ପ୍ଲାଷ୍ଟିକରେ ନିର୍ମିତ ଜିନିଷ ଉପରେ ପ୍ରତିବନ୍ଧକ

Spread the love

ଆଜିଠାରୁ ଦେଶରେ ଏକକ ବ୍ୟବହାର ପ୍ଲାଷ୍ଟିକରେ ନିର୍ମିତ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏକକ ବ୍ୟବହାର ପ୍ଲାଷ୍ଟିକରେ ନିର୍ମିତ ୧୯ଟି ଜିନିଷକୁ ସରକାର ବ୍ୟାନ କରିଛନ୍ତି। ଆଜିଠୁ ଏହି ଜିନିଷ ତିଆରି, ବିକ୍ରୟ, ବ୍ୟବହାର, ସଂରକ୍ଷଣ ଏବଂ ରପ୍ତାନୀ ଉପରେ ନିଷେଧାଦେଶ ରହିଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ୧୯ଟି ସାମଗ୍ରୀକୁ ନିଷେଧ କରିଛି। ଯାହାଦ୍ୱାରା ପ୍ରଦୂଷଣ ହ୍ରାସ ହୋଇପାରିବ।

ତେବେ ଏକକ ବ୍ୟବହାର ପ୍ଲାଷ୍ଟିକକୁ ଆମେ କେବଳ ଥରେ ବ୍ୟବହାର କରି ଫୋପାଡି ଦେଇଥାଉ। ସେଥିମଧ୍ୟରୁ ପ୍ଲାଷ୍ଟିକ ବହନ ବ୍ୟାଗ, ଇୟର ବଡ, ବେଲୁନ ପାଇଁ ପ୍ଲାଷ୍ଟିକ ବାଡି, ବ୍ୟାଣ୍ଡି ଷ୍ଟିକ, ଆଇସକ୍ରିମ ଷ୍ଟିକ, ପ୍ଲାଷ୍ଟିକ ପତାକା, ପ୍ଲାଷ୍ଟିକ ପ୍ଲେଟ, ପ୍ଲାଷ୍ଟିକ କପ, ପ୍ଲାଷ୍ଟିକ ଗ୍ଲାସ, ପ୍ଲାଷ୍ଟିକ ହୁକ୍, ପ୍ଲାଷ୍ଟିକ ଚାମଚ, ଛୁରୀ, ଷ୍ଟ୍ର, ପ୍ଲାଷ୍ଟିକ ଟ୍ରେ, ସିଗାରେଟ ପ୍ୟାକେଟ, ନିମନ୍ତ୍ରଣ କାର୍ଡ ଥରେ ବ୍ୟବହାର ହେଲା ପରେ ଆଉ ଦରକାରରେ ଆସିନଥାଏ। ଯାହା ପରିବେଶକୁ ନଷ୍ଟ କରି ପ୍ରଦୂଷଣ କରିବା ସହ କ୍ଷତି ପହଞ୍ଚାଇଥାଏ। ଭାରତରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ପ୍ରତିଦିନି ୨୬ ହଜାର ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସୃଷ୍ଟି ହୁଏ। ଯେଉଁଥିରେ କେବଳ ୬୦ ପ୍ରତିଶତ ସଂଗ୍ରହ କରାଯାଏ। ଅବଶିଷ୍ଟ ବର୍ଜ୍ୟବସ୍ତୁ ନଦୀ ଓ ନାଳରେ ଫୋପାଡାଯାଏ। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ତିଆରି ସହ ଆମଦାନୀ ହେଉଛି, ବିକ୍ରି ହେଉଛି, ଗଚ୍ଛିତ ଅଛି ଏବଂ ବେଆଇନ ଭାବେ ବ୍ୟବହାର ହେଉଛି। ଏହା ଉପରେ ରାଜ୍ୟ ସରକାର ତୀକ୍ଷ୍ମ ନଜର ରଖିବେ। ତେବେ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବ୍ୟବହାର କରେ। ତେବେ ତାକୁ ଜେଲଦଣ୍ଡ ସହ ଜରିମାନ ଲାଗୁ କରାଯିବ। ପରିବେଶ ସୁରକ୍ଷା ଆଇନର ଧାରା ୧୫ ଅନୁଯାୟୀ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *