ଅବିଭାଗିକୃତ

ଜରାୟୁ କର୍କଟ: ଟିକା ଅଛି ଟିକାକରଣ କେବେ?

ସ୍ୱତନ୍ତ୍ର ରିପୋର୍ଟ:ସୁପ୍ରିୟା ଦାଶ

() ଦିନ କେଇଟା ପୂର୍ବରୁ ଏକ ବଡ ଖବର ଆସିଲା । ଯାହା ଅତି କମ୍ ସମୟ ମଧ୍ୟରେ ମୁଖ୍ୟ ଖବର ପାଲଟିଗଲା । ତାହା ଥିଲା ଡିସିଜିଆଇ ସେରମ୍ ଇଂଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ ସ୍ୱଦେଶୀ HPV ଭ୍ୟାକ୍ସିନ ସର୍ଭାଭାକ୍ କୁ ଅନୁମତି ଦେଇଛି । ତେବେ ହ୍ୟୁମାନ୍ ପାପିଲୋମା ଭାଇରସ୍(HPV) ସଂକ୍ରମଣ ହେଉଛି ଅତି ସାଧାରଣ ଭାବେ ଦେଖା ଯାଉଥିବା ଏକ ରୋଗ । ଯାହା ଯୌନ ସମ୍ପର୍କ ଦ୍ବାରା ହୋଇଥାଏ । ଏବଂ ସକ୍ରୀୟ ଯୌନ ସମ୍ପର୍କରେ ଥିବା ମହିଳା କେବେ ନା କେବେ ଏଭଳି ଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଥାଏ । ଅବଶ୍ୟ ୯୦%ଙ୍କ କ୍ଷେତ୍ରରେ ତାହା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ନାହିଁ ଏବଂ ଅନେକ କ୍ଷେତ୍ରରେ ସ୍ୱତଃପ୍ରବୃତ ଭାବେ ସେଥିରୁ ନିସ୍ତାର ମିଳିଯାଏ । କିନ୍ତୁ ଲମ୍ୱା ସମୟ ଧରି ଭାଇରସର ପ୍ରଭାବ ରହିଲେ ତାହା କ୍ରୋନିକ ବ୍ୟାଧିରେ ପରିଣତ ହୁଏ ଏବଂ ପରେ କ୍ୟାନ୍ସର ପୂର୍ବ ଷ୍ଟେଜକୁ ଯାଏ ଏବଂ ଅଳ୍ପ ଦିନ ମଧ୍ୟରେ ସଠିକ୍ ଉପଚାର ନହେଲେ ସର୍ଭାଇକାଲ୍ କ୍ୟାନସର ଭଳି ମାରାତ୍ମକ ପରିଣତି ମଧ୍ୟ ଦେଖିବାକୁ ମିଳେ ।

() ତେବେ HPV ଭ୍ୟାକ୍ସିନ ସେହି ସଂକ୍ରମଣକୁ ରୋକିବାରେ ବଡ଼ ଭୂମିକା ତୁଲାଇଥାଏ। କିନ୍ତୁ ଦୁର୍ଭାଗ୍ୟର କଥା ଆମ ଦେଶରେ ନା HPV ସମ୍ପର୍କରେ ନା AHPV ଭ୍ୟାକ୍ସିନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏଯାଏଁ ଆଖିଦୃଶିଆ ହୋଇଛି । ସର୍ଭାଇକାଲ୍ କ୍ୟାନସରରେ ହ୍ୟୁମାନ ପାପିଲୋମା ଭାଇରସ ହିଁ ପ୍ରମୁଖ କାରଣ ହୋଇଥିବା ସତ୍ତ୍ବେ ସେ କ୍ଷେତ୍ର ଗୁରୁତ୍ୱ ପାଇନି । ଏପରିକି ଅନେକ ସ୍ତ୍ରୀରୋଗ ବିଶେଷଜ୍ଞ ମଧ୍ୟ ଏ ସମ୍ପର୍କରେ ଜାଣିବା ସତ୍ତ୍ୱେ ନିଜେ ଟିକା ନେଇ ନଥିବା ବିଭିନ୍ନ ସର୍ଭେରୁ ଜଣାପଡ଼େ । ଟିକା ନେବାର ବୟସ ପାର କରିବା ହିଁ ତାର ମୂଳ କାରଣ ।୨୬ ବର୍ଷ ମଧ୍ୟରେ ଏହି ଟିକା ନିଆଯାଇ ପାରିବ । କିନ୍ତୁ ୯ରୁ ୧୪ ବର୍ଷ ମଧ୍ୟରେ ଏହି ଟିକା ନେବା ବିଶେଷ ଫଳପ୍ରଦ । ତା ପରେ ପ୍ରତିକାର ହାର କମି କମି ଯାଏ । ସହଜରେ ବୁଝିବାକୁ ହେଲେ ସକ୍ରୀୟ ଯୌନ ସମ୍ପର୍କ ପ୍ରତିଷ୍ଠା ପୂର୍ବରୁ ଅର୍ଥାତ ଛୋଟ ଝିଅଙ୍କ କ୍ଷେତ୍ରରେ ଏହା ଅତି ଗୁରୁତ୍ବପୁର୍ଣ୍ଣ ।

() ଦେଶରେ ୨ୟ ସର୍ବାଧିକ ହେଉଥିବା କ୍ୟାନସର ହେଉଛି ସର୍ଭାଇକାଲ୍ କ୍ୟାନସର। ବିଶ୍ୱର ଏକ ତୃତୀୟାଂଶ ଏହି କ୍ୟାନସର ଭାରତରେ ଦେଖାଯାଏ । ତା ସତ୍ତ୍ୱେ ମଧ୍ୟ ସର୍ଭାଇକାଲ କ୍ୟାନସର ସ୍କ୍ରିନିଂ ପାଇଁ ଉପଲବ୍ଧ ପାପସ୍ମିଅର୍ ର ବ୍ୟବହାର ୨% ଠାରୁ କମ୍ କରାଯାଇଛି। ଯେହେତୁ ଏହି କ୍ୟାନସରରେ ପ୍ରଥମରୁ କୌଣସି ଲକ୍ଷଣ ଦେଖା ଯାଏ ନାହିଁ ତେଣୁ ବହୁ ବିଳମ୍ବରେ ରୋଗ ଚିହ୍ନଟ ହିଁ ରୋଗୀର ଜଟିଳତା ବଢାଏ । ସେ କ୍ଷେତ୍ରରେ ଭ୍ୟାକସିନ୍ ବେଶ ପ୍ରଭାବୀ ଭୂମିକା ନେଇପାରିବ ବୋଲି ଆଶା କରାଯାଏ । ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ୟାନସର ଭଳି ଗୁରୁତ୍ତର ସ୍ୱାସ୍ଥ୍ୟ ସମସ୍ୟାର ଖର୍ଚ୍ଚ ତୁଳନାରେ ଅତି ଅଳ୍ପ ଅର୍ଥରେ ଟିକା ନେଇ ନିଜକୁ ସୁରକ୍ଷିତ ରଖିବା । ପ୍ରାୟ ୭୦% କ୍ୟାନସର ପ୍ରତିରୋଧ କ୍ଷମତା ଓ ୮୫% HPV ସଂକ୍ରମଣ ନିୟନ୍ତ୍ରଣରେ ଏହା ସମର୍ଥ ହୋଇଥିବା ବେଳେ ଏହି ଟିକାକରଣ ଶହେ ପ୍ରତିଶତ ଜନନାଙ୍ଗର ସମସ୍ୟା ଦୂର କରିବାରେ ମଧ୍ୟ ପ୍ରଭାବୀ ହୋଇଥିବାରୁ ବିଶେଷଜ୍ଞ ଏଭଳି ଟିକାକରଣ ସପକ୍ଷରେ ମତ ଦେଇ ଆସିଛନ୍ତି ।

() ଜରାୟୁ ଥିବା ପ୍ରତି ଭାରତୀୟଙ୍କ କ୍ଷେତ୍ରରେ ଜରାୟୁ କ୍ୟାନସର ହେବା ଆଶଙ୍କା ଥାଏ । ଆପାତତଃ ୧୫ ବର୍ଷରୁ ଉର୍ଦ୍ଧ ୪୮୩.୫ ମିଲିୟନ୍ ଭାରତୀୟ ଜରାୟୁ କ୍ୟାନସରର ବିପଦ ବଳୟରେ ଅଛନ୍ତି। ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ, ଦେଶରେ ବାର୍ଷିକ ୧ଲକ୍ଷ ୨୩ ହଜାର୯୦୭ ନୂଆ ଜରାୟୁ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଏବଂ ୭୭ହଜାର୩୪୮ ଜଣଙ୍କର ସେଥିରେ ମୃତ୍ୟୁ ହୋଇଛି । ଜରାୟୁ କର୍କଟ ରୋଗର ନୀରାକରଣ ସମ୍ଭବ ଥାଇ, ପ୍ରାଥମିକ ଭାବେ ରୋଗ ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ଥିବା ସତ୍ତ୍ୱେ ଏତେ ପରିମାଣର ମହିଳାଙ୍କ ଜୀବନ ଯାଉଛି । ତେବେ HPV ଭ୍ୟାକସିନ ଗାର୍ଡାସିଲ୍ ଏବଂ ସର୍ଭାରିକ୍ସର ବ୍ୟବହାର ପାଇଁ ଲାଇସେନ୍ସ ୨୦୦୮ରୁ ମିଳିସାରିଛି । ଯାହାକୁ ୯ରୁ ୪୫ ବର୍ଷ ମଧ୍ୟରେ ଦିଆଯାଇ ପାରିବ । ନ୍ୟାସନାଲ ଟେକନିକାଲ୍ ଆଡଭାଇସରୀ ଗ୍ରୁପ୍ ମଧ୍ୟ ଏହାକୁ ସ୍ୱୀକୃତି ଦେଇଥିଲା । କିନ୍ତୁ ବିଡମ୍ୱନାର କଥା ଯେ, ବହୁ ଭାରତୀୟ ଜାଣନ୍ତି ନାହିଁ  HPV ବା ହ୍ୟୁମାନ୍ ପାପିଲୋମା ଭାଇରସ୍ ସର୍ଭାଇକାଲ୍ କ୍ୟାନସରର କାରଣ । କ୍ୟାନସର ସଚେତନତା ସମ୍ପର୍କରେ କାମ କରୁଥିବା ସଂସ୍ଥା CAPED ର ସର୍ଭେ କହୁଛି, ୫୩% ଭାରତୀୟ ସର୍ଭାଇକାଲ୍ କ୍ୟାନସର ବା ଜରାୟୁ କର୍କଟ ବିଷୟରେ କେବେ କିଛି ଶୁଣି ନାହାଁନ୍ତି । ୪୭% ଶୁଣିଛନ୍ତି କିନ୍ତୁ ସେ ମଧ୍ୟରୁ ୨୩% ଏହାକୁ ଗଳାରେ ହେଉଥିବା କ୍ୟାନସର ଭାବିଛନ୍ତି । ତାର ଅର୍ଥ ଜରାୟୁ ଆମ ଶରୀରରେ କେଉଁଠି ଥାଏ ତାହା ଜାଣି ନାହାଁନ୍ତି । ମାତ୍ର ୨୫% ହିଁ ଏ ବିଷୟରେ ଜାଣିଛନ୍ତି । ତେବେ ପ୍ରଜନନ ଅଙ୍ଗର ସୁସ୍ଥତା, ଯୌନାଙ୍ଗର ପରିଚ୍ଛନ୍ନତା ସହ ସ୍ବାସ୍ଥ୍ୟ ସଚେତନତା ଏ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ମହିଳାଙ୍କ ଭିତରେ କୁଣ୍ଠା ଓ ପରିବାରର ପୁରୁଷ ସଦସ୍ୟଙ୍କ ସହଯୋଗର ଅଭାବ ମଧ୍ୟ ଏ ସମସ୍ୟା ବଢାଇବା ପଛର ବଡ କାରଣ । କିଶୋର କିଶୋରୀଙ୍କୁ ଯୌନଶିକ୍ଷାର ଆବଶ୍ୟକତାକୁ ଆଜି ମଧ୍ୟ ସମାଜ ସାଂସ୍କୃତିକ ଦୃଷ୍ଟିଭଙ୍ଗୀରୁ ବିଚାର କରି ଅନାବଶ୍ୟକ ବୋଲି ଭାବୁଛି । ସେଥିପାଇଁ ନା ଖୋଲା ଆଲୋଚନା ହେଉଛି ନା ସମୟ ଥାଉ ଥାଉ ଜନନାଙ୍ଗର ସମସ୍ୟାକୁ ନେଇ ଡାକ୍ତରଙ୍କୁ ପରାମର୍ଶ କରୁଛନ୍ତି ମହିଳା ।

() ତେବେ ଦୀର୍ଘ ବର୍ଷରୁ HPV ଭ୍ୟାକ୍ସିନର ଉପଲବ୍ଧତା ସତ୍ତ୍ବେ ଜାତୀୟ ଟୀକାକରଣ କାର୍ଯ୍ୟକ୍ରମରେ ଆଜି ଯାଏଁ ତାକୁ ସାମିଲ କରାଯାଇନି । ନୀତି ନୈତିକତାର କଥା ଉଠାଯାଇ ଅନେକ ସମୟରେ ସଂଯତ ଓ ଶୃଙ୍ଖଳିତ ଜୀବନ ଯୌନସଂକ୍ରମଣ ଠାରୁ ଦୂରେଇ ରଖିପାରିବ ବୋଲି ଯୁକ୍ତି ଦିଆଯାଏ । ଏମିତି ମଧ୍ୟ ଯୁକ୍ତି ଆସିଛି ଯେ ଯଦି ଭ୍ୟାକସିନ ଦିଆଯିବ ତେବେ ବିବାହ ବୟସ ପୂର୍ବରୁ ମଧ୍ୟ କିଶୋରୀମାନେ ଅନୈତିକ ଯୌନ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିବେ । ଜରାୟୁ କ୍ୟାନସର ଚିହ୍ନଟ ହେଲେ ଡାକ୍ତର ମଧ୍ୟ ଅନେକ ସମୟରେ ରୋଗୀକୁ ଭିନ୍ନ ଦୃଷ୍ଟିରେ ଦେଖିବାର ରିପୋର୍ଟ ଆସେ । ତାଙ୍କୁ ଚିକିତ୍ସା ବିଷୟରେ କହିବା ପୂର୍ବରୁ ଚରିତ୍ର ଓ ସଂସ୍କାର ପାଠ ପଢାନ୍ତି ଅନେକ ଶିକ୍ଷିତ ଲୋକ । ମହିଳାର ସତୀତ୍ୱ ଉପରେ ପ୍ରଶ୍ନ ଉଠାନ୍ତି । ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ରଖି ଏଭଳି ରୋଗ ହୋଇଛି ବୋଲି ସମାଜ ବିଚାର କରେ । ଅବଶ୍ୟ ଏହା ସତ ଯେ ସୁରକ୍ଷିତ ଯୌନ ସମ୍ପର୍କ ନରହିବା ସମସ୍ୟା କରେ । କିନ୍ତୁ ସେଥିପାଇଁ ସତର୍କ କରାଇବା ଲାଗି ଯେଉଁ ଉପାୟ ଆପଣାଇବା ଉଚିତ, ଯେଉଁ ସାଧନ ସମସ୍ତଙ୍କ ପାଖେ ପହଞ୍ଚିବା ଦରକାର ତାହା ମିଳୁନାହିଁ ।

ସାନିଟାରୀ ପ୍ୟାଡ୍ ବ୍ୟବହାର ବା ସ୍ବଚ୍ଛ ଶୋଷକର ବ୍ୟବହାର ଶତପ୍ରତିଶତ ହୋଇ ନାହିଁ । ଯାହା ମୂଳ ସମସ୍ୟା ହୋଇ ଗାଁ ଗଣ୍ଡାରୁ ସହର ତଳି ଯାଏଁ ରହିଛି । ଅସୁରକ୍ଷିତ ଯୌନ ସମ୍ପର୍କ ପାଇଁ ପୁରୁଷଙ୍କ ଭୂମିକା ଢେର ଅଧିକ ଥିବା ସତ୍ତ୍ୱେ ସେକଥା ପ୍ରତି ସଠିକ୍ ଧ୍ୟାନ ଆଜି ଯାଏଁ ଦିଆଯାଇନି । ସଂକ୍ରମିତ ବ୍ୟକ୍ତି ବିନା କଣ୍ଡମରେ ସମ୍ପର୍କ ରଖି ମହିଳାଙ୍କୁ କ୍ୟାନସର ଭଳି ଗୁରୁତ୍ତର ରୋଗ ଦେଉଛନ୍ତି । ପୁରୁଷ ସଂକ୍ରମଣର ବାହକ ଆଉ ମହିଳା ତାର ଗ୍ରହିତା ହୋଇ ଏ ବିପଦ ମୁଣ୍ଡାଉଛନ୍ତି । ପରିବାର ଠାରୁ ଯେକୌଣସି କାରଣରୁ ଦୂରେଇ ରହୁଥିବା ପୁରୁଷ ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖିବା ସମସ୍ୟା ବଢାଉଛି । ସେକ୍ସ ଓ୍ୱାର୍କର ମୂଳତଃ ଏଥିରେ ଘାଣ୍ଟି ହେଉଛନ୍ତି । ଶିକ୍ଷା ଓ ସଚେତନତାର ଅଭାବ,ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ସମାଜର ଅବହେଳା, ସାଙ୍ଗକୁ ଦେଶର ନୀତି ନିଷ୍ପତ୍ତିରେ ଗମ୍ଭୀରତାର ଅଭାବ ଜରାୟୁ କର୍କଟ ରୋଗୀଙ୍କ ସଂଖ୍ୟା ଦେଶରେ ବଢାଉଛି । ତୃତୀୟ ଲିଙ୍ଗିଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ ହୁଏ । ଗରିବ ପରିବାର ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଚଳୁଥିବା ବେଳେ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ତାଙ୍କ ପାଇଁ ସ୍ୱପ୍ନ ହୋଇଛି। ତେଣୁ ଟିକା ସ୍ୱଦେଶୀ କି ବିଦେଶୀ ତାର ଚର୍ଚ୍ଚା ଠାରୁ ଟିକାକରଣ କାହିଁକି ଏ ଯାଏଁ ହୋଇନି? ସ୍କ୍ରିନିଂ ବା ପରୀକ୍ଷଣ ଉପରେ ଗୁରୁତ୍ବ କାହିଁକି ଦିଆଯାଉନି? କାହିଁକି ଟିକାର ଉପଲବ୍ଧତା ସତ୍ତ୍ୱେ ଲୋକ ଏଯାଏଁ ଜାଣି ନାହିଁନ୍ତି ? କାହିଁକି ଜାତୀୟ ଟିକାକରଣ ପ୍ରୋଗ୍ରାମରେ ଏହାକୁ ସାମିଲ କରାଯାଇନି? ତାହା ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହେବା କଥା। ଯାହା ଏଯାଏଁ ହେଉନାହିଁ ବୋଲି ସ୍ପଷ୍ଟ ଦେଖାଯାଉଛି ।

Related Articles

Leave a Reply

Your email address will not be published.

Back to top button