Bhadrak

ବିବାହର ୮ ଦିନ ପରେ ଯୌତୁକ ପାଇଁ ନବବଧୂକୁ ମାଡ ମାରି ଘରୁ ତଡିଲେ, ଶ୍ୱଶୁରଘର ଗେଟ୍ ଆଗରେ ବୋହୁର ଧାରଣା

ଭଦ୍ରକ : ଜଣେ ଶିକ୍ଷିତା ସରକାରୀ ଶିକ୍ଷୟିତ୍ରୀ ନିଜର ପୁତ୍ରବଧୂଙ୍କୁ ବାକିଥିବା ଯୌତୁକ ଟଙ୍କା ନଆଣିବାକୁ ନେଇ ବିବାହର ଗୋଟିଏ ସପ୍ତାହ ପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଘରୁ ତଡିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏବଂ ନିଜ ପିତ୍ରାଳୟରେ ରହିଆସୁଥିବା ନବବଧୂଟି ନିଜ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶାଶୁ , ନଣନ୍ଦ, ନଣଦେଇଙ୍କ ଠାରୁ ମାଡଗାଳି ଖାଇ ଗୃହରେ ପ୍ରବେଶ କରି ନପାରି ଆଜି ଶାଶୁଘର ଆଗରେ ଧାରଣାରେ ବସିବା ଘଟଣା ସ୍ଥାନୀୟ ଲୋକଙ୍କୁ ହତବାକ୍ କରିଛି । ଅପର ପକ୍ଷରେ ତାଙ୍କ ଶାଶୁଘର ଲୋକେ ସେ ବସିଥିବା ଗେଟ୍‌ରେ ଚାବି ପକାଇଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏ ସଂପର୍କରେ ନବବଧୂ ମାମାଲି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ୨୦୨୧ ମସିହାରେ ପଗଡ ନିବାସୀ ଯୁଧିଷ୍ଠିର ଦାସ ମହାପାତ୍ରଙ୍କ କନ୍ୟା ମାମାଲି ଦାସ ମହାପାତ୍ର ଓରଫ ମାମିଲତା ସାବରଙ୍ଗ ନିବାସୀ ସଂଗ୍ରାମ ଖିଲାରଙ୍କୁ ବୈଦିକ ମତେ ବିବାହ କରିଥିଲେ । ବିବାହ ସମୟରେ ବରଘର ପକ୍ଷରୁ ଦାବି କରାଯାଇଥିବା ଦେଢଲକ୍ଷ ଟଙ୍କା ମଧ୍ୟରୁ ୧ ଲକ୍ଷ ୨୦ ହଜାର ଟଙ୍କା ଓ ସୁନାରୂପା ଅଳଙ୍କାର ସହ ଘରୋଇ ଆସବାବ ପତ୍ରମାନ ଦିଆଯାଇଥିଲା । ମାତ୍ର ବିବାହର ୮ଦିନ ପରେ ନବବଧୂଟିର ପାଦର ଅଳତା ନଲିଭୁଣୁ ଅବଶିଷ୍ଟ ଯୌତୁକ ଟଙ୍କା ପାଇଁ ସ୍ୱାମୀ, ଶାଶୁ, ନଣନ୍ଦ  ସଂଗ୍ରାମୀ କେଶରୀ ଖିଲାର, ଗୌରୀପ୍ରିୟା ବାରିକ, ଶୋଭାଲିନ ଖିଲାର, ରୋଜାଲିନ୍ ଖିଲାର ପ୍ରମୁଖ ମାମାଲିକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ବିବାହର ମାସକ ମଧ୍ୟରେ ତାଙ୍କ ଭାଇକୁ ଡକାଇ ଘରୁ ବାହାର କରିଦେଇଥିଲେ । ମାମାଲିଙ୍କ ପିତା ଯୁଧିଷ୍ଠିର ଗରିବ ଥାଇ ଜମି ବିକି ୧୦ ଲକ୍ଷ ଟଙ୍କାରେ ନିଜର ଝିଅର ବିବାହ କରାଇଥିଲେ । କିନ୍ତୁ ବାକି ଯୌତୁକ ପାଇଁ ମାମାଲିକୁ ଘରୁ ବାହାର କରିଦେବା ପରେ ସ୍ଥାନୀୟ ସରପଞ୍ଚଙ୍କୁ ନେଇ ଯେଉଁ ବୈଠକ ବସିଥିଲା ତାହାକୁ ତାଙ୍କ ଶ୍ୱଶୁରଘର ଲୋକେ ଫାଙ୍କି ଦେଇଥିଲେ । ସମାଧାନ ପାଇଁ ତାଙ୍କ ଶ୍ୱଶୁରଘର ଲୋକେ ଆଜି ବସିବା କାଲି ବସିବା କହି ସମୟ ଗଡାଇ ଚାଲିଥିଲେ । ଏବଂ ମାମାଲି କରିଥିବା କେଶ୍‌କୁ ଉଠାଇନେଲେ ଘରକୁ ଫେରାଇ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମାମାଲି କେଶ୍ ଉଠାଇ ଦେଇ ଭୁଲ୍ ମାଗିଥିଲେ ମଧ୍ୟ ସେମାନେ ଆଜିକାଲି କହି ତାକୁ ନେଇନଥିଲେ କି ସମାଧାନ ପାଇଁ ଆସିନଥିଲେ । ତେଣୁ ବାଧ୍ୟହୋଇ ଆଜି ନିରାଶ୍ରୟୀ ମାମାଲି ନିଜ ସ୍ୱାମୀଙ୍କ ନିକଟରେ ରହିବା ପାଇଁ ଶ୍ୱଶୁରଘରକୁ ଆସିଥିଲେ ମଧ୍ୟ ଶାଶୁ ଗେଟ୍‌ରେ ଚାବି ପକାଇଦେଇଥିଲେ । ଫଳରେ ବାଧ୍ୟହୋଇ ମାମାଲି ଉକ୍ତ ଗେଟ୍ ସମ୍ମୁଖରେ ଧାରଣାରେ ବସିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ତେବେ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାମାଲି ଗେଟ୍ ସମ୍ମୁଖରେ ବସିଥିବାର ଜଣାପଡିଛି । 

Related Articles

Leave a Reply

Your email address will not be published.

Back to top button