ଭାରତ ସ୍ୱାଧୀନତାର ୭୫ ବର୍ଷ ପୁରଣ କରିସାରିଛି। ମହା ଆଡମ୍ବର ସହ ୭୬ତମ ବର୍ଷରେ ପାଦ ଥାପିଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତ । ଏହି ଅବସରରେ ୭୫ ସପ୍ତାହର ଅମୃତ ମହୋତ୍ସବ ସହ “ହର ଘର ତ୍ରିରଙ୍ଗା” ଭଳି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ୭୫ ବର୍ଷ ପୂର୍ତ୍ତି ଅଧିକ ଉତ୍ସାହପ୍ରଦ କରିବା ପାଇଁ ନିକଟରେ ଫ୍ଲାଗ୍ କୋଡ୍ ରେ ପରିବର୍ତ୍ତନ କରାଯାଇଥିଲା । ଯେଉଁଥିପାଇଁ ଆଜି ସମସ୍ତେ ଘରେ ଘରେ ରାଷ୍ଟ୍ରୀୟ ଧ୍ବଜ ଉଡାଇଛନ୍ତି । ଅବଶ୍ୟ ଖଦି ଭଳି ବିଚାର ଜାତୀୟ ପତାକା ତିଆରି ପାଇଁ ଆଉ ଅର୍ନୀବାର୍ଯ୍ୟ ନୁହେଁ ନିୟମଟି ଅନେକଙ୍କୁ ଦୁଃଖ ଦେଇଛି । ଧ୍ବଜ ପ୍ରତି ସମ୍ମାନ ଓ ଅସମ୍ମାନ ଉଭୟ ପ୍ରକାରର ଦୃଶ୍ୟ ଦେଶର କୋଣ ଅନୁକୋଣରୁ ମିଳିଛି । ଏଭଳି ଏକ ସମୟ ଆଜି ଉପନିତ ହୋଇଛି ଯେଉଁଠି ରାଷ୍ଟ୍ରପ୍ରେମରେ ଉଦବୁଦ୍ଧ ହୋଇଛି ପ୍ରତିଟି ଭାରତୀୟଙ୍କ ପ୍ରାଣ । ଏଭଳି ସମୟରେ ୭୫ ବର୍ଷର ସଫଳତା ଓ ବିଫଳତାର ତର୍ଜମା ସହ ଆଗାମୀ ୨୫ ବର୍ଷ ଅର୍ଥାତ ସ୍ୱାଧୀନତାର ଶହେତମ ବର୍ଷ ୨୦୪୭ ବେଳକୁ ଭାରତକୁ କେଉଁ ଭଳି ଦେଖିବାକୁ ଆମେ ଭାରତୀୟ ଚାହୁଁ ସେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।
ରାଷ୍ଟ୍ରପର୍ବର ଏ ସମୟରେ ସ୍ଵତଃପ୍ରବୃତ୍ତ ଭାବେ ସ୍ୱତନ୍ତ୍ରତା ସଂଗ୍ରାମର ବଳିଦାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ନିଷ୍ଠା ଓ ଦେଶପ୍ରେମର ଜୟଜୟକାର ହୋଇଛି । ଇତିହାସର ପୁନଃଅବଲୋକନ ସମୟରେ ଆମେ ଅନେକ କଥା ଶିକ୍ଷା ପାଇଛୁ । କେଉଁ ପଦକ୍ଷେପ ଭୁଲ ଥିଲା ଓ କେଉଁଟି ଠିକ୍ ତାର ସମୀକ୍ଷା ହୋଇଛି । ପରାଧୀନ ଭାରତକୁ ସ୍ୱାଧୀନ କରିବା ପାଇଁ କିଭଳି ଲକ୍ଷ ଲକ୍ଷ ଭାରତୀୟ ତ୍ୟାଗ ଓ ତପସ୍ୟା କରିଥିଲେ ସେ କାହାଣୀ ପୁଣି ଜୀବନ୍ତ ହୋଇଛି । ରାଜା ଶାସନ, ଫିରିଙ୍ଗି ଶାସନ ରୁ ଆମେ ସ୍ୱାଧୀନ ଦେଶର ମୁକ୍ତ ନାଗରିକ ହେବାର ଲମ୍ବା ଯାତ୍ରାର ଜଟିଳତା ନଦେଖିବା ଲୋକ ମଧ୍ୟ ଆଜି ଅନୁଭବ କରିପାରୁଛନ୍ତି । ଆଜି ବିଭାଜନର କଷ୍ଟ ମନେପଡ଼ୁଛି କିନ୍ତୁ ୧୯୪୭ ଅଗଷ୍ଟ ୧୪ ଗୁରୁବାର ମଧ୍ୟରାତ୍ରିର ସମ୍ବିଧାନ ପ୍ରଣୟନ ସଭାରୁ ଭାଷି ଉଠୁଥିବା ବିଜୟ ଶଙ୍ଖନାଦ ଆମ କଷ୍ଟ ଲାଘବ କରି ଆମକୁ ଗୌରବାନ୍ବିତ କରଛି । ପଣ୍ଡିତ ନେହେରୁଙ୍କ ସେ ଭାଷଣର ପ୍ରତ୍ୟେକଟି ଶବ୍ଦ ଆମକୁ ଆଜି ମଧ୍ୟ ରୋମାଞ୍ଚିତ କରୁଛି । ‘ଯେତେବେଳେ ସାରା ପୃଥିବୀ ଶୋଇଛି, ଭାରତ ସେତେବେଳେ ସ୍ୱାଧୀନ ହୋଇ ଜୀବନ୍ତ ହୋଇ ଉଠିଛି । ସେ ସମୟ କ୍ବଚିତ ଆସେ ଯେତେବେଳେ ପୁରୁଣାରୁ ନୂଆକୁ ପାଦ ବଢାଇବାର ସୁଯୋଗ ମିଳେ । ବର୍ଷ ବର୍ଷ ଧରି ଶୋଷିତ ହୋଇ ପଡ଼ିଥିବା ଜାତିର ଆତ୍ମା କଥା କୁହେ’ । ବାସ୍ତବରେ ଅକ୍ଲାନ୍ତ ଶ୍ରମ ,ନିରବଚ୍ଛିନ୍ନ ସଂଗ୍ରାମ ଓ ମାଟି ମା’ ପ୍ରତି ତ୍ୟାଗ ଓ ତିତିକ୍ଷା ପରେ ତାହା ଥିଲା ମୁକ୍ତ ହୃଦୟରୁ ଉଦଭାସିତ ଆନନ୍ଦର ବାର୍ତ୍ତା ।
ବିଗତ ୭୫ ବର୍ଷର ଯାତ୍ରା ପରେ ଆମ ଭିତରକୁ ଅନେକ ଲୋକ ମୁକ୍ତିର ଆନନ୍ଦ ଅନୁଭବ କରି ପାରୁନାହାଁନ୍ତି । ଲକ୍ଷ୍ୟପୁରଣ କରିଛୁ ବୋଲି ଆମେ ଦମ୍ଭରେ କହିପାରୁନୁ । “ହର ଘର ତ୍ରିରଙ୍ଗା” କଥା କହିବା ବେଳେ କେଉଁ ଘର ଅଛି ଯେଉଁଠି ମୁଁ ପତାକା ଉଡାଇବି ସେ ପ୍ରଶ୍ନ ଉଠୁଛି । ତେଣୁ ରାଷ୍ଟ୍ରଭକ୍ତି ମୋ’ ହୃଦୟରେ ଥାଉ ବୋଲି ଅନେକ କହିଛନ୍ତି । ଅବଶ୍ୟ ସ୍ୱାଧୀନ ଭାରତରୁ ଆଜି ଦିନର ଭାରତ ଆଡକୁ ଗତି କରିବା ମଧ୍ୟରେ ଦେଶ ବହୁ ଦୃଷ୍ଟିରୁ ପରିପକ୍ବ ହୋଇଛି । ୭୫ ବର୍ଷ ଧରି ଦେଶରେ ଲୋକତନ୍ତ୍ର ବଜାୟ ରହିବା ସବୁଠାରୁ ବଡ ଉପଲବ୍ଧି । ଅନେକ ପ୍ରଗତିଶୀଳ ଚିନ୍ତାଧାରା ଏ ମାଟିର ସୃଷ୍ଟି। ପୁରା ବିଶ୍ୱକୁ ଦିଗଦର୍ଶନ ଦେଉଥିବା ଭଳି ମାନବସମ୍ବଳ ଏ ଦେଶର ସନ୍ତାନ । ଏ ମାଟିର ଦର୍ଶନ ଅନେକଙ୍କୁ ଅନୁସରଣ କରିବାକୁ ବାଧ୍ୟ କରିଛି । ଏ ଦେଶର ସଂସ୍କୃତି, ପରମ୍ପରା ଓ ବିଭିଧତା ମଧ୍ୟରେ ଏକତାର ସୂତ୍ର ବିଶ୍ୱକୁ ହତଚକିତ କରିଛି ।
୨୨ ଭାଷା, ୨ହଜାରରୁ ଅଧିକ ବୋଲି, ୯ଧର୍ମ ବହୁ ପଂଥ, ବହୁ ବିଚାର ମଧ୍ୟରେ ତାଳମେଳ କେବଳ ଭାରତରେ ହିଁ ସମ୍ଭବ ବୋଲି କୁହାଯାଇଛି । ଏଠି ଦେଶର ପ୍ରଥମ ନିର୍ବାଚନରୁ ଭୋଟଦାନର ଅଧିକାର ଲୋକଙ୍କୁ ମିଳିଛି । ଦେଶର ଆବଶ୍ୟକତା ପାଇଁ ଅନେକ ନୀତି, ନିୟମ, ଯୋଜନା ପ୍ରଣୟନ ହୋଇଛି । ଏଠି ଖାଦ୍ୟ ନିରାପତ୍ତା ଓ ଶିକ୍ଷା ଅଧିକାରକୁ ଗୁରୁତ୍ୱ ମିଳିଛି । ମେଲେରିଆ,ଟିବି,ପୋଲିଓ ଉପରେ ବିଜୟ ପାଇଁ ଉଦ୍ୟମ ହୋଇଛି । ଏତେ ବଡ ଦେଶ ଏତେ ଜନସଂଖ୍ୟାରେ ଏହା କିଭଳି ସମ୍ଭବ ହେଲା ସେ ସଫଳତା ବିଶ୍ୱକୁ ତାଜୁବ କରିଛି । କ୍ରୀଡ଼ା କ୍ଷେତ୍ରରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ସିନେମା ଶିଳ୍ପ ବିଶ୍ୱରେ ସର୍ବବୃହତ ବୋଲି ମାନ୍ୟତା ପାଇଛି । ପ୍ରତିରକ୍ଷା ଓ ମହାକାଶ ଗବେଷଣାରେ ବହୁ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରକୁ ପଛରେ ପକାଇଛି ଭାରତ । ତା ସତ୍ତ୍ବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମ୍ଭବ ହୋଇନି ।
ଏକଥା ସତ ଯେ ୧୯୪୭ ବେଳକୁ ଯେଉଁ ଅବସ୍ଥାରେ ଇଂରେଜ ଆମକୁ ଛାଡ଼ି ଯାଇଥିଲେ ସେଥିରୁ ଉଠି ଅଣ୍ଟା ସଳଖିବା ସମ୍ଭବ ନଥିଲା । ତଥାପି ଢେର ଉଦ୍ୟମ ହୋଇଛି । ଭାରତୀୟଙ୍କ ଏକତା ଓ ଦେଶ ବିକାଶରେ ନିଷ୍ଠା ହିଁ ସେ ସଫଳତାର ସୂତ୍ର ବୋଲି କହିବାକୁ ହେବ । ଇଂରେଜ ଶାସନର ଫନ୍ଦିରେ ଖଣ୍ଡବିଖଣ୍ଡିତ ହୋଇଥିବା ଭୂଭାଗକୁ ଆମେ ପୁଣି ଯୋଡ଼ିଛୁ, ଅଖଣ୍ଡ ଭାରତ ନିର୍ମାଣ କରିଛୁ । ସବୁଜ, ଶ୍ୱେତ, ନୀଳ ବିପ୍ଲବ ଦ୍ୱାରା ଆମେ ସ୍ୱାବଲମ୍ବୀ ହେବା ଦିଗରେ ବଳିଷ୍ଠ ସୋପାନ ଚଢିଛୁ । ଯୁଦ୍ଧ ହୋଇଛି, ହାରିଛୁ ପୁଣି ଜିତିଛୁ । କିନ୍ତୁ ଶାନ୍ତିର ବାର୍ତ୍ତା ଆଜି ମଧ୍ୟ ଭାରତରୁ ଆସିବ ପୁରା ବିଶ୍ୱର ବିଶ୍ୱାସ ଏ ଦିଗରେ ରହିଛି । ଆଜି ମଧ୍ୟ ଗାନ୍ଧିଜୀଙ୍କ ଅହିଂସା ଓ ସତ୍ୟାଗ୍ରହ ଭାରତ ପାଇଁ ପ୍ରାସଙ୍ଗିକ । ସ୍ୱରାଜର ପରିକଳ୍ପନା ଓ ଗାନ୍ଧି ଅର୍ଥନୀତି ଭାରତର ଆର୍ଥିକ ବିକାଶରେ ସହାୟକ ବୋଲି ତଥ୍ୟ ଭିଜ୍ଞ ମହଲ କହିଛି ।
ତଥାପି ଅନେକ ଅସମାନତା ପରିକଳ୍ପିତ ସ୍ୱାଧୀନ ଭାରତର ଛବିକୁ ଅସମ୍ପୁର୍ଣ୍ଣ କରି ରଖିଛି । ସମ୍ବିଧାନର ପ୍ରସ୍ତାବନାରେ ନ୍ୟାୟ, ସ୍ୱାଧୀନତା, ସମତା, ଭାତୃତ୍ଵକୁ ଆଦର୍ଶ ଭାବେ ସ୍ୱୀକୃତି ମିଳିଥିଲା । ପ୍ରତ୍ୟେକ ବ୍ୟକ୍ତିର ମର୍ଯ୍ୟଦାର ସହ ଜୀବନ ଜୀଇଁବାର ଅଧିକାର ଓ ସମାନ ସୁବିଧା ସୁଯୋଗ ପାଇବାର ଅଧିକାର ହିଁ ଲୋକତନ୍ତ୍ରର ପ୍ରୟୋଗଶାଲା ଭାରତର ଇପ୍ସିତ ଲକ୍ଷ୍ୟ ବୋଲି ବିଚାର କରାଯାଇଥିଲା। ଦେଶର ନ୍ୟାୟ ବ୍ୟବସ୍ଥା ଆଗରେ, କେହି ଭିନ୍ନ ନୁହଁନ୍ତି । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ,ବିଚାର,ପଂଥ ସମସ୍ତେ ସମାନ ବୋଲି ନିୟମ ହେଲା । କିନ୍ତୁ ସେ କଥା ଆଜି ବାସ୍ତବରେ ହେଉଛି କି ନାହିଁ ସେ ପ୍ରଶ୍ନ ବାରମ୍ବାର ଉଠୁଛି । ସ୍ୱାଧୀନତା ପରେ ସଂସଦୀୟ ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା ଓ ଧର୍ମନିରପେକ୍ଷତାକୁ ରାଜନୈତିକ ଆଦର୍ଶ ଭାବେ ଗ୍ରହଣ କରାଯାଇଥିଲା । ଆମ ଦେଶ ସମ୍ବିଧାନର ଏହା ଥିଲା ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଦିଗ । ଯାହା ପ୍ରତି ଭାରତୀୟଙ୍କ ଆରାଧ୍ୟ ଧର୍ମର ଧର୍ମଗ୍ରଂଥ ଠାରୁ ଉଚ୍ଚରେ ବୋଲି ମୁକ୍ତ ଭାରତର ନାଗରିକଙ୍କୁ ଶିକ୍ଷା ଦିଆଯାଇଥିଲା ।କିନ୍ତୁ ୭୫ ବର୍ଷର ଏ ଅନୁଶୀଳନ ବେଳେ ସେଥିରେ ଅନେକ ଅନ୍ଧାରୀ ଦିଗ ଯୋଡ଼ି ହୋଇଯାଇଛି ।
୭୫ ବର୍ଷର ହିସାବକିତାବ ବେଳେ ୭୫ର ଜରୁରୀ ପରିସ୍ଥିତି ଓ ୭୫ ବର୍ଷ ପୂର୍ତ୍ତି ବେଳର ଅଘୋଷିତ ଜରୁରୀ ପରିସ୍ଥିତି ମଧ୍ୟରେ ତୁଳନା କରାଯାଉଛି । କିଏ ବିଭାଜନ ପାଇଁ କଂଗ୍ରେସ ଓ ନେହେରୁଙ୍କୁ ଦାୟୀ କରୁଛି ତ କିଏ ଗାନ୍ଧୀଙ୍କୁ କାଠଗଡ଼ାରେ ଛିଡା କରିଛି । ଏ ଜାତିର ମହାପୁରୁଷଙ୍କୁ ସଂଗ୍ରାମୀମାନଙ୍କୁ ନିଜ ସୁବିଧା ମୁତାବକ ଭାଗବଣ୍ଟା କରାଯାଉଛି । ଅସୂୟା ,ଅସହିଷ୍ଣୁତା ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିଛି । ଗଣତନ୍ତ୍ର ଏଠି ପୂର୍ଣ୍ଣ ହୋଇ ଆଉ ନାହିଁ ବୋଲି ବିଭିନ୍ନ ସୂଚକାଙ୍କ ଦର୍ଶାଉଛି । ଭାରତର ଲୋକ ଖୁସି ତାଲିକାର ଶେଷରେ ରହୁଛନ୍ତି । ସ୍ଵର୍ଣ୍ଣଗର୍ଭା ଏ ମାଟିର ସନ୍ତାନଙ୍କ ପେଟ ଆଜି ଅପୋଷା ରହିଛି । ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ୧୪୦ କୋଟିର ର ଦେଶରେ ୮୦ କୋଟି ଜନତା ସରକାରୀ ପ୍ରଦତ୍ତ ୫ କେଜିର ଖାଦ୍ୟାନ୍ନ ଉପରେ ନିର୍ଭରଶୀଳ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,ଜୀବିକା ସବୁଥିରେ ଘୋର ଅସମାନତା । ରିପୋର୍ଟ କହୁଛି ଏଠି ୧୦% ଲୋକଙ୍କ ପାଖେ ଦେଶର ୯୦% ଧନ । ଆଉ ୯୦% ଲୋକଙ୍କ ମଧ୍ୟରୁ ଅନେକଙ୍କ ଜୀବନ ବିପନ୍ନ । ସେଥିପାଇଁ ତ ଏ ମହୋତ୍ସବର ଆୟୋଜନ ଅନେକ ଇପସିତ ଲକ୍ଷ୍ୟ ପୁରଣ ନହୋଇ ପାରିବାର ବିଫଳତାକୁ ଲୁଚାଇବା ଉଦେଶ୍ୟରେ କରାଯାଉଛି ବୋଲି ସନ୍ଦେହ ହୋଇଛି । ବ୍ୟବସ୍ଥାପିକା, କାର୍ଯ୍ୟପାଳିକା,ନ୍ୟାୟପାଳିକା ଏ ସମସ୍ତେ ଲକ୍ଷ୍ମଣରେଖା ଟପୁଛନ୍ତି ଆଉ ସବୁଠାରୁ ଉଦବେଗର କଥା ଜନତାର ବିଶ୍ୱାସ ତୁଟୁଛି । ତା ପାଇଁ ନିରପେକ୍ଷ କିଏ ଅଛି ସେ ଭରସା ଆଉ ନାହିଁ ।
ଅବଶ୍ୟ କିଛି କ୍ଷେତ୍ରରେ ପ୍ରଗତିର ଧାରା ଅବ୍ୟାହତ ରହିଛି । ଭିତ୍ତିଭୂମି ନିର୍ମାଣ ହୋଇଛି , ଯୁଗୋପଯୋଗୀ ବ୍ୟବସ୍ଥା ଶିକ୍ଷା, ସ୍ୱାସ୍ଥ୍ୟ ,ଗମନାଗମନ ଆଦି କ୍ଷେତ୍ର ସହ ଯୋଡ଼ି ହୋଇ ଚାଲିଛି । ସମାଜର ଦୁର୍ବଳ ବର୍ଗ ମଧ୍ୟରେ ଜନସଚେତନତା ବଢିଛି । ମହିଳାଙ୍କ ସ୍ଥିତି ପୂର୍ବାପେକ୍ଷା ଢେର ଉନ୍ନତି ଘଟିଛି । ଶିଶୁମହିଳା,ଦଳିତ,ଆଦିବାସୀ ବର୍ଗର ଅବହେଳା ହେଲେ ସ୍ୱର ଶାଣିତ ହେଉଛି । କିନ୍ତୁ ସାଧୁତା, ସଚ୍ଚୋଟତା, ସ୍ୱଚ୍ଛତା , ନୈତିକତା ଓ କର୍ମସଂସ୍କୃତି ପ୍ରତି ନିଷ୍ଠା ଦିଗରେ ଆମେ ନିମ୍ନଗାମୀ ହୋଇଛୁ । ଦୁର୍ନୀତି,ଭ୍ରଷ୍ଟାଚାର ସମୟ ସହ ବଢୁଛି । ଫଳରେ ବିଭିନ୍ନ କ୍ଷେତ୍ରରେ ଅସମାନତା ବୃଦ୍ଧି ପାଇଛି । ଜାତିଆଣ ଭେଦଭାବ ଓ ସାମ୍ପ୍ରଦାୟିକ ମାନସିକତା ଏବେ ବି ଆମ ସମାଜର ବାସ୍ତବତା । ଆଜି ମଧ୍ୟ ନିଜକୁ ବିଶ୍ଵଗୁରୁ କହୁଥିବା ଦେଶରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଆସିନାହିଁ । ଗୁଣି, ଗାରେଡି, ଯାଦୁ,ମନ୍ତ୍ର, ଝଡ଼ାଫୁଙ୍କାକୁ ତଥାକଥିତ ଶିକ୍ଷିତ ସମାଜ ବି ଭରଷୁଛି ।
ବଞ୍ଚିତ ବର୍ଗ ଆଜି ମଧ୍ୟ ବଞ୍ଚିତ, ସମତା, ସ୍ୱତନ୍ତ୍ରତା ଓ ସମଭାଗିଦାରୀତାର ଲଢେଇ ଆଜି ମଧ୍ୟ ଜାରି ରହିଛି । ଉତ୍କଟ ଦାରିଦ୍ର୍ୟ, ନିରକ୍ଷରତା, ସାମାଜିକ ଭେଦଭାବ, ଅନେକ ଅମାନବୀୟ ପ୍ରଥା, ପରମ୍ପରା, କୁସଂସ୍କାର ଆଜି ମଧ୍ୟ ଅଛି । କିନ୍ତୁ ସମୟ ସହ ତାକୁ ଦୂର କରିବା ଦିଗରେ କିଛି ସଂଗ୍ରାମୀଙ୍କ ସଂଗ୍ରାମ ମଧ୍ୟ ନିରନ୍ତର ଜାରି ରହିଛି । ବିଭାଜନ ଭଳି ବିଷମ ସମୟ ସତ୍ତ୍ବେ ଆମେ ବିଭାଜିତ ନୁହେଁ ତାହା ବୁଝୁଥିବା ମଣିଷ ଆଜି ମଧ୍ୟ ଅଛନ୍ତି । ଅବଶ୍ୟ ସଂଖ୍ୟା କମୁଛି କିନ୍ତୁ ସ୍ୱର ପୁରା ନିରବି ଯାଇନି । ଗାନ୍ଦି ନାହାଁନ୍ତି କିନ୍ତୁ ସେ ବିଚାରକୁ କିଛି ଲୋକ ଆଜି ମଧ୍ୟ ସାଇତି ରଖିଛନ୍ତି ଓ ତାର ପ୍ରାସଙ୍ଗିକତା ବୁଝାଉଛନ୍ତି । ଆଜି ପୁଣି ସୁଯୋଗ ମିଳିଛି, ସମୀକ୍ଷା କରିବା ପାଇଁ ଯେ ବିଚାରର ଭିନ୍ନତା ପରାଧୀନ ଭାରତରେ ମଧ୍ୟ ଥିଲା ତା ସତ୍ତ୍ବେ ଲକ୍ଷ୍ୟ ପୁରଣର ଅଦ୍ଭୁତ କ୍ରାନ୍ତି ବେଳେ କେମିତି ସମସ୍ତେ ଏକ ହୋଇ ଯାଇଥିଲେ । ତେଣୁ ସେ ଧାରା ଅବ୍ୟାହତ ରହୁ । ଦେଶର ନାଗରିକ ନିଜକୁ ସ୍ୱାଧୀନ ଭାବିବ ସେ ପରିବେଶ ଯୋଗାଇ ଦିଆଯାଉ । ଅମୃତ ମହୋତ୍ସବ ସମାଜର ସବୁବର୍ଗ ପାଇଁ ବାସ୍ତବରେ ଅମୃତମୟ ହେଉ ।
- ସୁପ୍ରିୟା ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now