ଆନ୍ଧ୍ରରେ ନାଇଡ଼ୁ ସରକାର…

Spread the love

ଆନ୍ଧ୍ରରେ ନାଇଡ଼ୁ ସରକାରଙ୍କ ଆରମ୍ଭ ହେଲା ଇନିଂସ। ଆନ୍ଧ୍ରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ। ଏହା ସହ ଆନ୍ଧ୍ରରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ବି ନିଜ ନାଁରେ କରିଛନ୍ତି ନାଇଡ଼ୁ। ନାଇଡ଼ୁଙ୍କ ସମେତ ପଓ୍ୱନ କଲ୍ୟାଣ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି। ଶପଥ ସମାରୋହରେ ମୋଦି, ଶାହା ପ୍ରମୁଖ ଉପସ୍ଥିତ ଥିଲେ।

ଆନ୍ଧ୍ରରେ ପୁଣି ନାଇଡ଼ୁ ଶାସନ। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଆନ୍ଧ୍ରର ୨୪ ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ରାଜ୍ୟର ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ ସହ ଆନ୍ଧ୍ରରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରଚିଲେ ନାଇଡ଼ୁ। ନାଇଡ଼ୁଙ୍କ ସମେତ ଜନସେନା ପାର୍ଟିର ମୁଖ୍ୟ ତଥା ଅଭିନେତା ପଓ୍ୱନ କଲ୍ୟାଣ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ନେବା ପରେ ନାଇଡ଼ୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ପଓ୍ୱନ।  ଶପଥ ନେବା ମନ୍ତ୍ରୀଙ୍କ ତୃତୀୟ ତାଲିକାରେ ଥିଲେ ନାଇଡ଼ୁଙ୍କ ପୁଅ ନାରା ଲୋକେଶ। ବିଜୟଓ୍ୱାଡ଼ାସ୍ଥିତ କେସରପଲ୍ଲି ଆଇଟି ପାର୍କରେ ଆୟୋଜିତ ଭବ୍ୟ ଶପଥ ସମାରୋହରେ ରାଜ୍ୟପାଳ ଅବଦ୍ଦୁଲ ନଜିର ସମସ୍ତଙ୍କୁ ଶପଥପାଠ କରାଇଥିଲେ। ନାଇଡ଼ୁ ଓ ପଓ୍ୱନ କଲ୍ୟାଣ ଶପଥ ନେବା ପରେ ମଞ୍ଚରେ ତାଙ୍କୁ ଆଲିଙ୍ଗନ କରିଥିଲେ ମୋଦି।

ଆନ୍ଧ୍ରରେ ଟିଡିପି ଓ ଜନସେନା ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୫ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ଟିଡିପି ମହାସଚିବ ନାରା ଲୋକେଶ, ପ୍ରଦେଶ ଅଧ୍ୟକ୍ଷ କେ, ଅଚ୍ଚନାଇଡ଼ୁଙ୍କୁ ମନ୍ତ୍ରୀ ପଦ ମିଳିଛି। ଟିଡିପିରୁ ୧୭ ନୂଆ ଚେହେରାଙ୍କୁ ମନ୍ତ୍ରୀ କରାଯାଇଛି। ବିଜେପିରୁ ଏକମାତ୍ର ସଦସ୍ୟ ସତ୍ୟ କୁମାର ଯାଦବଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ପଛୁଆ ବର୍ଗରୁ ୮, ଅନୁସୂଚିତ ଜାତି ବର୍ଗରୁ ୩, ଜନଜାତି ବର୍ଗରୁ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି। ମହମ୍ମଦ ଫାରୁକ୍ ଏକମାତ୍ର ମୁସଲିମ ଚେହେରା ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ସବୁଠୁ ବଡ଼ କଥା ହେଲା, କମ୍ମା ଓ କାପୁ ସମ୍ପ୍ରଦାୟରୁ ଅଧିକାଂଶଙ୍କୁ ମନ୍ତ୍ରୀ କରାଯାଇଛି। କାରଣ ନାଇଡ଼ୁ ନିଜେ କମ୍ମା ବର୍ଗରୁ ଆସିଥିଲା ବେଳେ ପଓ୍ୱନ କଲ୍ୟାଣ ହେଉଛନ୍ତି କାପୁ ସମ୍ପ୍ରଦାୟର। ଉଭୟ ବର୍ଗରୁ ୪ଜଣ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି।

ଆନ୍ଧ୍ର ବିଧାନସଭା ନିର୍ବାଚନରେ ୧୭୫ ଆସନରୁ ୧୬୪ ଆସନରେ ଜିତିଛି ଏନଡିଏ। ଏଥିରୁ ଟିଡିପିକୁ ୧୩୫, ଜନସେନାକୁ ୨୧ ଓ ବିଜେପିକୁ ୮ଟି ଆସନ ମିଳିଛି। ଜଗନମୋହନ ରେଡ୍ଡୀଙ୍କ ଓ୍ୱାଇଏସଆରସିପିକୁ ମାତ୍ର ୧୧ଟି ଆସନ ମିଳିଛି। କଂଗ୍ରେସ ତ ରାଜ୍ୟରେ ଖାତା ଖୋଲିପାରିଲାନି। ସେହିଭଳି ଲୋକସଭା ନିର୍ବାଚନରେ ବି ଏନଡିଏକୁ ବଡ଼ ଜିତ୍ ମିଳିଛି। ୨୫ ଲୋକସଭା ଆସନରୁ ଏନଡିଏ ୨୧ଟିରେ ଜିତିଛି। ଏଥିରୁ ଟିଡିପି ୧୬, ବିଜେପି ଓ ଜନସେନା ଦୁଇଟି ଲେଖାଏଁ ସିଟ୍ ଜିତିଛନ୍ତି। ଓ୍ୱାଇଏସଆରସିପିକୁ ୪ଟି ଆସନ ମିଳିଛି।

ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *