କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କଲେ ଅମିତ ଶାହା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ମହାରାଷ୍ଟ୍ରର ପୁଣେ ଠାରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି.ଏଲ ବର୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶାହ କହିଥିଲେ, ମହାରାଷ୍ଟ୍ରରୁ ହିଁ ସମବାୟ ସଂସ୍କୃତି ସାରା ଦେଶରେ ବିସ୍ତାରିତ ହୋଇଥିଲା ଏବଂ ମହାରାଷ୍ଟ୍ରର ସମବାୟ ମଡେଲ ଦେଶରେ ସମବାୟ ଆନ୍ଦୋଳନକୁ ଆଗେଇ ନେଉଛି। ସେ କହିଥିଲେ, ଯଦି ଆମେ ଆଜି ସମବାୟ ଆନ୍ଦୋଳନର କ୍ରମ ବିକାଶକୁ ଦେଖିବା ତା’ହେଲେ ଏହା ଗୁଜରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଶେଷ ଭାବେ ବିକଶିତ ହୋଇଥିବା ଦେଖିବାକୁ ମିଳିବ । ପୂର୍ବରୁ ଏହି କ୍ଷେତ୍ର ବମ୍ବେ ରାଜ୍ୟ ଅଧୀନରେ ଥିଲା। ତେଣୁ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟ ମହାରାଷ୍ଟ୍ରରୁ ଆରମ୍ଭ କରାଯିବାର ବିଶେଷ ପ୍ରାସଙ୍ଗିକତା ରହିଛି । ଶାହା କହିଥିଲେ, ବିଭିନ୍ନ ବହୁମୁଖ ସମବାୟ ସମିତିକୁ ପରିଚାଳନା କରୁଥିବା କେନ୍ଦ୍ରୀୟ ନିବନ୍ଧକ (ସିଆରସିଏସ)ଙ୍କ କାର୍ଯ୍ୟ ଆଜି ଠାରୁ ସମ୍ପୂର୍ଣ୍ଣ ଡିଜିଟାଲ ହେଲା । ନୂଆ ଶାଖା ଖୋଲିବା, ଅନ୍ୟ ରାଜ୍ୟକୁ ସମ୍ପ୍ରସାରଣ କିମ୍ବା ଅଡିଟିଂ ଭଳି ସମବାୟ ସମିତିଗୁଡ଼ିକର ସବୁ କାର୍ଯ୍ୟ ଏବେ ଅନଲାଇନରେ ହେବ ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ, ଅନେକ ଚିନ୍ତା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘‘ସହକାର ସେ ସମୃଦ୍ଧି’’ ବିଚାର ଉପସ୍ଥାପନ କରିଥିଲେ । ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୋଟି କୋଟି ଗରିବ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗରିବ ଓ ବଞ୍ଚିତ ମାନଙ୍କୁ ଆବାସ, ବିଦ୍ୟୁତ ସଂଯୋଗ, ଶୁଦ୍ଧ ପାନୀୟ ଜଳ, ଗ୍ୟାସ ସିଲିଣ୍ଡର, ଶୌଚାଳୟ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ମୁଣ୍ଡ ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି । ଦେଶର କୋଟି କୋଟି ଲୋକ ପୂର୍ବରୁ ବ୍ୟାଙ୍କ ସେବାରୁ ବଞ୍ଚିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ପାଇଁ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ଜରିଆରେ ଗରିବ ଲୋକଙ୍କୁ ଦେଶର ଅର୍ଥବ୍ୟବସ୍ଥା ସହ ଯୋଡ଼ିପାରିଛନ୍ତି । ସେ କହିଥିଲେ, ଯଦି ଦେଶର ଗରିବ ଲୋକଙ୍କ ପାଖରେ ଏକ ଉଦ୍ୟୋଗ ଆରମ୍ଭ କରିବା ଲାଗି ପୁଞ୍ଜିର ଅଭାବ ରହିଛି ତା’ହେଲେ ସମବାୟ ଆନ୍ଦୋଳନ ହିଁ ଏକମାତ୍ର ମାର୍ଗ ଯାହା ଜରିଆରେ ଅନେକ ଲୋକ ଅଳ୍ପ ପୁଞ୍ଜି ସହିତ ଏକତ୍ରିତ ହୋଇ ଏକ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *