ୍ୱେଟ୍ ବିବାଦୀୟ ହୋଇ ପଦ ଛାଡ଼ିଛନ୍ତି। ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରଙ୍କ ଅଭିଯୋଗରେ ନିର୍ଦେଶକ ତଥା ପ୍ରଯୋଜକ ରଞ୍ଜିତ ବାଲାକ୍ରିଷ୍ଣନ କେରଳ ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି। ସେହିଭଳି ସାଉଥ୍ ଅଭିନେତ୍ରୀ ରେବତୀ ସମ୍ପତଙ୍କ ଅଭିଯୋଗରେ ବର୍ଷୀଆନ୍ ଅଭିନେତା ସିଦ୍ଦିକି ଆସୋସିଏସନ ଅଫ ମାଲାୟାଲମ ମୁଭି ଆର୍ଟିଷ୍ଟର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ୨୦୦୯ରେ ପଲେରି ମାଣିକ୍ୟମ ଫିଲ୍ମ ପାଇଁ ଅଡିସନ ଦେଲା ବେଳେ ରଞ୍ଜିତ ଯୌନଶୋଷଣ କରିଥିବାର ଆରୋପ ଶ୍ରୀଲେଖା ଆଣିଥିଲା ବେଳେ ୨୦୧୯ରେ ହୋଟେଲକୁ ଡାକି ସାଲିସ ନ କଲେ ଫିଲ୍ମରେ ସୁଯୋଗ ମିଳିବନି ବୋଲି ଘଣ୍ଟାଏ କାଳ ସିଦ୍ଦିକି ଯୌନ ଶୋଷଣ କରିଥିଲେ ବୋଲି ଆରୋପ ଆଣିଥିଲେ ରେବତୀ।

ଯଦିଓ ଉଭୟ ଏହି ଅଭିଯୋଗକୁ ଖଣ୍ଡନ କରି ସେମାନଙ୍କ ବିରୁଦ୍ଧରେ ଏହା ଚକ୍ରାନ୍ତ ବୋଲି ସଫେଇ ଦେଇଛନ୍ତି। ରିପୋର୍ଟ ଆସିବା ପରେ ସାଉଥ୍ ଅଭିନେତ୍ରୀ ପାର୍ବତୀ କହିଛନ୍ତି, ନ୍ୟାୟ ପାଇବେ ବୋଲି ସେ ଆଶା ଛାଡ଼ିଦେଇଥିଲେ। ନ୍ୟାୟ ପାଇବାକୁ ସଂଘର୍ଷ କରିବାକୁ ପଡ଼ୁଛି, ଭିକ ମାଗିବାକୁ ପଡ଼ୁଛି। ସେଥିଲାଗି ତ ଦୀର୍ଘ ୫ ବର୍ଷ ପରେ ରିପୋର୍ଟ ଆସିଲା। ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର କଲଚରକୁ ଅଧିକ ଉନ୍ନତ କରିବାର ଆବଶ୍ୟକତା ଅଛି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ବି କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏମିତି କଳୁଷିତ କରୁଥିବା କୌଣସି ଦୋଷୀକୁ ସରକାର ଛାଡ଼ିବେନି। ସେପଟେ ଅଭିନେତା ସୁଧୀଶଙ୍କ ବିରୁଦ୍ଧରେ ଅସଦାଚରଣ  ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଜୁବିଥା। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ ସହ ତାଙ୍କର ଭାବମୂର୍ତ୍ତି ମଳିନ ଲାଗି ଚକ୍ରାନ୍ତ ହେଉଥିବାରୁ ପାଲଟା ଆଇନଗତ ଆକ୍ସନ ନେବେ ବୋଲି କହିଛନ୍ତି ସୁଧୀଶ। ଅଭିନେତ୍ରୀ ମୁନି ମୁନୀର କହିଛନ୍ତି, ଆମ୍ମା ବା ଆସୋସିଏସନ ଅଫ ମାଲାୟାଲାମ ମୁଭି ଆର୍ଟିଷ୍ଟରେ ସାମିଲ ହେବାକୁ ହେଲେ, ତାଙ୍କର ଶଯ୍ୟାସଙ୍ଗୀନି ହେବାକୁ କହିଥିଲେ ମୁକେଶ। ଶୌଚାଳୟ ପାଖକୁ ଟାଣିନେଇ ଜୟସୁରିଆ ତାଙ୍କ ଓଠକୁ ଜୋରଜବରଦସ୍ତ ଚୁମ୍ୱନ କରିଥିଲେ। ମୁକେଶଙ୍କ ପୂର୍ବତନ ପତ୍ନୀ ବି ମୁକେଶଙ୍କ ବିରୁଦ୍ଧରେ ସଙ୍ଗୀନ ଆରୋପ ଆଣିଥିଲେ ସେତେବେଳେ। ରାଜ୍ୟପାଳ ଆରିଫ୍ ମହମ୍ମଦ କହିଛନ୍ତି, ଯେହେତୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ମହିଳା କଳାକାର ନିଜଆଡ଼ୁ ଆସି ଅଭିଯୋଗ ଆଣିବେ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ସେଥିଲାଗି ସରକାରଙ୍କ କଥାକୁ ବିଶ୍ୱାସ କରିବା ଦରକାର।

୨୦୧୭ରେ ମାଲାୟାଲମ ଅଭିନେତ୍ରୀ ଅଭିଯୋଗ ଆଣିଥିଲେ ଯେ, ସେ ଯାତ୍ରା କରୁଥିଲା ବେଳେ ଅଭିନେତା ଦିଲ୍ଲୀପ ଓ ସହଯୋଗୀ ତାଙ୍କୁ ଅପହରଣ କରି ଯୌନଶୋଷଣ କରିଥିଲେ। ଏହି ମାମଲାରେ ପୁଲିସ ଦିଲ୍ଲୀପଙ୍କୁ ଗିରଫ କରିଥିଲା। ୩ ମାସ ପରେ ଜାମିନରେ ଆସିଥିଲେ। ଏହି ବହୁଚର୍ଚ୍ଚିତ ଘଟଣା ପରେ କେରଳ ସରକାର ଜଷ୍ଟିସ୍ କେ.ହେମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ। ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କୁ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ଲାଗି ପ୍ରସ୍ତାବ ଦେବାକୁ କମିଟି ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। କିନ୍ତୁ ୫ ବର୍ଷ ପରେ ଏହି ରିପୋର୍ଟ ଆସିଲା। ରିପୋର୍ଟ ସାର୍ବଜନୀନ ପରେ ଏହାକୁ ନେଇ ତେଜିଛି ରାଜନୀତି। ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଦାବି କରିଛି ଯେ, ଜଣେ ମହିଳା ଆଇପିଏସଙ୍କ ନେତୃତ୍ୱରେ ଟିମ୍ ଏହାର ତଦନ୍ତ କରୁ।  ମହିଳା କଂଗ୍ରେସ ବି ରାଜରାସ୍ତାକୁ ଓହ୍ଲାଇଛି। ହେମା କମିଟି ରିପୋର୍ଟରେ ଥିବା ଛଦ୍ମବେଶୀ ଯୌନଶୋଷଣକାରୀଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଦାବି କରିଛି। ବିଜେପି ବି ଦାବି କରିଛି, ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। କେରଳ ସରକାର ବି ଏହାର ତଦନ୍ତ ଲାଗି ୪ ମହିଳା ଆଇପିଏସଙ୍କ ସମେତ ୭ ଜଣିଆ ଟିମ୍ ଗଠନ କରିଛନ୍ତି। କ୍ଷମତାସୀନ ସିପିଏମ ବିଧାୟକଙ୍କ ସମେତ ଅନେକ ଏଭଳି ଯୌନଶୋଷଣ କରୁଥିବାର ରିପୋର୍ଟ ପଦାକୁ ଆସିବାରେ ଲାଗିଛି। ସିପିଏମ ବିଧାୟକ ତଥା ଅଭିନେତାରୁ ନେତା ସାଜିଥିବା ଏମ.ମୁକେଶଙ୍କ ବିରୁଦ୍ଧରେ ବି କାଷ୍ଟିଙ୍କ କାଉଚର ସଙ୍ଗୀନ ଅଭିଯୋଗ ଆସିଥିଲା। ଯେଉଁମାନେ ଏଭଳି ଯୌନ ବ୍ୟଭିଚାରରେ ଲିପ୍ତ, ସେମାନେ ନିଜ ଆଡ଼ୁ ଇଣ୍ଡଷ୍ଟ୍ରି ଛାଡ଼ିଦିଅନ୍ତୁ ବୋଲି ଅପିଲ୍ କରିଛନ୍ତି ଅଭିନେତା ଟୋଭିନୋ ଥୋମାସ୍। ଫିଲ୍ମ ଅଫର ଦେଇ ହୋଟେଲରେ ଯୌନଶୋଷଣ। ମାଲାୟାଲମ ଫିଲ୍ମରେ ସେକ୍ସ ସ୍କାଣ୍ଡାଲର ଏବେ ତଦନ୍ତ କରିବ ଏସଆଇଟି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *