ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀ ସାଇ ହୀରା ବୈଶ୍ୱିକ ଅଧିବେଶନ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦଘାଟିତ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀ ଠାରେ ସାଇ ହୀରା ବୈଶ୍ୱିକ ଅଧିବେଶନ କେନ୍ଦ୍ରକୁ ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ ସମାରୋହରେ ବିଶ୍ୱର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଭକ୍ତମାନେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପାଇଁ ସେ ସ୍ୱୟଂ ଉପସ୍ଥିତ ରହିପାରିଲେ ନାହିଁ ବୋଲି କହିଥିଲେ । “ସତ୍ୟସାଇ ବାବାଙ୍କ ଆଶୀର୍ବାଦ ଓ ପ୍ରେରଣା ଆମ ସହ ଆଜି ରହିଛି” ବୋଲି କହି ମୋଦୀ କହିଥିଲେ ଯେ ତାଙ୍କର ଅଭିଯାନ ଆଜି ସମ୍ପ୍ରସାରିତ ହେବାରେ ଲାଗିଛି । ଦେଶ ତାଙ୍କ ନାମାନୁସାରେ ଏକ ନୂତନ ଅଧିବେଶନ କେନ୍ଦ୍ର ପାଇଛି ବୋଲି କହିଥିଲେ । ନୂତନ କେନ୍ଦ୍ର ଏକ ଆଧ୍ୟାତ୍ମିକତା ଓ ଆଧୁନିକତାର ମିଶ୍ରଣ ପାଇବ ବୋଲି ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ । ସେ କହିଥିଲେ ଯେ ସେ ଏହି କେନ୍ଦ୍ରରେ ସାଂସ୍କୃତିକ ବିବିଧତା ଓ ପରିକଳ୍ପନାର ଏକ ବିସ୍ମୟ ଘଟିଛି ଓ ଏହା ଆଧ୍ୟାତ୍ମିକତା ଉପରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିବ ଯେଉଁଠି ବିଦ୍ୱାନ ଓ ବିଶେଷଜ୍ଞମାନେ ଏକାଠି ହେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ କୌଣସି ଚିନ୍ତାଧାରା କାର୍ଯ୍ୟ ଦକ୍ଷତା ଦେଖାଏ ସେତେବେଳେ ତାହା ଯଥେଷ୍ଟ ଫଳପ୍ରଦ ବୋଲି ଜଣାପଡ଼େ । ଆଜି ସାଇ ହୀରା ବୈଶ୍ୱିକ ପରିଷଦର ମଧ୍ୟ ଉତ୍ସର୍ଗ ହୋଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମର କଥାବସ୍ତୁ ଅଭ୍ୟାସ ଓ ପ୍ରେରଣାର ପ୍ରଶଂସା କରିବା ସହ ସମାଜ ମଧ୍ୟ ସଦସ୍ୟଙ୍କ ଉତ୍ତମ ଆଚରଣ ଉପରେ ଗୁରୁତ୍ୱଆରୋପ କରିବା ସହ ସମାଜ ମଧ୍ୟ ତା’ର ଅନୁପାଳନ କରିଥାଏ ବୋଲି କହିଥିଲେ । ଶ୍ରୀ ସତ୍ୟସାଇଙ୍କ ଜୀବନ ଏହାର ଜୀବନ୍ତ ଉଦାହରଣ ଅଟେ । “ଆଜି ଭାରତ ମଧ୍ୟ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଆଗେଇ ଚାଲିଛି । ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବାକୁ ଅଗ୍ରସର ହେଉଥିବା ବେଳେ ଆମେ ଅମୃତ କାଳକୁ କର୍ତ୍ତବ୍ୟ କାଳ ଭାବେ ନାମିତ କରିଛୁ । ଏହିସବୁ ଶପଥ ମଧ୍ୟରେ ଆମର ଆଧ୍ୟାତ୍ମିକ ଗୁରୁମାନଙ୍କ ମାର୍ଗଦର୍ଶନ ଓ ଭବିଷ୍ୟତ ନିମନ୍ତେ ସଂକଳ୍ପ ମାନ ରହିଛି । ଏହା ଉଭୟ ବିକାଶ ଓ ଭିରାସତ ବା ଐତିହ୍ୟ ।”

ଯେଉଁଠି ଆଧ୍ୟାତ୍ମିକ ଗୁରୁତ୍ୱ ବହନକାରୀ ସ୍ଥାନଗୁଡ଼ିକର ନବୀକରଣ ଅଛି, ସେଠାରେ ଭାରତ ପ୍ରଯୁକ୍ତି ଓ ଅର୍ଥ ବ୍ୟବସ୍ଥାରେ ମଧ୍ୟ ନେତୃତ୍ୱ ନେଉଛି । ଭାରତ ବର୍ତ୍ତମାନ ବିଶ୍ୱରେ ପଞ୍ଚମ ବୃହତ ଆର୍ଥିକ ଶକ୍ତି ଥିବା ବେଳେ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ ବାତାବରଣର ମାନ୍ୟତା ପାଇଛି । ଭାରତ ବର୍ତ୍ତମାନ ବିଶ୍ୱରେ ଡିଜିଟାଲ ପ୍ରଯୁକ୍ତି ୫-ଜି କ୍ଷେତ୍ରରେ ଅନ୍ୟମାନଙ୍କ ସହ ପ୍ରତିଯୋଗିତା କରୁଛି । ବିଶ୍ୱର ଶତକଡ଼ା ୪୦ ଭାଗ ଅନଲାଇନ ନେଣଦେଣ ଭାରତରେ ହେଉଥିବା ବେଳେ, ସମଗ୍ର ପୁଟପର୍ତ୍ତୀ ଜିଲ୍ଲାକୁ ଡିଜିଟାଲ ଅର୍ଥନୀତି ପରିସରକୁ ଆଣିବା ପାଇଁ ଭକ୍ତମାନଙ୍କୁ ନିବେଦନ କରିଥିଲେ । ଏହି ସଂକଳ୍ପକୁ ସାକାର କରିବା ନିମନ୍ତେ ସମସ୍ତେ ଏକତ୍ରିତ ହେଲେ ଶ୍ରୀ ସତ୍ୟସାଇ ବାବାଙ୍କ ପରବର୍ତ୍ତୀ ଜନ୍ମବାର୍ଷିକୀ ସୁଦ୍ଧା ସମଗ୍ର ଜିଲ୍ଲା ଡିଜିଟାଲ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

“ଦେଶରେ ପରିଲକ୍ଷିତ ଅବସ୍ଥାନ୍ତର ପ୍ରତ୍ୟେକ ସାମାଜିକ ଶ୍ରେଣୀର ଅବଦାନର ପରିଣାମ” ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି ବୈଶ୍ୱିକ ସଂଗଠନ ଭଳି ପରିଷଦ ଦେଓ ଓ ବିଦେଶକୁ ଜାଣିଥିବାରୁ ଖୁବ ଦକ୍ଷତାପୂର୍ଣ୍ଣ ବୋଲି କହିଥିଲେ। ପ୍ରାଚୀନ ଧର୍ମଗ୍ରନ୍ଥର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁନି ଋଷିମାନେ ପ୍ରବହମାନ ଜଳଧାରା ସଦୃଶ ଓ ସେମାନେ କେବେ ହେଲେ ନିଜର ଭାବନାର ଅନ୍ତ ଘଟାନ୍ତି ନାହିଁ କିମ୍ବା ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ବିରାମ ଦିଅନ୍ତୁ ନାହିଁ । “ମୁନି ଋଷିମାନଙ୍କ ଜୀବନର ସଂଜ୍ଞା ସେମାନଙ୍କ ଅବିଶ୍ରାନ୍ତ ସାଧନା ଦ୍ୱାରା ହୋଇଥାଏ ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ଜଣେ ସନ୍ଥଙ୍କର ଜନ୍ମ ସ୍ଥାନ ଅନୁସାରେ ତାଙ୍କ ଅନୁଗାମୀମାନଙ୍କ ଜୀବନ ହୁଏ ନାହିଁ । ଭକ୍ତମାନଙ୍କ ନିମନ୍ତେ ଜଣେ ପ୍ରକୃତ ସନ୍ଥ ସେମାନଙ୍କ ପ୍ରକୃତ ନିଜର ହୋଇଥାଏ ଓ ସେମାନଙ୍କ ବିଶ୍ୱାସ ଓ ସଂସ୍କୃତିର ପ୍ରତିନିଧି ଭାବେ କାର୍ଯ୍ୟ କରିଥାନ୍ତି । ହଜାର ହଜାର ବର୍ଷ ଧରି ଭାରତରେ ସନ୍ଥଗଣ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରେରଣା ଦେଇ ଆସିଛନ୍ତି । ଯଦିଓ ଶ୍ରୀ ସତ୍ୟସାଇ ବାବା ପୁଟପର୍ତ୍ତୀରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ଅନୁଗାମୀମାନେ ବିଶ୍ୱବ୍ୟାପୀ ରହିଛନ୍ତି ଓ ତାଙ୍କର ଆଶ୍ରମ ଓ ଅନୁଷ୍ଠାନ ଭାରତର ସବୁ ରାଜ୍ୟରେ ରହିଛି । ସମସ୍ତ ଭକ୍ତ ପ୍ରଶାନ୍ତି ନିଳୟମ୍ ସହ ଭାଷା ଓ ସଂସ୍କୃତି ନିର୍ବିଶେଷରେ ଯୋଡ଼ି ହୋଇଥିଲେ ମଧ୍ୟ ଏହି ଆଶା ଭାରତକୁ ଏକତା ରଜ୍ଜୁରେ ବାନ୍ଧି ରଖିଛି ଓ ଏହାକୁ ଅମର କରିଛି ।

ପ୍ରଧାନମନ୍ତ୍ରୀ ସେବା ଶକ୍ତି ଦୃଷ୍ଟିକୋଣରୁ ସତ୍ୟସାଇଙ୍କୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ କୃତଜ୍ଞତାର ସହ ତାଙ୍କୁ ସ୍ମରଣ କରି କିପରି ସତ୍ୟସାଇଙ୍କ ଆଶୀର୍ବାଦ ଯୋଗୁ ତାଙ୍କ ସହ କଥାବାର୍ତ୍ତାର ସୁଯୋଗ ପାଇଥିବା ଘଟଣାକୁ ମନେ ପକାଇଥିଲେ ।

ଶ୍ରୀ ସତ୍ୟସାଇ କିପରି ଅତି ସହଜରେ ଗଭୀର ସଂଦେଶମାନ ଦେଉଥିଲେ ଶ୍ରୀ ମୋଦୀ ତାହାର ସ୍ମରଣ କରିଥିଲେ । ସେ କିପରି ଅନନ୍ତ କାଳର ସଂଦେଶ “ସମସ୍ତଙ୍କୁ ଭଲପାଅ, ସମସ୍ତଙ୍କ ସେବା କର”, “ସାହାଯ୍ୟ କର, କେବେ ବି କାହାକୁ ଆଘାତ ଦିଅନାହିଁ”, “କମ କଥା ବେଶୀ କାମ, ପ୍ରତ୍ୟେକ ଅଭିଜ୍ଞତା ଏକ ଶିକ୍ଷା- ପ୍ରତ୍ୟେକ କ୍ଷତି ଏକ ଲାଭ” ସ୍ମରଣ କରିଥିଲେ । ଏହିସବୁ ବାଣୀର ସମ୍ବେଦନଶୀଳତା ଓ ଗଭୀର ଦାଶର୍ନିକ ତତ୍ତ୍ୱ ରହିଛି ପ୍ରଧାନମନ୍ତ୍ରୀ ତାହାର ଅବତାରଣା କରିଥିଲେ । ଗୁଜରାଟ ଭୂମିକମ୍ପ ବେଳେ ତାଙ୍କର ମାର୍ଗଦର୍ଶନର ଶ୍ରୀ ମୋଦୀ ସ୍ମରଣ କରିଥିଲେ । ଶ୍ରୀ ମୋଦୀ ସତ୍ୟସାଇଙ୍କ ଗଭୀର ଅନୁକମ୍ପାର ଆଶୀର୍ବାଦ ସ୍ମରଣ କରିବା ସହ ତାଙ୍କ ପାଇଁ ମାନବତାର ସେବା ହିଁ ଈଶ୍ୱର ସେବା ଥିଲା ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଭଳି ଦେଶରେ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସବୁବେଳେ ସମାଜ କଲ୍ୟାଣର କେନ୍ଦ୍ର ହୋଇ ରହିଛନ୍ତି । ଆମେ ଯେତେବେଳେ ଆଜି ବିକାଶ ଓ ଐତିହ୍ୟକୁ ଅମୃତକାଳର ସଂକଳ୍ପକୁ ଗତି ଦେଉଛୁ ଶ୍ରୀ ସତ୍ୟସାଇ ଟ୍ରଷ୍ଟ ଭଳି ଅନୁଷ୍ଠାନର ଏକ ପ୍ରମୁଖ ଭୂମିକା ଏଥିରେ ରହିଛି ।

ସତ୍ୟସାଇ ଆଧ୍ୟାତ୍ମିକ ଶାଖା ବାଲବିକାଶ ଭଳି କାର୍ଯ୍ୟକ୍ରମ ଜରିଆରେ ନୂତନ ପିଢ଼ି ମଧ୍ୟରେ ସାଂସ୍କୃତିକ ଭାରତୀୟତା ସୃଷ୍ଟି କରୁଥିବାରୁ ଶ୍ରୀ ମୋଦୀ ଖୁସୀ ପ୍ରକଟ କରିଥିଲେ । ଦେଶ ଗଠନ ଓ ସମାଜକୁ ସଶକ୍ତ କରିବା ଦିଗରେ ସତ୍ୟସାଇ ଟ୍ରଷ୍ଟର ଉଦ୍ୟମ ଉପରେ ଆଲୋକପାତ କରି ପ୍ରଶାନ୍ତ ନିଲୟମରେ ହାଇଟେକ ହସ୍ପିଟାଲ, ବର୍ଷ ବର୍ଷ ଧରି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମୁକ୍ତ ଶିକ୍ଷାର ଉଦାହରଣ ଦେଇଥିଲେ । ସତ୍ୟସାଇ ସହ ସଂଶ୍ଳିଷ୍ଟ ସଂଗଠନଗୁଡ଼ିକ ଯେପରି ଉତ୍ସର୍ଗୀ ଭାବାପନ୍ନ ହୋଇ କାର୍ଯ୍ୟ କରୁଛନ୍ତି ତାର ମଧ୍ୟ ବର୍ଣ୍ଣନା କରିଥିଲେ । ଦେଶ ଯେପରି ଜଳ ଜୀବନ ମିଶନ ଜରିଆରେ ପ୍ରତ୍ୟେକ ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଛି, ସେହିପରି ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ କିପରି ଦୂରଦୂରାନ୍ତ ଗ୍ରାମକୁ ଜଳ ଯୋଗାଉଛି ତା’ଉପରେ ଆଲୋକପାତ କରିଥିଲେ । ଜଳବାୟୁ ନେଇ ମିଶନ ଲାଇଫ ଓ ସମ୍ମାନନୀୟ ଭାରତର ଜି-୨୦ ଅଧ୍ୟକ୍ଷତା କିପରି ବୈଶ୍ୱିକ ସ୍ୱୀକୃତି ଲାଭ କରୁଛି ପ୍ରଧାନମନ୍ତ୍ରୀ ତା’ର ଅବତାରଣା କରିଥିଲେ । ସେ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ବାର୍ତ୍ତା ଉପରେ ଆଲୋକପାତ କରିଥିଲେ । ଭାରତ ପ୍ରତି ବୃଦ୍ଧି ପାଉଥିବା ବୈଶ୍ୱିକ ଲୋକପ୍ରିୟତାର ଉଦାହରଣ ଦେଇ କିପରି ଜାତିସଂଘ ମୁଖ୍ୟାୟରେ ଅନେକ ଦେଶ ଏକାଠି ହୋଇ ଯୋଗାଭ୍ୟାସ କରିଥିଲେ ତାହାର ବର୍ଣ୍ଣନା କରିଥିଲେ । ଯୋଗ ସହ ଜନସାଧାରଣ କିପରି ଆୟୁର୍ବେଦକୁ ଗ୍ରହଣ କରି ସ୍ଥାୟୀତ୍ୱ ଓ ନିରନ୍ତର ଜୀବନ ଶୈଳୀ ଭାରତରୁ ଶିଖୁଛନ୍ତି ତାହାର ବର୍ଣ୍ଣନା କରିଥିଲେ । ନିକଟରେ ଚୋରି ଯାଇଥିବା ଏୟାରକ୍ରାଫ୍ଟର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ମଧ୍ୟ ଅବତାରଣା କରିଥିଲେ । ଭାରତର ଏହି ଉଦ୍ୟମ ଓ ନେତୃତ୍ୱ ପଛରେ ଆମର ସାଂସ୍କୃତିକ ଚିନ୍ତାଧାରା ଆମର ବୃହତ ଶକ୍ତି ହୋଇଥିବାରୁ ସତ୍ୟସାଇ ନ୍ୟାସ ଭଳି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଗାମୀ ଦୁଇ ବର୍ଷ ମଧ୍ୟରେ ଏକ କୋଟି ବୃକ୍ଷରୋପଣ ପାଇଁ ‘ପ୍ରେମ ତରୁ’ ପଦକ୍ଷେପ ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ । ବୃକ୍ଷରୋପଣ ହେଉ ବା ପ୍ଲାଷ୍ଟିକ ମୁକ୍ତ ଭାରତ ସଂକଳ୍ପ ଏହି ପଦକ୍ଷେପ ଗୁଡ଼ିକୁ ସାକାର କରିବା ପାଇଁ ସମସ୍ତେ ଆଗଭର ହୋଇ ଆସିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ଜନସାଧାରଣ ମଧ୍ୟ ସୌରଶକ୍ତି ଓ ସ୍ୱଚ୍ଛ ଇନ୍ଧନ ପ୍ରତି ଆକୃଷ୍ଟ ହେବାକୁ ନିବେଦନ କରିଥିଲେ ।

ଆନ୍ଧ୍ରର ପ୍ରାୟ ୪୦ ଲକ୍ଷ ବିଦ୍ୟାର୍ଥୀଙ୍କୁ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ ଶ୍ରୀ ଅନ୍ନ ମାଣ୍ଡିଆ ଜାଉ ଖାଦ୍ୟ ପ୍ରଦାନ ପଦକ୍ଷେପକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ଶ୍ରୀ ଅନ୍ନର ଉପକାରିତା ଦୃଷ୍ଟିରୁ ଅନ୍ୟ ରାଜ୍ୟମାନେ ମଧ୍ୟ ଏହାକୁ ଗ୍ରହଣ କଲେ ସେମାନେ ଅନେକ ସୁବିଧା ପାଇବେ । “ଶ୍ରୀ ଅନ୍ନରେ ସ୍ୱାସ୍ଥ୍ୟ ନିହିତ ଓ ସମ୍ଭାବନା ମଧ୍ୟ ରହିଛି । ଆମର ସମସ୍ତ ଉଦ୍ୟମ ବୈଶ୍ୱିକ ସ୍ତରରେ ଭାରତର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ ଓ ଭାରତର ପରିଚୟକୁ ମଜବୁତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଆମ ସମସ୍ତଙ୍କ ଉପରେ ସତ୍ୟସାଇଙ୍କ ଆଶୀର୍ବାଦ ରହିଛି । ଏହି ଶକ୍ତି ସହ ଆମେ ଏକ ବିକଶିତ ଭାରତ ନିର୍ମାଣ କରିବା ଓ ସମଗ୍ର ବିଶ୍ୱ ସେବା କରିବାକୁ ଆମର ସଙ୍କଳ୍ପକୁ ସାକାର କରିପାରିବା” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *